Latest News

ନୂତନ ତଥା ସନାତନ ଭାରତ ନିମନ୍ତେ ଜନାଦେଶ

ଦିବ୍ୟଜ୍ୟୋତି ପାଣି 25/12/2023ଜାତୀୟ

 କିଛିଦିନ ତଳେ ପାଞ୍ଚୋଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷିତ ହୋଇସାରିଛି । ସମସ୍ତଙ୍କୁ ବିସ୍ମିତ କଲାଭଳି ସର୍ଭେ ସଂସ୍ଥାମାନଙ୍କର ପୂର୍ବାନୁମାନ କେତେକାଂଶରେ ଭୁଲ ପ୍ରମାଣିତ ହୋଇଛି । ରାଜନୀତିକ ପଣ୍ଡିତମାନଙ୍କ ଆକଳନ ବୃଥା ଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଛି । ସଦ୍ୟ ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟ ଭାଜପା ହାତେଇଥିବା ବେଳେ ଗୋଟିଏରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ନିର୍ବାଚନର ଫଳାଫଳ ମତଦାତାଙ୍କୁ ନୂତନ ସନ୍ଦେଶ ପ୍ରଦାନ କରିଛି । ଭାରତକୁ ଏକ ବିକଶିତ, ବୈଭବଶାଳୀ ଦେଶ ଭାବରେ ଦେଖିବା ପାଇଁ ସେମାନଙ୍କର ସ୍ୱପ୍ନ ସାକାର ହୋଇଛି । ଉକ୍ତ ନିର୍ବାଚନରେ ତୁଷ୍ଟୀକରଣ, ସମ୍ପ୍ରଦାୟିକତା, ଜାତୀୟତା ପରାସ୍ତ ହୋଇଛି । ବରଂ ବିକାଶ ଓ ବିକଶିତ ଭାରତ ନାମରେ ମତଦାନ ହୋଇଛି । ଏହି ନିର୍ବାଚନ ପୁନଃ ପ୍ରମାଣିତ କରିଛି ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତର ଗଣତନ୍ତ୍ର ଅତୁଟ ଓ ସଶକ୍ତ ରହିଛି । ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ମତଦାତାମାନେ ସଚେତନ ଅଛନ୍ତି । ମତଦାତାଙ୍କୁ ପ୍ରଲୋଭିତ କରିବା, ଠକିବା, ଭୁଲାଇବା ଆଉ ଯେ ସମ୍ଭବ ନୁହେଁ ଏହାର ବଳିଷ୍ଠ ପ୍ରମାଣ ମିଳିଛି ଗତ ବିଧାନସଭା ନିର୍ବାଚନରୁ । ଏହି ନିର୍ବାଚନରେ ମୋଦୀ ମ୍ୟାଜିକ୍ କାମ କରିଛି । ତମାମ୍ ଦେଶରେ ଏବେ ମୋଦୀ ଲହର ବହୁଛି । ନିର୍ବାଚନରେ ଭାଜପାର ବିଜୟ ପାଇଁ ଆମେ ‘ଲାଡ଼ଲି ବହନା’, ‘ତିନି ତଲାକ’, ‘ତିନି ଟ୍ରିଲିୟନ ଅର୍ଥବ୍ୟବସ୍ଥା’ ଅବା ସନାତନ ମୂଲ୍ୟକୁ ପ୍ରମୁଖ କାରଣ ଭାବରେ ଗ୍ରହଣ କରିପାରୁ । ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ନାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏକ ସଶକ୍ତ, ବିକଶିତ ଭାରତ ନାମରେ ନିର୍ବାଚନ ହୋଇଛି । ଦେଖିବାକୁ ଗଲେ ନିର୍ବାଚନରେ ବ୍ୟକ୍ତି ଗୌଣ ହୋଇଯାଇଛି । ବିକାଶ, ଯୋଜନା ମୁଖ୍ୟ ପ୍ରସଙ୍ଗ ପାଲଟିିଛି । ଏହି ନିର୍ବାଚନ ଅଧିକ ମହତ୍ତ୍ୱପୂର୍ଣ୍ଣ ଏଇଥିପାଇଁ ଥିଲା ଯେ ୨୦୨୪ ମସିହା ଦେଶର ସାଧାରଣ ନିର୍ବାଚନ ସହ ଏହାକୁ ଯୋଡ଼ିକରି ଦେଖାଯାଉଥିଲା । ଏଥିରେ ଭାଜପାକୁ ମିଳିଥିବା ସ୍ପଷ୍ଟ ଏବଂ ଐତିହାସିକ ବହୁମତ ଅନେକ ଦିଗକୁ ଇଙ୍ଗିତ କରୁଛି ।

ଆଗାମୀ ଲୋକସଭା ନିର୍ବାଚନକୁ ଆଉ ରହିଲା ୪/୫ ମାସ । ଏହି ବିଧାନସଭା ନିର୍ବାଚନ ପ୍ରତିଟି ଦଳ ପାଇଁ ସ୍ୱଭାବିକ୍ ରୂପେ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାକୁ ସେମିଫାଇନାଲ ଭାବରେ ବିଚାର କରାଯାଉଥିଲା । କିନ୍ତୁ ନିର୍ବାଚନର ଫଳାଫଳ ଏକତରଫା ଦେଖାଗଲା । ଉତ୍ତର ଭାରତର ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ଭାଜପା ବିପୁଳ ବିଜୟ ଲାଭ କଲା । ଦକ୍ଷିଣ ଭାରତର ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହେଲା । ମାତ୍ର ଭାଜପା ସେଠାରେ ମଧ୍ୟ ଏକମାତ୍ର ଆସନରୁ ୮ଟି ଆସନକୁ ବଢ଼ାଇ ଏକ ନୂତନ ସନ୍ଦେଶ ପ୍ରଦାନ କରିଛି । ଏହା ଭାଜପା ପାଇଁ ଅବଶ୍ୟ ଶୁଭ ଲକ୍ଷଣ । ଆଜି ବି ସାରା ଦେଶରେ ଏପରି କୌଣସି ଦଳର କୌଣସି ନେତାଙ୍କର କ୍ଷମତା ନାହିଁ ଯିଏକି ଦେଶ ପରିବର୍ତ୍ତେ ନିଜ ଦଳର ପତାକାକୁ ଆୟୁଧ କରି ଆଗକୁ ବଢ଼ିପାରିବେ । ସେହି ଦଳର ନେତୃତ୍ୱଙ୍କ ଭିତରେ ଦେଶର ଅସ୍ମିତା ଓ ଅସ୍ତିତ୍ୱକୁ ଶୀର୍ଷକୁ ନେବାକୁ ପ୍ରତିବଦ୍ଧତା ନାହିଁ । କେବଳ ଷଡ଼ଯନ୍ତ୍ର କରି ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁଙ୍କ ଭୋଟ୍ ହାତେଇବା ପାଇଁ ନାନାଦି ଫନ୍ଦି ଫିକର କରିବାରେ ଲାଗିଛନ୍ତି । ଏବେବି ସେହି ନେତା ଓ ଦଳମାନେ ତୁଷ୍ଟୀକରଣ ରାଜନୀତିରେ ମାତିଛନ୍ତି । କିନ୍ତୁ ମତଦାତାମାନଙ୍କର ମାନସିକତାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ବଂଶବାଦ ରାଜନୀତି, ଭ୍ରଷ୍ଟାଚାର ଏବଂ ରାଷ୍ଟ୍ରକୁ ଭାଙ୍ଗିବା ପାଇଁ ଅପଚେଷ୍ଟାକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଲୋକସଭା ନିର୍ବାଚନକୁ ବେଶୀ ଡେରି ନାହିଁ । ଜନତାଙ୍କ ନଜର ସରକାରଙ୍କ କାର୍ଯ୍ୟଧାରା ଉପରେ ଲାଗି ରହିବ । ସରକାରଙ୍କ ଠାରୁ ଅନେକ ଅପେକ୍ଷା ବି ରହିବ । ଲଘୁ ଜନାଦେଶ ବଡ଼ ଜନାଦେଶର ଆଧାର ଅଟେ । ସୁତରାଂ ଏହି ଜନାଦେଶ ବିଶେଷ ମହତ୍ତ୍ୱପୂର୍ଣ୍ଣ । ଜନତାଙ୍କ ମନରେ କ’ଣ ଅଛି ତାହାର ଅଭିବ୍ୟକ୍ତି ବିଗତ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି । ବିଗତ ସରକାରଙ୍କ ସମୟରେ ଶାସନ ହାତେଇବା ଲକ୍ଷ୍ୟରେ ଜାତି, ଧର୍ମ, ସଂପ୍ରଦାୟ ନାମରେ ଦେଶର ପ୍ରଗତି ବାଧାପ୍ରାପ୍ତ ହେଉଥିଲା । ନିବେଶ ଆଶାନୁରୂପକ ନଥିଲା । ରୋଜଗାର କମି ଯାଉଥିଲା । ଦେଶ ଭିତରେ ଓ ସୀମାରେ ଆତଙ୍କବାଦ ବଢ଼ି ବଢ଼ି ଚାଲୁଥିଲା । ହିଂସା ଓ ଆତଙ୍କବାଦ ଯୋଗୁଁ ଦେଶର ଆତ୍ମା ଲହୁଲୁହାଣ ହେଉଥିଲା । କହିବାକୁ ଗଲେ ଦେଶ ସବୁ କ୍ଷେତ୍ରରେ ପଛରେ ପଡ଼ିଥିଲା । କେହି ନୂଆ ଭାରତ କିମ୍ବା ବିକଶିତ ଭାରତର ସ୍ୱପ୍ନ ଦେଖୁନଥିଲେ । ରାଷ୍ଟ୍ରବାଦର ଚର୍ଚ୍ଚା କରିବା ପାପ ତୁଲ୍ୟ ମନେ କରାଯାଉଥିଲା । ଗତାନୁଗତିକ ଧାରାରେ ଶାସନ ଚାଲୁଥିଲା । ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ସେଥିରେ ବିରାମ ଲାଗିଲା । ପରେ ସେହି ଚିରାଚରିତ ମାନସିକତାକୁ ବଦଳାଇ ଦେଇଥିଲେ ନରେନ୍ଦ୍ର ମୋଦୀ । ମୋଦୀ-ସଂକଳ୍ପ ହିଁ ଭାରତକୁ ପ୍ରତିଟି କ୍ଷେତ୍ରରେ ଶୀର୍ଷକୁ ନେବାକୁ ପ୍ରୟାସ ଜାରି ରଖିଛି । ଦଳର ସ୍ୱାର୍ଥ ଠାରୁ ଊର୍ଦ୍ଧ୍ୱକୁ ଉଠି ଦେଶହିତ, ରାଷ୍ଟ୍ରୀୟତା, ବିକାଶ ଏବଂ ସାଧାରଣ ଜନତା ସର୍ବୋପରି ହୋଇଯାଇଛି । ମୋଦୀଙ୍କ ସାର୍ଥକ ଓ ଦୂରଦର୍ଶୀ ନିଷ୍ପତ୍ତି ଓ ଶାଣିତ ସ୍ୱର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରିଛି । 
ତିନି ରାଜ୍ୟରେ କଂଗ୍ରେସର ପରାଜୟ ପରେ ଦଳ ପାଇଁ ରାଜନୀତିକ ଆହ୍ୱାନ ସୃଷ୍ଟି ହୋଇଛି । ଦଳ ପାଇଁ ଆତ୍ମ ସମୀକ୍ଷାର ସମୟ । କେଉଁ କାରଣ ପାଇଁ ଦଳକୁ ଏପରି ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଲା ତାହାକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଶାସନ ଗାଦି ହାସଲ କରିବାର ଆକାଂକ୍ଷା, ବଂଶବାଦ ବିଚାରଧାରା, ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଅପଶବ୍ଦ ପ୍ରୟୋଗ, ନିଜର ଅଂହକାରୀ ସ୍ୱଭାବ ଆଦି କାରଣ ପାଇଁ କଂଗ୍ରେସର ଏପରି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା । ଭାଜପାର ବିଜୟ ଶ୍ରେୟ ଯଦି ମୋଦୀଙ୍କ ଖାତାକୁ ଯାଉଛି ତେବେ କଂଗ୍ରେସର ପରାଜୟ

ବୋଝ କିଏ ମୁଣ୍ଡାଇବ ? ପରାଜୟର କାରଣ ଏବେ ଖୋଜିବେ ବିରୋଧୀ ଦଳ । ଚିନ୍ତନ ବୈଠକ ଅନୁଷ୍ଠିତ ହେବ । ଆଗାମୀ ଲୋକସଭା ନିର୍ବାଚନରେ ଗଠବନ୍ଧନର ରଣନୀତି ସମ୍ପର୍କରେ ଆଲୋଚନା ହେବ । ଇଣ୍ଡିଆ ଗଠବନ୍ଧନ ସ୍ୱପ୍ନ ଦେଖିଥିଲା ବିଗତ ବିଧାନସଭା ନିର୍ବାଚନ ଫଳାଫଳ ସେମାନଙ୍କ ସପକ୍ଷରେ ଯିବ । ନିର୍ବାଚନ ବେଳେ ସେମାନଙ୍କ ଭିତରେ କିନ୍ତୁ ଦେଖାଯାଇଥିଲା ଅନ୍ତର୍ବିରୋଧ । ପାରସ୍ପରିକ ସହଯୋଗର ଅଭାବ ଅନୁଭୂତ ହୋଇଥିଲା । ନିର୍ବାଚନ ଫଳାଫଳରୁ କେବଳ କଂଗ୍ରେସ ନୁହେଁ ସମଗ୍ର ବିପକ୍ଷ ଦଳର ନେତାଙ୍କୁ ଶିଖିବାକୁ ପଡ଼ିବ । ଲୋଭାଣିଆ ଯୋଜନା କିମ୍ବା ମାଗଣା ବଣ୍ଟନ ସଂସ୍କୃତି କାମରେ ଯେ ଆସିବ ନାହିଁ ଏହା ଅନ୍ତତଃ ବିରେଧୀମାନେ ବୁଝିବାର ଆବଶ୍ୟକତା ରହିଛି । କଂଗ୍ରେସକୁ ସବୁଠୁ ପୁରାତନ ଦଳ ହେବାର ଅଂହକାର ଓ ମହତ୍ତ୍ୱାକାଂକ୍ଷାକୁ ଜଳାଞ୍ଜଳି ଦେବା ଉଚିତ୍ । ଆଗକୁ ଭଲ କରିବାକୁ କଲେ ନିଜର ନୀତି ଓ ନିୟମକୁ ବଦଳାଇବାକୁ ପଡ଼ିବ । ସାଧାରଣ ଜନତା ମଧ୍ୟରେ ବିଶ୍ୱାସ ଜନ୍ମାଇବାକୁ ହେବ । ଭାରତୀୟ ରାଜନୀତି ଏକ ଦୂତନ ଦିଗକୁ ଅଗ୍ରସର ହେଉଛି ।

ତିନି ରାଜ୍ୟରେ ଐତିହାସିକ ବିଜୟ ଭାଜପାର ମନୋବଳକୁ ନିଶ୍ଚିତ ଭାବରେ ଦ୍ୱିଗୁଣିତ କରିବ । ଭାଜପା ଓ ମୋଦୀଙ୍କ ବିଚାର, ନୀତି, ଯୋଜନା ଏବଂ ଦୃଷ୍ଟିକୋଣକୁ ମଧ୍ୟ ପ୍ରୋତ୍ସାହିତ କରିବ । ମୋଦୀଙ୍କ ଆଦିବାସୀ ବିକାଶର ସଂକଳ୍ପ, ମହିଳାଙ୍କ ଭୂମିକା, ୩୩ ପ୍ରତିଶତ ସଂରକ୍ଷଣର ଆଶ୍ୱାସନା, ରାଷ୍ଟ୍ରର ସୁରକ୍ଷା, ସାଂସ୍କୃତିକ ମୂଲ୍ୟବୋଧର ପ୍ରଗତି, ଯୁବ ବର୍ଗଙ୍କୁ ନିଯୁକ୍ତି, ଭାରତକୁ ବିଶ୍ୱଗୁରୁ କରିବାର କର୍ମଯୋଜନା ଆଦି ପ୍ରସଙ୍ଗରେ ତାଙ୍କର ମାନସିକତା ଓ କାର୍ଯ୍ୟଶୈଳୀକୁ ସାଧାରଣରେ ସମର୍ଥନ ଥିବା ସ୍ପଷ୍ଟ ହୋଇଯାଇଛି । ଦେଶକୁ ଆଗକୁ ବଢ଼ାଇବାର ଅଛି ତ ତୁଷ୍ଟୀକରଣ ରାଜନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାକୁ ପଡ଼ିବ । ଭାଜପା ଭାଷାରେ ମୋଦୀ ଅଛନ୍ତି ତ ଗ୍ୟାରେଣ୍ଟି ଅଛି । ଏଥିରେ ଅହଂକାର ନୁହେଁ ବରଂ ଅଙ୍ଗୀକାରବଦ୍ଧତା ଅଛି । ମୋଦୀ ସର୍ବଦା ନିଜ ଅପେକ୍ଷା ନିଜର ଦଳ ଓ ଦେଶକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ଦେଶର ଜନତା ତାଙ୍କ ପାଇଁ ସର୍ବୋପରି । ଦେଶର ସ୍ୱାର୍ଥ ହାନୀ କଲା ଭଳି ସେ କୌଣସି କାର୍ଯ୍ୟ କରିନାହାନ୍ତି । ସେ ନିର୍ବାଚନୀ ସଭାମାନଙ୍କରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଦଳର ଚେହେରା କୌଣସି ବ୍ୟକ୍ତି ନୁହନ୍ତି ବରଂ ଦଳର ପ୍ରତୀକ କମଳ ଅଟେ । ଏଥିସହ ସ୍ୱଚ୍ଛ-ସ୍ପଷ୍ଟ ନୀତି, ଦେଶକୁ ସଶକ୍ତ ବନାଇବାର ସଂକଳ୍ପ ମହତ୍ତ୍ୱପୂର୍ଣ୍ଣ ଅଟେ । ଏଥରର ବିଧାନସଭା ନିର୍ବାଚନର ଫଳାଫଳ ନିଶ୍ଚିତ ରୂପେ ସନାତନ ଭାରତକୁ ସୁଦୃଢ଼ କରିବ । ସନାତନର ଅର୍ଥ ସତ୍ୟନିଷ୍ଠ ଭାରତ, ପ୍ରକୃତ ମାନବୀୟତା ଏବଂ ଉଦାତ୍ତ ଜୀବନ ମୂଲ୍ୟ ।
ରାଜନୀତିକ ଦୃଷ୍ଟିକୋଣରୁ ତିନି ରାଜ୍ୟର ଫଳାଫଳକୁ ଆମେ କେବଳ ବିବେଚନା କଲେ ହେବ ନାହିଁ ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ଗୁରୁତ୍ୱ ରହିଛି । ଯେଉଁଠି ରାଜନୀତିରେ ମତର ଗଣନାକୁ ଜନାଦେଶ କହନ୍ତି, ସେଠାରେ ଅନ୍ୟ କ୍ଷେତ୍ରରେ ଜନତାଙ୍କ ଆଗ୍ରହ ଓ ଅପେକ୍ଷାକୁ ଅନୁଭବ କରିବାକୁ ପଡ଼ିବ । ଜନାଦେଶ ଓ ଜନାପେକ୍ଷାକୁ ସଚ୍ଚୋଟତାର ସହ ହୃଦୟଙ୍ଗମ କରିବା ଓ ଆଚରଣରେ ତାହାକୁ ପ୍ରଦର୍ଶନ କରିବା ଯଥାର୍ଥ ପଦକ୍ଷେପ ହୋଇଥାଏ । ଏବଂ ସଫଳତା ଉତ୍ତମ ମାର୍ଗ ସହ ତାଳ ଦେଇ ଚାଲିଥାଏ । ଭାରତବାସୀ କେବଳ ବହୁଦଳୀୟ ରାଜନୀତିକ ବ୍ୟବସ୍ଥାର ଔଚିତ୍ୟକୁ କେବଳ ପ୍ରତିଷ୍ଠା କରିନାହାନ୍ତି ତାହାକୁ ବରଂ ପ୍ରମାଣ କରି ଦେଖାଇଛନ୍ତି କି ମତଦାତା ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ମାଲିକ । ଗଣତନ୍ତ୍ରର ଉଲ୍ଲେଖନୀୟ ବିଷୟଟି ହେଉଛି, ମତଦାତା ପ୍ରତି ପାଞ୍ଚ ବର୍ଷରେ ନିଜ ମନପସନ୍ଦର ପ୍ରାର୍ଥୀ ଚୟନ କରିଥାନ୍ତି । ତାହା ବିକାଶ ଆଧାରରେ ହୋଇପାରେ ଅବା ବ୍ୟକ୍ତିତ୍ୱ ବିଚାରରେ । ତିନି ରାଜ୍ୟରେ ମତଦାତାଙ୍କୁ ମନେ ହେଲା ଭାଜପାର ଶାସନ ପ୍ରଣାଳୀ, ନୀତି ଓ ଯୋଜନା ଅନ୍ୟମାନଙ୍କ ଠାରୁ ଉତ୍କୃଷ୍ଟ । କଂଗ୍ରେସ ଓ ବିପକ୍ଷ ଦଳର ଶାସନ ପ୍ରତି ଲାଳସାରେ ବିରାମ ଲଗାଇଦେଲେ ମତଦାତା । ଏହି ଜନାଦେଶ ଅବଶ୍ୟ ବିପକ୍ଷ ଦଳ ପାଇଁ ସତର୍କ ଘଣ୍ଟି । ସେମାନେ ମତଦାତାଙ୍କୁ ଏତେ ସହଜରେ ନେବା ଉଚିତ ନୁହେଁ । ସେମାନଙ୍କ ମନୋଭାବକୁ ଗଭୀର ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ପ୍ରାର୍ଥୀମାନେ ବୁଝିବା ଉଚିତ୍ ନୁହେଁ ଯେ ମତଦାତାମାନେ ସେମାନଙ୍କର ଜାଗିର ଅଟନ୍ତି । ମତଦାତା ଏବେ ସଚେତନ ଓ ପରିପକ୍ୱ ଅଟନ୍ତି । ସେମାନଙ୍କ ଭାବନା ଓ ଅପେକ୍ଷା ପ୍ରତି ପରିହାସ କରୁଥିବା ଦଳଙ୍କୁ ଉଚିତ୍ ସମୟରେ ଉଚିତ୍ ଠିକଣା ବତାଇବାର ଅନେକ ନଜିର ଅଛି । ତେଲେଙ୍ଗାନା ବିଜୟ କଂଗ୍ରେସ ପାଇଁ ଆଶ୍ୱାସନା ଓ ସଞ୍ଜୀବନୀ ସଦୃଶ । ସେମାନଙ୍କୁ କିନ୍ତୁ ବୁଝିବାକୁ ପଡ଼ିବ ମାଗଣା ବାଣ୍ଟିବା ରାଜନୀତିର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି । ବିଚାରଧାରା ବିହୀନ ରାଜନୀତି ବେଶୀ ଦିନ ତିଷ୍ଠିବା ସମ୍ଭବ ନୁହେଁ ।
ଏହା ନିଃସନ୍ଦେହ ଯେ ଭାଜପା ଉକ୍ତ ତିନି ରାଜ୍ୟରେ ନୂଆ ଇତିହାସ ରଚନା କରିବା ସହ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ତମାମ୍ ଆଲୋଚନା ସତ୍ତ୍ୱେ ନରେନ୍ଦ୍ର ମୋଦୀ ଯେ ସାମ୍ପ୍ରତିକ ସମୟରେ ସବୁଠୁ ଗ୍ରହଣୀୟ, ଲୋକପ୍ରିୟ, ଅବିସମ୍ବାଦିତ ନେତା ଏବଂ ବିକାଶର ସାରଥି ଏହା ସ୍ପଷ୍ଟ ହୋଇଯାଇଛି । ବାସ୍ତବରେ ସେ କୋଟି କୋଟି ଭାରତୀୟ ଜନଗଣଙ୍କ ହୃଦୟର ସ୍ପନ୍ଦନ ଏହା ସ୍ୱୀକାର୍ଯ୍ୟ । ଏବେ ବି ମୋଦୀଙ୍କ ଲୋକପ୍ରିୟତାରେ ସାମାନ୍ୟତମ ଊଣା ହୋଇ ନାହିଁ । ଦେଶର ଜନତା ଏବେ ବିକାଶ ପ୍ରସଙ୍ଗରେ ମତଦାନ କରୁଛନ୍ତି । ମତଦାତାମାନଙ୍କୁ ମାଗଣା ବଣ୍ଟନ ଆକର୍ଷିତ କରୁନାହିଁ । ବରଂ ସୁଶାସନ, ସୁନୀତି ପ୍ରଭାବିତ କରୁଛି । ଭାଜପା ବିଜୟର ଅର୍ଥ ସୁଶାସନ ଓ ସ୍ଥିରତାକୁ ସୂଚୀତ କରୁଛି । ଏହାଦ୍ୱାରା ତିନି ରାଜ୍ୟରେ ଲୋକଙ୍କ କଲ୍ୟାଣ ଓ ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିବ । ଯେଉଁଥିପାଇଁ କି ସେହି ସବୁ ରାଜ୍ୟର ମତଦାତାମାନେ ଏକତରଫା ମତଦାନ କରିଛନ୍ତି । ମୋଦୀ ରାଜନୀତିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛନ୍ତି । ତାଙ୍କ ନେତୃତ୍ୱରେ ଚାଲିଥିବା ଶୁଦ୍ଧ ବିକାଶ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧ ବର୍ତ୍ତମାନ ପ୍ରାସଙ୍ଗିକ ହୋଇଛି ।
 

Flip Book Link: https://demo.rastradeep.com/flip.aspx?fid=206

Related Post