Latest News

ଉତିଷ୍ଠତ ଜାଗ୍ରତ : ସ୍ୱାମୀ ବିବେକାନନ୍ଦ

ଅକ୍ଷୟ କୁମାର ଜେନା 22/01/2024ପୃଷ୍ଠ ଭୂମି

 ହେ ଯୁବ ଭାରତ ଉଠ, ଜାଗ୍ରତ ହୁଅ!” 

ଏହାଥିଲା ସେହି ଆହ୍ୱାନ ଯାହାକୁ ଏ ଦେଶ ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିଲା, ଯାହା ଭାରତ ବର୍ଷକୁ କୁମ୍ଭକର୍ଣ୍ଣ ନିଦରୁ ଉଠାଇଥିଲା । କିଏ ସେହି ବ୍ୟକ୍ତି ଯାହାଙ୍କର ଏହି ଶକ୍ତିଶାଳୀ ଆହ୍ୱାନ ସାରା ରାଷ୍ଟ୍ରରେ ବିଦ୍ୟୁତ୍ ସଞ୍ଚାର କରିଦେଲା? ଏହି ଆହ୍ୱାନ ଦେଇଥିବା ଶାଶ୍ୱତ ତେଜସ୍ୱୀ ଯୁବକ ଥିଲେ ସ୍ୱାମୀ ବିବେକାନନ୍ଦ । 
ଏହି ମହାମାନବ ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ସୋମବାର କଲିକତା ନଗରୀର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ବିଶ୍ୱନାଥ ଦତ୍ତ ଓ ମାତା ଭୁବନେଶ୍ୱରୀ ଦେବୀଙ୍କର କୋଳ ମଣ୍ଡନ କରି । ପିତାମହ ଦୁର୍ଗାପ୍ରସାଦ ମାତ୍ର ୨୫ବର୍ଷ ବୟସରୁ ସନ୍ନ୍ୟାସ ଗ୍ରହଣ କରିଥିଲେ । ଯଦ୍ୱାରା ଦତ୍ତ ପରିବାରରେ ଏକ ଆଧ୍ୟାତ୍ମିକ ବାତାବରଣ ପୂର୍ବରୁ ରହିଥିଲା । ପିତା ବିଶ୍ୱାନାଥ ଦତ୍ତ କଲିକତା ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିଲେ । କାଶୀର ବିରେଶ୍ୱର ମହାଦେବଙ୍କର ଶରଣାପନ୍ନ ହୋଇ ପୁଅଟିଏ ପାଇଥିବାରୁ ଶ୍ରଦ୍ଧାରେ ନାମକରଣ କରିଥିଲେ ବିଲେ ଓ ଅନ୍ନପ୍ରାସନ୍ନ ସମୟରେ ନୂତନ ନାମକରଣ ହୋଇଥିଲା ନରେନ୍ । 
ନରେନ୍ ପିଲାବେଳୁ ବହୁତ ଚପଳ ଥିଲେ ଏବଂ ଖେଳକୁଦ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ରାମ, କୃଷ୍ଣ ଓ ଶିବଙ୍କର ମୂର୍ତ୍ତି ଦେଖିଲେ ସେଠାରେ ଘଣ୍ଟା ଘଣ୍ଟା ଧ୍ୟାନରେ ବସି ରହୁଥିଲେ । ମାତା ଭୁବନେଶ୍ୱରୀ ପୁତ୍ରର ଏହି ଲକ୍ଷଣ ଦେଖି କହୁଥିଲେ ମହାଦେବଙ୍କୁ ପୁଅଟିଏ ମାଗିଲି ଯେ ସେ ନିଜେ ନ ଆସି ତାଙ୍କର ଅନୁଗତ ଗୋଟିଏ ଭୂତ ପଠାଇ ଦେଇଛନ୍ତି । ମା’ଭୁବନେଶ୍ୱରୀ ପୁଅକୁ ରାମାୟଣ, ମହାଭାରତର ଅନେକ କାହାଣୀ ଶୁଣାଉଥିଲେ । 
କିଶୋର ଅବସ୍ଥାରେ ତାଙ୍କ ମନରେ ଉଙ୍କି ମାରୁଥିବା ଅସମାହିତ ପ୍ରଶ୍ନଗୁଡିକର ଉତ୍ତର ଖୋଜି ଖୋଜି ସେ ବ୍ରାହ୍ମ ସମାଜରେ ପହଞ୍ôଚଥିଲେ । ପରେ ସେ ଶୁଣିବାକୁ ପାଇଛନ୍ତି, ପରମାନନ୍ଦର ଅନୁଭୂତି କଲିକତାର ଦକ୍ଷିଣେଶ୍ୱରରେ ଥିବା ଜଣେ ସନ୍ଥଙ୍କୁ ଏହି ଅନୁଭୂତି ପ୍ରାପ୍ତ ହୋଇଛି । ସମୟ କ୍ରମେ ନିଜର ଜଣେ ପଡୋଶୀଙ୍କ ଘରକୁ ରାମକୃଷ୍ଣ ପରମହଂସ ଆସିଥାନ୍ତି ଓ ସେଠାରେ ଗୀତ ଗାଇବା ପାଇଁ ଯାଇଥା’ନ୍ତି ନରେନ୍ । ଗାଇବା ଆରମ୍ଭ ପୂର୍ବକ ତାଙ୍କର ସେହି ପ୍ରିୟ ଭଜନ ‘ଘରେ ଚଲୋମନ୍‌’ ‘ଘରେ ଚଲୋମନ୍‌’ ଗାଇବା ଆରମ୍ଭ କରିଥିଲେ । ଏହା ଥିଲା ୧୮୮୧ ମସିହା କଥା । ଏହିଠାରେ ଦୁଇ ମହାନ୍ ଆତ୍ମାଙ୍କର ମିଳନ ହୋଇଥିଲା । ଜଣେ ଥିଲେ ନୂତନ ଭାରତର ଧର୍ମଦୂତ ଓ ଅନ୍ୟଜଣେ ତାଙ୍କର ବାର୍ତ୍ତାବହ । ନରେନ୍ଦ୍ର ନାଥ ପଚାରିଲେ ମହାଶୟ, ‘ଆପଣ କ’ଣ ଈଶ୍ୱରଙ୍କୁ ଦେଖିଛନ୍ତି?’ ରାମକୃଷ୍ଣ ଉତ୍ତର ଦେଲେ ହଁ ଦେଖିଛି, ଯେପରି ତୁମକୁ ଦେଖୁଛି । ଖୋଜୁଥିବା ଉତ୍ତର ପାଇବା ପରେ ନରେନ୍ଦ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବ୍ୟାକୁଳ ହୋଇଛନ୍ତି । ଏହିଠାରୁ ଆରମ୍ଭ ହୋଇଛି ଗୁରୁଶିଷ୍ୟଙ୍କର ପ୍ରକୃତ ଶିକ୍ଷା । 
୧୮୮୪ ମସିହାରେ ପିତା ବିଶ୍ୱନାଥ ଦତ୍ତଙ୍କର ଅକାଳ ବିୟୋଗ ଘଟିଲା । ଏଣିକି ନରେନ୍‌ଙ୍କ କାନ୍ଧରେ ପରିବାର ଚଳାଇବାର ଦାୟିତ୍ୱ । ଗୁରୁ ତାଙ୍କୁ ଏହି ପାରିବାରିକ ସଙ୍କଟରୁ ରକ୍ଷା କରିବା ପାଇଁ ମା’ଦକ୍ଷିଣେଶ୍ୱରୀ କାଳୀଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ । ନରେନ୍ ମନ୍ଦିରରେ ପହଞ୍ôଚ ଦେଖିଲେ ମା’ଚିନ୍ମୟୀ ସ୍ମିତହାସ୍ୟ ମୁଦ୍ରାରେ ବର ଦେବାକୁ ଛିଡା ହୋଇଛନ୍ତି । ସେ ମା’ଙ୍କ ସମ୍ମୁଖକୁ ଯାଇ ମା’ଙ୍କୁ ଜ୍ଞାନ ଓ ଭକ୍ତି ମାଗିଲେ । ଗୁରୁଦେବ ମା’ଙ୍କ ନିକଟକୁ ପୁନଃ ପ୍ରେରଣ କରି ତାଙ୍କୁ ଅନ୍ୟ କିଛି ମାଗିବା ପାଇଁ ପରାମର୍ଶ ଦେଲେ, କିନ୍ତୁ ନରେନ୍ ପୂର୍ବବତ ମା’ଙ୍କୁ ଜ୍ଞାନ ଓ ଭକ୍ତି ମାଗିଥିଲେ । 
