Latest News

କର୍ଣ୍ଣାଟକ : ମୁସଲିମ୍ ଲିଗ୍ ହେବା ଆଡ଼କୁ ଅଗ୍ରସର କଂଗ୍ରେସ

ଡ. ସମନ୍ୱୟ ନନ୍ଦ 18/03/2024ଜାତୀୟ

ୟୁପିଏ ଶାସନ କାଳରେ ଦେଶରେ ବିଭିନ୍ନ ସ୍ଥାନରେ ବାରମ୍ବାର ବୋମା ବିସ୍ଫୋରଣ ହେଉଥିଲା । ବୋମା ବିସ୍ଫୋରଣ ଏକ ନିୟମିତ ଓ ସାଧାରଣ ଘଟଣାରେ ପରିଣତ ହୋଇଥିଲା । ଏବେ ପୁଣି ଥରେ ବେଙ୍ଗାଲୁରୁରେ ଏକ ଆଇଇଡି ବ୍ଲାଷ୍ଟ ହୋଇଛି । ବେଙ୍ଗାଲୁରୁ ସହରରେ ଆଇଇଡି ବ୍ଲାଷ୍ଟ ହେବା ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ନରେନ୍ଦ୍ର ମୋଦୀ ଯେବେ ଠାରୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସେବେ ଠାରୁ କୌଣସି ନାଗରିକ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇନଥିଲା । ପଠାଣକୋଟ ଠାରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ହେଲେ ତାହା ବାୟୁ ସେନାରେ ହୋଇଥିଲା । ତେଣୁ ମୋଦୀ ସରକାରରେ ଆସିବା ପର ଠାରୁ ସମ୍ଭବତଃ ପ୍ରଥମ ଥର ପାଇଁ କୌଣସି ନାଗରିକ ଅଞ୍ଚଳରେ ବିସ୍ଫୋରଣ ହୋଇଛି ।
ଏହି ବିସ୍ଫୋରଣ ଅନେକ ପ୍ରଶ୍ନ ଉତ୍ପନ୍ନ କରୁଛି । ରାମେଶ୍ୱରମ କାଫେ ଯେଉଁ ଠାରେ ଏହି ଆଇଇଡି ବ୍ଲାଷ୍ଟ ହୋଇଛି ତାହା ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରହିଛି । କୁହାଯାଉଛି ଗତ ୨୨ ଜାନୁଆରୀ ଦିନ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏହି କାଫେରେ ଧୂମ୍‌ଧାମ୍ ସହ ପାଳନ କରାଯାଇଥିଲା । ତେଣୁ ଏପରି ଏକ କାଫେକୁ ଟାର୍ଗେଟ କରାଯାଇଛି ।
ଏହି ବିସ୍ଫୋରଣର ଖବର ଆସିବା ମାତ୍ରେ ଏକ ବିଚିତ୍ର ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି ବିସ୍ଫୋରଣର ସମ୍ବାଦ ଆସିବା ମାତ୍ରେ କଂଗ୍ରେସ ସମର୍ଥକ ଓ ନିଜକୁ ସେକୁଲାର- ଲିବରାଲ ବୋଲି କହୁଥିବା ସୋସିଆଲ ମିଡ଼ିଆର ହ୍ୟାଣ୍ଡେଲରମାନେ ବିନା କୌଣସି ଯାଞ୍ଚରେ ଏହାକୁ ସିଲିଣ୍ଡର ବ୍ଲାଷ୍ଟ ବୋଲି ପ୍ରଚାରିତ କରିବା ଆରମ୍ଭ କରିଦେଇଥିଲେ । ତେବେ ବେଙ୍ଗାଲୁରୁ ସାଂସଦ ତଥା ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟ ଉକ୍ତ କାଫେର ମାଲିକଙ୍କ ସହ କଥା ହୋଇଥିଲେ । ଏହି କଥାବାର୍ତ୍ତାରେ କାଫେରେ ମାଲିକ ତାଙ୍କୁ କହିଥିଲେ ଯେ ଏହି ଘଟଣା କୌଣସି ସିଲିଣ୍ଡର ବ୍ଲାଷ୍ଟ କାରଣରୁ ହୋଇ ନାହିଁ ବରଂ ଏହା ଆଇଇଡି ବ୍ଲାଷ୍ଟ । ଏହାପରେ ତେଜସ୍ୱୀ ସୂର୍ଯ୍ୟ ଉକ୍ତ କାଫେ ମାଲିକଙ୍କ ସହ କଥାବାର୍ତ୍ତା ଆଧାରରେ ସ୍ପଷ୍ଟ କରିଥିଲେ ଯେ ଏହା ସିଲିଣ୍ଡର ବିସ୍ଫୋରଣ ନୁହେଁ ବରଂ ଏକ ଆତଙ୍କବାଦୀ ଆକ୍ରମଣ । ନ ହେଲେ ଏହା ପୂର୍ବରୁ କଂଗ୍ରେସ ସମର୍ଥକ ହ୍ୟାଣ୍ଡେଲର ଗୁଡ଼ିକ ଏହାକୁ ଏକ ସାମାନ୍ୟ ଦୁର୍ଘଟଣା ବୋଲି ପ୍ରଚାରିତ କରି ମାମଲାକୁ ଚାପି ଦେବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ ବିନା କୌଣସି ଯାଞ୍ଚରେ ଏହି କଂଗ୍ରେସ ସମର୍ôଥତ ହ୍ୟାଣ୍ଡେଲର ଗୁଡ଼ିକ ଏହି ଘଟଣାକୁ ସାଧାରଣ ଦୁର୍ଘଟଣା ବୋଲି କାହିଁକି ପ୍ରଚାରିତ କରୁଥିଲେ ଓ ସେମାନେ କାହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ ?
ଯେପରିକି ଉପରେ ଉଲ୍ଲେଖ କରାଯାଇଛି ଯେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଏହା ସମ୍ଭବତଃ ଦେଶରେ ନାଗରିକ ଅଞ୍ଚଳରେ ଏହା ପ୍ରଥମ ବିସ୍ଫୋରଣର ଘଟଣା । ତେବେ କର୍ଣ୍ଣାଟକରେ ଏହି ଆତଙ୍କବାଦୀ ଘଟଣା କାହିଁକି ଘଟିଛି ? କର୍ଣ୍ଣାଟକରେ ଏହି ଘଟଣା ଘଟିବା ପଛରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ କଂଗ୍ରେସର ସରକାର ଗଠନ ହେବା ଓ କଂଗ୍ରେସ ସରକାରଙ୍କ ଏଭଳି ଶକ୍ତିମାନଙ୍କ ପ୍ରତି ନରମ ଆଭିମୁଖ୍ୟ ଅଥବା ପ୍ରୋତ୍ସାହନକାରୀ ଆଭିମୁଖ୍ୟ ଦାୟୀ କି ? କର୍ଣ୍ଣାଟକରେ ଗତ କିଛିଦିନ ମଧ୍ୟରେ ବିଶେଷ ଭାବେ କଂଗ୍ରେସ ସରକାର ଆସିବା ପରେ ଯାହା ସବୁ ଘଟଣା ଘଟିଛି ତା’ ଉପରେ ଦୃଷ୍ଟି ପକାଇଲେ ଏ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇ ପାରିବ ।
ଗତ କିଛି ଦିନ ତଳେ ଅର୍ଥାତ ଗତ ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ଜଣେ ପ୍ରାର୍ଥୀ ନାସେର ହୁସେନ ବିଜୟ ଲାଭ କରିଥିଲେ । ଉକ୍ତ ଦିନ ତାଙ୍କ ବିଜୟ ପରେ କର୍ଣ୍ଣାଟକର ବିଧାନ ସୌଧ ଠାରେ ତାଙ୍କର ସମର୍ଥକମାନେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ । ଏ ସମ୍ପର୍କରେ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଖା ଦେଇଥିଲା ଓ ବିଜେପିର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ କର୍ଣ୍ଣାଟକର ସିଦ୍ଧାରମେୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇବାର ଦେଖିବାକୁ ମିଳିଥିଲା । ହେଲେ ସଙ୍ଗେ ସଙ୍ଗେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ତଥା କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ଏହାକୁ ଖଣ୍ଡନ କରିବା ସହ କହିଥିଲେ ଯେ “ଯେତେବେଳେ ବିଜେପି କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ ସେତେବେଳେ ତାଙ୍କୁ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଶୁଣିବାକୁ ମିଳିଥାଏ ।” ଏପରି ବକ୍ତବ୍ୟ ଦେଇ ପ୍ରିୟଙ୍କ ଏକ ପ୍ରକାରରେ ଏହି ମାମଲାକୁ ଯାଞ୍ଚ୍ କରିବା ପୂର୍ବରୁ ହିଁ ରଫା ଦଫା କରିବାକୁ ପ୍ରୟାସ କରିଥିଲେ ।
ତେବେ ଯାଞ୍ଚ ପରେ ଏହାର ସତ୍ୟତା ଏବେ ପ୍ରମାଣିତ ହୋଇ ସାରିଛି । ଏହି ଅଡ଼ିଓ ଓ ଭିଡ଼ିଓକୁ ଯାଞ୍ଚ ପାଇଁ ପଠାଯାଇଥିଲା । ବେଙ୍ଗାଲୁରୁ ପୁଲିସ ସ୍ପଷ୍ଟ କରିଛ

