Latest News

ବନୌଷଧୀ ବାହାଡା

ଡାକ୍ତର ଦିବ୍ୟଜ୍ୟୋତି ମହାରଣା 08/01/2024ଦ୍ରବ୍ୟଗୁଣ

 ବାହାଡା ଆୟୁବେର୍ଦର ଏକ ସୁପ୍ରସିଦ୍ଧ ବନୌଷଧୀ । ଏ ବୃକ୍ଷ ଆମ ଚତୁଃର୍ପାଶ୍ୱରେ ସହଜରେ ମିଳିଥାଏ । ବାହାଡାରେ ବହୁ ଔଷଧୀୟ ଗୁଣ ଭରିରହିଛି । । ତ୍ରିଫଳାରେ ବ୍ୟବହୃତ ହେଉଥିବା ତିନୋଟି ଫଳ ମଧ୍ୟରୁ ବାହାଡା ଅନ୍ୟତମ । ବାହାଡା ବୃକ୍ଷକୁ ସଂସ୍କୃତରେ ବିଭୀତକ, କର୍ଷଫଳ ଏବଂ ବିଜ୍ଞାନରେ ଟର୍ମିନେଲିଆ ବେଲରିକା କୁହାଯାଏ । ମୁଖ୍ୟତଃ ଶ୍ୱଶନ ସଂସ୍ଥାନ ଉପରେ ଏହା ସକାରାତ୍ମକ ପ୍ରଭାବ ପକାଉଥିଲେ ମଧ୍ୟ ଏହା ବହୁମୁଖୀ ଔଷଧୀୟ ପ୍ରଭାବ ଯୁକ୍ତ । 

ବାହାଡା ଫଳରେ ଟେନିନ୍ ୨୧.୪%, ବୀ - ସିଟୋସ୍ଟରାଲ, ଗେଲିକ୍ ଏସିଡ, ଗ୍ଲକୋଜ ନାମକ କେତେକ ଘଟକ ଦ୍ରବ୍ୟ ଥାଏ । ବୀଜ ମଜ୍ଜାରୁ ୩୮.୬% ପରିମାଣରେ ଏକ ପୀତବର୍ଣ୍ଣଯୁକ୍ତ ସ୍ଥିର ତୈଳ ଏବଂ ଛାଲରୁ ୧.୪-୭% ଟେନିନ୍ ପ୍ରାପ୍ତ ହୁଏ । 
ବାହାଡା ଫଳ ଗୁଣରେ ରକ୍ଷ ଓ ଲଘୁ, ରସରେ କଷାୟ, ବିପାକରେ ମଧୁର ଏବଂ 
ଉଷ୍ନବୀର୍ଯ୍ୟ ସ୍ୱଭାବ ବିଶିଷ୍ଟ । ଏହା ତ୍ରିଦୋଷଶାମକ । ତେଣୁ ଏହା ତ୍ରିଦୋଷ ଜନ୍ୟ ବିକାରରେ ପ୍ରଯୁଜ୍ୟ ହୋଇଥାଏ । ବିଶେଷତଃ କଫଜ ବ୍ୟାଧିରେ ଏହା ଅଧିକ ଉପଯୋଗୀ । ଶୋଥ ବେଦନାଯୁକ୍ତ ରୋଗରେ ଏହି ଫଳ

ଲେପ କିମ୍ବା ବୀଜର ତୈଳ ପ୍ରୟୋଗ କରାଯାଏ । 

ଚର୍ମରୋଗ, ଅଗ୍ନିମାନ୍ଦ୍ୟ, ଶ୍ୱେତକୁଷ୍ଠ (ଲ୍ୟୁକୋଡର୍ମା) ପ୍ରଭୃତି ରୋଗରେ ଏହି ତୈଳର ବାହ୍ୟପ୍ରୟୋଗ କରାଯାଇଥାଏ । ଏହାର ଫଳକୁ ମୁଖରେ ରଖି ଶୋଷଣ କଲେ କାଶ, ଶ୍ୱାସ ଓ ସ୍ୱରଭଙ୍ଗ ଆଦି ଦୋଷ ନଷ୍ଟ ହୁଏ । ଏପରି କରିବା ଦ୍ୱାରା ସହଜରେ କଫ ବାହାରିଆସେ । 
ବାହାଡା ଚୂର୍ଣ୍ଣକୁ ମିଶ୍ରି ବା ମହୁ ସହ ପିଇବା ଦ୍ୱାରା ଆଖିର ରଶ୍ମି ବଢିଥାଏ । ଆଖିରେ ପୀଡା ହେଲେ ମଧ୍ୟ ଏହା ବହୁତ୍ ଉପଯୋଗୀ ଅଟେ । ବାହାଡାର ପାଉଡର କିମ୍ବା ଲେପ କୁ ଚୁଟି ମୂଳରେ ଲଗାଇଲେ କେଶର ରଙ୍ଗ ଘନ କଳା ହୋଇଥାଏ । 
ବାହାଡା ଫଳକୁ ଚୂର୍ଣ୍ଣ କରି ସେବନ କରିବା ଦ୍ୱାରା ବାତବ୍ୟାଧି, ଅନିଦ୍ରା, ଅର୍ଶ ଏବଂ କୃମିରୋଗରୁ ନିଶ୍ଚିତ ରୂପେ ଆରୋଗ୍ୟ ମିଳିଥାଏ । କ୍ଳୈବ (ନଂପୁଶକତା) ରୋଗରେ ମଧ୍ୟ ଏହା ପ୍ରଭାବଶାଳୀ ଅଟେ । 
କଫଜ ବ୍ୟାଧିରେ ଏହା ଅଧିକ ଉପଯୋଗୀ । ଶୋଥ ବେଦନା ପ୍ରଧାନ ରୋଗ ଉପଶମରେ ଏହା ଅତ୍ୟନ୍ତ ଲାଭଦାୟକ । ଆହୁରି ମଧ୍ୟ ଜ୍ୱର, ଦୁର୍ବଳତା ଓ ନେତ୍ରରୋଗରେ ଏହାର ବ୍ୟବହାର କରାଯିବାର ବିଧି ରହିଛି ।

Flip Book Link: https://demo.rastradeep.com/flip.aspx?fid=209

Related Post