Latest News

ଲାଲା ଲଜପତ ରାୟ

ବିଜୟ ଚନ୍ଦ୍ର ନନ୍ଦ 08/01/2024ପୃଷ୍ଠ ଭୂମି

 ଭାରତରୁ ଅଶିକ୍ଷା, କୁଶିକ୍ଷା, ଧର୍ମାନ୍ଧତା, ଜାତିଗତ ବିଭେଦ ଦୂର କରି ହିନ୍ଦୁ ଜାତିକୁ ଏକତାବଦ୍ଧ କରିବା ପାଇଁ ଅହରହ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଚାଲିଥିବା ସେହି ବ୍ୟକ୍ତିଜଣଙ୍କୁ ସମସ୍ତେ ଶ୍ରଦ୍ଧାରେ ‘ପଞ୍ଜାବ କେଶରୀ’ ବୋଲି ଡାକୁଥିଲେ । ତାଙ୍କ ତ୍ୟାଗ, ଅନନ୍ୟ ପ୍ରତିଭା ତଥା ସ୍ୱାଧୀନତା ସଂଗ୍ରାମରେ ଅପୂର୍ବ ଯୋଗଦାନ କାରଣରୁ । ସେହି ମହାନ୍ ଦେଶପ୍ରେମୀ ରାଷ୍ଟ୍ରବାଦୀ ଲାଲା ଲଜପତ ରାୟ ୨୮ ଜାନୁଆରୀ ୧୮୬୫ରେ ପଞ୍ଜାବର ଫିରୋଜପୁର ଜିଲ୍ଲାର ଧୁଡ଼ିକେ ଗ୍ରାମରେ ଗୋଟିଏ ଜୈନ ପରିବାରରେ ଜନ୍ମ ନେଇଥିଲେ । ମୁନ୍‌ସୀ ରାଧାକିଷନ୍ ଅଗ୍ରୱାଲ୍ ଓ ମାତା ଗୁଲାବ ଦେବୀଙ୍କ ୬ ଜଣ ସନ୍ତାନଙ୍କ ମଧ୍ୟରୁ ସେ ପ୍ରଥମ ସନ୍ତାନ ଥିଲେ । ସେ ହିସାର ଠାରେ ହିଁ ବାଲ୍ୟଶିକ୍ଷା ଗ୍ରହଣ କରିଥିଲେ । ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଥିଲେ ଓ ଛାତ୍ରବୃତ୍ତି ମଧ୍ୟ ପାଇଥିଲେ । 

ପିତା ରାଧାକିଷନ୍ ରିୱାରୀଠାରେ ସରକାରୀ ବିଦ୍ୟାଳୟରେ ଉର୍ଦ୍ଦୁ ଓ ପାରସୀ ଭାଷାର ଶିକ୍ଷାଦାନ କରୁଥିଲେ । ୧୮୮୦ରେ କାର୍ଯ୍ୟରେ ଯୋଗଦାନ କରିଥିଲେ ଓ ୧୮୮୪ରେ ରୋହତକ ବଦଳି ହେଲେ । ୧୮୮୬ରେ ପୁଣି ହିସାରକୁ ବଦଳି ହୋଇ ଆସିଗଲେ । ୧୮୮୦ ମସିହାରେ ଲାଲାଜୀ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାସ୍ କଲେ ଏବଂ ସେହିବର୍ଷ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରବେଶିକ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ଲାଭ କରି ଲାହୋର ସରକାରୀ କଲେଜରେ ପାଠ ପଢ଼ିଲେ । ବର୍ତ୍ତମାନର ହରିଆନାର ରିୱାରୀଠାରେ ସରକାରୀ ହାଇଏର୍ ସେକେଣ୍ଡାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପନ କଲେ । ୧୮୮୦ରେ ଲାହୋର ଠାରେ ଆଇନ ଶିକ୍ଷା ଲାଭକଲେ ଏବଂ ହିସାର ଠାରେ ହିଁ ଓକିଲାତି ଆରମ୍ଭ କଲେ । ଜଗରାଓନ୍‌ଠାରେ ତାଙ୍କର ଘର ଆଜି ପର୍ଯ୍ୟନ୍ତ ରହିଛି ଯେଉଁଠାରେ ଗୋଟିଏ ଗ୍ରନ୍ଥାଗାର ସହ ମ୍ୟୁଜିୟମ୍ ପ୍ରତିଷ୍ଠା ହୋଇଛି । ସେଠାରେ ସେ ପ୍ରଥମ ଶିକ୍ଷାକେନ୍ଦ୍ର ନିଜେ ପ୍ରତିଷ୍ଠା କରିଥିଲେ ଯାହାକି ଆର୍‌.