Latest News

ସଖୀଦ୍ୱୀପ :ଇନ୍ଦିରା ଗାନ୍ଧୀଙ୍କ ପ୍ରୀତି ଭେଟି

ପଞ୍ଚାନନ ଅଗ୍ରୱାଲା 01/01/2024ଜାତୀୟ

 

 
ଇତିହାସକୁ ଅନ୍ଧାରର ଗର୍ତ୍ତ ଭିତରକୁ ପକାଇ ଦିଆଯାଇପାରେ ନାହିଁ । ଦିନେ ନା ଦିନେ ସତ୍ୟର ସୂର୍ଯ୍ୟ ଉଦୟ ହୋଇ ଅନ୍ଧାରକୁ ଚିରି ସମୟର ଶିଳାଲିପିକୁ ଚମକାଇ ଦେବ । ଦୀର୍ଘ ୫୦ବର୍ଷ ପରେ ଇତିହାସର ସେହି ମଳିନ ପଡ଼ିଥିବା ପୃଷ୍ଠା ଆଜି ଜଳି ଦଗ୍ଧହୋଇ ଭାରତବାସୀଙ୍କ ମନରେ ଆଘାତ ସୃଷ୍ଟି କରିଛି । ତାହା ହେଉଛି ଭାରତ ଆଉ ଶ୍ରୀଲଙ୍କା ମଧ୍ୟରେ ଥିବା ସେହି ସମୁଦ୍ରର ସନ୍ଧିକ୍ଷେତ୍ର । ଏବେ ଭାରତମାତାର ବିଭାଜନ ଦଂଶନକୁ ସହିବାକୁ ପଡ଼ିଛି । ଏଥିପାଇଁ କୌଣସି ଚାପ କିମ୍ବା ଦାବିଦାର କେହି ନଥିଲେ, କେବଳ ଗୋଟିଏ ସୌଖୀନ ମିଜାଜରେ ୧୯୭୪ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ଦେଶର ଅଙ୍ଗକୁ ଏକଖଣ୍ଡ କାଟି ବନ୍ଧୁତା ଆଳରେ ଶ୍ରୀଲଙ୍କାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦର ନାୟକଙ୍କୁ ସମର୍ପି ଦେଲେ, ଯାହାର ନାମଥିଲା ‘କଚ୍ଛଥୀବୁ ଦ୍ୱୀପ’ । ଏହା ରାମେଶ୍ୱର, ତାମିଲନାଡ଼ୁଠାରୁ ସମୁଦ୍ର ଦୂରତା ୨୫ କି.ମି. ଦୂର ବଙ୍ଗୋପସାଗର ଆଉ ହିନ୍ଦମହାସାଗରର ନୀଳପାଣି ମଧ୍ୟରେ ଥିବା ଦ୍ୱୀପ । ଦେଶକୁ ଏହା କଳାପାଣିର ଦଣ୍ଡ ଭଳି ପ୍ରତିତ ହେଲା । ପ୍ରତ୍ୟେକ ଭାରତୀୟଙ୍କ ଆରାଧ୍ୟ ତୀର୍ଥ ଶ୍ରୀରାମସେତୁ ସହିତ ଜଡ଼ିତ ଜ୍ୱାଳାମୁଖୀ ଦ୍ୱାର ବିସ୍ଫୋଟରେ ଉତ୍ପନ୍ନ ଏହି ଦ୍ୱୀପ । ଏହା ଭାରତ ସାର୍ବଭୌମତ୍ୱ କ୍ଷେତ୍ରକୁ ନିଷ୍କାସିତ କରିଦିଆଗଲା । ଦକ୍ଷିଣ ଭାରତର ସ୍ୱରକୁ ଚାପି ଦିଆଯାଇଥିଲା । ୧୦ ଅଗଷ୍ଟ ୨୦୨୩ରେ ପାର୍ଲ୍ୟାମେଣ୍ଟରେ ଦକ୍ଷିଣ ଭାରତ ସ୍ୱର ଗର୍ଜନ କରୁଥିଲା, ତାମିଲନାଡ଼ୁର ଆଗରେ ଶ୍ରୀଲଙ୍କାର ପୂର୍ବରୁ ଗୋଟିଏ ଦ୍ୱୀପ ଅଛି, କାହିଁକି ତାହା ଅନ୍ୟ ଦେଶକୁ ସମର୍ପି ଦିଆଗଲା । ତା’କଣ ଭାରତମାତାର ଅଙ୍ଗ ନଥିଲା । ଇତିହାସରେ ଏଠାରେ ଗୋଟିଏ ଶବ୍ଦର ଜବାବ ଅଛି ‘ହଁ’ । ଭାରତର ଏହି ଭୂଖଣ୍ଡ ଉପରେ ଇଂରେଜମାନଙ୍କର ମଧ୍ୟ କୌଣସି ଶଙ୍କା ନଥିଲା । ଯାହାର ନୀତି ଥିଲା ବାଣ୍ଟିଦେଇ ରାଜୁତିକର । ଏହି ଦ୍ୱୀପ ଭାରତ ପକ୍ଷରୁ ଜାଫନା ନିକଟରେ ପଡ଼ୁଥିଲା, ସେହି ଜାଫନା ଯାହା ଅତୀତରେ ଜରୁରି ଥିଲା, ଆଜି ବି ରହିଛି ଆଉ ଭବିଷ୍ୟତରେ ମଧ୍ୟ ରହିବ । ଏହି ଦ୍ୱୀପର ଅଧିକାରୀ ମଦୁରାଇ ରାଜା ରାମନନ୍ଦ । ଶ୍ରୀ ରାମସେତୁ କ୍ଷେତ୍ର ସମ୍ବନ୍ଧିତ ଥିବାରୁ ଏହାର ରାଜବଂଶ ଶାସକଙ୍କୁ ‘ସେତୁ ପତି’ ଉପାଧି ଦିଆଯାଇଥିଲା । ୧୭୯୫ରେ ବିବାଦ ଉପୁଜିବା କାରଣରୁ ଇଷ୍ଟଇଣ୍ଡିଆ କମ୍ପାନୀ ଏହି ସାମ୍ରାଜ୍ୟକୁ ହଡ଼ପ କରି ମାଡ଼୍ରାସ ପ୍ରେସିଡ଼େନ୍‌ସି ଅଧୀନକୁ ଆଣିଥିଲା । ସମୟ ଗଡ଼ିବା ସହିତ କମ୍ପାନୀ ରାଜୁତି ଶେଷ ହୋଇଥିଲା । ପରେ ବ୍ରିଟିଶ ଶାସନ ଅଧୀନକୁ ଆସିଥିଲା । ସେତେବେଳେ ମାଡ଼୍ରାସ ପ୍ରେସଡ଼େନ୍‌ସି ଓ ସିଂହଳ ଦୁହିଁଙ୍କ ଉପରେ ଇଂରେଜଙ୍କ ରାଜୁତି ଥିଲା । ସିଂହଳ ବାରମ୍ବାର କଚ୍ଛଥିବୁ ଉପରେ ଦାବୀଦାର ଥିବା ପ୍ରସଙ୍ଗ ଉଠାଉଥିଲା । ୧୯୨୧ ଏହି ଦ୍ୱୀପ ପାଇଁ ବାଦ ବିବାଦ ବହୁତ ଉଠିଥିଲା । ଇତିହାସରେ କିନ୍ତୁ ଦ୍ୱୀପର ସ୍ୱାମୀତ୍ୱ ଭାରତ ପକ୍ଷରେ ଥିଲା । ଇଂରେଜମାନେ ଯିବା ସମୟରେ ଭାରତ-ପାକିସ୍ତାନର ବିଭାଜନ କରି ଚାଲିଗଲେ, କିନ୍ତୁ କଚ୍ଛଥୀବୁ କୁ ସ୍ପର୍ଶ ସୁଦ୍ଧା କରିପାରି ନଥିଲେ । ଭାରତମାତାର ସମୁଦ୍ର ମଣି ଏକ ଅଳଙ୍କାର ରୂପେ ଶୋଭା ପାଉଥିଲା ।
ସ୍ୱାଧୀନତା ପରେ ବଙ୍ଗୋପସାଗରରେ କେତେ ଜୁଆର ଆସିଲା, ହିନ୍ଦ୍ ମହାସାଗରରେ କେତେ ତୋଫାନ

