Latest News

ଭାରତର ଦକ୍ଷିଣ ବିଘଟନ

ଆର୍ତ୍ତ ମିଶ୍ର 15/01/2024ଶବ୍ଦଭେଦ

 ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନର ପରିଣାମ ଆସିବା ପରେ କିଛି ମନ୍ଦବୁଦ୍ଧି ରାଜନୈତିକ ଦଳ ଉତ୍ତର ବନାମ ଦକ୍ଷିଣ (ଭାରତ) ମଧ୍ୟରେ କଥିତ ଭେଦଭାବକୁ ପ୍ରୋତ୍ସାହନ ତଥା ଅଯଥା ପ୍ରଚାର-ପ୍ରସାର କରିବାର ଯଥାସାଧ୍ୟ ପ୍ରୟାସ କରିଥିଲେ । ଉତ୍ତର-ଦକ୍ଷିଣକୁ ବିଚ୍ଛିନ୍ନ କରିବାର ଏ ପ୍ରବୃତ୍ତି କିଛି ନୂଆ ନୁହେଁ । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ହେତୁ ଅନେକ ରାଜନୈତିକ ଦଳ ବିଭିନ୍ନ ସମୟରେ ଏହି ବିଘଟନକାରୀ ବିଷବୃକ୍ଷକୁ ଖାଦ୍ୟ-ଉର୍ବରକ ଯୋଗାଇବାର ଅପପ୍ରୟାସ କରିଆସିଛନ୍ତି । ଏହାକୁ ଆର୍ଯ୍ୟ ବନାମ ଦ୍ରାବିଡ଼, ମୂଳ ଅଧିବାସୀ ବନାମ ବାହାର ଲୋକ, କଳା-ଚମ ବନାମ ଗୋରା, ହିନ୍ଦୀ ବନାମ ଅଣ-ହିନ୍ଦୀ ଆଦିର ବିଚାରର ବିସ୍ତାର କୁହାଯାଇପାରେ । ମତଗଣନା ଦିନ ଯେବେ ଜଣାପଡ଼ିଲା ଯେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ କଂଗ୍ରେସ୍ ହାରୁଛି ଓ ତେଲେଙ୍ଗାନାରେ ଜିତୁଛି, ଅବିଳମ୍ବେ କଂଗ୍ରେସୀ ନେତା ପ୍ରବୀଣ ଚକ୍ରବର୍ତ୍ତୀ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଲେ- “ଉତ୍ତର-ଦକ୍ଷିଣ ସୀମାରେଖା ଅଧିକ ଚଉଡ଼ା ତଥା ସ୍ପଷ୍ଟ ହୋଇଚାଲିଛି ।” ଅନେକଙ୍କର ତୀବ୍ର ପ୍ରତିକ୍ରିୟା ଆସିବା ପରେ ସେ ଏ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ଏଇ ଦିନ କାର୍ତ୍ତି ଚିଦାମ୍ବରମ୍ ପୋଷ୍ଟ କଲା କେବଳ ଦୁଇଟି ଶବ୍ଦ: ‘ଦି ସାଉଥ୍‌’ । ଅଭିପ୍ରାୟ ଥିଲା ଦକ୍ଷିଣ-ଭାରତର ମତଦାତା ଉତ୍ତର-ଭାରତ ତୁଳନାରେ ଅଧିକ ସଚେତନ, ପ୍ରଗତିଶୀଳ ଓ ପରିପକ୍ୱ । ଡିଏମ୍‌କେ ସାଂସଦ ସେନ୍ଥିଲ କୁମାର ସଂସଦରେ ଭାଷିଲେ ‘ଦେଶର ଲୋକେ ଏ କଥା ଉପରେ ବିଚାର କରିବା ଉଚିତ ଯେ, ଭାଜପାର ଶକ୍ତି କେବଳ ଏତିକି ଯେ ସେ ମୁଖ୍ୟତଃ ଗୋମୂତ୍ର ରାଜ୍ୟରେ ଜିତିପାରେ ।’ ଆଗକୁ କହିଲେ- “ଦକ୍ଷିଣ-ଭାରତରେ ଭାଜପା ବିଜୟ ଲାଭ କରିପାରିବ ନାହିଁ, କାରଣ ତାମିଲନାଡ଼ୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆମେ ବେଶ୍ ମଜବୁତ୍ ରହିଛୁ ।” ତେଲେଙ୍ଗାନାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ ତାଙ୍କ ନିଜ ଡିଏନ୍‌ଏକୁ ବିହାରୀ ଡିଏନ୍‌ଏ ଅପେକ୍ଷା ଅଧିକ ଶ୍ରେଷ୍ଠ କହି ଏହି ଉତ୍ତର-ଦକ୍ଷିଣ ବିଘଟନ-ବହ୍ନିରେ କିରୋସିନି ଢାଳିବାର କାମ କରିଥିଲେ । କଂଗ୍ରେସୀଜନଙ୍କ ପ୍ରବୃତ୍ତି ତ ରାଷ୍ଟ୍ର ତଥା ଭାରତୀୟ ସମାଜ ବିରୋଧୀ ହେବା ଏକ ପୁରୁଣା ନିୟମ । କହିବାର ଅଭିପ୍ରାୟ ହେଲା ଏ ଧରଣର ବୟାନ ଅନର୍ଗଳ ବା ବାଚାଳ ହୋଇନଥାଏ, କାରଣ ଏହା ପଛରେ ରହିଥାଏ (ଓ ରହିଛି ମଧ୍ୟ) ନିର୍ବାଚନୀ ଲାଭ-କ୍ଷତିର ଗଣିତ । ସୁଚିନ୍ତିତ ତଥା ସୁନିୟୋଜିତ ରଣନୀତି ।

ବିଡ଼ମ୍ବନା ହେଲା ଭାରତର ସ୍ୱାଧୀନତା ସଂଗ୍ରାମର ଐତିହ୍ୟ ଉପରେ ସର୍ବାଧିକ ଅଧିକାର ସାବ୍ୟସ୍ତ କରୁଥିବା ଏବଂ ସମଗ୍ର ଦେଶରେ କୁ-ପରିଚିତ କଂଗ୍ରେସର ସ୍ୱର ଆଜି କ୍ଷେତ୍ରୀୟ ଦଳଙ୍କ ପରି ହୋଇଚାଲିଛି । ଯେଉଁ କଂଗ୍ରେସ୍ ଦିନେ ଯୋଡ଼ିବାର କଥା କହୁଥିଲା ଓ ଏକତା-ଅଖଣ୍ଡତାର ରାଣ-ନିୟମ ଖାଉଥିଲା, ତାକୁ ଆଜି ମୁସଲିମ୍ ତୁଷ୍ଟୀକରଣ, ଜାତିଆଧାରିତ-କ୍ଷେତ୍ରଆଧାରିତ ଅସ୍ମିତାର ଆବିର୍ଭାବରେ ନିଜର ଭବିଷ୍ୟତ ଦେଖାଯାଉଛି । କଂଗ୍ରେସ୍ ସହ ଅନ୍ୟ କ୍ଷେତ୍ରୀୟ ଦଳ ମଧ୍ୟ ଏ କଥା ମନେରଖିବା ଉଚିତ ଯେ ଏ ଦେଶର ମୂଳ ପ୍ରକୃତି ତଥା ସଂସ୍କୃତି ହେଉଛି ‘ଯୋଡ଼ିବାର’, ସାମିଲ ହେବାର ଅଟେ । ଏଠାରେ ଉପରୁ ଉପରୁ ଯେଉଁ ସାମାଜିକ ଭେଦଭାବ ଦୃଷ୍ଟିଗୋଚର ହୁଏ, ତାହାର ଭିତରେ ସାଂସ୍କୃତିକ ଏକତାର ଅନ୍ତଃଧାରା ସଦା ପ୍ରବାହିତ । ଏଇ ଯୋଡ଼ିବା, ଯୋଡ଼ିହେବାର ଭାବନା କାରଣରୁ ହିଁ ଦକ୍ଷିଣ ଭାରତରେ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ସମଗ୍ର ଦେଶର ନମସ୍ୟ, ବନ୍ଦନୀୟ ହୋଇପାରିଛନ୍ତି । ସମଗ୍ର ଦେଶକୁ ସାଂସ୍କୃତିକ ଆଧାରରେ ଯୋଡ଼ିବାର ତାଙ୍କର ମହତ୍ ପ୍ରୟାସକୁ ବ୍ୟାପକ ସ୍ୱୀକୃତି ତଥା ଅଭୂତପୂର୍ବ ସଫଳତା ପ୍ରାପ୍ତ ହୋଇଥିଲା । କଥିତ ଉତ୍ତର-ଦକ୍ଷିଣ ଭେଦରେ ଯଦି ଲେଶମାତ୍ର ସତ୍ୟତା ଥାଏ, ତା’ହେଲେ ଦକ୍ଷିଣ-ଭାରତର ସନ୍ଥ, ଦାର୍ଶନିକ ଆଦିଙ୍କର ଉତ୍ତର-ଭାରତରେ ମଧ୍ୟ ସମାନ ଭାବରେ ଲୋକପ୍ରିୟ, ସମ୍ମାନିତ, ସ୍ୱୀକୃତ ହେବା ସମ୍ଭବ ହୋଇପାରିଥାନ୍ତା କି? କଣ୍ୱ, ଅଗସ୍ତ୍ୟ, ମଧ୍ୟାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ଆଦି ସନ୍ଥ-ମହାତ

ମା ବୈଦିକ ସଂସ୍କୃତିର ସର୍ବମାନ୍ୟ ତଥା ସର୍ବକାଳିକ ଆଚାର୍ଯ୍ୟ, ଦାର୍ଶନିକଙ୍କ ମଧ୍ୟରେ ପ୍ରମୁଖ ଥିଲେ । ସାମ୍ପ୍ରତିକ ସମୟରେ ମଧ୍ୟ ସାଂସ୍କୃତିକ ଏକତାର ଏପରି ଅନେକ ସୂତ୍ରଧାର, ବ୍ୟାଖ୍ୟାକାର, ଆସ୍ଥାକେନ୍ଦ୍ର, ପ୍ରତୀକସ୍ଥଳ ଆଦି ଅଛନ୍ତି, ଯାହାଙ୍କର ରାଷ୍ଟ୍ରବ୍ୟାପୀ ସ୍ୱୀକାର୍ଯ୍ୟତା ରହିଛି । ଶ୍ରୀ ଶ୍ରୀ ରବିଶଙ୍କର, ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ, ମାତା ଅମୃତାନନ୍ଦମୟୀ ଆଦିଙ୍କର ଅଖିଳ ଭାରତୀୟ ସ୍ୱୀକାର୍ଯ୍ୟତା ତଥା ମାସ୍ ଆପିଲ୍ ପ୍ରସଙ୍ଗରେ କାହାର ସନ୍ଦେହ ଥାଇପାରେ କି? ସୂଚନା, ପ୍ରଯୁକ୍ତି, ଯାତାୟାତର ବର୍ଦ୍ଧନଶୀଳ ସାଧନ ଆଜି ଦେଶ-ଦୁନିଆ ମଧ୍ୟରେ ଦୂରତ୍ୱ ହ୍ରାସ କରି ବିଶ୍ୱ-ଗ୍ରାମର ସଂକଳ୍ପନାକୁ କିଛି ଅର୍ଥରେ ସାକାର କରିଛନ୍ତି, ଏଥିରେ କିଛି