ନିକଟରେ ବିହାର ସରକାର ଯେବେ ଜାତି ସର୍ବେକ୍ଷଣର ବିବରଣୀ ସାର୍ବଜନୀନ କଲେ, ସଙ୍କେତ ମିଳିଲା ଯେ ନୀତୀଶ ସରକାର ଓ ତାଙ୍କର ରାଜନୈତିକ ସହଯୋଗୀ ଜାତିଆଧାରିତ ରାଜନୀତିର ଏଜେଣ୍ଡାକୁ ଶାଣିତ କରିବା ଦିଶାରେ ବେଶ୍ ତତ୍ପର ଅଛନ୍ତି । କିଛିଦିନ ପୂର୍ବେ ଏହାର ପ୍ରମାଣ ମଧ୍ୟ ମିଳିଗଲା, ଯେବେ ବିହାର ବିଧାନସଭାରେ ଆରକ୍ଷଣର ସୀମା ବୃଦ୍ଧି କରାଇବା ପାଇଁ ବିଧେୟକ ଉପସ୍ଥାପିତ କରାଗଲା । ଜାତିଆଧାରିତ ଆରକ୍ଷଣର ସୀମାକୁ ୫୦ରୁ ୬୫ ପ୍ରତିଶତ କରାଯିବାର ପକ୍ଷପୋଷକ ଏ ବିଧେୟକକୁ ଅନୁମୋଦିତ କରାଯିବା ପୂର୍ବରୁ ଜାତି ସର୍ବେକ୍ଷଣ ଦ୍ୱାରା ପ୍ରାପ୍ତ ସାଂଖିକ ତଥ୍ୟର ଆଧାରରେ ଏସ୍ସି, ଏସ୍ଟି, ପଛୁଆ, ଅତି ପଛୁଆ ଓ ସାଧାରଣ ବର୍ଗର ଆର୍ôଥକ ସ୍ଥିତି ସଂକ୍ରାନ୍ତରେ କିଛି କୁହାଗଲା । ବିହାରରେ ଜାତି ସର୍ବେକ୍ଷଣର ବିବରଣୀ ଲୋକଲୋଚନକୁ ଆସିବା ପରଠାରୁ ସମଗ୍ର ଦେଶରେ ଜାତିଆଧାରିତ ଜନଗଣନା କରାଯିବାର ଦାବି ଜୋର୍ ଧରିବା ଆରମ୍ଭ ହୋଇଗଲାଣି । ଏଥିସହ ଆରକ୍ଷଣର ସୀମା ବୃଦ୍ଧିର ଦାବି ଉଠିବା ମଧ୍ୟ ଆରମ୍ଭ ହୋଇଗଲାଣି । ଏ ଦାବି କରୁଥିବା ଦଳ ଏସ୍ସି. ଏସ୍ଟି ଓ ପଛୁଆ ବର୍ଗକୁ ଏକ ଭୋଟ୍ ବ୍ୟାଙ୍କ୍ ରୂପେ ଦେଖୁଛନ୍ତି । ଜନଗଣନା ସହ ଜାତି ଗଣନା କରାଯିବାରେ କୌଣସି ଅସୁବିଧା ନଥାଇପାରେ, କିନ୍ତୁ ତାହାର ଅଭିପ୍ରାୟ ଯଦି ଜାତିଆଧାରିତ ରାଜନୀତିକୁ ଚକାଚକ୍ କରିବା ଅଥବା ନିଜ-ନିଜ ସୁବିଧା ଅନୁସାରେ ବିଭିନ୍ନ ଜାତିଙ୍କୁ ଭୋଟ୍ ବ୍ୟାଙ୍କ୍ କରି ଗଢ଼ିବା ହୁଏ, ଏହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ । ବିଡ଼ମ୍ବନା ହେଲା ସମ୍ପ୍ରତି ଏହା ହିଁ କରାଯାଉଛି ନିର୍ବିଘ୍ନରେ ଓ ଅତ୍ୟନ୍ତ ନିର୍ଲଜ୍ଜ ଢଙ୍ଗରେ । ମଣ୍ଡଳ ରାଜନୀତିର ଉପଜ ଭାବରେ ବିବେଚିତ ଦଳମାନେ ଆରକ୍ଷଣକୁ ଏକ ରାଜନୈତିକ ଆୟୁଧ କରିଦେଇଛନ୍ତି । ବିହାରରେ ବିଗତ ତିନି ଦଶକରୁ ମଧ୍ୟ ଅଧିକ ସମୟରୁ ଜାତି ଓ ଆରକ୍ଷଣର ରାଜନୀତି କରୁଥିବା ଦଳ ହିଁ କ୍ଷମତାସୀନ ହୋଇ ଆସିଛନ୍ତି । ଏତେ ଦୀର୍ଘ ସମୟ କ୍ଷମତାରେ ରହିବା ପରେ ମଧ୍ୟ ରାଜ୍ୟରେ ଏସ୍ସି-ଏସ୍ଟି ଓ ଅତି ପଛୁଆ- ପଛୁଆ ବର୍ଗର ଦଶା ଦୟନୀୟ ବା ଦୁର୍ବଳ ରହିଛି କିପରି ଓ କାହିଁକି? ଜନଗଣନା ବା ଜାତି ଜନଗଣନା କରାଇବା ହେଲା କେନ୍ଦ୍ରର ଅଧିକାର କ୍ଷେତ୍ର । ଏଇ କାରଣରୁ ବିହାରର ମହାନୁଭବମାନେ ଜାତି ଜନଗଣନାକୁ ‘ଜାତି ସର୍ବେକ୍ଷଣ’ ନାମିତ କରିଛନ୍ତି । ଏଇ ସର୍ଭେକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଭାଜପା ନେତାମାନେ ଅଭିଯୋଗ ଉଠାଇ କହିଛନ୍ତି ଯେ ଜାତିମାନେ ମହାଗଠବନ୍ଧନର ଦଳ । ବିଶେଷ କରି ରାଜଦ ଓ ଜଦୟୁର ଭୋଟ୍ବ୍ୟାଙ୍କ୍ ରୂପେ ପରିଗଣିତ । ତେଣୁ ଏମାନଙ୍କର ସଂଖ୍ୟାକୁ ଅହେତୁକ ଭାବେ ବୃଦ୍ଧି କରାଯାଇ ଦର୍ଶାଯାଇଛି । କିଛି ନେତା ତ ଏକଥା ମଧ୍ୟ କହିଛନ୍ତି ଯେ ବିହାରରେ ଜାତି ସର୍ଭେ କର୍ମୀ ଅନେକ ଲୋକଙ୍କ ଘରକୁ ଆଦୌ ଯାଇନାହାନ୍ତି । ଏହା ଅର୍ଥ ହେଲା, ଏମାନେ ରାଜ୍ୟ ସରକାରଙ୍କ ଏଜେଣ୍ଡା ଅନୁସାରେ କାମ କରି ପୂର୍ବନିର୍ଦ୍ଧାରିତ ସଂଖ୍ୟା ଲେଖିଦେଇଛନ୍ତି ମାତ୍ର, ନୁହେଁ କି? କି ଯାତରା ଚାଲିଛି, ଦେଖୁଛନ୍ତି ତ? ଦେଶରେ ଏତେ ବଡ଼ ଜାତି ଜନଗଣନା କରାଯାଉଛି, (ସେ ନାମ ଯାହା ଦିଆଯାଇଥାଉ ପଛକେ, କାମ ତ ସେଇଆ) କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର, ତଥାପି ମଧ୍ୟ ପ୍ରଧାନମନ୍ତ୍ରୀ ବା ଗୃହମନ୍ତ୍ରୀ କେହି ଏହାକୁ ରୋକିବା ତ ଦୂରର କଥା, ପଦଟିଏ ବିରୋଧ କଥା ମଧ୍ୟ କହିନାହାନ୍ତି! ବୁଝିବାକୁ ଚେଷ୍ଟା କରନ୍ତୁ ବନ୍ଧୁ, ସବୁ କଥା କାଗଜ-କଲମରେ ଲେଖିହୁଏନି !
