‘ହିନ୍ଦୁ’ ଶବ୍ଦକୁ ଆପଣ ପରିଭାଷିତ କରିବେ କିପରି ବା କେଉଁ ମାର୍ଗରେ? ଏହା କ’ଣ ହିନ୍ଦୁଇଜମ୍ ବା ହିନ୍ଦୁବାଦ ନା ହିନ୍ଦୁତ୍ୱ? କିଛି ଏଇ ଧରଣର ପ୍ରଶ୍ନକୁ ନେଇ ୨୪-୨୬ ନଭେମ୍ବର, ୨୦୨୩ରେ ଥାଇଲ୍ୟାଣ୍ଡ୍ର ରାଜଧାନୀ ବ୍ୟାଙ୍କକ୍ରେ ଆୟୋଜିତ ବିଶ୍ୱ ହିନ୍ଦୁ କଂଗ୍ରେସ୍ (ଡଐଉ) କାର୍ଯ୍ୟକ୍ରମରେ ଚିନ୍ତନ-ମନ୍ଥନ କରାଯାଇଥିଲା । ଏହି ତିନି ଦିବସୀୟ କାର୍ଯ୍ୟକ୍ରମରେ ୬୧ଟି ଦେଶର ପ୍ରାୟ ୨,୦୦୦ରୁ ଅଧିକ ଧର୍ମଗୁରୁ, ସଂଗଠନ ଓ ବିଭିନ୍ନ ସହଯୋଗୀ ଯୋଗ ଦେଇଥିଲେ । ଏହି ପର୍ଯ୍ୟାୟରେ ଅନେକ ବିଚାର-ଉଦ୍ଦୀପକ ଅଧିବେଶନରେ ଏକ ଅବଧାରଣା, ଦର୍ଶନ ଓ ସାର୍ବଭୌମିକ ଜୀବନଶୈଳୀ ରୂପେ ହିନ୍ଦୁତ୍ୱ ବିଷୟରେ ଗହନ ବିଚାର-ବିମର୍ଶ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ମିଳନୀରେ ଏକ ବଡ଼ ଘୋଷଣା କରାଗଲା । ହିନ୍ଦୁ ନେତୃତ୍ୱ, ହିନ୍ଦୁତ୍ୱର ପରିଚୟକୁ ନେଇ ଇଂରାଜୀ ‘ଇଜ୍ମ୍’ ଅର୍ଥାତ୍ ‘ବାଦ’ ପରି ଏକ ପ୍ରତ୍ୟୟର ସଂଯୋଗରୁ ଉତ୍ପନ୍ନ ହିନ୍ଦୁଇଜ୍ମ୍ (ହିନ୍ଦୁବାଦ)କୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଦେଲେ । ଏହା ପରିବର୍ତ୍ତେ ପ୍ରାୟ ଶତାଧିକ ଦେଶରେ ବସବାସ କରୁଥିବା ୧୨୦ କୋଟି ହିନ୍ଦୁଙ୍କ ଉଦ୍ଦେଶ୍ୟରେ ହିନ୍ଦୁନେସ୍ (ଐସଦ୍ଭୟଙ୍କଦ୍ଭରଗ୍ଦଗ୍ଦ) ଅର୍ଥାତ୍ ହିନ୍ଦୁତ୍ୱକୁ ସ୍ୱୀକୃତି ପ୍ରଦାନ କରାଗଲା ।
ମୂଳଭୂତ ଅବଲୋକନରେ ହିନ୍ଦୁବାଦ ଓ ହିନ୍ଦୁତ୍ୱ ମଧ୍ୟରେ କିଛି ବହୁତ ବଡ଼ ଅନ୍ତର ଅନୁଭୂତ ହୁଏନାହିଁ । କିନ୍ତୁ ଅନୁଗାମୀଙ୍କ ପାଇଁ ହିନ୍ଦୁତ୍ୱ, ସନାତନ ଧର୍ମରେ ବର୍ଣ୍ଣିତ ଜୀବନଶୈଳୀର ସ୍ୱରୂପ ଅଟେ । ଏହା ଏପରି ଏକ ସ୍ୱରୂପ, ଯାହାକୁ ଧର୍ମପରାୟଣ ହିନ୍ଦୁ ବ୍ୟକ୍ତି, ପରିବାର ଓ ସମଗ୍ର ଜଡ଼-ଚେତନରେ ସବୁ ପ୍ରକାରର ମାନ୍ୟତା ପାଇଁ ଶାଶ୍ୱତ ଆଶ୍ରୟ-ସ୍ଥଳୀ ଭାବେ ସ୍ୱୀକାର କରନ୍ତି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ‘ହିନ୍ଦୁଇଜମ୍’କୁ ଖଣ୍ଡନ ବା ଅସ୍ୱୀକାର କରାଯିବା । ବାସ୍ତବରେ, ଏ ‘ଇଜମ୍’ର ସଂଯୋଗୀକରଣ ହେଉଛି ଦେଢ଼ଶହ ବର୍ଷ ପୁରୁଣା ଷଡ଼ଯନ୍ତ୍ରର ଏକ ଅଂଶ । ହିନ୍ଦୁ ଓ ହିନ୍ଦୁତ୍ୱକୁ ‘ଦମନକାରୀ ଓ ପକ୍ଷପାତୀ ପ୍ରବୃତ୍ତି-ସମ୍ପନ୍ନ’ ମାନ୍ୟତା ରୂପେ ଚିତ୍ରଣ କରାଯିବା ଥିଲା ଏହି ଷଡ଼ଯନ୍ତ୍ରର ମୂଳ ଉଦ୍ଦେଶ୍ୟ । ହିନ୍ଦୁତ୍ୱର ଉଦ୍ଭବ ତଥା ବିକାଶ ସଂକ୍ରାନ୍ତରେ ଯଦି କେହି ଗଭୀର ଅନୁଶୀଳନ-ଅନୁସନ୍ଧାନ କରେ, ତା’ହେଲେ ଜଣାପଡ଼ିବ ଯେ ହିନ୍ଦୁ ସଭ୍ୟତା ପ୍ରାଚୀନତମ ଓ ଏହାର ମାଧ୍ୟମରେ ହିଁ ମାନବତାର ବିକାଶ ସମ୍ଭବ ହୋଇପାରିଛି । ଏଥିରେ ‘ଇଜମ୍’ ବା ‘ବାଦ’ର ସଂଯୋଗୀକରଣର ମୁଖ୍ୟ ଧ୍ୟେୟ ଥିଲା ସନାତନ ସଂସ୍କୃତି ତଥା ହିନ୍ଦୁ ଧର୍ମକୁ ବଦନାମ୍ କରିବା । ଏହି ଆୟୁଧକୁ ଏ ଦୁଷ୍ଟ ତତ୍ତ୍ୱ ଅଦ୍ୟାବଧି ଉପଯୋଗ କରିଆସିଛନ୍ତି । ‘ବାଦ’ ସମ୍ବନ୍ଧରେ କୁହାଯାଇପାରେ ଯେ ପ୍ରତିକୂଳ, ପତନ-ଉନ୍ମୁଖ, କଟ୍ଟରପନ୍ଥୀ ଧାର୍ମିକ ଓ ଆଧ୍ୟାତ୍ମିକ ଆନ୍ଦୋଳନ ସହ, ନିୟମିତ ଭାବରେ ଏହାର ସଂଯୋଗୀକରଣ ଦେଖାଯାଇ ଆସିଛି । ‘ବାଦ’ ନିଜର ଅଭିପ୍ରାୟ ଓ ପ୍ରକୃତିରେ ବିଭାଜନକାରୀ ହୋଇଥିବା ସହ ନକାରାତ୍ମକ ଓ ଅପମାନଜନକ ମଧ୍ୟ ହୋଇଥାଏ । ବାସ୍ତବରେ, ‘ବାଦ’ ମୁଖ୍ୟ ସ୍ରୋତରୁ ଇତର ଓ ଦୁଷ୍ଟ ତତ୍ତ୍ୱଙ୍କ ସହ ମଧ୍ୟ ସଂଯୁତ ହୋଇଆସିଛି । ଏହି ଐତିହାସିକ ପରିପ୍ରେକ୍ଷୀ ଆଧାରରେ ବିଶ୍ୱ ହିନ୍ଦୁ କଂଗ୍ରେସ୍ ହିନ୍ଦୁଇଜମ୍ (ହିନ୍ଦୁବାଦ)ର ଅବଧାରଣାକୁ ପୂରାପୂରି ଖାରଜ କରିଦେଲା ।