ସନ୍ଦେହ ଥାଇପାରେ କି? ଦେଶର ଯୁବା ମାନସରେ ଆଜି ଏକାସମାନ ଭାବନା ଏବଂ ଆଶା-ଆକାଂକ୍ଷା ଥିବାର ଅନୁଭୂତ ହୁଏ । ଏମାନେ ଉତ୍ତର-ଦକ୍ଷିଣର ସଂକୀର୍ଣ୍ଣ ସୀମା ତଥା ମାନସିକତାରୁ ଊର୍ଦ୍ଧ୍ୱରେ ରାଷ୍ଟ୍ରର ନବନିର୍ମାଣ ଓ ବିକାଶରେ ରଚନାତ୍ମକ ଏବଂ ସାର୍ଥକ ଭୂମିକା ଏବଂ ଭାଗିଦାରୀ ଆଶା କରନ୍ତି । ଏକ ପାଶ୍ୱର୍ରେ ଏମାନେ ସଫଳତାର ଶିଖର ଛୁଇଁବାର ଅଭିଳାଷ ପୋଷଣ କରନ୍ତି ତ ଅପର ପାଶ୍ୱର୍ରେ ନିଜ ରାଷ୍ଟ୍ରକୁ ମଧ୍ୟ ଶୀର୍ଷରେ ଦେଖିବାର ଇଚ୍ଛାରଖନ୍ତି । ଲୋକେ କହନ୍ତି କଂଗ୍ରେସ୍ ଭାରତୀୟ ଯୁବାଙ୍କର ମନ ପଢ଼ିବାରେ ଭୁଲ୍ କରିଛି । ନା ବନ୍ଧୁ ଏହା ସତ୍ୟ ନୁହେଁ । ଭାରତ-ମନକୁ କଂଗ୍ରେସ୍ ଯେପରି ଜାଣିଛି ବା ଚିହ୍ନିଛି, ସେତେଟା ଅନ୍ୟ କେହି ଜାଣି ନାହାନ୍ତି । କଂଗ୍ରେସର ଏକମାତ୍ର ଏଜେଣ୍ଡା ହେଲା ରାଷ୍ଟ୍ର ତଥା ସମାଜର ବିଘଟନ!

ଭାଜପା କାଶୀ-ତାମିଲ ସଂଗମମ୍‌, ସୌରାଷ୍ଟ୍ର-ତାମିଲ ସଂଗମମ୍ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନିଜର ନୀତି-ଯୋଜନା ମାଧ୍ୟମରେ ବିକଶିତ ଭାରତ, ସମର୍ଥ ଭାରତ, ସଶକ୍ତ ଭାରତ ସମେତ ୨୦୪୭ ସୁଦ୍ଧା ଭାବୀ ଭାରତର ଚମତ୍କାର ଛବି ପ୍ରସ୍ତୁତ କରିଚାଲିଛି । ସେଇଠି, କଂଗ୍ରେସ୍ ଆଜି ମଧ୍ୟ ଓବିସି ଆରକ୍ଷଣ, ଜାତି-ଆଧାରିତ ଜନଗଣନା, ଉତ୍ତର-ଦକ୍ଷିଣ ପରି ବିଘଟନକାରୀ ପ୍ରସଙ୍ଗ ତଥା ଚର୍ଚ୍ଚା ଉପରେ ଭରସା କରି ଭୋଟ୍ ଗୋଟେଇବାର ଆଶା କରି ବସିଛି । ଜନମତର ଅବମାନନା କରିବାରେ ବା ମତଦାତାଙ୍କର ବିଚାରବୁଦ୍ଧି ଉପରେ ପ୍ରଶ୍ନ ଉଠାଇବା ସ୍ଥାନରେ କଂଗ୍ରେସ୍ ସମେତ ସବୁ ରାଜନୈତିକ ଦଳ ଏକଥା ବୁଝିରଖିବା ଉଚିତ ଯେ ଆଜିର ଭାରତ ଲିଙ୍ଗ, ଜାତି, ଭାଷା, ରାଜ୍ୟ, ମଜହବ୍ ଆଦିରୁ ଉପରକୁ ଉଠି ବିକଶିତ ବିଶ୍ୱ ସହ ପାଦ ମିଶାଇ ଚାଲିବାରେ ତତ୍ପର । 