ସ୍ୱାଧୀନତା ପରେ ଯେବେ ସମ୍ବିଧାନ ପ୍ରସ୍ତୁତ କରାଗଲା, ସେଥିରେ ଏସ୍ସି-ଏସ୍ଟି ବର୍ଗ ପାଇଁ ଆରକ୍ଷଣର ବ୍ୟବସ୍ଥା ରଖାଯାଇଥିଲା କେବଳ ଦଶ ବର୍ଷ ପାଇଁ । ଏହାର କାରଣ ହେଲା, ଆମ୍ବେଦକର ଏତିକି ସମୟ ପାଇଁ ହିଁ ଆରକ୍ଷଣକୁ ଉପଯୁକ୍ତ ମଣିଥିଲେ । ସେ ସ୍ୱୟଂ ଥିଲେ ଦଳିତ ବର୍ଗର ଲୋକ । ତାଙ୍କର ବିଚାର ଥିଲା ଏଇ ୧୦ବର୍ଷ ଅବଧିରେ ହିଁ ଏସ୍ସି-ଏସ୍ଟି ଲୋକେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଯିବେ, କିନ୍ତୁ ୧୦ବର୍ଷ କ’ଣ, ସତୁରି ବର୍ଷ ପରେ ମଧ୍ୟ ଏହା ହୋଇନାହିଁ । ହୋଇନାହିଁ, ହୋଇପାରି ନାହିଁ, କରାଯାଇ ନାହିଁ, ହେବ ନାହିଁ, ରାଜନୀତି ଏହା ହେବାକୁ ଦେବନାହିଁ ଇତ୍ୟାଦି ଇତ୍ୟାଦି ଆପଣ ଯାହା ଭାବୁଛନ୍ତି ଭାବନ୍ତୁ, ରାଜନୀତିର କିଛି ଯାଏ-ଆସେ ନାହିଁ । ବିହାରର ଜାତି ସର୍ଭେ ମଧ୍ୟ ଏଇଆ କହୁଛି ଯେ ଆରକ୍ଷଣ ଦ୍ୱାରା ଦଳିତ-ପଛୁଆ ବର୍ଗର ସେତେଟା ଉତ୍ଥାନ ହୋଇପାରି ନାହିଁ, ଯାହା ଆଶା କରାଯାଉଥିଲା । ଆରକ୍ଷିତ ବର୍ଗର ସାମାଜିକ, ଆର୍ଥିକ, ଶୈକ୍ଷଣିକ ଅନଗ୍ରସରତାର ଦୂରୀକରଣ କିପରି ପ୍ରଭାବଶାଳୀ ଉପାୟରେ କରାଯାଇ ପାରିବ, ଏଇସବୁ ପ୍ରସଙ୍ଗ ଉପରେ ବିଚାର କରାଯିବା ଉଚିତ ଥିଲା । କିନ୍ତୁ ଏହାର ଠିକ୍ ବିପରୀତ ଦାବି କରାଯାଉଛି ଆରକ୍ଷଣର ସୀମା ବୃଦ୍ଧି ନିମନ୍ତେ ।
ବିଗତ ଶତାବ୍ଦୀର ଅନ୍ତିମ ଦଶକରେ ଭିପି ସିଂହ ସରକାର ମଣ୍ଡଳ ଆୟୋଗ ରିପୋର୍ଟ୍ ଲାଗୁ କରାଇ ଓବିସି ଆରକ୍ଷଣ ପ୍ରଦାନ କରିଥିଲା । ଓବିସି ଆରକ୍ଷଣକୁ ସୁପ୍ରିମ୍କୋର୍ଟ୍ ସାମ୍ବିଧାନିକ ମଧ୍ୟ ମାନିଥିଲା । କିନ୍ତୁ ନ୍ୟାୟାଳୟ ଏକଥା ସ୍ପଷ୍ଟ କହିଥିଲା ଯେ ଜାତିଗତ ଆରକ୍ଷଣର ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହି
ଁ । ଏହାପରେ ଗତ ଲୋକସଭା ନିର୍ବାଚନ ପୂର୍ବରୁ ଆପଣଙ୍କର ଅତି ପ୍ରିୟ ମୋଦୀ ସରକାର ଆର୍ôଥକ-ଦୁର୍ବଳ ବର୍ଗ ପାଇଁ ୧୦ପ୍ରତିଶତ ଆରକ୍ଷଣର ପ୍ରବିଧାନ କରିଦେଲେ । ସୁପ୍ରିମ୍କୋର୍ଟ୍ ଏହାକୁ ମଧ୍ୟ ମାନ୍ୟତା ପ୍ରଦାନ କଲେ । ଏହିପରି ଭାବରେ ଆରକ୍ଷଣ ଏବେ ହୋଇଗଲାଣି ୬୦ପ୍ରତିଶତ । ଏହାପରେ ମଧ୍ୟ ବିଭିନ୍ନ ଦଳ ଓ ବର୍ଗ କିଛି ନା କିଛି ବାହାନା କରି ଅଧିକ ଆରକ୍ଷଣର ଦାବି ଉଠାଇବାରେ ଲାଗିଛନ୍ତି । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରର ମରାଠା ନେତା ନିଜ ସମାଜ ପାଇଁ ଆରକ୍ଷଣ ଦାବି କରୁଛନ୍ତି । ବିଡ଼ମ୍ବନା ଲକ୍ଷ୍ୟ କରନ୍ତୁ, ଯେଉଁ ମହାରାଷ୍ଟ୍ରକୁ ସମର୍ଗ ଦେଶରୁ ଲୋକେ ଯାଉଛନ୍ତି କର୍ମସଂସ୍ଥାନ ସନ୍ଧାନରେ, ସେ ରାଜ୍ୟର ସମସ୍ତ ମରାଠୀ ସମାଜ ଆର୍ôଥକ, ସାମାଜିକ, ଶୈକ୍ଷଣିକ ପ୍ରସଙ୍ଗରେ ପଛୁଆ ଓ ଆରକ୍ଷଣ ପାଇଁ ହକ୍ଦାର, ଏକଥା ଆପଣ ହଜମ କରିପାରୁଛନ୍ତି କି? ଯଦି ସମଗ୍ର ଦେଶରେ ଆରକ୍ଷିତ ବର୍ଗଙ୍କର ଜାତିର ଗଣନା କରାଯାଏ, ତାହାର ପ୍ରତିଶତ ବିହାର ଅନୁରୂପ ୬୦-୭୦ ପ୍ରତିଶତ ପାଖାପାଖି ହେବ । ଆରକ୍ଷିତ ବର୍ଗଙ୍କୁ ଶିକ୍ଷା ସଂସ୍ଥା ତଥା ସରକାରୀ ଚାକିରିରେ ଆରକ୍ଷଣ ଦିଆଯାଇଥାଏ । ମୂର୍ଖ ମଧ୍ୟ ଏଥିପ୍ରତି ଅବଗତ ଯେ ସବୁ ଆରକ୍ଷିତ ବର୍ଗଙ୍କୁ ସମାହିତ ଓ ସନ୍ତୁଷ୍ଟ କଲାପରି ଚାକିରି ସରକାରଙ୍କ ପାଖରେ ନାହିଁ । ଏ କଥା ତ ଆଦୌ ବାସ୍ତବ ନୁହେଁ ଓ ସ୍ୱୀକାର୍ଯ୍ୟ ମଧ୍ୟ ନୁହେଁ ଯେ ଏସ୍ସି-ଏସ୍ଟି-ଓବିସି ବର୍ଗର ପ୍ରତ୍ୟେକ ଜାତିର ସବୁ ଲୋକ ସାମାଜିକ, ଆର୍ଥିକ, ଶୈକ୍ଷଣିକ ପ୍ରସଙ୍ଗରେ ପଛୁଆ ଓ ସେମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରି ନାହାନ୍ତି, କିନ୍ତୁ କିଛି ଦଳ ଏଇ କଥାକୁ ପ୍ରତିପାଦନ କରିବାର ପ୍ରୟାସ କରିଚାଲିଛନ୍ତି । ଏ କଥା ସତ ଯେ ଅତୀତରେ ଦଳିତ-ପଛୁଆ ଜାତିଙ୍କର ଉପେକ୍ଷା ଓ ଅଣଦେଖା ହୋଇଛି, କିନ୍ତୁ ଆଜି ତ ଆଉ ସେ ସ୍ଥିତି ନାହିଁ । ଏହାପରେ ମଧ୍ୟ ଭୋଟ୍ବ୍ୟାଙ୍କ୍ ରାଜନୀତି ପ୍ରତିପାଦନ କରିବାରେ ଚେଷ୍ଟିତ ଯେ ଦଳିତ-ପଛୁଆ ବର୍ଗର ଉତ୍ଥାନର ଏକମାତ୍ର ଉପାୟ ହେଉଛି ଆରକ୍ଷଣ । କିଛି ମହଲରୁ ଶୁଣିବାକୁ ମିଳିଥାଏ ଯେ ଦେଶକୁ ଆଜି ମଧ୍ୟ ଆରକ୍ଷଣର ଆବଶ୍ୟକତା ରହିଛି । ସେମାନଙ୍କୁ ଏ କଥା ମଧ୍ୟ ପଚରାଯିବା ଆବଶ୍ୟକ ଯେ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ଅତିବାହିତ ହୋଇଥିବା ସତ୍ତ୍ୱେ ମଧ୍ୟ ଦଶ ବର୍ଷ ପାଇଁ ଉଦ୍ଦିଷ୍ଟ ଆରକ୍ଷଣ ଆଜି ପର୍ଯ୍ୟନ୍ତ ଚାଲିଥିବା ତାମସା ପାଇଁ ଦାୟୀ କିଏ, ସମାଜ ନା ରାଜନୀତି? ଆଉ କେତେଦିନ ପର୍ଯ୍ୟନ୍ତ ଏ ଯାତରା ଚାଲିବ? ତମେ ତ ସମ୍ବିଧାନରେ ଲିଖିତ କଥାକୁ ମଧ୍ୟ ମାନୁନାହଁ । ଦେଶର ଜନସାଧାରଣ ତମ ଉପରେ ଭରସା ରଖିପାରିବ କି? କେତେ ତଳକୁ ଖସିବ ଏ କଦର୍ଯ୍ୟ ରାଜନୀତି? ସେମିତି ଦେଖିବାକୁ ଗଲେ ଆଜି ଆରକ୍ଷଣର ସର୍ବୋଚ୍ଚ ସୀମା ୧ ବା ୨ ରଖାଯିବା ଉଚିତ ଏବଂ ପ୍ରତିବର୍ଷ ଆରକ୍ଷିତ ବ୍ୟକ୍ତିଙ୍କର ସବିଶେଷ ତଥ୍ୟ ଉପରେ ସମ୍ୟକ୍ ସମୀକ୍ଷା ମଧ୍ୟ କରାଯିବା ଉଚିତ । ଏଇ ଧରଣର ମାର୍ଗ ତ ଅନେକ ରହିଛି, କିନ୍ତୁ ରାଜନୀତି ସେ ମାର୍ଗରେ ପାଦ ରଖିବାକୁ ଚାହେଁନାହିଁ । ଆପଣ ବିଭାଜିତ ରହିଲେ ହିଁ ତାଙ୍କର ଲାଭ । ତମେ ଜନସାଧାରଣ ଏଇମିତି ବିଳାପ କରୁଥାଅ, ପଚାରୁଛି କିଏ?