ଏ ପ୍ରବାଦ ବା ଉକ୍ତି କିପରି ଭାବରେ ଅସ୍ତିତ୍ୱକୁ ଆସିଲା, ଏହା ମଧ୍ୟ ହିନ୍ଦୁଇଜମ୍କୁ ଖାରଜ କରାଯିବାର ପଛରେ ଥିବା ଆଉ ଏକ କାରଣ । ଆମେରିକୀୟ ଲେଖକ ଜର୍ଜ୍ ଏମ୍ ୱିଲିୟମ୍ ଏ ପ୍ରବାଦ ପ୍ରଣୟନ କରି ଏହାକୁ ଲୋକପ୍ରିୟ କରାଇଥିଲେ । ତାଙ୍କର ପୁସ୍ତକ ‘ହ୍ୟାଣ୍ଡବୁକ୍ ଅନ୍ ହିନ୍ଦୁଇଜମ୍’ ମାଧ୍ୟମରେ ସେ ଏହା କହିଛନ୍ତି । ଏଠାରେ ଏ ତଥ୍ୟକୁ ଅଣଦେଖା କରାଯିବା ଉଚିତ ନୁହେଁ ଯେ ଏ ପୁସ୍ତକର ପ୍ରକାଶନ କରିଥଲା ‘ସୋସାଇଟି ଫର୍ ପ୍ରମୋସନ୍ ଅଫ୍ କ୍ରିଶ୍ଚିଆନ୍ ନଲେଜ୍’ ୧୮୭୭ରେ । ଏହି ପୃଷ୍ଠଭୂମିରେ ଏହା ପଛରେ ଥିବା ଷଡ଼ଯନ୍ତ୍ର ବା ଅଭିପ୍ରାୟକୁ ସହଜରେ ବୁଝାଯାଇପାରେ । ବାସ୍ତବରେ ଏହା ଏକ ସୁଗଭୀର ବୌଦ୍ଧିକ ପ୍ରପଞ୍ଚ ଥିଲା । ହିନ୍ଦୁ ବିରୋଧୀ ବୌଦ୍ଧିକ ପ୍ରବଞ୍ଚନା, ବୌଦ୍ଧିକ ଧୃଷ୍ଠତା । ଏହାର ମୁଖ୍ୟ ଧ୍ୟେୟ ଥିଲା ହିନ୍ଦୁବିରୋଧୀ ଆଖ୍ୟାନ ପ୍ରସ୍ତୁତ କରିବା । କଳଙ୍କିତ କରିବାର ଥିଲା ଏ ପ୍ରାଚୀନ ସଭ୍ୟତାକୁ, ଧୂମିଳ କରିବାର ଥିଲା ଏ ସମୃଦ୍ଧ ସଂସ୍କୃତିକୁ । ହିନ୍ଦୁ ମାନ୍ୟତାରେ ପବିତ୍ର ବିବେଚିତ ଆଧ୍ୟାତ୍ମିକ ଗୁରୁ ତଥା ସାଧୁ-ସନ୍ଥ ଆଦି ପୁଣ୍ୟଶ୍ଳୋକଙ୍କୁ ମଧ୍ୟ ଏ ଦୁଷ୍ଟ ତତ୍ତ୍ୱ ଲାଞ୍ଛନା ଦେବାରେ ଆସୁରିକ ଆନନ୍ଦ ପାଇଥାନ୍ତି । ଦେଢ଼ଶହ ବର୍ଷ ପୁରୁଣା ଏହି ସୁନିୟୋଜିତ ଷଡ଼ଯନ୍ତ୍ରର ଗୁମର ଖୋଲିବା ଦିଶାରେ ବିଶ୍ୱ ହିନ୍ଦୁ କଂଗ୍ରେସ୍ ସମ୍
ୂର୍ଣ୍ଣ ରୂପେ ପ୍ରସ୍ତୁତ ତଥା ପ୍ରତିବଦ୍ଧ ଥିଲା ।