ଭାଜପାର ଜନାଧାର ଦକ୍ଷିଣ-ଭାରତରେ କ’ଣ ବାସ୍ତବରେ ନଗଣ୍ୟ? ଆଜିର ତଥ୍ୟ କହେ ଭାଜପା ଦକ୍ଷିଣ-ଭାରତରେ ମଧ୍ୟ ଏକ ବିକାଶ-ଉନ୍ମୁଖ ରାଜନୈତିକ ଦଳ । ୨୦୧୮ର ୬.୯୮ପ୍ରତିଶତ ଓ ମାତ୍ର ଗୋଟିଏ ସିଟ୍ ତୁଳନାରେ ଏ ଥରର ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ତାହାର ଭୋଟ୍ ପ୍ରତିଶତ ପ୍ରାୟ ୧୪ ଓ ସିଟ୍ ସଂଖ୍ୟା ବୃଦ୍ଧିପାଇ ୮ରେ ପହଞ୍ଚିଯାଇଛି । ଭାଜପାକୁ କେବଳ ଉତ୍ତର-ଭାରତର ରାଜନୈତିକ ଦଳ ରୂପେ ବୟାନ ଝାଡ଼ିବା ତତ୍ତ୍ୱ । ଏକଥା ଭୁଲିବା ଉଚିତ ନୁହେଁ ଯେ ୨୦୧୯ର ଲୋକସଭା ନିର୍ବାଚନରେ ସେ କର୍ଣ୍ଣାଟକରେ ମୋଟ ୨୮ରୁ ୨୫ଟି ଆସନରେ ବିଜୟଲାଭ କରିଥିଲା । ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଭାଜପାକୁ ମୂଳରୁ ଖାରଜ କରିବାର କଥା କହିବାର ଅର୍ଥ ହେଲା ଭୂତଳ ବାସ୍ତବତାରୁ ମୁହଁ ମୋଡ଼ିବା । ଶ୍ରୀ କେ ଆନ୍ନାମଲାଇଙ୍କୁ ତାମିଲନାଡ଼ୁର ରାଜ୍ୟ ପ୍ରମୁଖ କରାଯିବା ପରଠାରୁ ପାର୍ଟି ଏହି ରାଜ୍ୟରେ ମଧ୍ୟ ନିଜର ଲୋକପ୍ରିୟତା ବଢ଼ାଇ ଚାଲିଛି । ଏଠାରେ ଆମେ ଏକଥା ଭୁଲିବା ଉଚିତ ନୁହେଁ ଯେ ଗତ ଦୁଇ ବିଧାନସଭା ନିର୍ବାଚନରେ କେରଳ, ଆନ୍ଧ୍ରପ୍ରଦେଶ ଓ ୧୯୭୧ରୁ ତାମିଲନାଡ଼ୁରେ କଂଗ୍ରେସ୍ କ୍ଷମତାରୁ ବାହାରେ ବା ଦୂରରେ ରହିଛି । ଏହି ଆଧାରରେ କ’ଣ ଏକଥା କୁହାଯାଇ ପାରିବ କି ଯେ ଏ ସବୁ ରାଜ୍ୟରେ ମତଦାତାଙ୍କର ବିଚାରଧାରା ସଂକୀର୍ଣ୍ଣ ଓ ଅନଗ୍ରସର? ରାଷ୍ଟ୍ରବିରୋଧୀ ରାଜନୈତିକ ଦଳଙ୍କର ଏତାଦୃଶ ବିଘଟନକାରୀ କାର୍ଯ୍ୟକଳାପ ଏବଂ ଘାତକ ରାଜନୀତିକୁ ବେଳଥାଉଁ ଯଦି ଜବତ ନକରାଯିବ, ଏହା ସମଗ୍ର ଭାରତ ପାଇଁ ଆତ୍ମଘାତୀ ସିଦ୍ଧ ହେବା ନିଶ୍ଚିତ ।

Flip Book Link: https://demo.rastradeep.com/flip.aspx?fid=209

Related Post