ଯେ ଏଫଏସଏଲ ଯାଞ୍ଚ ପରେ ଏହା ଜଣାପଡ଼ିଛି ଯେ କଂଗ୍ରେସର ପ୍ରାର୍ଥୀ ନାସେର ହୁସେନ ବିଜୟ ପରେ ତାଙ୍କର ସମର୍ଥକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କର୍ଣ୍ଣାଟକର ସରକାରରେ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କର୍ଣ୍ଣାଟକ ବିଧାନସୌଧରେ ଭାରତର ଶତ୍ରୁ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାହିଁକି ତାଙ୍କ ସମର୍ଥନରେ ବକ୍ତବ୍ୟ ଦେଉଥିଲେ । ସେ କଂଗ୍ରେସ ଦଳର ହୋଇପାରନ୍ତି । ହେଲେ କଂଗ୍ରେସ ଦଳର ହେବା ଅର୍ଥ କ’ଣ ଶତ୍ରୁ ଦେଶର ସମର୍ଥନରେ ନାରାବାଜୀ କରୁଥିବା ଲୋକଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଚେଷ୍ଟା କରିବା । ପ୍ରିୟଙ୍କ ଏହି ଘଟଣାରେ ସ୍ପଷ୍ଟ ଭାବେ ନିଜର ଭୋଟ ବ୍ୟାଙ୍କ ପାଇଁ କଟ୍ଟରପନ୍ଥୀ ଓ ପାକିସ୍ତାନ ସମର୍ଥକ ମାନଙ୍କର ତୁଷ୍ଟୀକରଣ କରିବାରେ ଲାଗିଥିଲେ ।
ଏବେ କର୍ଣ୍ଣାଟକ ସରକାରରେ ଆଉ ଜଣେ ମନ୍ତ୍ରୀ ଭିକେ ହରି ପ୍ରସାଦଙ୍କ ଏକ ବକ୍ତବ୍ୟ ଉପରେ ଦୃଷ୍ଟି ପକାଇବା । ସେ ପାକିସ୍ତାନ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ବକ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଧାନ ସୌଧରେ କଂଗ୍ରେସ ପ୍ରାର୍ଥୀ ନାସେର ହୁସେନଙ୍କ ବିଜୟ ପରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା ପ୍ରସଙ୍ଗରେ କହିଛନ୍ତି, ‘ବିଜେପିର ପାକିସ୍ତାନ ଶତ୍ରୁ ହୋଇପାରେ । ହେଲେ ଆମ ପାଇଁ ପାକିସ୍ତାନ ଶତ୍ରୁ ନୁହେଁ । ଆମେ ପାକିସ୍ତାନକୁ ଶତ୍ରୁ ବୋଲି ବିଚାର କରୁନା ।’ ହରିପ୍ରସାଦଙ୍କ ଏହି ବକ୍ତବ୍ୟ କଂଗ୍ରେସର ମନୋବୃତ୍ତିକୁ ସ୍ପଷ୍ଟ କରିବାକୁ ଯଥେଷ୍ଟ । ବୋଧହୁଏ କଂଗ୍ରେସର ପାକିସ୍ତାନ ସମ୍ପର୍କରେ ଏହି ଭାବନା କାରଣରୁ ପାକିସ୍ତାନ ଯେତେବେଳେ ମଧ୍ୟ ଭାରତ ଉପରେ ଆକ୍ରମଣ କରେ କିମ୍ବା କୌଣସି ବୋମା ବିସ୍ଫୋରଣ କରି ନିରୀହ ନିରପରାଧ ଲୋକଙ୍କୁ ହତ୍ୟା କରେ ସେତେବେଳେ କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥାଏ । ମୁମ୍ବାଇ ଉପରେ ୨୬-୧୧ ଆକ୍ରମଣ ହେଉ ବା ଦେଶର ଯେ କୌଣସି ସ୍ଥାନରେ ବୋମା ବିସ୍ଫୋରଣରେ ସାଧାରଣ ଲୋକଙ୍କ ଜୀବନ ଗଲେ ମଧ୍ୟ କଂଗ୍ରେସ ପାକିସ୍ତାନକୁ ନିଜର ଶତ୍ରୁ ବୋଲି ମନେ କରିନଥାଏ । କେବଳ ସେତିକି ନୁହେଁ ଭାରତ ମଧ୍ୟରେ ଥିବା ପାକିସ୍ତାନୀ ସମର୍ଥକ ମାନସିକତାର ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବାର ପ୍ରୟାସ କରିଥାଏ । ଏହା କଂଗ୍ରେସ ସରକାର ପାକିସ୍ତାନୀ ସମର୍ଥକ ଇସଲାମୀ କଟ୍ଟରପନ୍ଥୀଙ୍କ ତୁଷ୍ଟୀକରଣର ଆଉ ଏକ ଉଦାହରଣ ।
