ଦେବାଳୟ ଭାରତର ଶ୍ରଦ୍ଧା, ଆସ୍ଥା, ସମ୍ମାନ, ଆଦର, ଭକ୍ତି । ଦେବସ୍ଥାନ ଜୀବନ୍ତ, ପ୍ରତିଷ୍ଠିତ, ଆରାଧ୍ୟ, ଉପାସ୍ୟ । ଇସଲାମୀ ଆକ୍ରମଣକାରୀ ଓ ଶାସକ ଭାରତକୁ ଅପମାନିତ କରିବା ଉଦ୍ଦେଶ୍ୟରେ ସହସ୍ରାଧିକ ମଠ-ମନ୍ଦିର-ଦେବସ୍ଥାନ ଆଦିକୁ ଧ୍ୱସ୍ତ କଲେ ଓ ସେଇ ଭଗ୍ନାବଶେଷ ଉପରେ ହିଁ ମସଜିଦ୍ ପରି ଢାଞ୍ଚା ନିର୍ମିତ କରିଥିଲେ । ଏ ନିର୍ମାଣରେ ମଧ୍ୟ ମ୍ଳେଚ୍ଛମାନେ ଆମର ହିଁ ନିର୍ମାଣ ସାମଗ୍ରୀ ଉପଯୋଗ କରିଥିଲେ । ଅଯୋଧ୍ୟାରେ ମନ୍ଦିର ଧ୍ୱସ୍ତ କରି ତାହା ଉପରେ କଥିତ ମସଜିଦ୍ ନିର୍ମାଣ କରାଯାଇଥିଲା । ଭାରତ ପରି ଏକ ହିନ୍ଦୁ ଦେଶରେ ମଧ୍ୟ ମନ୍ଦିର ଉପରେ ଅଧିକାର ପାଇଁ ବର୍ଷେ-ଦୁଇ ବର୍ଷ ନୁହେଁ, ବରଂ ୫୦୦ବର୍ଷ ପର୍ଯ୍ୟନ୍ତ ରୀତିମତ ସଂଘର୍ଷ କରିବାକୁ ପଡ଼ିଥିଲା । ଶାନ୍ତିପ୍ରିୟ ସମାଜ ପରା! ସୁଦୀର୍ଘ ସଂଘର୍ଷରେ ଅନେକ ହିନ୍ଦୁ ଜୀବନ ହାରିଥିଲେ । ଜନଆନ୍ଦୋଳନ ଅବ୍ୟାହତ ରହିଥିଲା । ତଥାକଥିତ ନ୍ୟାୟିକ ପ୍ରକ୍ରିୟାକୁ ଟାଣି-ଘୋଷାଡ଼ି ଏତେ ଲମ୍ବା କରିଦିଆଗଲା ଯେ ଭୀରୁ ସମାଜ ଏହାକୁ ଏକ ‘ସ୍ୱାଭାବିକ’ ପ୍ରକ୍ରିୟା ରୂପେ ଦେଖିଲା । ପରିଶେଷରେ ‘ଅତି’ ମାନ୍ୟବର ସୁପ୍ରିମ୍ କୋର୍ଟ ଅନ୍ତିମ ନିର୍ଣ୍ଣୟ ଶୁଣାଇଲେ । ରାଜନୀତି ଏହାକୁ କହିଲା ‘ଐତିହାସିକ’ ନିର୍ଣ୍ଣୟ । ତାହା କେତେଟା ‘ଐତିହାସିକ’ ଓ କେତେଟା ‘ରାଜନୈତିକ ପ୍ରପଞ୍ଚ’, ସେ କଥା ଆମର ପାଠକ ନିଶ୍ଚୟ ଜାଣିପାରିବେ । ଜାନୁଆରୀ ୨୨ତାରିଖ ଦିନ ଅଯୋଧ୍ୟରେ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହେଲା । ହିନ୍ଦୁ ସମାଜର କଥିତ ତ୍ରାଣକର୍ତ୍ତା ଏଥିରେ ପ୍ରମୁଖ ଭୂମିକା ନିର୍ବହନ କରିଥିଲେ । ଇତିମଧ୍ୟରେ କାଶୀର ଜ୍ଞାନବାପୀ ମନ୍ଦିରକୁ ନେଇ ମଧ୍ୟ କିଛି ସକାରାତ୍ମକ ପରିବର୍ତ୍ତନ ଆସିଛି । ଏଠାରେ ମଧ୍ୟ ପ୍ରାଚୀନ ମନ୍ଦିର ଥିବାର