Latest News

ଆଇନର ଦୁରୁପଯୋଗ ମାର୍ଗ ତ ଖୋଲା !

ଆର୍ତ୍ତ ମିଶ୍ର 04/03/2024ଶବ୍ଦଭେଦ

୨୦୦୫ରେ ସୁଶୀଲ କୁମାର ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାରେ ସୁପ୍ରିମ୍‌କୋର୍ଟ୍ ‘ଧାରା-୪୯୮-ଏ’ର ଦୁରୁପଯୋଗକୁ ନ୍ୟାୟିକ ଆତଙ୍କବାଦ ସଂଜ୍ଞାୟିତ କରିଥିଲା । ସେ ସମୟରେ ଏ ଆଇନଟି ବଳବତ୍ତର ହେବାର ଦୁଇ ଦଶକ ବିତିସାରିଥିଲା । ଲକ୍ଷାଧିକ ନିର୍ଦ୍ଦୋଷ ବ୍ୟକ୍ତି, ନର-ନାରୀ, ଏ ଆଇନ୍ କାରଣରୁ କୌଣସି ଅପରାଧ ବିନା ଜେଲ୍ ଯାଇସାରିଥିଲେ ଓ ସୁପ୍ରିମ୍‌କୋର୍ଟ୍ ଏହା ଉପରେ ଉଦ୍‌ବେଗ ପ୍ରକଟ କରିଥିଲା । ଏହି ନିର୍ଣ୍ଣୟ ପରେ ମଧ୍ୟ ୪୯୮-ଏ ସମ୍ବନ୍ଧିତ ମିଥ୍ୟା ମାମଲା ଓ ନିର୍ଦ୍ଦୋଷଙ୍କୁ ପୁଲିସ୍ ଜେଲ୍‌ରେ ଭର୍ତ୍ତି କରାଇବା ବନ୍ଦ ହୋଇନଥିଲା । ପରିଶେଷରେ କୋର୍ଟ୍ କହିଲା ଯେ ଆଉ ଏବେ ଏହି ଧାରା ଅନ୍ତର୍ଗତ କୌଣସି ପୁରୁଷ ବା ତାହାଙ୍କ ପରିବାରକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ବିନା ଗିରଫ କରାଯାଇ ପାରିବ ନାହିଁ । ଏ ଆଇନ୍ ଯେବେ ଆଗତ ହୋଇଥିଲା, ଅଭିପ୍ରାୟ ଥିଲା ବିବାହିତ ନାରୀଙ୍କୁ ଯୌତୁକ ନିର୍ଯାତନାରୁ ରକ୍ଷା କରିବା, କିନ୍ତୁ ଏପରି ସବୁ ନାରୀ ଏହାର ଅବାଧ ଉପଯୋଗ କରିବାକୁ ଲାଗିଲେ, ଯେଉଁମାନେ ତୁଚ୍ଛ କାରଣରୁ ନିଜର ପତି ଓ ତାଙ୍କର ଆତ୍ମୀୟ ସ୍ୱଜନଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁ ବସିଥିଲେ । ନୂଆ ଅପରାଧିକ ଆଇନ୍‌ରେ ଭାରତୀୟ ନ୍ୟାୟ ସଂହିତା ଅନ୍ତର୍ଗତ ୪୯୮-ଏ ଅପେକ୍ଷା ମଧ୍ୟ ମାରାତ୍ମକ, ଏକତରଫା ଓ ଅତ୍ୟନ୍ତ ସହଜରେ ଦୁରୁପଯୋଗ କରାଯିବାର ଏକ ନୂତନ ପ୍ରବିଧାନ ଆଗତ ହୋଇଛି, ଯାହା ଅନେକ ଜୀବନ ନଷ୍ଟ କରିଦେଇପାରେ । ଏହି ପ୍ରବିଧାନର ନାମ ହେଲା ଧାରା-୬୯, ଯାହା ଅନୁସାରେ କୌଣସି ପୁରୁଷ କୌଣସି ନାରୀଙ୍କୁ ବିବାହ ବା ଚାକିରିରେ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଯଦି ଦୈହିକ ସମ୍ପର୍କ ସ୍ଥାପନା କରନ୍ତି, ତା’ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ସଜା ହୋଇପାରେ । ଏଥିରେ ନିଜର ପରିଚୟ ଲୁଚାଇ ବିବାହ କରିବାକୁ ମଧ୍ୟ ଅପରାଧ ବିବେଚନା କରାଯାଇଛି । ଜଣେ ସାଧାରଣ ବ୍ୟକ୍ତି ଏହି ଆଇନ୍‌କୁ ଥରେ ପାଠ କରିନେଲେ ବା ଉପରୁ-ଉପରୁ ଦେଖିଲେ ତାଙ୍କୁ ବୋଧହୁଏ ଏଥିରେ କୌଣସି ତ୍ରୁଟି, ଛିଦ୍ର ବା ଅସୁବିଧା ଥିବାର ଅନୁଭୂତ ନ ହୋଇପାରେ ।