ସମଗ୍ର ବିଶ୍ୱର ହିନ୍ଦୁ ସମାଜ ବା ସାମାଜିକ ନେତୃତ୍ୱ ଏ ଷଡ଼ଯନ୍ତ୍ରକୁ ସମୁଚିତ ଭାବେ ବୁଝିପାରିଥିବା ଖୁସିର କଥା । ଏଇ କାରଣରୁ ତ ଏମାନେ ହିନ୍ଦୁ ସମାଜ ଉପରେ ଏକତରଫା ଭାବରେ ଲଦାଯାଇଥିବା ପରିଚୟକୁ ପରିହାର କରିବାର ସଙ୍କେତ ଦେଇଛନ୍ତି । ଏହା ପରିବର୍ତ୍ତେ ଏମାନେ ଏବେ ‘ହିନ୍ଦୁତ୍ୱ’ ଶବ୍ଦର ଉପଯୋଗ ଦ୍ୱାରା ବିଶ୍ୱ ମଞ୍ଚରେ ପରିଚିତ ବା ସମ୍ବୋଧିତ ହେବେ । ବାସ୍ତବରେ, ହିନ୍ଦୁତ୍ୱର ଛତ୍ରଛାୟା ହିଁ ଅଧିକ ସମାବେଶୀ ହେବା ସହ ସନାତନ ଧର୍ମର ବ୍ୟାପକ ଦାର୍ଶନିକ ପ୍ରତିରୂପ ଅଟେ । ହିନ୍ଦୁତ୍ୱ ଏକ ସହଜ ଓ ସରଳ ସ୍ୱରୂପ, ଯାହା ଶତାଧିକ ବର୍ଷରୁ ହିନ୍ଦୁ ସମାଜର ବିଶେଷ ଜୀବନଶୈଳୀର ପ୍ରତିନିଧିତ୍ୱ କରିଆସିଛି ଓ ଧର୍ମ-ଦର୍ଶନର ଶାଶ୍ୱତ ପ୍ରକୃତିର ପରିଚାୟକ ମଧ୍ୟ । ବିଶ୍ୱ ହିନ୍ଦୁ କଂଗ୍ରେସ୍ ମଧ୍ୟ ହିନ୍ଦୁତ୍ୱର ଏହି ବ୍ୟାଖ୍ୟା ତଥା ପରିଭାଷା ଉପସ୍ଥାପିତ କରିଛି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଓ ବ୍ୟକ୍ତିଗତ ପୂର୍ବାଗ୍ରହ କାରଣରୁ ହିନ୍ଦୁତ୍ୱକୁ ସନାତନ ଧର୍ମ ବିରୋଧରେ ଠିଆ କରାଇବାର ପ୍ରୟାସ ବିରୋଧରେ ମଧ୍ୟ ବିଶ୍ୱ ହିନ୍ଦୁ କଂଗ୍ରେସ୍ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଅନୁମୋଦିତ କରିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ଏହି ପ୍ରସଙ୍ଗକୁ ବିଶଦ ଭାବରେ ବ୍ୟାଖ୍ୟା କରି କହିଲେ ଯେ କଟ୍ଟରବାଦକୁ ପ୍ରରୋଚିତ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହାକୁ (ହିନ୍ଦୁତ୍ୱ ବନାମ ସନାତନ) ଉପଯୋଗ କରାଯାଉଛି । ସରସଂଘଚାଳକଙ୍କ ମତରେ ହିନ୍ଦୁତ୍ୱ ବାସ୍ତବରେ ପୁଞ୍ଜିବାଦ, ସାମ୍ୟବାଦ ଓ ଭୌତିକବାଦ ଆଦି ସବୁ ରକମର ‘ବାଦ’ରୁ ଊର୍ଦ୍ଧ୍ୱରେ । ଏହି ‘ବାଦ’ରୁ କିଛି ଲୋକ ‘ଭୌତିକ ଲାଭ’ଉଠାଇ ପାରନ୍ତି, କିନ୍ତୁ ଆନନ୍ଦ ତଥା ଶାନ୍ତିର ଅନ୍ୱେଷଣରେ ତ ଆଜି ସମସ୍ତେ ଅଛନ୍ତି । ଭାଗବତ ମହାଶୟ ହିନ୍ଦୁତ୍ୱ ସହ ସମ୍ବନ୍ଧିତ ସମାବେଶନ ତତ୍ତ୍ୱକୁ ବିସ୍ତୃତ ଭାବରେ ବୁଝାଇଥିଲେ, କିନ୍ତୁ ବିରୋଧୀ ତତ୍ତ୍ୱ ଏହାର ଠିକ୍ ବିପରୀତ ବ୍ୟାଖ୍ୟା କରିଥାନ୍ତି । ବାସ୍ତବତା ହେଲା, ସବୁ ସମ୍ପ୍ରଦାୟ ବା ପରମ୍ପରା ହିନ୍ଦୁତ୍ୱର ବ୍ୟାପକ ଛତ୍ରଛାୟାରେ ହିଁ ପରମତତ୍ତ୍ୱ ପ୍ରାପ୍ତି ଦିଶାରେ ପ୍ରୟାସ କରିଆସିଛନ୍ତି । ଏ ସହିଷ୍ଣୁ ଛତ୍ର ଭାରତୀୟ ପରମ୍ପରା ଓ ଏଥିସହ ଭାରତରେ ଶତାଧିକ ବର୍ଷରୁ ଶରଣାପନ୍ନ ମାନ୍ୟତାକୁ ମଧ୍ୟ ସମାୟୋଜିତ କରିବାରେ ତତ୍ପର ରହିଆସିଛି । ‘ଜୟସ୍ଥ ଆୟନଂ ଧର୍ମଃ’- ଅର୍ଥାତ୍ ଧର୍ମ ହିଁ ବିଜୟର ଆଧାର । ଏହା ଥିଲା ବିଶ୍ୱ ହିନ୍ଦୁ କଂଗ୍ରେସ୍ର ଦିମ୍ ବା ବିଷୟବସ୍ତୁ । ଦିମ୍ର ଅଭିପ୍ରାୟ ମଧ୍ୟ ସୁସ୍ପଷ୍ଟ ଥିଲା । ସଂଘ ପ୍ରମୁଖ ଏହାକୁ ଅଧିକ ସ୍ପଷ୍ଟ କରି କହିଲେ ଯେ ହିନ୍ଦୁ ଅନ୍ୟ କାହା ଉପରେ ବିଜୟ ଲାଭ କରିବାରେ ଆଗ୍ରହାନ୍ୱିତ ନୁହେଁ । ହିନ୍ଦୁ ବରଂ ସମସ୍ତଙ୍କ ପାଇଁ ପ୍ରଗତି, ବିକାଶ ଓ ବ୍ୟାପକ ସମୃଦ୍ଧିର ସ୍ତରରେ ବିଜୟ-କାମନା କରେ । ହିନ୍ଦୁତ୍ୱ ଓ ସନାତନ ଧର୍ମର ମାର୍ଗରେ ଅଗ୍ରସର ହେବା ବିଶ୍ୱ ହିନ୍ଦୁ କଂଗ୍ରେସ୍ର ଉଲ୍ଲେଖଯୋଗ୍ୟ ପ୍ରୟାସ ଥିଲା । ଏହି ସମ୍ମିଳନୀ ହିନ୍ଦୁଙ୍କ ପାଇଁ ‘ବସୁଧୈବ କୁଟୁମ୍ବକମ୍’ର ସଂକଳ୍ପନାକୁ ସାକାର କରିବା ଦିଶାରେ ବୈଶ୍ୱିକ ମଞ୍ଚରେ ସାର୍ଥକ ଭୂମିକା ନିର୍ବହନରେ ଅଗ୍ରଦୂତ ସାଜିବାର ଆଶା କରାଯାଏ । ସୂଚନାଯୋଗ୍ୟ ଯେ ବିଶ୍ୱ ହିନ୍ଦୁ କଂଗ୍ରେସ୍ର ପ୍ରତିଷ୍ଠାତା ତଥା ସୂତ୍ରଧର ହେଉଛନ୍ତି ସ୍ୱାମୀ ବିଜ୍ଞାନାନନ୍ଦ ।