ଉଠିଲା, ତଥାପି କଚ୍ଛଥୀବୁର ସାର୍ବଭୌମତ୍ୱ ସୁରକ୍ଷିତ ଥିଲା । ଭାରତର ମତ୍ସ୍ୟଜୀବୀ ମାନେ ସେଠାରେ ମୁକ୍ତ ବିଚରଣ କରୁଥିଲେ । ତାଙ୍କ ଜୀବିକା ପୋଷଣ କରୁଥିଲେ, ଦ୍ୱୀପରେ ସେମାନଙ୍କ ଜାଲମାନ ଶୁଖାଉଥିଲେ, ବିଶ୍ରାମ ନେଉଥିଲେ । ପରେ ଶ୍ରୀଲଙ୍କା ଆଉ ଭାରତରେ ଦୁଇନାରୀ ଶକ୍ତି ଉଭାହୋଇ କ୍ଷମତାସୀନ ହେଲେ । ବିପକ୍ଷକୁ ଅଣଦେଖା କରି ଦୁହେଁ ଶାସକ ଗାଦିରେ ଆସୀନ ହେଲେ ଏବଂ ନୂଆ ଐତିହାସିକ ସଭ୍ୟତା ଦେଖାଇଲେ । ନିଜ ନିଜ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କଲେ । ୧୯୭୪ ଜୁନ ଓ ଅଗଷ୍ଟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୈଠକ ହେଲା । ପ୍ରଥମ ବୈଠକ ଦିଲ୍ଲୀରେ, ଦ୍ୱିତୀୟ ବୈଠକ କଲମ୍ବୋ ଠାରେ । ଜଣେ ଅନ୍ୟ ଜଣଙ୍କୁ ଉପହାର ମାଗିଲେ । ଶେଷରେ ଆମ ଦେଶର ନେତ୍ରୀ ଭାରତମାତାଙ୍କ ଏକ ଅଙ୍ଗ ଚ୍ଛେଦନ କରି ଉପହାର ଭାବେ ଦେଇଦେଲେ, କଚ୍ଛଥୀବୁ । ଏବେ ତାହା ଶ୍ରୀଲଙ୍କାର ଅଂଶବିଶେଷ ହୋଇ ରହିଲା । ଏଥିପାଇଁ କୌଣସି ଜନମତ ସଂଗ୍ରହ ହେଲା ନାହିଁ କି ସଂସଦରେ ପ୍ରସ୍ତାବ ଗୃହୀତ ହେଲା ନାହିଁ କି ସମ୍ବିଧାନ ସଂଶୋଧନ ହେଲା ନାହିଁ, ଏହା ଥିଲା ଏକଛତ୍ରବାଦ ଶାସନର ଫଇସଲା । ଦୁଇଟି ହସ୍ତାକ୍ଷର ମାତ୍ରେ କଚ୍ଛଥୀବୁ ଦ୍ୱୀପ ଉପରେ ଶ୍ରୀଲଙ୍କା ପତାକା ଉଡ଼ିଥିଲା । କରୁଣାନିଧି କହି କହି ଥକିଗଲେ, ଜୟଲଳିତା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ, ତାମିଲନାଡ଼ୁ ବିଧାନସଭାରେ ସର୍ବସମ୍ମତି ଭାବେ ପ୍ରସ୍ତାବ ପାରିତ କରାଗଲା, କଚ୍ଛଥିବୁ ଫେରିପାଇବୁ, କିନ୍ତୁ ଇତିହାସର ପଶାପାଲିରେ ପଶା ପାଲଟି ସାରିଥିଲା । ଯେଉଁ ଦ୍ୱୀପକୁ ନିର୍ଜ୍ଜନଦ୍ୱୀପ କହି ସେ ତାଙ୍କ ସଖୀଙ୍କୁ ସମର୍ପି ଦେଇଥିଲେ, ଜାପାନରେ ହୋଇଥିବା ଗୃହଯୁଦ୍ଧକୁ ନେଇ କଚ୍ଛଥୀବୁରେ ଶ୍ରୀଲଙ୍କା ଏକ ମଜବୁତ ନୌସେନା ବାହିନୀ ସ୍ଥାପନ କଲା । ଅଧିକ ଭୟାବହ ତଥ୍ୟ ଏହି ଯେ ଆର୍ଥିକ ସଙ୍କଟରେ ଫସିଯାଇ ଶ୍ରୀଲଙ୍କା ବର୍ତ୍ତମାନ ଚୀନର ଚାପ ମଧ୍ୟରେ ରହି ବଳପ୍ରୟୋଗ କରୁଛି ।