ମିଛ କଥା କହି ଶାରୀରିକ ସମ୍ବନ୍ଧ ସ୍ଥାପନା  କରିବା ନିଶ୍ଚୟ ଅନୁଚିତ ବା ଭୁଲ୍‌, କିନ୍ତୁ ସମ୍ମତିରେ ସ୍ଥାପିତ ସମ୍ପର୍କରେ କୌଣସି ରକମର ପ୍ରବଞ୍ଚନା ଦିଆଗଲା ବା ନାହିଁ, ଅଭିପ୍ରାୟ ମନ୍ଦ ବା ନାହିଁ, ଏ ପକ୍ଷକୁ ଆଇନ୍ ତଦନ୍ତ କରିବ କିପରି? ଜାଣି ନିଶ୍ଚିତ କରିବ କିପରି? କେବଳ ନାରୀର କହିବାରେ ହିଁ ଏହା ଧରିନିଆଯିବ ଯେ ପୁରୁଷ ତାଙ୍କୁ ଏପରି ପ୍ରବଞ୍ଚନା ଦେଇଥିଲେ । କେବଳ ଏକ ଅଭିଯୋଗ ଆଧାରରେ ହିଁ ତ ପୁରୁଷଙ୍କୁ ଗିରଫ କରିନିଆଯିବ ଓ ମୋକଦ୍ଦମା ଚାଲିବ ବର୍ଷ-ବର୍ଷ ଧରି । ପରିଶେଷରେ ଏ କଥା ଯଦି ପ୍ରମାଣିତ ହୋଇଯାଏ ଯେ କୌଣସି ପ୍ରବଞ୍ଚନାର ମାମଲା ତ ମୂଳରୁ ନ ଥିଲା, ତା’ହେଲେ ବିଚରା ପୁରୁଷର ଜୀବନ ତ ଧ୍ୱସ୍ତ-ବିଧ୍ୱସ୍ତ ହୋଇଗଲା ବୋଲି ଜାଣିବାକୁ ପଡ଼ିବ । ଏକବିଂଶ ଶତାବ୍ଦୀର ଆଧୁନିକ ନାରୀ, କଥିତ ଭାବେ ସଶକ୍ତ ନାରୀ, ଶିକ୍ଷିତ, ଭଲ-ମନ୍ଦ ବିଚାର କରିପାରୁଥିବା ନାରୀ; ତାଙ୍କୁ ଯଦି କୌଣସି ବ୍ୟକ୍ତି ବିବାହ, ପ୍ରମୋସନ୍ ଆଦିର ପ୍ରଲୋଭନ ଦେଇ ଦୈହିକ ସମ୍ପର୍କ ସ୍ଥାପନ କରିବାକୁ କହିବେ ଓ ସେ ତାହାକୁ ମାନିନେବେ, ଆଜିର ସମୟରେ କଥାଟି ଟିକେ ଅଡ଼ୁଆ ଲାଗେ । ଭଲ-ମନ୍ଦ ବୁଝିବିଚାରି ସ୍ଥାପନା କରାଯାଇଥିବା ସମ୍ପର୍କକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ କିପରି? ଧରିନିଆଯାଉ ଯେ କୌଣସି ବ୍ୟକ୍ତି ଚାକିରି ଦେବାର କଥା କହି ଶାରୀରିକ ସମ୍ବନ୍ଧ ସ୍ଥାପିତ କରେ ଓ ଚାକିରି ମଧ୍ୟ ଦେଇଦିଏ, ତା’ହେଲେ କ’ଣ ଏବେ ଏହାକୁ ଅପରାଧ ବିବେଚନା କରାଯିବ ନାହିଁ? ଏହାର ଅର୍ଥ କ’ଣ ଏଇଆ ନୁହେଁ କି ଯେ, ଆଇନ୍ ଆଜି କହୁଛି ଚାକିରି ବା ପଦୋନ୍ନତି ପାଇଁ ଶାରୀରିକ ସମ୍ବନ୍ଧ ସ୍ଥାପନା କରିବା ଉଚିତ ଓ ଏଥିରେ କୌଣସି ଅପରାଧର ତ ପ୍ରଶ୍ନ ଉଠେନାହିଁ ?