କେ. ହାଇସ୍କୁଲ ନାମରେ ଖ୍ୟାତ । ୧୮୭୭ ମସିହାରେ ସେ ରାଧାଦେବୀଙ୍କ ସହ ବିବାହ କରିଥିଲେ ।
୧୮୮୬ ମସିହାରେ ପ୍ରଥମେ ଆଇନ ବ୍ୟବସାୟ ଆରମ୍ଭ ବେଳେ ସେ ବାବୁ ଚୁଡ଼ାମଣିଙ୍କ ସହ ମିଶି ହିସାର ବାର୍ ଏସୋସିଏସନ୍‌ର ସଭ୍ୟ ହେଲେ । ସେହି ବର୍ଷ ସେ ପଣ୍ଡିତ ଗୁରୁଦତ୍ତ ଓ ଲାଲା ହଂସରାଜଙ୍କ ସହ ମିଶି ଡି.ଏ.ଭି. ସ୍କୁଲ ପ୍ରତିଷ୍ଠା କଲେ । ଟାୟଲ୍ ବ୍ରଦର୍ସ ଯଥା ଚମ୍ପୁଲାଲ ଟାୟଲ୍‌, ହରିଲାଲ ଟାୟଲ୍‌, ବାଳମୁକୁନ୍ଦ ଟାୟଲ୍‌ଙ୍କ ସମେତ ଡ. ରାମଜୀ ଲାଲ ହୁଡ଼ା, ଡ. ଧନିରାମ ଆର୍ଯ୍ୟସମାଜୀ ପଣ୍ଡିତ ମୁରାରୀ ଲାଲ, ଦେବରାଜ ସନ୍ଧିର, ସେଠ୍ ଛଜ୍‌ଜୁରାମ ଜାଟ୍ (ହିସାର ଜାଟ୍ ସ୍କୁଲର ପ୍ରତିଷ୍ଠାତା)ଙ୍କ ସହ ମିଶି ଉଭୟ ଆର୍ଯ୍ୟସମାଜ କାର୍ଯ୍ୟକଳାପ ଓ ଭାରତୀୟ ଜାତୀୟ କଂଗ୍ରେସରେ ସକ୍ରିୟତାର ସହ ଅଂଶଗ୍ରହଣ କଲେ । ଜାତୀୟ କଂଗ୍ରେସ ଆଲାହାବାଦ ଅଧିବେଶନରେ ଯେଉଁ ଚାରିଜଣ ହିସାର ଅଞ୍ଚଳରୁ ଯାଇଥିଲେ ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ବାବୁ ଚୁଡ଼ାମଣି (ଓକିଲ), ଛବିଳ ଦାସ, ଶେଠ୍ ଗୌରୀଶଙ୍କର ଅନ୍ୟ ତିନିଜଣ ବନ୍ଧୁ ତାଙ୍କ ସହ ସେହି ଅଧିବେଶନରେ ଯୋଗ ଦେଇଥିଲେ । ୧୮୯୨ ମସିହାରେ ଲାହୋରଠାରେ ଓକିଲାତି କଲାବେଳେ ଞଷର ଞକ୍ସସଭଙ୍କଦ୍ଭର ନାମକ ପତ୍ରିକାରେ ଅନେକ ପ୍ରବନ୍ଧ ଉପସ୍ଥାପିତ କରିଥିଲେ । ୧୮୯୪ ମସିହାରେ ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କ୍ ଓ ଲକ୍ଷ୍ମୀ ଇନ୍‌ସୁରାନ୍ସ କମ୍ପାନୀର ପ୍ରତିଷ୍ଠା କରିଥିଲେ । 
ତାଙ୍କର ରଚିତ ପୁସ୍ତକ ଅତ୍ୟନ୍ତ ଉପଯୋଗୀ । ୧୯୦୭ ମସିହାରୁ ତାଙ୍କ ବନ୍ଧୁମାନଙ୍କର ଚାଲିଥିବା ପ୍ରଚେଷ୍ଟା ଫଳରେ ୧୯୨୦ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହେଲେ । ୧୯୨୧ରେ (ଝରକ୍ସଙ୍ଖବଦ୍ଭଗ୍ଧଗ୍ଦ କ୍ଟଲ ଚରକ୍ଟକ୍ଟ୍ରକ୍ଷର ଝକ୍ଟମସରଗ୍ଧଚ୍ଚ) ଲୋକସେବକ ମଣ୍ଡଳ ପ୍ରତିଷ୍ଠା କଲେ । କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା (ଉଖଇ)ର ସଭାପତି ଭାବେ ରହି ୧୯୨୬-୨୮ ପର୍ଯ୍ୟନ୍ତ ସାଇମନ୍ କମିଶନ୍ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ । ସେ ଆମେରିକାର ଆଲବାମାଠାରେ ତୁସ୍‌ଗୀ ବିଶ୍ୱବିଦ୍ୟାଳୟ ଗସ୍ତ କରି ଛାତ୍ରମାନଙ୍କ ସହ ଓ ଫିଲିପାଇନ୍ସଠାରେ ଶ୍ରମିକମାନଙ୍କ ସହ ସାକ୍ଷାତ୍ କରି ଦେଶ ବିଷୟରେ ଆଲୋଚନା କରିଥିଲେ । ଆଫ୍ରୋ ଆମେରିକୀୟ ବୁଦ୍ଧିଜୀବୀ ଡବ୍ଲ୍ୟୁ.ଇ.ବି. ଡୁ ବଏସ୍ ଓ ବୁକର୍ ଟି. ୱାସିଂଟନ୍‌ଙ୍କ ସହ ମଧ୍ୟ ସାକ୍ଷାତ୍ ଆଲୋଚନା କରିଥିଲେ । ୧୯୧୪ରେ ଆଇନ ବ୍ୟବସାୟ ଛାଡ଼ି ପୂର୍ଣ୍ଣକାଳୀନ କଂଗ୍ରେସ ଆନ୍ଦୋଳନରେ ଯୋଗଦେଲେ । ୧୯୧୭ ମସିହାରେ ଆମେରିକାଠାରେ ହିନ୍ଦୁସ୍ଥାନ ଇନ୍‌ଫରମେସନ୍ ସର୍ଭିସ୍ ଏସୋସିଏସନ୍ ଅଫ୍ ଫରେନ୍ ଏଫେରସ୍ ଏକ ୩୨ ପୃଷ୍ଠାର ପିଟିସନ୍ ମାଧ୍ୟମରେ ଇଂଲଣ୍ଡ ଆମ ଦେଶ ଭାରତରେ ଚଳାଇଥିବା କାରନାମା ସମ୍ବନ୍ଧରେ ଯୁକ୍ତରାଷ୍ଟ୍ର ତାଙ୍କ ସିନେଟ୍‌ରେ ଆଲୋଚନା ରଖିଥିଲେ । ସେ

ହିବର୍ଷ ଆମେରିକାରେ ହୋମ୍‌ରୁଲ୍ ଲିଗ୍ ଗଠନ କଲେ । ସେ ଆମେରିକାରେ ୧୯୧୬ ଠାରୁ ୧୯୨୦ ମସିହା ଯାଏଁ ରହିଥିଲେ । ଆମେରିକାର ବର୍ଣ୍ଣଭେଦ ଓ ଭାରତର ଜାତିଆଣବାଦ ବିରୋଧରେ ସଂଗ୍ରାମ ଚଳାଇଥିଲେ । ୧୯୨୧ରୁ ୧୯୨୩ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେ ଜେଲ୍ ଭୋଗିଲେ । ପ୍ରଥମେ ୧୮ ମାସ ଜେଲ୍‌ରେ ରହିଲେ । ଜନଆନ୍ଦୋଳନ ତୀବ୍ର ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ରାତି ଗୋଟାଏ ବେଳେ ଜନଶୂନ୍ୟ ସମୟ ଦେଖି ଜେଲ୍‌ରୁ ମୁକ୍ତ କରିଥିଲେ । ଅନ୍ୟ ଏକ ବିଚାରରେ ପୁଣି ବନ୍ଦୀ ହେଲେ ।

ସେ ‘ବନ୍ଦେ ମାତରମ୍‌’ ନାମକ ଉର୍ଦ୍ଦୁ ସାପ୍ତାହିକ ଓ ଞଷର ଚରକ୍ଟକ୍ଟ୍ରକ୍ଷର ଇଂରେଜୀ ସାପ୍ତାହିକ ପତ୍ରିକା ପ୍ରତିଷ୍ଠା କରିଥିଲେ । ଅନାଥାଶ୍ରମ ମାଧ୍ୟମରେ ଅନାଥ ଶିଶୁମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ରତିଷ୍ଠା କରିଥିଲେ । ଗାନ୍ଧିଜୀଙ୍କ ‘ହରିଜନ ସେବକ ସଂଘ’କୁ ଅଧିକ କ୍ରିୟାଶୀଳ କରିଥିଲେ । ବିଶିଷ୍ଟ ବ୍ରିଟିଶ୍ ସମାଜବାଦୀ ଯଥା ହେନ୍‌ରୀ ମେୟରସ୍‌, ବ୍ରେଇଟିସ୍ ୱେବ୍‌, ଲାନ୍‌ସବୁରୀ ପ୍ରମୁଖଙ୍କ ସହ ସମ୍ପର୍କ ସ୍ଥାପନ କରି ଭାରତରେ ସମାଜବାଦୀ ଆନ୍ଦୋଳନର ବୀଜ ବପନ କରିଥିଲେ । ଶ୍ରମିକ ସଂଗଠନ ଇଓଞଟଉର ପ୍ରତିଷ୍ଠା ସଭାପତି ଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କଂଗ୍ରେସର ଶ୍ରମିକ ସଂଗଠନ ଭାବେ କାର୍ଯ୍ୟ କରୁଛି । ନାରୀଶିକ୍ଷା ଓ ସ୍ୱାବଲମ୍ବନଶୀଳତାର ସେ ମହାନ୍ ପ୍ରବର୍ତ୍ତକ ଥିଲେ ଓ ସ୍ୱାମୀ ଦୟାନନ୍ଦଙ୍କ ପ୍ରଦର୍ଶିତ ମାର୍ଗର ଶ୍ରେଷ୍ଠ ଅନୁଗାମୀ ଥିଲେ । ସେ ଇଟାଲୀୟନ୍ ବିପ୍ଳବୀ ମାଜିନୀଙ୍କ ଜୀବନୀ ଦ୍ୱାରା ମଧ୍ୟ ଅନୁପ୍ରାଣିତ ହୋଇଥିଲେ । ସେଥିପାଇଁ ତାଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ଭାରତରେ ନ ମିଳିବାରୁ ଇଂଲଣ୍ଡରୁ ତାଙ୍କର ଜଣେ ବନ୍ଧୁଙ୍କଠାରୁ ମାଗି ଆଣିଥିଲେ ଓ ତାଙ୍କର ସାହସିକତା ଓ ଦେଶପ୍ରେମ ଭାବରେ ସେ ଉଦ୍‌ବୁଦ୍ଧ ହୋଇଥିଲେ । 
ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ବନ୍ଧୁ ବିପ୍ଳବୀ ଅଜିତ୍ ସିଂଙ୍କ ସହ ମିଶି ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ରାଜନୀତି ଶିକ୍ଷା ଉଦ୍ଦେଶ୍ୟରେ ତିଳକଙ୍କ ଅନୁଷ୍ଠାନ ପାଇଁ ଲାଲାଜୀ ପଞ୍ଜାବ ସାରା ବୁଲି ସେ ସମୟରେ ୯ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ ।
ଜେମସ୍ ସ୍କଟର୍‌ଙ୍କ ଲାଠି ପ୍ରହାରରେ ଆଘାତ ପାଇ ଦୀର୍ଘ ୧୮ ଦିନ ଧରି କଷ୍ଟ ପାଇ ୧୭ ନଭେମ୍ବର ୧୯୨୮ ମସିହାରେ ମାତ୍ର ୬୩ ବର୍ଷ ବୟସରେ ଆଜୀବନ ସଂଗ୍ରାମୀ ଆରପାରିକୁ ଚାଲିଗଲେ । ଭଗତ୍ ସିଂ ଏହି ଘଟଣାର ସାକ୍ଷୀ ଥିଲେ ହେଁ ବ୍ରିଟିଶ୍ ସରକାରର ଲାଲାଜୀଙ୍କ ମୃତ୍ୟୁ ସହ କୌଣସି ସମ୍ପର୍କ ନାହିଁ ବୋଲି କର୍ତ୍ତୃପକ୍ଷ ଘୋଷଣା କଲେ ଯାହାକି ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଳିକାନ୍ ଏସୋସିଏସନ୍‌ର ପ୍ରମୁଖ ସଦସ୍ୟ ଭଗତ୍ ସିଂ ପ୍ରତିଶୋଧ ନେବା ପାଇଁ ସ୍ଥିର କଲେ । ଅନ୍ୟ ସଂଗ୍ରାମୀମାନେ ଶିବରାମ ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍‌, ସୁଖଦେବ ଥାପର ତାଙ୍କ ସହ ଯୋଗଦେଲେ । ଲାହୋର ପୁଲିସ୍‌ର ଏ.