୧୮୮୬ରେ ଗୁରୁଦେବଙ୍କ ଦେହାନ୍ତ ପରେ, ଆରମ୍ଭ ହେଲା ତାଙ୍କର ପରିବ୍ରାଜକ ଜୀବନ । କାଳକ୍ରମେ ସେ ଭାରତର ଅନ୍ତରାତ୍ମାକୁ ଗଭୀର ଭାବରେ ଚିହ୍ନିବାକୁ ଚେଷ୍ଟା କରିଥିଲେ । ସେ ଅନୁଭବ କରିଥିଲେ ଭାରତର ପ୍ରାଣରେ ଭରି ରହିଛି ଗଭୀର ଆଧ୍ୟାତ୍ମିକତା । ସାହିତ୍ୟ, ସଙ୍ଗୀତ, କଳା, ସ୍ଥାପତ୍ୟ, ସବୁଥିରେ ସେ ଆଧ୍ୟାତ୍ମିକତାର ବାସ୍ନା ବାରିଛନ୍ତି । ଭାରତ ଭ୍ରମଣକରି ସେ ଦେଖିଛନ୍ତି ଅନେକ କୁସଂସ୍କାର ଯାହା ଭାରତରେ ଧର୍ମ ସହ ଯୋଡି ହୋଇ ରହିଛି । ତେଣୁ ଏହାକୁ ଦୂର କରିବାର ସଂକଳ୍ପ ସେ ନେଇଛନ୍ତି । 
ଭାରତ ଭ୍ରମଣ କରି ସେ ପହଞ୍ôଚଛନ୍ତି କନ୍ୟାକୁମାରୀଠାରେ । ସେଠାରେ ସମୁଦ୍ରରେ ପହଁରି ପହଁରି ଏକ ଶିଳା ଉପରେ ଧ୍ୟାନସ୍ଥ ହୋଇଛନ୍ତି । ସେହିଠାରେ ଧ୍ୟାନମଗ୍ନ ଅବସ୍ଥାରେ ଗୁରୁଦେବଙ୍କ ବାଣୀ ଶୁଣିପାରିଛନ୍ତି । ସତେ ଯେପରି ଗୁରୁଦେବ ସେହି ବିଶାଳ ଜଳରାଶି ଉପରେ ଚାଲିଯାଉଛନ୍ତି ଓ ତାଙ୍କୁ ଅନୁସରଣ କରିବା ପାଇଁ କହୁଛନ୍ତି । 
ଏହିଠାରୁ ପ୍ରେରଣା ପାଇ ସେ ଆମେରିକାର ବିଶ୍ୱଧର୍ମ ସମ୍ମିଳନୀରେ ଯୋଗ ଦେବା ପାଇଁ ମନସ୍ଥ କରିଥିଲେ । ଏଥି ନିମନ୍ତେ ଶିଷ୍ୟମାନେ ତାଙ୍କ ପାଇଁ ଅର୍ଥ ସଂଗ୍ରହ କରିଥିଲେ, କିନ୍ତୁ ମା’ଙ୍କ ଅନୁମତି ନ ମିଳିବାରୁ ସେ ସଂଗୃହୀତ ଅର୍ଥ ଦରିଦ୍ରମାନଙ୍କ ମଧ୍ୟରେ ବାଣ୍ଟିଦେବାକୁ କହିଥିଲେ । ପୁନର୍ବାର ଗୁରୁଭାଇମାନଙ୍କ ଅନୁରୋଧ ଏବଂ ମା’ଙ୍କ ସ୍ୱପ୍ନାଦେଶ ଓ ଖେତଡି ମହାରାଜଙ୍କ ଆର୍ଥିକ ସହାୟତା ବଳରେ ବମ୍ବ