ନୂଆ ଆଇନ୍ ଆସିବା ପୂର୍ବରୁ ଏ ଧରଣର ସହସ୍ରାଧିକ ମାମଲା ଆମର ନ୍ୟାୟ ପ୍ରଣାଳୀର ବହୁ ଅମୂଲ୍ୟ ସମୟ ନଷ୍ଟ କରିସାରିଛନ୍ତି, ଯେଉଁଥିରେ ବର୍ଷ-ବର୍ଷର ପ୍ରେମ ସମ୍ବନ୍ଧ ବା ଲିଭ୍‌-ଇନ୍‌-ରିଲେସନ୍‌ସିପ୍ ପରେ ନାରୀ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମୋକଦ୍ଦମା ରୁଜୁ କରିଦେଇଛନ୍ତି । ଏମାନେ ତର୍କ ଦେଇଛନ୍ତି ଯେ ବିବାହର ପ୍ରବଞ୍ଚନା ଦେଇ ଅମୁକ ପୁରୁଷ ତାଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ସ୍ଥ

ାପିତ କରିଛନ୍ତି! ଏପରି ଅନେକ ମାମଲା ମଧ୍ୟ ଲୋକଲୋଚନକୁ ଆସିଛି ଯେଉଁଥିରେ ୨୧ ବର୍ଷରୁ କମ୍ ବୟସର ପୁରୁଷଙ୍କ ଉପରେ ତାଙ୍କ ଠାରୁ ବେଶ୍ ଅଧିକ ବୟସର ନାରୀ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି । କିନ୍ତୁ ଆଇନ୍ ଅନୁସାରେ  ଏମାନେ ବିବାହ ମଧ୍ୟ କରିପାରିବେ ନାହିଁ । ଏପରି ଅନେକ ମାମଲା ମଧ୍ୟ ଜଣାପଡ଼ିଛି ଯେଉଁଥିରେ ଜଣେ ନାରୀ ୫-୬ଟି ଭିନ୍ନ-ଭିନ୍ନ ପୁରୁଷଙ୍କୁ ବିବାହ କରିବାର ପ୍ରବଞ୍ଚନା ଦେଇ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି ଓ ପୁଲିସ୍ ମଧ୍ୟ ମୋକଦ୍ଦମା ରୁଜୁ କରିଦେଇଛି । ନିକଟରେ ମଧ୍ୟପ୍ରଦେଶ ହାଇକୋର୍ଟ ଏପରି ଏକ ମାମଲାକୁ ଖାରଜ କରି କହିଛି ନାରୀ ଜଣକ ଭିନ୍ନ-ଭିନ୍ନ ସ୍ଥାନରେ ଏଇ ଧରଣର ତିନୋଟି ମୋକଦ୍ଦମା ରୁଜୁ କରିଛନ୍ତି, ଏହା ସତ୍ତ୍ୱେ ମଧ୍ୟ ନାରୀଙ୍କୁ ଦଣ୍ଡିତ କରାଗଲା ନାହିଁ । ଏପରି ଅବସ୍ଥାରେ ଧାରା-୬୯ର ଦୁରୁପଯୋଗ ତ ଅକ୍ଳେଶରେ ହୋଇପାରିବ । କୌଣସି ସମ୍ପର୍କ ଯେକୌଣସି କାରଣରୁ ଭଙ୍ଗ ହୋଇଗଲେ ସୁଦ୍ଧା ନାରୀ ଯଦି ଚାହିଁବ, ସେ ପୁରୁଷକୁ ଜେଲ୍‌ରେ ଭର୍ତ୍ତି କରାଇ ଦେଇପାରିବ ଏଇଆ କହି ଯେ ସେ ମୋତେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଏପରି କରିଥିଲା । ସମ୍ପର୍କ ଦିନକର ହେଉ ବା ଦଶ ବର୍ଷର, ପୁରୁଷ ଯଦି ବିବାହ କରିବାକୁ ମନା କରିଦିଏ, ନାରୀ ତାଙ୍କ ଉପରେ ମୋକଦ୍ଦମା ରୁଜୁ କରିପାରିବ, କାରଣ ଆଇନ୍‌ରେ ଏ କଥା କୁହାଯାଇ ନାହିଁ ଯେ ଶାରୀରିକ ସମ୍ବନ୍ଧର ଅବଧି କେତେ ହେବା ଆବଶ୍ୟକ ଅଥବା କେତେ ବର୍ଷ ପର୍ଯ୍ୟନ୍ତ ପୁରୁଷର ‘ପ୍ରତିଶ୍ରୁତି’ ବା ‘ଅଭିପ୍ରାୟ’  ଚାଲିପାରେ, ସ୍ୱୀକାର କରାଯାଇପାରେ !
ନ୍ୟାସନାଲ୍ କ୍ରାଇମ୍ ରେକର୍ଡ୍ ବ୍ୟୁରୋର ତଥ୍ୟ ଅନୁସାରେ ୨୦୧୫ରେ ଦୁଷ୍କର୍ମ ମାମଲାରେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର କେଶ୍ ୨୧ ପ୍ରତିଶତ ଥିଲା । ୨୦୨୧ରେ ଏହା ବୃଦ୍ଧି ପାଇ ୫୧ ପ୍ରତିଶତ ହୋଇଗଲା । ଏହି କାରଣରୁ ୨୦୨୨ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟ୍‌, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନାରେ ସମ୍ମତି ସଂକ୍ରାନ୍ତୀୟ ଆଇନ୍‌ର ବୈଧତା ନିର୍ଦ୍ଧାରଣ ପ୍ରସଙ୍ଗରେ ଗମ୍ଭୀରତା ସହକାରେ ବିଚାର କରାଯିବା ପାଇଁ କହିଥିଲେ । ନ୍ୟାୟାଧୀଶ ସଞ୍ଜୀବ ପାଣିଗ୍ରାହୀ କହିଥିଲେ- “ଦୁଷ୍କର୍ମ ସମ୍ବନ୍ଧିତ ଆଇନ୍‌ର ଉପଯୋଗ ସେପରି ମାମଲାରେ କରାଯିବା ଉଚିତ ନୁହେଁ, ଯେଉଁ କ୍ଷେତ୍ରରେ ନାରୀ ନିଜ ପସନ୍ଦ ଅନୁସାରେ କୌଣସି ସମ୍ପର୍କ ସ୍ଥାପନା କରୁଛି ।” ପ୍ରଶ୍ନ ଉଠେ, ଯେବେ ସମ୍ପର୍କ ଛିନ୍ନ ହେବାର ସ୍ଥିତିରେ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର ପ୍ରବିଧାନର ଦୁରୁପଯୋଗ ପୂର୍ବରୁ ହିଁ ହେଉଅଛି, ତା’ହେଲେ ଏ ବାବଦରେ ନୂଆ ଆଇନ୍ ଆଗତ ହେବା ପୂର୍ବରୁ ସରକାର ଏ ପ୍ରସଙ୍ଗରେ ଅଧିକ ବା ଗଭୀର ବିଚାର-ବିମର୍ଶ କରିବା ଉଚିତ ନ ଥିଲା କି?    