ଏସ୍‌.ପି. ଜନ୍ ପି. ସାଣ୍ଡାର ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଫେରୁଥିବା ବେଳେ ରାଜଗୁରୁ ଓ ଭଗତ୍ ସିଂଙ୍କ ଗୁଳିଚୋଟରେ ପ୍ରାଣତ୍ୟାଗ କଲେ । ହେଡ୍ କନଷ୍ଟେବଳ ଚନନ୍ ସିଂ ତାଙ୍କ ପଛେ ଗୋଡ଼ାଇଲା ବେଳେ ଆଜାଦ୍ ତାଙ୍କୁ ଗୁଳି କଲେ ।
‘ଇନ୍‌କିଲାବ ଜିନ୍ଦାବାଦ୍‌’ ଲାଲାଜୀଙ୍କର ସ୍ଲୋଗାନ୍ ଥିଲା । କଂଗ୍ରେସର ଚରମପନ୍ଥୀ ତ୍ରିକୋଣୀୟ ନେତୃବର୍ଗ ଲାଲ୍‌-ବାଲ୍‌-ପାଲ୍‌ଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି କୁହାଯାଏ । ବାଲ୍ ଗଙ୍ଗାଧର ତିଳକ ଓ ବିପିନ୍ ଚନ୍ଦ୍ର ପାଲ୍ ତାଙ୍କ ସମଆଦର୍ଶର ନେତୃବର୍ଗଙ୍କ ସହ ମିଶି ଆଜୀବନ ସଂଗ୍ରାମ ଚଳାଇଥିଲେ ଦେଶର ମୁକ୍ତି ପାଇଁ । ୧୯୨୬ ମସିହାରେ ସେ ଆନ୍ତର୍ଜାତିକ ଶ୍ରମିକ ସମ୍ମିଳନୀ ପାଇଁ ଜେନେଭା ଯାଇଥିଲେ । ତା’ପରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟ ଯାଇଥିଲେ । କାଥେରିନ୍ ମାୟୋ ନାମକ ଜଣେ ୟୁରୋପୀୟ ମହିଳାଙ୍କ ମଦର ଇଣ୍ଡିଆ ପୁସ୍ତକରେ ଭାରତର ସଂସ୍କୃତି ବିରୋଧରେ ବିଷୋଦ୍‌ଗାର ପଢ଼ି ତୀବ୍ର ବିରୋଧ କଲେ ଲାଲାଜୀ ୧୯୨୭ରେ । ଏହି ପୁସ୍ତକର ବିଶ୍ୱଦରବାରରେ ଭାରତର ନିନ୍ଦାକୁ ସହ୍ୟ କରିପାରି ନଥିଲେ । ମାୟୋଙ୍କ ଏହି ପୁସ୍ତକ ଲଣ୍ଡନଠାରେ ପ୍ରକାଶିତ ହେବା ପରେ ପରେ ଲାଲାଜୀ ‘ଅନହାପି ଇଣ୍ଡିଆ’ ପୁସ୍ତକ ଲେଖି ତା’ର ଉପଯୁକ୍ତ ଜବାବ ରଖିଲେ । 
୧୯୨୮ ମସିହାରେ ସାଇମନ କମିଶନ ବିରୋଧରେ ହୋଇଥିବା ବିକ୍ଷୋଭରେ ଲାଲାଜୀ ଗୁରୁତର ଭାବେ ଆହତ ହୋଇଥିଲେ ଓ ୧୭ ନଭେମ୍ବର ୧୯୨୮ର ପାକିସ୍ତାନର ଲାହୋରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଲାଲାଜୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଦେଶପ୍ରେମୀ ସଂଗ୍ରାମକୁ ଆଗକୁ ନେଇଥିଲେ ।
 

Flip Book Link: https://demo.rastradeep.com/flip.aspx?fid=208

Related Post