ଅନେକ ପ୍ରମାଣ ମିଳିଛି । ମଥୁରାର ସ୍ଥିତି ମଧ୍ୟ ଅନୁରୂପ । ଦେଶର ଦୃଷ୍ଟି ମଥୁରା ଓ କାଶୀ ଉପରେ କେନ୍ଦ୍ରିତ ରହିଛି । ମନ୍ଦିର ଧ୍ୱଂସ କରି ସେହି ସାମଗ୍ରୀରେ, ସେହି ମୂଳ ଢାଞ୍ଚା ଉପରେ ମସଜିଦ୍ ପରି ଢାଞ୍ଚା ନିର୍ମାଣ କରାଯାଇଥିବାର ସଂଖ୍ୟା ସହସ୍ରାଧିକ । ମନ୍ଦିର ବିଧ୍ୱଂସୀକରଣର ଧ୍ୟେୟ ହେଲା ରାଷ୍ଟ୍ରକୁ ତଥା ହିନ୍ଦୁ ସମାଜକୁ ସବୁଦିନ ପାଇଁ ଅପମାନିତ କରିବା ଓ ରାଷ୍ଟ୍ରୀୟ ସ୍ୱାଭିମାନକୁ ଦଳି-ଚକଟି ନଷ୍ଟ-ଭ୍ରଷ୍ଟ କରିଦେବା । ରାମଧାରୀ ସିଂହ ଦିନକର୍ ତାଙ୍କର ‘ସଂସ୍କୃତି କେ ଚାର୍ ଅଧ୍ୟାୟ’ରେ ଯଥାର୍ଥରେ ଲେଖିଛନ୍ତି, “ଦେଶର ସୁରକ୍ଷା ଓ ସମୃଦ୍ଧି ପ୍ରଶାସନ ପାଇଁ ଗୌରବର କାମ, କିନ୍ତୁ ମୁସଲମାନ୍ ଐତିହାସିକମାନେ ସେସବୁ ସୁଲତାନ୍ ଓ ଗାଜୀ(ହିନ୍ଦୁଙ୍କ ହତ୍ୟାକାରୀ)ଙ୍କର ମାତ୍ରାଧିକ ଗୁଣଗାନ କରିଛନ୍ତି, ଯେଉଁମାନେ ଅଧିକରୁ ଅଧିକ ମନ୍ଦିର ଧ୍ୱଂସ କରିଥିଲେ । କୁରାନ୍ ଅନୁସାରେ ‘କୁଫ୍ର’ର (ଆଲ୍ଲାଙ୍କୁ ନ ମାନିବା) ସବୁଠାରୁ ଘୃଣ୍ୟ ରୂପ ହେଉଛି ‘ସିର୍କ’, ଯାହାର ଅର୍ଥ ବହୁ-ଦେବ ପୂଜା, ନାସ୍ତିକତା । ‘ସିର୍କ’ର ସର୍ବାଧିକ ଗର୍ହିତ ରୂପ ହେଲା ମୂର୍ତ୍ତିପୂଜା । ଭାରତ ବା ହିନ୍ଦୁସ୍ତାନ୍ ହେଉଛି ମୂର୍ତ୍ତିପୂଜକଙ୍କ ଦେଶ । କୁଫ୍ରର ଦମନରେ ମୁସଲମାନ୍ ଏ ଦେଶରେ ଯେତେ ଅତ୍ୟାଚାର କରିଛନ୍ତି, ତାହା ସମଗ୍ର ବିଶ୍ୱରେ ଅନ୍ୟତ୍ର ଏଯାବତ୍ ହୋଇନାହିଁ ।
ଇସଲାମୀ ଆକ୍ରମଣକାରୀ ଶାସକଙ୍କ ଦ୍ୱାରା ଧ୍ୱସ୍ତ ମନ୍ଦିର ଭାରତବାସୀଙ୍କ ଅନ୍ତଃକରଣରେ ଶୂଳସମ କଷ୍ଟ ଦେଇଥାଏ । ଲିବରାଲ୍-ସିକ୍ୟୁଲାର୍ ଗୋଷ୍ଠୀ ଏସବୁ ଜଘନ୍ୟ କାଣ୍ଡକାରଖାନାକୁ ଭୁଲିଯିବାର ପରାମର୍ଶ ଦେଇଆସିଛନ୍ତି । କୌଣସି ସମାଜ ରାଷ୍ଟ୍ରୀୟ ସ୍ୱାଭିମାନକୁ ଦଳି-ଚକଟି ଦେବାର ଘଟଣା ପ୍ରତ୍ୟକ୍ଷ ଦେଖି ଭୁଲିଯାଇ ପାରିବ କି? ସୁଚିନ୍ତିତ-ସୁନିୟୋଜିତ ଭାବରେ କରାଯାଇଥିବା ରାଷ୍ଟ୍ରୀୟ ଅପମାନକୁ ପ୍ରତ୍ୟକ୍ଷ ଭାବେ ଦେଖି କୌଣସି ସମାଜ ଭୁଲିଯାଇ ପାରିବ କି? ଏତେ ସବୁ ମନ୍ଦିର ଧ୍ୱଂସ କରି ସେଇ ସାମଗ୍ରୀରେ ନିର୍ମିତ ମସଜିଦ୍ ‘କୁବ୍ୱତ୍ ଉଲ୍ ଇସଲାମ୍’ (ବିଜୟ ସ୍ତମ୍ଭ)କୁ ଭୁଲିଯିବା ସମ୍ଭବ କି? ‘କୁବ୍ୱତ୍ ଉଲ୍ ଇସଲାମ୍’ର ଅର୍ଥ ‘ଇସଲାମ୍ର ଶକ୍ତି’ ମଧ୍ୟ ହୋଇପାରେ । ଏହି ଶକ୍ତି ପ୍ରଦର୍ଶନର ଧ୍ୟେୟ ଭାରତବାସୀଙ୍କୁ ଜଣାଇଦେବାର ଥିଲା ଯେ ଇସଲାମ୍ର ଶକ୍ତିକୁ ଚାଲେଞ୍ଜ୍ କରାଯାଇ ପାରିବ ନାହିଁ । ଏ ଧରଣର ଦୃଷ୍ଟାନ୍ତ ଅସଂଖ୍ୟ । ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରର ଧ୍ୱଂସ ଦୃଶ୍ୟମାନ, ପ୍ରତ୍ୟକ୍ଷ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଶକ ରାଜାଙ୍କ ସମୟରେ ବାସୁଦେବ କୃଷ୍ଣ ମନ୍ଦିର ତୋରଣ ଦ୍ୱାର ବିଦ୍ୟମାନ ଥିଲା । ଗୁପ୍ତ ସମ୍ରାଟ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ । ଚୀନ୍ର ପରିବ୍ରାଜକ ହୁଏନ୍ ସାଂ ମଧ୍ୟ ସମସାମୟିକ ଥିଲେ । ଏହି ମନ୍ଦିରକୁ ଗଜନୀର ମହମୁଦ୍ ଧ୍ୱଂସ କରିଥିଲା । ରାଜା ବିଜୟପାଲ୍ ଏହାର ପୁନଃନିର୍ମାଣ କରାଇଥିଲେ । ସିକନ୍ଦର୍ ଲୋଦି ଏହାକୁ ପୁଣି ଥରେ ଧ୍ୱଂସ କରିଦେଲା । ଓର୍ଛାର ନରେଶ ଏହାର ପୁନଃନିର୍ମାଣ କରାଇଲେ । ଔରଙ୍ଗଜେବ ଏହାକୁ ଭାଙ୍ଗିଦେଲା ଓ ଅର୍ଦ୍ଧେକ ଭୂମିରେ ଇଦ୍ଗାହ୍ ନିର୍ମିତ କଲା ।
ଗଜନୀର ମହମୁଦ୍ର କୃତ୍ୟ ମଧ୍ୟ ଏଇ ପ୍ରକାରର ଥିଲା । ତାହାର ହିଁ ଜଣେ ଐତିହାସିକ ଉତ୍ବୀ ହାତରେ ସେ ଲେଖାଇଥିଲା, “ମହମୁଦ୍ ମନ୍ଦିର ଓ ମୂର୍ତ୍ତିଙ୍କୁ ଧ୍ୱସ୍ତ କରିଥିଲା ।” ଡକ୍ଟର ମରେ ଟାଇଟସ୍ ତାଙ୍କର ପୁସ୍ତକ ‘ଇଣ୍ଡିଆନ୍ ଇସଲାମ୍’ରେ ଲେଖିଛନ୍ତି- “୧୬୬୯ରେ
ଔରଙ୍ଗଜେବକୁ ସୂଚନା ମିଳିଲା ଯେ ମୁଲ୍ତାନ୍ ଓ ବନାରସ୍ ଅଞ୍ଚଳରେ ବ୍ରାହ୍ମଣମାନେ କିଛି ତୁଚ୍ଛ ଗ୍ରନ୍ଥର ବ୍ୟାଖ୍ୟା କରୁଛନ୍ତି । ସେ ଆଦେଶ ଜାରି କଲେ ତୁରନ୍ତ ପାଠଶାଳା ଓ ମନ୍ଦିରଙ୍କୁ ଧ୍ୱଂସ କରିଦିଅ । ଅଧିକାରୀମାନେ ସୂଚନା ଦେଲେ ଯେ ବିଶ୍ୱନାଥ ମନ୍ଦିରକୁ ଧ୍ୱସ୍ତ କରାଗଲା ।” ବାଦଶାହନାମା ଅନୁସାରେ ଶାହଜହାଁକୁ କୁହାଗଲା ଯେ ବନାରସ୍ରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ସେ ଆଦେଶ ଜାରି କଲା, ବନାରସ୍ ଓ ସମଗ୍ର ସଲତନତରେ ଯେତେ ମନ୍ଦିର ରହିଛି, ସବୁକୁ ଧ୍ୱଂସ କରିଦିଅ । ଆଦେଶ ପାଳନ ହେଲା, ସବୁ ମନ୍ଦିର ଧ୍ୱସ୍ତ-ବିଧ୍ୱସ୍ତ ହୋଇଗଲା । ଏ ସବୁ କାଣ୍ଡକାରଖାନାକୁ ସ୍ୱଚକ୍ଷୁରେ ଦେଖିଲେ ଅସହାୟ ତଥା କ୍ଷୁବ୍ଧ ଭାରତବାସୀ । ଏତାଦୃଶ ସୁନିୟୋଜିତ ରାଷ୍ଟ୍ରୀୟ ଅପମାନକୁ ଭାରତବାସୀ ଏତେ ସହଜରେ ଭୁଲିଯିବେ କି?
ଉପରୁ-ଉପରୁ ଦେଖାଗଲେ ଜଣାଯାଏ ଯେ ଏହା ହେଉଛି ମନ୍ଦିର ବିଧ୍ୱଂସୀକରଣର ଘଟଣା ମାତ୍ର, ନୁହେଁ କି? କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କିଛି ଅଲଗା । ବାସ୍ତବିକତା ହେଲା ଏହା ଭାରତବାସୀଙ୍କୁ ସବୁ ଦିନ ପାଇଁ ଅପମାନିତ କରାଯିବାର ସୁଚିନ୍ତିତ-ସୁନିୟୋଜିତ ରଣନୀତିର ଅଂଶବିଶେଷ । ରାଷ୍ଟ୍ରୀୟ ଅପମାନ ହିଁ ଐତିହାସିକ ସତ୍ୟ । ଏହି ସତ୍ୟକୁ ବିସ୍ମୃତ କରି ରାଷ୍ଟ୍ରୀୟ ସ୍ୱାଭିମାନର କଳ୍ପନା କରାଯାଇ ପାରିବ ନାହିଁ । ଏ ଧରଣର ଘଟଣାକୁ ଏଡ଼ାଇଦେବା ଉଦ୍ଦେଶ୍ୟରେ ୧୯୯୧ରେ ଧର୍ମସ୍ଥଳ ଆଇନ୍ ପ୍ରଣୀତ ହେଲା । ଏ ଆଇନର ଅବଧାରଣାକୁ ହଜମ କରିହୁଏ ନାହିଁ । ଏହି ଆଇନ୍ ମନ୍ଦିର ବିଧ୍ୱଂସ ସଂକ୍ରାନ୍ତୀୟ ଇସଲାମୀ ଅଭିଯାନ ଓ ଭଗ୍ନ ମନ୍ଦିରଙ୍କୁ ନ୍ୟାୟିକ ପରିସରରୁ ବାହାରେ ରଖେ । ଏହି ଅଧିନିୟମର ଉପଯୋଗିତା ଉପରେ ସମ୍ୟକ୍ ପୁନର୍ବିଚାର ଜରୁରୀ । ଦେବାଳୟ ବିଧ୍ୱଂସ ରାଷ୍ଟ୍ର ପାଇଁ ଯନ୍ତ୍ରଣାଦାୟକ । ଏଭଳି ଗର୍ହିତ କୃତ୍ୟକୁ ସାଧାରଣ ଅପରାଧ ଭାବେ ବିବେଚନା କରି ଭୁଲିଯିବା ସର୍ବଥା ଅନୁଚିତ । ମନ୍ଦିର ବିଧ୍ୱଂସୀକରଣର ତଥ୍ୟ, ସତ୍ୟ ଓ ଅଭିପ୍ରାୟ ସୁସ୍ପଷ୍ଟ ।