ଧାରା-୬୯ ସମ୍ବିଧାନର ଅନୁଚ୍ଛେଦ-୧୪ ଓ ୧୫ର ଊଲ୍ଲଂଘନ ମଧ୍ୟ କରିଥାଏ, କାରଣ ଏହା ଅନୁସାରେ ଏ କଥା ସ୍ୱୀକୃତ ଯେ ବିବାହ ପ୍ରତିଶ୍ରୁତି ଆଧାରରେ ସମ୍ମତି ସହକାରେ ସ୍ଥାପିତ ଯୌନ ସମ୍ବନ୍ଧ ସେତେବେଳେ ଯାଇ ଅପରାଧ ହେବ, ଯେବେ ପୁରୁଷ ଏଥିରୁ ମୁହଁ ମୋଡ଼ିଦେବ, ନାରୀ ନୁହେଁ । ଏଥିରେ ଏକଥା ମଧ୍ୟ ମାନିନିଆଯାଇଛି ଯେ କୌଣସି ନାରୀ କୌଣସି ପୁରୁଷଙ୍କୁ ଚାକିରି ବା ପଦୋନ୍ନତି ପ୍ରତିଶ୍ରୁତି ଦେଇ ତାଙ୍କର ଯୌନ ଶୋଷଣ ଆଦୌ କରିପାରିବ ନାହିଁ! ଏ ଆଇନ୍ ସ୍ୱାଭାବିକ ରୂପେ ଲିଙ୍ଗ-ଆଧାରିତ, ପକ୍ଷପାତୀ ଓ ପୂର୍ବାଗ୍ରହଗ୍ରସ୍ତ ଅଟେ । ସମଗ୍ର ବିଶ୍ୱରେ ଏ ଧରଣର କୌଣସି ଆଇନ୍ ନାହିଁ । ଭାରତୀୟ ନ୍ୟାୟ ସଂହିତା ଉପରେ ବିଚାର କରିବା ସମୟରେ ବିଧି ପ୍ରଣେତାଙ୍କ ପାଖରେ ଅବସର ଥିଲା ଯେ ସେମାନେ ଆଇନ୍‌କୁ ନାରୀ ଓ ପୁରୁଷ ସମସ୍ତଙ୍କ ପାଇଁ ସମାନ କରିବେ । ଏପରି ଅନେକ ପୁରୁଷ ମଧ୍ୟ ଅଛନ୍ତି ଯେଉଁମାନେ ଶାରୀରିକ, ମାନସିକ ଓ ଯୌନ ହିଂସାରେ କବଳିତ, କିନ୍ତୁ ସେମାନଙ୍କ ପାଇଁ କୌଣସି ଆଇନ୍ ନାହିଁ କାହିଁକି? ଏହି ପକ୍ଷପାତିତାକୁ ଦୂର କରିବା ପରିବର୍ତ୍ତେ ସରକାର ପୁରୁଷଙ୍କର ଉତ୍ପୀଡ଼ନ ପାଇଁ ଏକ ବଡ଼ ଦ୍ୱାର ଖୋଲା ରଖିଦେଇଛନ୍ତି । ଏହି ଦୁରୁପଯୋଗ କାରଣରୁ ଅନେକ ପୁରୁଷ ଆତ୍ମହତ୍ୟା ପାଇଁ ବିବଶ ହେଉଛନ୍ତି, ଏ ସଂକ୍ରାନ୍ତରେ କିଏ କେବେ ଚେତିବ? ଏହା ମୋଦୀ ସରକାରଙ୍କର ନାରୀ ସଶକ୍ତୀକରଣ ଓ ‘ପୁରୁଷ ଦୁର୍ବଳୀକରଣ’ ଯୋଜନା କି?

Flip Book Link:

Related Post