ପୂଜ୍ୟ ମାତା ଅମୃତାନନ୍ଦମୟୀ ଏହି ଚର୍ଚ୍ଚାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲେ । ତାହା ହେଲା, ହିନ୍ଦୁତ୍ୱକୁ ବିଶ୍ୱ-ବ୍ରହ୍ମାଣ୍ଡର ସର୍ବୋଚ୍ଚ ଜ୍ଞାନ ଓ ପରମ ଚେତନା ଅନ୍ୟମାନଙ୍କ ତୁଳନାରେ ବିଶିଷ୍ଟ କରି ଗଢ଼ିଛନ୍ତି । ତାଙ୍କ କଥାରେ- “ଆମେ ଏପରି ମହମବତୀ ନୁହେଁ ଯିଏ ଅନ୍ୟ କାହାର ପ୍ରଜ୍ୱଳନ ଉପରେ ନିର୍ଭରଶୀଳ । ଆମେ ତ ସ୍ୱୟଂପ୍ରକାଶ ସୂର୍ଯ୍ୟ । ଆମେ ଅସହାୟ ବିଡ଼ାଳ-ଶାବକ ନୁହେଁ, ବରଂ ଶକ୍ତିଶାଳୀ ସିଂହ ଅଟୁ । ଆମ ଭିତରେ ଅନନ୍ତ ସାମର୍ଥ୍ୟ ଅନ୍ତର୍ନିହିତ । ଆଜି ଦୁନିଆରେ ଦୁଇ ରକମର ଦାରିଦ୍ର୍ୟ ଦେଖିବାକୁ ମିଳେ । ୧. ଆହାର, ଆବାସ ଓ ବସ୍ତ୍ରର ଅଭାବ । ୨. ପ୍ରେମ ଓ କରୁଣାର ଅଭାବ । ଆମକୁ ଦ୍ୱିତୀୟ ପ୍ରକାରର ଦାରିଦ୍ର୍ୟ ଉପରେ ଅଧିକ ଦୃଷ୍ଟିପାତ କରିବାକୁ ପଡ଼ିବ । କାରଣ ଆମର ହୃଦୟରେ ପ୍ରେମ ଓ କରୁଣା ଥିଲେ ଆମେ ସମ୍ପୂର୍ଣ୍ଣ ମନଯୋଗ ସହକାରେ ସେବାକାର୍ଯ୍ୟ କରିପାରିବା । ଏହାପରେ ପ୍ରଥମ ପ୍ରକାରର ଦାରିଦ୍ର୍ୟ ସ୍ୱତଃ ଦୂରୀଭୂତ ହୋଇଯିବ । ଧର୍ମ ଆମର ଜନନୀ । ଧର୍ମରହିତ ଜୀବନ ଏପରି, ଯେପରି ଆମେ ନିଜେ ଆମ ମା’ଙ୍କର ଠିକଣା ଭୁଲିଯାଇଛୁ! ଭାରତ ମାତାଙ୍କ କ୍ରୋଡ ବିଶାଳ, ସର୍ବସମାବେଶୀ । ତାହାଙ୍କ କ୍ରୋଡ କାହାକୁ ଅସ୍ୱୀକାର କରେନାହିଁ । ଅନ୍ୟମାନେ (ଅଣ-ଭାରତୀୟ) ଭାରତମାତାଙ୍କ ଦ୍ୱାରା ଉପହାର ସୂତ୍ରରେ ପ୍ରଦତ୍ତ ପୁରାତନ ସଂସ୍କୃତିକୁ ‘ମାତା’ ସମ୍ବୋଧନ ନ କରନ୍ତୁ ପଛକେ, ଅନାଦର ବା ଅପମାନ ତ କରନ୍ତୁ ନାହିଁ ।”
Flip Book Link:
https://demo.rastradeep.com/flip.aspx?fid=207