Latest News

ରୂପାନ୍ତର

ସ୍ୱୟଂପ୍ରଭା ରଥ 25/03/2024କବିତା

 ଦର୍ପଣ ଆଗରେ ଠିଆ ହୋଇ ଦେଖିଲି

ମୁଁ କେତେ ବଦଳି ଯାଇଛି !
ଯେତେ ଲେପ, ପ୍ରଲେପ ଲଗାଇଲି
ହେଲେ ଆଗପରି ଦିଶିଲିନି !
ସତେ କ’ଣ ମୁଁ ଭାଙ୍ଗି ଚୂରମାର୍ ହୋଇଯାଇଛି
ଭଗ୍ନାଂଶ ସବୁରୁ ଲୁହ ଝରୁଛି,
ଲହୁ ବି ଝରୁଛି ।ା
ଦିନ ଥିଲା- ଦେହରେ ବସନ୍ତ ଆସିଥିଲା
ଚଇତିର ମହୁଆ ପବନ ମତେ ଆନମନା କରିଥିଲା
ରଙ୍ଗ ଫୁଲ ଫୁଟୁଥିଲା,
ମନପକ୍ଷୀ ମିଠା ଗୀତ ଗାଇଥିଲା ।
କେଉଁ ଏକ ଅଭିଶପ୍ତ ବେଳାରେ କେଜାଣି
ସବୁ ଜଳିପୋଡ଼ି ପାଉଁଶ ହୋଇଲା ।
ଯୋଡ଼ିବାର ଶତଚେଷ୍ଟା କଲି,
ପାଉଁଶରୁ କାଢ଼ି ନେଇ ଭଗ୍ନାଂଶ ସବୁକୁ,
ଯୋଡ଼ୁ ଯୋଡ଼ୁ ପାପୁଲିରୁ ରୁଧିର ଝରିଲା ।
ଯେତେ ଯୋଡ଼ିଲି ସେତେ ଭାଙ୍ଗିଗଲା ।
ବହୁ କଷ୍ଟରେ ଯୋଡ଼ାଯୋଡ଼ି କରି
ଅବିକଳ ମୁଁ ଟିଏ ତିଆରିଲ

।ା

ମୁହଁରେ ପାଉଡ଼ର, ଓଠରେ
ହସଟିଏ ପିନ୍ଧିଦେଲି ।
ହେଲେ ଏବେ ଦେଖିଲି
ସେ ତ ମୁଁ ନୁହେଁ !
ମୁଁ ପୂରା ବଦଳି ଯାଇଥିଲି ।
ନିୟତିର ଦୁର୍ବାର ଆଘାତରେ
ଦେହ ଏବେ ମୋର ପଥରର
ମୋର ହାତ, ମୋ ପାପୁଲି
ଗାଲ, ଓଠ, ହୃଦୟ
ସବୁ ପାଲଟି ଗଲେଣି ପଥର ! 
ପଥରରେ ଟୋପାଏ ସିନ୍ଦୂର
ପିନ୍ଧେଇ ଦେଲେ ତ ସେ ପୂଜନୀୟା ।
ତେବେ କାହାପାଇଁ ମୋର ଏ ଦୁଃଖ
ଆସ ମୋର ପ୍ରିୟ ବନ୍ଧୁ,
ତୁମ ପଦ୍ମ ହାତରେ ପିନ୍ଧେଇ ଦିଅ ମତେ
କିରିଟୀ, କୁଣ୍ଡଳ, ବାଜୁବନ୍ଧ, ଚନ୍ଦ୍ରହାର
ଆଉ ଟୋପାଏ ସିନ୍ଦୂର ।
ଯାହା କିଛି ବାକି ଅଛି ବଦଳାଇଦିଅ
ମୋର ବାହ୍ୟ ଚର୍ମ, ମୋର ଆଭ୍ୟନ୍ତର ।
ଆଉ ସାକ୍ଷୀ ରୁହ, ହେଉ, ଆଜି ମୋର ରୂପାନ୍ତର 

Flip Book Link:

Related Post