ଇସ୍ରାଏଲ ଗସ୍ତ ପରେ ୧୦୦ମିଲିୟନ ଡଲାର ସହାୟତା ଘୋଷଣା କଲେ ବାଇଡେନ୍

Rastradeep 6:49 AM ଆନ୍ତର୍ଜାତିକ

ଗାଜା ଓ ୱେଷ୍ଟବ୍ୟାଙ୍କ ଅଂଚଳର ଯୁଦ୍ଧ ପ୍ରଭାବିତ ଲୋକଙ୍କ ପାଇଁ ସାହାଯ୍ୟ ଘୋଷଣା କରିଛି ଆମେରିକା । ଇସ୍ରାଏଲ ଗସ୍ତରେ ଯାଇଥିବା ଆମେରିକା ରାଷ୍ଟ୍ରପତି ୧୦୦ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି । ଏହା ଯୁଦ୍ଧଦ୍ୱାରା ବାସଚ୍ୟୁତ କିମ୍ବା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଅନେକ ମାତ୍ରାରେ ସହାୟକ ହେବ ।

ପାଲେଷ୍ଟାଇନର କ୍ଷତିଗ୍ରସ୍ତ ହୋଇଥିଲା ପ୍ରାୟ ୧୦ ଲକ୍ଷ ଲୋକଙ୍କ ଏହା ନୂଆ ଆଶା ଦେଖାଇବ ବୋଲି ବାଇଡେନ୍ କହିଛନ୍ତି । ଏହି ସହାୟତା ରାଶି ଯେପରି ହମାସ୍ କିମ୍ବା ଆତଙ୍କବାଦୀ ସଂଗଠନ ହାତକୁ ନଯାଏ ସେଥିପ୍ରତି ନଜର ରଖିବାକୁ ପଡିବ । ଆମେରିକା ଉପରେ ୯/୧୧ ଆକ୍ରମଣ ପରି ଇସ୍ରାଏଲ ଉପରେ ଆକ୍ରମଣ ହୋଇଛି । ଏହା ୧୫ଟି ୯/୧୧ ଆକ୍ରମଣ ସହ ତୁଳନୀୟ ବୋଲି ବାଇଡେନ୍ କହିଛନ୍ତି ।

ଗତକାଲି ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗାଜାକୁ ସହାୟତା ସାମଗ୍ରୀ ନେଇ ଯାଉଥିବା ୨୦ଟି ଟ୍ରକକୁ ଅନୁମତି ଦେବାକୁ ଇଜିଷ୍ଟର ରାଷ୍ଟ୍ରପତି ରାଜି ହୋଇଥିବା ସୂଚନା ମିଳିଛି ।

ସେହିପରି ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ହମାସକୁ, ଆଇଏସ୍ଆଇଠୁ ବି ଅଧିକ ବିପଜ୍ଜନକ ବୋଲି ସୂଚାଇ ଦେଇଛନ୍ତି ନେତନ୍ୟାହୁ । ଆଉ ବାଇଡେନ୍ ବି ଗାଜା ମେଡିକାଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଏ ଆକ୍ରମଣ ଇସ୍ରାଏଲ ପକ୍ଷରୁ ହୋଇନି ବୋଲି ସ୍ପଷ୍ଟ କହିଛନ୍ତି। ତା ସହ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ନେଉଥିବା ପଦକ୍ଷେପ ପଛରେ ଆମେରିକା ଦୃଢ଼ ଭାବେ ଛିଡ଼ା ହେବ ବୋଲି ଘୋଷଣା କରିଛନ୍ତି ବାଇଡେନ୍। ସେପଟେ ହମାସ୍ ଓ ଇସ୍ରାଏଲ ଯୁଦ୍ଧକୁ ୧୩ ଦିନ ହୋଇଥିଲେ ବି ସଂକଟ ଲାଗିରହିଛି ।

ସୂଚନାଯୋଗ୍ୟ ଗାଜାର ଅଲ ଆହାଲି ହସ୍ପିଟାଲ ଉପରେ ହୋଇଥିବା ରକେଟ ମାଡ଼ରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏ ହମଲାରେ ବହୁ ସଂଖ୍ୟାରେ ଶିଶୁଙ୍କୁ ଜୀବନ ଯାଇଥିବାରୁ ଏ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି ।

Related Post