Latest News

ସୁଡଙ୍ଗରେ ଓଡ଼ିଆ ଶ୍ରମିକ

ରାଷ୍ଟ୍ରଦୀପ 11/12/2023ମୁଖ୍ୟ ପ୍ରସଙ୍ଗ

 ଦୀର୍ଘ ୧୭ ଦିନର ଜୀବନ-ମୃତ୍ୟୁର ଲଢ଼େଇ ପରେ ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରୁ ସୁରକ୍ଷିତ ଭାବେ ବାହାରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଯୋଗିବନ୍ଧ ଗାଁର ବିଶ୍ୱେଶ୍ୱର ନାୟକ, ବେଡାକୁଦର ଗାଁର ଧୀରେନ୍ ନାୟକ, ରାଇରଙ୍ଗପୁର ଉପଖଣ୍ଡ ତିରିଂ ଥାନା କୁଲଡିହା ଗାଁର (କ୍ଷୀରୋଦ) ରାଜୁ ନାୟକ ଓ ଭଦ୍ରକ ବାସୁଦେବପୁର ବ୍ଲକ ଚାଳିଶଠେନ ଗାଁର ତପନ ମଣ୍ଡଳ ଓ ନବରଙ୍ଗପୁର ଜିଲ୍ଲାର ଡାବୁଙ୍ଗା ବ୍ଲକ ତାଳବେଡାର ଭଗବାନ ଉତ୍ତରା ।

ବାହାରକୁ ବାହାରିବା ପରେ ସେମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଥିଲା ମୁକ୍ତିର ଆନନ୍ଦ । ନିବୁଜ ସୁଡଙ୍ଗ ଭିତରେ ୪୦୦ ଘଣ୍ଟାରୁ ଅଧିକ ସମୟ କାଟିଥିବା ଏହି ନିର୍ଭୀକ ଶ୍ରମିକମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ହରାଇନଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ କୁଶଳରେ ଫେରି ଆସିବେ ଏ ବିଶ୍ୱାସ ତାଙ୍କର ଥିଲା । ଅବଶ୍ୟ ସୁଡଙ୍ଗ ଭିତରେ ପ୍ରଥମ ଦୁଇଦିନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ମାତ୍ର ତା’ପରେ ନିର୍ମାଣକାରୀ ସଂସ୍ଥା ଓ ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଓ ଉତ୍ତରାଖଣ୍ଡ ସରକାରଙ୍କ ସହ ୱାକିଟକି ମାଧ୍ୟମରେ ଯୋଗ

ସୂତ୍ର ରକ୍ଷା କରିବା ପରେ ମନରେ ସାହସ ବୃଦ୍ଧି ପାଇଥିଲା । ପ୍ରଥମ ସପ୍ତାହ ସମସ୍ତେ କେବଳ ମୁଢ଼ି ଖାଇଥିଲୁ, ତା’ପରେ ପାଇପ୍ ଯୋଗେ ଅନ୍ୟାନ୍ୟ ଖାଦ୍ୟ ପହଞ୍ଚିଥିଲା । ଫସିଥିବା ଟନେଲରେ ପ୍ରାୟ ୨ କି.ମିରୁ ଅଧିକ ଫାଙ୍କା ଜାଗା ଥିବାରୁ ଚଳପ୍ରଚଳ ବା ଶୌଚ ପାଇଁ ଆଦୌ ଅସୁବିଧା ହୋଇନଥିଲା । ମାଟି ତଳ ସନ୍ତସନ୍ତିଆ ହୋଇଥିବାରୁ କିଛି ଶ୍ରମିକଙ୍କୁ ଥଣ୍ଡା ଓ କାଶ ହୋଇଥିଲା । ମାତ୍ର ସେମାନଙ୍କୁ ପାଇପ୍ ଯୋଗେ ଔଷଧ ଦିଆଯାଇଥିଲା । ଏହା ବ୍ୟତୀତ ସୁଡଙ୍ଗ ଭିତରର ଏଭଳି ଅନେକ ଅନୁଭୂତି ରହିଛି ଯାହା କି ସେମାନେ ପରେ ସ୍ୱାଭାବିକ ସ୍ଥିତିକୁ ଆସି ଗାଆଁକୁ ଫେରିଲେ ଜଣାଇବେ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ସଚିବ ଏସ.କେ.ଜେନା ଓ ଦୁଇଟି ଦଳ ମୟୂରଭଞ୍ଜ ତଥା ଓଡ଼ିଶାର ଶ୍ରମିକମାନଙ୍କ ଦେଖାଶୁଣା କରିବା ସହ ତାଙ୍କ ସହ କିଛି ସମୟ ବିତାଇ ଉତ୍ସାହର ବାର୍ତ୍ତା ଦେଇଛନ୍ତି । ଏତଦ୍ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଏକ ଧନ୍ୟବାଦ ବାର୍ତ୍ତା ମଧ୍ୟ ପଠାଇଛନ୍ତି ।

Flip Book Link: https://demo.rastradeep.com/flip.aspx?fid=205

Related Post