ଦେଶ କୁଆଡ଼େ ‘ଅମୃତ କାଳ’ରେ ପ୍ରବେଶ କରିଛି ଓ ଆମର ପରମ ସନ୍ଥ ମୋଦୀ ମହାରାଜ ଆଗାମୀ ୨୫ ବର୍ଷରେ (ସେ ରହିଲେ ତ!) ଦେଶକୁ ଏକ ବିକଶିତ ରାଷ୍ଟ୍ର କରି ଗଢ଼ିବା ପାଇଁ ସଂକଳ୍ପବଦ୍ଧ । ଅତି ଉତ୍ତମ । କିନ୍ତୁ ଯେଉଁ ସମାଜରେ ଆଜି ଅର୍ଥାତ୍ ୨୦୨୩-୨୪ରେ ମଧ୍ୟ ଜାତି, ମତ, ପନ୍ଥ, ଭାଷା, କ୍ଷେତ୍ର, ଲିଙ୍ଗ, ଆଗୁଆ, ପଛୁଆ ତାମସା ଚାଲିଛି, ସେପରି ସମାଜ ତ ଅନୁରୂପ ଧାରାରେ ବିଘଟିତ ହୋଇଯିବ । ଭାରତୀୟତାବୋଧ, ରାଷ୍ଟ୍ରବୋଧ ଜାଗରିତ ହେବ କିପରି? ବଞ୍ଚିତ-ପଛୁଆ-ଅବହେଳିତ ଇତ୍ୟାଦି ଲୋକଙ୍କୁ ଆରକ୍ଷଣର ପ୍ରକୃତ ଲାଭ କିପରି ମିଳିବ । ସବୁ ଦଳ ଏହା ଉପରେ ବିଚାର କରିବା ଉଚିତ । ସରକାରୀ ଚାକିରି ତ ଏତେ ନାହିଁ ଯେ ସମସ୍ତଙ୍କୁ ଦିଆଯାଇ ପାରିବ, ତେଣୁ ଏମାନଙ୍କର ଉତ୍ଥାନ ସନ୍ଦର୍ଭରେ ଅନ୍ୟାନ୍ୟ ମାର୍ଗର ମଧ୍ୟ ସନ୍ଧାନ କରିବାକୁ ପଡ଼ିବ । ଏହା ଉପରେ ବିଚାର ଜରୁରୀ । କଥା ହେଉଛି, ଯେଉଁ ରାଜନୀତି ଆଜି ଆରକ୍ଷଣର ସୀମା ବୃଦ୍ଧି କରାଇ ଚାଲିଛି, ସେ ଏ ଦିଶାରେ ମନ ବଳାଇବ କାହିଁକି? ଆରକ୍ଷଣର ସୀମା ବୃଦ୍ଧି କରାଇବା ସୁପ୍ରିମ୍କୋର୍ଟ୍ ଆଦେଶର ପ୍ରତ୍ୟକ୍ଷ ଅବମାନନା । ରାଜନୀତି ଯଦି ଏହା କରିଚାଲିଛି, କୋର୍ଟ୍ କରୁଛି କ’ଣ? ଛୋଟ-ଛୋଟ କଥାରେ ସ୍ୱତଃ ସଂଜ୍ଞାନ ନେଉଥିବା ନ୍ୟାୟପାଳିକା ଏ ବାବଦରେ ଦୋହରା ମାନଦଣ୍ଡ ଅବଲମ୍ବନ କରୁଛି କିପରି? ଆଜିର କଦର୍ଯ୍ୟ ରାଜନୀତି ବଞ୍ଚିତ-ପଛୁଆ ସମାଜକୁ ଏଇ ଗୋଟିଏ ସନ୍ଦେଶ ଦେବାକୁ ଚାହେଁ ଯେ ଆରକ୍ଷଣ ହିଁ ତୁମ ‘ଉତ୍ଥାନ’ର ଏକମାତ୍ର ଉପାୟ । ସାର କଥା ଶୁଣନ୍ତୁ, ସାମ୍ପ୍ରତିକ ପର୍ଯ୍ୟାୟର ରାଜନୀତି ଏତେ ବଡ଼ ରାଷ୍ଟ୍ରହିତୈଷୀ, ଜନକଲ୍ୟାଣକାରୀ ପଦକ୍ଷେପ ନେବାରେ ଆଗ୍ରହାନ୍ୱିତ ନୁହେଁ । ଭାରତୀୟ ସନ୍ଦର୍ଭରେ, ଯାହା ଅଦ୍ୟାବଧି ଦେଖାଯାଇ ଆସିଛି, ‘ରାଜନୀତି’ ସମାଜର ‘ଉତ୍ଥାନ’ ପାଇଁ ଉଦ୍ଦିଷ୍ଟ ନୁହେଁ । ରାଜନୀତି କେବଳ ରାଜନୀତିର, ତମର-ମୋର ନୁହେଁ । ଯେତେଶୀଘ୍ର ଏ କଥା ସ୍ୱୟଂ ଅନୁଭବ କରିବ, ସେତେ ଭଲ ।
Flip Book Link:
https://demo.rastradeep.com/flip.aspx?fid=208