ଭାରତୀୟ ମତ୍ସଜୀବୀମାନେ ଏବେ ବର୍ଷକୁ ଥରେ ମାର୍ଚ୍ଚମାସରେ ସେଣ୍ଟଆନ୍ଥୋନୀ ଚର୍ଚ୍ଚର ଦୁଇଦିନର ଉତ୍ସବ ପାଇଁ କଚ୍ଛଥୀବୁ ଦ୍ୱୀପ ଯାଇଥାନ୍ତି । ଶ୍ରୀଲଙ୍କାର ନୌସେନାର କବ୍‌ଜା ହେବା ପୂର୍ବେ ଏହି ଦ୍ୱୀପ କାନ୍ଥ ପଥର କେବଳ ଚର୍ଚ୍ଚ ହିଁ ଥିଲା । ଏହି ଚର୍ଚ୍ଚର ନିର୍ମାଣ ମଧ୍ୟ ରାମନନ୍ଦ ରାଜବଂଶଙ୍କ ଧନରୁ ଖର୍ଚ୍ଚ ହୋଇଥିଲା । ବର୍ଷକୁ ଦୁଇଦିନ ଉତ୍ସବ ଭାରତୀୟ ମତ୍ସ୍ୟଜୀବୀମାନେ ପାଳନ କରିଥାନ୍ତି । ଏହି ପର୍ବର ନାମ ‘ଇଣ୍ଡିଆରଗଲୁକୁ ଚମ୍ମା’ ଅର୍ଥାତ ଭାରତୀୟଙ୍କ ପାଇଁ ମାଗଣା’ କୁହାଯାଇ ହାଲୁଆ ବଣ୍ଟା ଯାଇଥାଏ । ବର୍ଷର ଅନ୍ୟ ଦିନମାନଙ୍କରେ ଯଦି ମାଛଧରାଳୀ ମାଛ ଧରୁଥିବେ, ତେବେ ତାହାର ବିକ୍ରି କେବଳ ପୁଲିସ ହେପାଜତରେ ହୋଇଥାଏ ।
ତାମିଲଙ୍କ ପାଇଁ ‘କଚ୍ଛଥିବୁ’ ଦ୍ୱୀପ ସ୍ୱାଭିମାନର ପ୍ରଶ୍ନ ଅଟେ । ତାମିଲ ଭାଷା ଶାଶ୍ୱତ ସନାତନ ଭାଷା ଅଟେ । ଚେନ୍ନାଇରୁ କାନାଡ଼ା, ମଦୁରାଇରୁ ମାଲେସିୟା ପର୍ଯ୍ୟନ୍ତ, ନାମକ୍ଲଳରୁ ନ୍ୟୁୟର୍କ ଯାଏ, ସେଲମରୁ ସାଉଥ ଆଫ୍ରିକା ପର୍ଯ୍ୟନ୍ତ ପୋଙ୍ଗଲ ଆଉ ପୁଥାଣ୍ଡ ପର୍ବ ଗର୍ବର ସହିତ ପାଳନ କରିଥାନ୍ତି । ଅଲିମ୍ପିକ ଖେଳରେ ୧୬ଟି ପଦକରୁ ୬ଗୋଟି ପଦକ କେବଳ ତାମିଲନାଡ଼ୁକୁ ମିଳିଥିଲା । ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଚେନ୍ନାଇ ଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦ୍ୱୀପର ପୁନଃ ଉଦ୍ଧାର ପାଇଁ ଦାବି ରଖିଥିଲେ ।
 

Flip Book Link: https://demo.rastradeep.com/flip.aspx?fid=207

Related Post