କେବଳ ସେତିକି ନୁହେଁ । କିଛିଦିନ ତଳେ କର୍ଣ୍ଣାଟକର କଂଗ୍ରେସ ସରକାର ଭାରତୀୟ ସମ୍ବିଧାନକୁ ନେଇ ଏକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ କଂଗ୍ରେସ ସରକାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଭାଷା କହୁଥିବା ବ୍ରିଟେନର ନାଗରିକ ନୀତାଶା କୌଲଙ୍କୁ ବକ୍ତା ଭାବେ ନିମନ୍ତ୍ରିତ କରାଯାଇଥିଲା । ହେଲେ ଦେଶର ସୁରକ୍ଷା ଏଜେନ୍ସୀମାନେ ତାଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରୁ ହିଁ ଫେରାଇ ଦେଇଥିଲେ । ଏହି କ୍ଷେତ୍ରରେ ମଧ୍ୟ କର୍ଣ୍ଣାଟକର କଂଗ୍ରେସ ସରକାର ତାଙ୍କର ତୁଷ୍ଟୀକରଣ ନୀତିର ସାର୍ବଜନୀନ ପ୍ରଦର୍ଶନ କରିଥିଲ ।
କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ତୁଷ୍ଟୀକରଣ ନୀତିର ତାଲିକା ଖୁବ ଲମ୍ବା । କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ସହରରେ ଥିବା ପଶୁପାଳନ ବିଭାଗର ମୂଲ୍ୟବାନ ୫ ଶହ କୋଟି ଟଙ୍କାର ଜମିକୁ ୱକଫ ବୋର୍ଡ଼କୁ ବେଆଇନ ଭାବେ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ସରକାର କିଛିଦିନ ତଳେ ମନ୍ଦିରମାନଙ୍କର ଆୟ ଉପରେ ଦଶ ପ୍ରତିଶତ ଟ୍ୟାକ୍ସ ପାଇଁ ନିଷ୍ପତ୍ତି ନେଇଥିଲେ । ଏଭଳି ଅନେକ ଉଦାହରଣ ଦିଆଯାଇ ପାରେ । ସାରା ଦେଶରେ ୨୦୧୪ ପର ଠାରୁ ବୋମା ବିସ୍ଫୋରଣ ହୋଇନଥିବା ବେଳେ ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ହୋଇଛି । ଏହାର କାରଣ ହେଉଛି କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ତୁଷ୍ଟୀକରଣର ରାଜନୀତି । ପାକିସ୍ତାନୀ ସମର୍ଥକ ଇସଲାମୀ କଟ୍ଟରପନ୍ଥୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଭୋଟ ବ୍ୟାଙ୍କ ପାଇଁ ସେମାନଙ୍କୁ ତୁଷ୍ଟୀକରଣ କରାଯିବା ଦ୍ୱାରା ସେମାନଙ୍କର ଉତ୍ସାହ ବଢୁଛି । ସେମାନେ ଜାଣୁଛନ୍ତି ଯେ ସେମାନେ ଯାହା କଲେ ବି କର୍ଣ୍ଣାଟକ କଂଗ୍ରେସ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ବରଂ ସେମାନଙ୍କୁ ସୁରକ୍ଷା ଦେବ । ଏହି ଭାବନା ତିଆରି ହେବା କର୍ଣ୍ଣାଟକ ପାଇଁ ବିପଜ୍ଜନକ ।
କେବେ ମୁସଲିମ ଲିଗ୍ ଏଭଳି କାମ କରୁଥିଲା । ଏବେ କଂଗ୍ରେସ ମୁସଲିମ ଲିଗ୍‌ର ରାସ୍ତାରେ ଯାଉଛି । ମୁସଲିମ ଲିଗ କାରଣରୁ ଦେଶର ବିଭାଜନ ହୋଇଥିଲା । ଏବେ କଂଗ୍ରେସ ତୁଷ୍ଟୀକରଣ ମାଧ୍ୟମରେ ମୁସଲିମ ଲିଗ୍‌ର ପଦକୁ ଅନୁସରଣ କରୁଛି । ଏହା ଦେଶର ସୁରକ୍ଷା ଓ ନିରାପତ୍ତା ପ୍ରତି ଭବିଷ୍ୟତରେ ନିଶ୍ଚିତ ଭାବେ ବିପଦ ସୃଷ୍ଟି କରିବ, ଏଥିରେ କାହାର ସନ୍ଦେହ ରହିବା ଉଚିତ ନୁହେଁ ।

Flip Book Link:

Related Post