ରେ ଜାହାଜରେ ବସି ଆମେରିକାର ଚିକାଗୋ ସହର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଚିକାଗୋରେ ପହଞ୍ôଚ ସେ ଜାଣିବାକୁ ପାଇଥିଲେ ବିଶ୍ୱଧର୍ମ ସମ୍ମିଳନୀ ସେପ୍ଟେମ୍ବର ପୂର୍ବରୁ ହେବାର ନାହିଁ । ତେଣୁ ସେ କମ ଖର୍ଚ୍ଚରେ ଚଳିବା ପାଇଁ ବୋଷ୍ଟନ ସହର ଚାଲିଗଲେ । ବୋଷ୍ଟନ ଯିବା ବାଟରେ ତାଙ୍କର କୁମାରୀ କେଥରିନ୍ ସେନ୍‌ବର୍ଣ୍ଣଙ୍କ ସହିତ ପରିଚୟ ହେଲା ଏବଂ ତାଙ୍କରି ସାହାଯ୍ୟରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଇଟ୍‌ଙ୍କ ସହିତ ପରିଚିତ ହେଲେ । ବିଶ୍ୱଧର୍ମ ସମ୍ମିଳନୀର ଆୟୋଜକ ମାନଙ୍କ ନିକଟକୁ ପ୍ରଫେସର ରାଇଟ୍ ଲେଖିଥିଲେ, ‘ଏହି ବ୍ୟକ୍ତି ଜଣେ ଏପରି ବ୍ୟକ୍ତି ଯାହାଙ୍କର ପାଣ୍ଡିତ୍ୟ ଆମ ସମସ୍ତ ପ୍ରଫେସରଙ୍କର ପାଣ୍ଡିତ୍ୟରୁ ବେଶ ଅଧିକ ।’ ଏହି ପତ୍ରକୁ ନେଇ ସେ ସେପ୍ଟେମ୍ବର ୯ ତାରିଖରେ ଚିକାଗୋ ଅଭିମୁଖେ ବାହାରିଲେ, ବାଟରେ ଏହି ପରିଚୟ ପତ୍ରଟି ହଜାଇ ଦେବାରୁ ତାଙ୍କୁ ରହିବା ପାଇଁ ଜାଗା ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ରେଳ ଷ୍ଟେସନ୍‌ରେ ପଡିରହିଲେ । ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏକ କାଠ ବାକ୍ସ ଭିତରେ ତାଙ୍କୁ ସେହି ରାତ୍ରିଟି କଟାଇବାକୁ ପଡିଲା । 

ଏହାପରେ ସେ ସବୁ ଈଶ୍ୱରଙ୍କର ଉପରେ ଛାଡିଦେଇ ଏକ ଗଛମୂଳରେ କ୍ଲାନ୍ତି ମେଣ୍ଟାଇବା ପାଇଁ ବସିଥିଲେ । କିଛି ସମୟ ପରେ ତାଙ୍କ ସମ୍ମୁଖରେ ଥିବା ଏକ ବିଳାସପୂର୍ଣ୍ଣ କୋଠରିରୁ ଏକ ସମ୍ଭ୍ରାନ୍ତ ରମଣୀ ଆସି ତାଙ୍କୁ ସାହାଯ୍ୟ କରିଥିଲେ ଓ ତାଙ୍କ ଘରେ ଅତିଥି ଭାବରେ ରହିଥିଲେ । ସେପ୍ଟେମ୍ବର ୧୧ ବିଶ୍ୱଧର୍ମ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏକ ବିଶାଳ କକ୍ଷ (ଅଡିଟୋରିୟମ୍‌) ସାତହଜାର ଶ୍ରୋତାଙ୍କ ଦ୍ୱାରା ଭରାଥିଲା । ମଞ୍ଚ ଉପରେ ବିଶ୍ୱର ସମସ୍ତ ଧର୍ମ ପ୍ରତିନିଧିମାନେ ଉପସ୍ଥିତ । ସ୍ୱାମିଜୀ ଆଗରୁ ଏତେ ସଂଖ୍ୟକ ଲୋକଙ୍କୁ ସମ୍ବୋଧିତ କରିନଥିଲେ । ମନେ ମନେ ମା’ବାକ୍‌ଦେବୀଙ୍କୁ ସ୍ମରଣ ପୂର୍ବକ ଆରମ୍ଭ କଲେ, ‘ଆମେରିକାବାସୀ ଭାଇ ଓ ଭଉଣୀମାନେ’ ଏହାପରେ କରତାଳି ଧ୍ୱନିରେ ଦୁଇ ମିନିଟ୍ ପର୍ଯ୍ୟନ୍ତ ସେହି କକ୍ଷ କମ୍ପିବାକୁ ଲାଗିଲା । ଶ୍ରୋତାମାନେ ଛିଡା ହୋଇ ଅଭିବାଦନ କଲେ । କ’ଣ ପାଇଁ ? ଭାରତ ବର୍ଷର ଦୀର୍ଘ ୧୦,୦୦୦ ବର୍ଷର ଆଧ୍ୟାତ୍ମିକ ବାତାବରଣର ସ୍ୱର ସନ୍ନିବେଶିତ ଥିଲା ଏଇ ସରଳ ଶଦ୍ଦ ଦୁଇଟିରେ । ତା’ପର ଦିନ ଚିକାଗୋର ସମସ୍ତ ଖବର କାଗଜର ପୃଷ୍ଠା ମଣ୍ଡନ କରିଥିଲା ଏହି ସମ୍ବାଦ ଏବଂ ସମସ୍ତେ ତାଙ୍କୁ ଶ୍ରେଷ୍ଠ ସାଧୁ ଭାବରେ ଘୋଷଣା କରିଥିଲେ । ତା’ପରଠାରୁ ଆମେରିକାର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରାୟୋଜିତ କମ୍ପାନୀ ତାଙ୍କୁ ବ୍ୟସ୍ତ କରାଇବାରୁ ସେ କମ୍ପାନୀ ଠାରୁ ସମ୍ପର୍କ ଛିନ୍ନ କରିଥିଲେ । ଏହା ପରେ ଲଣ୍ଡନ ଓ ୟୁୂରୋପ ଗସ୍ତ କରି ସେ ବିଭିନ୍ନ ଅନୁଷ୍ଠାନରେ ଭାରତର ଦର୍ଶନ, ଶାସ୍ତ୍ର, ବେଦାନ୍ତକୁ ବିଶ୍ୱ ସମ୍ମୁଖରେ ରଖିଥିଲେ । ୧୮୯୬ ମସିହା ଡିସେମ୍ବରରେ ସେ ଲଣ୍ଡନରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତରେ ପହଞ୍ôଚ ଭାରତର ପବିତ୍ର ମାଟିରେ ଆନନ୍ଦରେ ଗଡି ଯାଇ ସେ ଆତ୍ମବିଭୋର ହୋଇଥିଲେ । 
ଭାରତ ମାଟିରେ ସ୍ୱାମିଜୀଙ୍କୁ ସ୍ୱାଗତ କରିବା ପାଇଁ ରାମେଶ୍ୱରର ରାଜା ଏକ ବିଶାଳ ଆୟୋଜନ କରିଥିଲେ । ତାଙ୍କ ରଥକୁ ସ୍ୱାମିଜୀଙ୍କୁ ଆଣିବାପାଇଁ ପଠାଇ ଥିଲେ । ରଥର ଘୋଡାମାନଙ୍କୁ ଖୋଲି ରାଜା ନିଜେ ପ୍ରଜାମାନଙ୍କ ସହ ରଥ ଟାଣି ଟାଣି ଆଣିଥିଲେ ରାଜ ଉଆସକୁ । 
ପୁନଶ୍ଚ ସ୍ୱାମିଜୀ ଆସୁଥିବାର ଜାଣି ଭାରତର ବିଭିନ୍ନ ସହରରେ ସମ୍ବର୍ଦ୍ଧନାର ଆୟୋଜନ ହୋଇଥିଲା । ମାଡ୍ରାସରେ ଲୋକମାନେ ରେଳ ଧାରଣାରେ ଶୋଇରହି ରେଳ ଅଟକାଇଥିଲେ ଓ ତାଙ୍କର ଦର୍ଶନ କରିଥିଲେ । ଏପରିକି ସମୁଦ୍ର କୂଳରେ ଥିବା ଛୋଟ ଛୋଟ କୁଡିଆରେ ଧୀବରମାନେ ଆନନ୍ଦରେ ଦୀପ ଜାଳି ନୃତ୍ୟ କରି କହୁଥିଲେ, ‘ଜଗତ ଗୁରୁ ଆସୁଛନ୍ତି ।’ ଏହା ପରେ ସେ କଲିକତା ଫେରି ଗୁରୁଦେବଙ୍କ ନାମାନୁସାରେ ଗଙ୍ଗାନଦୀ କୂଳରେ ବେଲୁର ମଠ ପ୍ରତିଷ୍ଠା କରିଥିଲେ । ଏବେ ରାମକୃଷ୍ଣ ମିଶନ ମାଧ୍ୟମରେ ଦୁଃଖୀ ଦରିଦ୍ରଙ୍କ ସେବାରେ ବ୍ରତୀ ହୋଇଥିଲେ । 
୧୮୯୭ ମସିହାରେ ସେ ପୁନର୍ବାର ବିଶ୍ୱଭ୍ରମଣରେ ଯାଇଥିଲେ । ୧୯୦୦ ମସିହା ଡିସେମ୍ବର ୨ତାରିଖରେ ଭାରତ ଫେରି ମଠରୁ କ୍ୟାପଟେନ ସେଭିୟର୍ସଙ୍କର ଦେହାନ୍ତ ଖବର ପାଇଁ ସେ ତାଙ୍କ ପତ୍ନୀଙ୍କୁ ସାନ୍ତ୍ୱନା ଦେବା ପାଇଁ ହିମାଳୟର ସେହି ଆଶ୍ରମ ଅଭିମୁଖେ ଯାଇଥିଲେ । ସେଠାରେ ୧୫ଦିନ ରହି ହିମାଳୟର ପ୍ରାକୃତିକ ଶୋଭାରାଶି ଦେଖି ମୁଗ୍ଧ ହୋଇଥିଲେ । 
ଏହାପରେ ସେ କଲିକତା ଫେରି ଆସିଥିଲେ । ୧୯୦୨ ମସିହା ଜୁଲାଇ ୪ ତାରିଖରେ ସକାଳ ୮ ରୁ ୧୧ ଧ୍ୟାନମଗ୍ନ ରହି, ଅପରାହ୍ନରେ ସ୍ୱାମୀ ପ୍ରେମାନନ୍ଦଙ୍କ ସହ ଏକ ବୈଦିକ ସ୍କୁଲ ପ୍ରତିଷ୍ଠା ପାଇଁ ଯୋଜନା କରିଥିଲେ । ସେହି ସନ୍ଧ୍ୟାରେ ୧ଘଣ୍ଟାର ଧ୍ୟାନ ପରେ ସେଠାରେ ଶୋଇପଡି ଦୁଇଟି ଦୀର୍ଘଶ୍ୱାସ ନେଇ ଚିର ବିଶ୍ରାମ ଲାଭ କରିଥିଲେ । 
ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସ୍ୱାମୀ ବିବେକାନନ୍ଦ ଭାରତୀୟ ସମାଜ ଓ ସଂସ୍କୃତିର ଜଣେ ଯଶସ୍ୱୀ ପ୍ରତିଭା । ଭାରତର ଯୁବଶକ୍ତିର ଅଭିବୃଦ୍ଧି ନିମନ୍ତେ ତାଙ୍କର କାଳଜୟୀ ବାଣୀ ଇକ୍ସସଗ୍ଦର, ଇଙ୍ଗବଳର, ଝଗ୍ଧକ୍ଟକ୍ଟ୍ର ଦ୍ଭକ୍ଟଗ୍ଧ ଗ୍ଧସକ୍ଷକ୍ଷ ଗ୍ଧଷର ଶକ୍ଟବକ୍ଷ ସଗ୍ଦ କ୍ସରବମଷରୟ “ଉତିଷ୍ଠିତ ହୁଅ, ଜାଗ୍ରତ ହୁଅ, ଲକ୍ଷ୍ୟ ହାସଲ ହେଲା ପର୍ଯ୍ୟନ୍ତ କାର୍ଯ୍ୟରୁ ବିରତ ହୁଅ ନାହିଁ”, ଏହା ଯୁଗେ ଯୁଗେ ଭାରତର ଯୁବକ ଯୁବତୀମାନଙ୍କୁ ଉଦବୁଦ୍ଧ କରୁଥିବ, ଏଥିରେ ସନ୍ଦେହ ନାହିଁ ।

Flip Book Link: https://demo.rastradeep.com/flip.aspx?fid=210

Related Post