ଦେଶର ସମସ୍ତ ବିଧ୍ୱସ୍ତ ମନ୍ଦିର ଆଦିଙ୍କୁ ସୂଚୀବଦ୍ଧ କରିବାର ସମୟ ଆଜି ଉପନୀତ । ଏ ସବୁର ପୁନଃପ୍ରତିଷ୍ଠା ଓ ପ୍ରାଣପ୍ରତିଷ୍ଠା କରାଯିବା ଉଚିତ । ଯଦି ଜରୁରୀ ହୁଏ, ସବୁ ଧ୍ୱସ୍ତ ଦେବପୀଠର ପୁନଃନିର୍ମାଣ ମାର୍ଗ ସନ୍ଧାନ ଦିଶାରେ ଆୟୋଗ ମଧ୍ୟ ଗଠନ କରାଯାଇପାରେ । ସୋମନାଥ ମନ୍ଦିରର ପୁନଃନିର୍ମାଣ ଆମ ପାଇଁ ଏକ ଆଦର୍ଶ ମଡେଲ୍ ହୋଇପାରେ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଯେପରି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସକ୍ରିୟ ଯୋଗଦାନ କରିଛନ୍ତି, ଅତୀତରେ ନବନିର୍ମିତ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର୍ ରାଜେନ୍ଦ୍ର ପ୍ରସାଦ ମଧ୍ୟ ପୌରହିତ୍ୟ କରିଥିଲେ । କଥିତ ଇସଲାମୀ ବିଦ୍ୱାନ୍ ଓ ସାମାଜିକ-ରାଜନୈତିକ କର୍ମକର୍ତ୍ତା ଆଦି ଏ ସଂକ୍ରାନ୍ତରେ ନିରପେକ୍ଷ ରାୟ ଦେଉନାହାନ୍ତି କାହିଁକି? ଇସଲାମ୍ର କୁଣ୍ଠା ବୁଝାଯାଇପାରେ, କିନ୍ତୁ ଭାରତୀୟ ରାଜନୀତି ତଥା ଶାସକ ବର୍ଗ କୁଣ୍ଠିତ କାହିଁକି? ଏ ପ୍ରସଙ୍ଗରେ ଭାଜପା କଂଗ୍ରେସ୍ ଠାରୁ ଭିନ୍ନ କି? ମନ୍ଦିର ଧ୍ୱଂସ କରାଯାଇ ସେଠାରେ ନିର୍ମିତ ସମସ୍ତ ଉପାସନା ସ୍ଥଳ ଆଦି ଉପରେ ସମାନ, ତର୍କସଙ୍ଗତ ଓ ସର୍ବମାନ୍ୟ ନିର୍ଣ୍ଣୟରେ ଏମାନେ ଯେ ରାଷ୍ଟ୍ରକୁ ସମୁଚିତ ମାର୍ଗଦର୍ଶନ କରାଇବେ, ଏହା ସନ୍ଦେହାସ୍ପଦ । ଧ୍ୱସ୍ତ ମନ୍ଦିଙ୍କର ପୁନଃନିର୍ମାଣ ରାଷ୍ଟ୍ରର ଗୌରବ ବୃଦ୍ଧି କରାଇବ । ଏହାର ବିପରୀତ ସ୍ଥିତି ଇସଲାମ୍ର ପ୍ରପଞ୍ଚକୁ ମହିମାମଣ୍ଡିତ କରିବା ସହ ରାଷ୍ଟ୍ରକୁ ଅପମାନିତ କରୁଥିବ । କିଛି ମନ୍ଦବୁଦ୍ଧି ଲେଖକ-ଐତିହାସିକ ବିଦେଶୀ ଆକ୍ରମଣକାରୀଙ୍କୁ ‘ରାଷ୍ଟ୍ରବିରୋଧୀ’ ବିବେଚିତ କରନ୍ତି ନାହିଁ । ଦେବାଳୟ ଧ୍ୱଂସ ପରି ଜଘନ୍ୟ ଅପରାଧକୁ ଏମାନେ ଭର୍ତ୍ସନା କରିବା ଉଚିତ ମଣନ୍ତି ନାହିଁ । ମୋଦୀ ସରକାର କ’ଣ ଏମାନଙ୍କୁ ଭୟ କରନ୍ତି? ମହମଦ୍ ବିନ୍ କାସିମ୍, ମହମୁଦ୍ ଗଜନୀ, ତୈମୁରଲଙ୍ଗ୍, ବାବର ଓ ନାଦିରଶାହ ପାଖରୁ ନେଇ ଅହମଦ ଶାହ ଅବ୍ଦାଲୀ ପର୍ଯ୍ୟନ୍ତ ସବୁ ଇସଲାମୀ ଆକ୍ରମଣକାରୀଙ୍କର ଏଜେଣ୍ଡା ଥିଲା ହିନ୍ଦୁ ଧର୍ମର ଦମନ, ହିନ୍ଦୁ ହନନ, ମନ୍ଦିର ବିଧ୍ୱଂସ ଓ ଏଇ ଧାରାରେ ଅନ୍ୟାନ୍ୟ କାର୍ଯ୍ୟକଳାପ । ଦେଶ ସ୍ୱାଧୀନ ହେବାରେ ହିଁ ଏ ସବୁର ପୂର୍ବାବସ୍ଥା ଫେରାଇ ଆଣିବାର ଥିଲା, କିନ୍ତୁ କଥିତ ସ୍ୱାଧୀନତା ମଧ୍ୟ ଆମ ପାଇଁ ଏକ ପ୍ରବଂଚନା ଥିଲା । ମନ୍ଦର ବିଧ୍ୱଂସ ତ ବିଦେଶୀ-ବିଧର୍ମୀ ଆକ୍ରମଣକାରୀଙ୍କର ଅକ୍ଷମଣୀୟ ଅପରାଧ ଥିଲା, ପାପ ଥିଲା; ତାହାର ସ୍ମରଣ ମଧ୍ୟ ପୀଡ଼ାଦାୟକ । କିଛି ସନ୍ଦିଗ୍ଧ କାରଣରୁ ରାଜନୀତି ଏ ‘ସମସ୍ୟା’କୁ ସେତେଟା ଗୁରୁତ୍ୱ ଦିଏନାହିଁ, କିନ୍ତୁ ସମାଜ ଉଦାସୀନ କାହିଁକି? ନିଷ୍କ୍ରିୟ କାହିଁକି? ଆକ୍ରୋଶ ସ୍ୱତଃର୍ତ୍ତ ନାହିଁ କାହିଁକି? ଏ ସମସ୍ୟାକୁ ଯଦି ଏତେ ହାଲୁକା ଭାବରେ ନିଆଯାଏ, ଭବିଷ୍ୟତରେ ଏ ଆଗ୍ନେୟଗିରି ଭୟଙ୍କର ଅଗ୍ନି ଉଦ୍ଗୀରଣ କରିବ ନିଶ୍ଚୟ । ଇତିହାସର ଦୁଃଖଦ ଅଧ୍ୟାୟ ଆଉ କେତେ ଦିନ ଭାରତ-ମନକୁ ବ୍ୟଥିତ କରୁଥିବ? ଉପହାସ କରୁଥିବ? ଧ୍ୱସ୍ତ ମନ୍ଦିର ହିଁ ଜୀବନ୍ତ ସାକ୍ଷ୍ୟ । ବାମବାଦୀ ନ୍ୟାୟାଧୀଶଙ୍କର ଆଉ କି ପ୍ରମାଣ ଦରକାର? ଏ ଇତିହାସରେ ବିଦେଶୀ ଆକ୍ରମଣକାରୀ ଅଭିଯୁକ୍ତ ଓ ଆଜିର ମୁସଲମାନ୍ ସେମାନଙ୍କ ସମର୍ଥକ । ଆଜି ଅଭିଯୁକ୍ତଙ୍କୁ ସଜା ତ ଦିଆଯାଇ ପାରିବ ନାହିଁ, ସେମାନଙ୍କର ଅପକୃତିର ସମୁଚିତ ସଂଶୋଧନ ତ କରାଯାଇ ପାରିବ । ରାଷ୍ଟ୍ର, ସମାଜ, ସନାତନ ସଂସ୍କୃତି ତଥା ସମୟର ଆହ୍ୱାନ ମଧ୍ୟ ଏଇଆ ।
Flip Book Link: