Latest News

ସଂସଦରେ ଅସଂସଦୀୟ ଆଚରଣ

ଚିତ୍ତରଞ୍ଜନ ମହାପାତ୍ର 01/01/2024ବିଚାର

 

 
 
ସଂସଦର ଅଧିବେଶନ ଦେଶ ପାଇଁ ବଡ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଥିରେ ଅନେକ ନୂଆ ଆଇନ ଆସେ, ପୁରୁଣା ଆଇନ ସଂଶୋଧିତ ହୁଏ । ଏହି ସମୟରେ ସାଂସଦମାନେ ବୁଦ୍ଧିମତାର ପରିଚୟ ପୂର୍ବକ ନିଜର ମୂଲ୍ୟବାନ ପରାମର୍ଶ ଦେଇ ସଂଶୋଧନ ପାଇଁ ଦାବି କରନ୍ତି । ପ୍ରଶ୍ନୋତ୍ତର ମାଧ୍ୟମରେ ବେଳେ ବେଳେ ମନ୍ତ୍ରୀଙ୍କୁ ଗୁଡେଇ ତୁଡ଼େଇ ପଚାରି ସମୀକ୍ଷା କରିବାର ବାତାବରଣ ଦେଖାଯାଉଥିଲା । ଏହି ପ୍ରଶ୍ନୋତ୍ତର ସମୟକୁ ସବୁ ମନ୍ତ୍ରୀଙ୍କର ଭିତରେ ଭିତରେ ଡର ମଧ୍ୟ ଥାଏ । ତା’ଛଡା ଶୂନ୍ୟକାଳ ମଧ୍ୟରେ ନିଜର ଅଞ୍ଚଳର ମହତ୍ତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ସଭ୍ୟମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ସଭ୍ୟମାନଙ୍କର ଉପସ୍ଥାପନା ଶୈଳୀ ଓ ଶାଣିତ ତର୍କ ଦ୍ୱାରା ସରକାର ସେମାନଙ୍କର ଅଭାବ ଅସୁବିଧାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତି । ଏହାଛଡା ଧ୍ୟାନଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଆଲୋଚନା କରାଯାଇଥାଏ । ଗଣତନ୍ତ୍ରର ଏହା ହେଉଛି ସୌନ୍ଦର୍ଯ୍ୟ । କିନ୍ତୁ ଆଜି ଯାହା ଦେଖାଯାଉଛି ବିରେ ।ଧୀମାନେ ସଂସଦରେ ଆଲୋଚନା କରିବା ପରିବର୍ତ୍ତେ ସଂସଦକୁ ଅଚଳ କରିଦେବାକୁ ଚାହୁଁଛନ୍ତି । ନିକଟ ଅତୀତରେ ଦେଖାଯାଇଛି ଆଦାନୀର ହିଡେନବର୍ଗ ରିପୋର୍ଟକୁ ନେଇ ତଥା ମଣିପୁର ହିଂସାକୁ ନେଇ ବହୁଦିନ ଧରି ଗୃହକୁ ଅଚଳ କରି ରଖାଯାଇଥିଲା । ବିଭିନ୍ନ ପ୍ରକାର ନକାରାତ୍ମକ ଧ୍ୱନି ଦେଇ କୌଣସି ସରକାରୀ କାର୍ଯ୍ୟ କରାଇ ନଦେବା ଏମାନଙ୍କର ଅସଲ ଉଦ୍ଦେଶ୍ୟ ଥିଲା । ଗୃହ କାର୍ଯ୍ୟର ସୁପରିଚାଳନା ପାଇଁ ଉଭୟ ଗୃହର ଅଧ୍ୟକ୍ଷଙ୍କ ଏକ ପରାମର୍ଶଦାତା କମିଟି ଥାଏ । କେଉଁ ଦିନ କେଉଁ ବିଷୟରେ କେତେ ସମୟ ଆଲୋଚନା ହେବ, କେଉଁ ଦଳର କିଏ ଅଂଶଗ୍ରହଣ କରିବେ ତାହା ସ୍ଥିର ହୋଇଥାଏ । ଏଥିପାଇଁ ଧୈର୍ଯ୍ୟ ନଧରି ସବୁକଥାରେ ପ୍ରଧାନମନ୍ତ୍ରୀଙ୍କୁ ଟାଣିବା ଏବଂ ସଂସଦ ଭବନରେ ଅସଂସଦୀୟ ଆଚରଣ କରିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ଏହି ପରିପ୍ରେକ୍ଷୀରେ ଚଳିତ ଶୀତ ଅଧିବେଶନର ଘଟଣା ସବୁ ଅତୀତକୁ ଟପିଯାଇଛି । 
ବିରୋଧୀ ଦଳ ଯେଉଁଭଳି କାମ କରିଛନ୍ତି ସେଥିରୁ ଦେଶର ବିକାଶ କଥା ତ ଆଦୌ ନଜର ଆସେନି ବରଂ ଉକ୍ତ ଘଟଣାରୁ ତାଙ୍କର ଯେନତେନ ନୀତିରେ ସରକାରଙ୍କୁ ବିରୋଧ କରିବାର ମାନସିକତା ହିଁ ସାମ୍ନାକୁ ଆସୁଛି । ଉକ୍ତ ନେତାମାନେ ସଂସଦରେ ପ୍ଲାକାର୍ଡ ଧରି ଉଦ୍ଦଣ୍ଡ ନୃତ୍ୟ କରିବାରୁ, ସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ବାଧ୍ୟ ହୋଇ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରିଥିôବା ଦୋଷରେ ସେମାନଙ୍କୁ

ବହିଷ୍କାର କଲେ । ହେଲେ ସଂସଦରୁ ବାହାରି ଉକ୍ତ ସାଂସଦମାନେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଆହୁରି ଅପମାନଜନକ । ବର୍ତ୍ତମାନ ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ଯେ ସଂସଦର ପ୍ରବେଶ ଦ୍ୱାର ଠାରେ ତୃଣମୂଳ କଂଗ୍ରେସର ଜଣେ ନେତା ରାଜ୍ୟସଭାର ସଭାପତି ଜଗଦୀପ ଧନଖଡଙ୍କୁ ଥଟ୍ଟା ପରିହାସ କରି ତାଙ୍କ ମିମିକ୍ରି (ନକଲ) କରିଛନ୍ତି । ସେଠାରେ ଉପସ୍ଥିତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ପ୍ରୋତ୍ସାହିତ କରି ତାଳି ବଜାଇ ଜୋରରେ ହସୁଛନ୍ତି । ବିଡ଼ମ୍ବନାର ବିଷୟ ଯେ ନିଜକୁ ପରିପକ୍ୱ ନେତା ବୋଲାଉଥିବା ଭାରତଯୋଡ ଅଭିଯାନର ତୁଙ୍ଗ ନେତା ରାହୁଳ ଗାନ୍ଧୀ ଏଭଳି ଅପରିପକ୍ୱ ଘଟଣାକୁ ନିଜ ଫୋନ ମାଧ୍ୟମରେ ଭିଡ଼ିଓ କରୁଛନ୍ତି । ସେ କହୁଛନ୍ତି ଦେଶର ଶିକ୍ଷିତ ଯୁବକମାନେ ରୋଜଗାର ନପାଇବା କାରଣରୁ ହତାଶ ହୋଇ ଏପରି କରିଛନ୍ତି । ଅର୍ଥାତ୍ ଏହା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀଙ୍କ ସହାନୁଭୁତି ନେବାକୁ ସେ ଚାହୁଁଛନ୍ତି । ଯଦି ସେ ଏଭଳି ସହାନୁଭୁତି ଚାହୁଁଥାଆନ୍ତି ତା’ହେଲେ ଘଟଣାଟିକୁ ବଡ଼ ଷଡ଼ଯନ୍ତ୍ର ବୋଲି କହି ସଂସଦର କାର୍ଯ୍ୟ ଅଚଳ କରାଇବା କେତେ ଯୁକ୍ତିସଙ୍ଗତ ? ଗୃହମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ବିରୋଧୀମାନେ ଦାବି କରୁଛନ୍ତି । ତେବେ ଯାହା ହେଉନା କାହିଁକି ଘଟଣାଟିର ଗମ୍ଭୀରତାକୁ ନେଇ ଏହା ଉପରେ ତଦନ୍ତ ଚାଲିଛି । ବାଚସ୍ପତି ତଦନ୍ତ ଆଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ନ ଆସବା ପର୍ଯ୍ୟନ୍ତ ଗୃହରେ ଗୃହମନ୍ତ୍ରୀ କି ଉତ୍ତର ଦେବେ ?

ଆମ ଦେଶର କିଛି ଲୋକ ନିଜେ ଘଟଣା ନଘଟାଇ ଅନ୍ୟ ଦ୍ୱାରା ଘଟାଇବା ଲାଗି ପ୍ରୋତ୍ସାହିତ କରିଥାଆନ୍ତି । ଅନ୍ୟ କାନ୍ଧରେ ବନ୍ଧୁକ ରଖି ଫୁଟାଇବା ଯେତିକି ସହଜ ଜଣାପଡେ ବାସ୍ତବରେ ଏହା ସେତେ ସହଜ ନୁହେଁ । ସତ କେବେ ଲୁଚି ରହିବ ନାହିଁ । ନିଜେ ଅପରାଧ କରିବା ଏବଂ ଅପରାଧ ପାଇଁ ଅନ୍ୟକୁ ଉସୁକାଇବା ଏହି ଦୁଇଟି ଘଟଣା ମଧ୍ୟରୁ ଦ୍ୱିତୀୟଟି ଅତ୍ୟନ୍ତ ଦୋଷାବହ । ବିରୋଧୀମାନଙ୍କର ବିରୋଧ କରିବାର ଅଧିକାର ଅଛି । କିନ୍ତୁ ସଂସଦୀୟ ବିଧିବ୍ୟବସ୍ଥା ମଧ୍ୟରେ ହେବା ଉଚିତ । ଦେଶର ଉପରାଷ୍ଟ୍ରପତି ଜଣେ ସମ୍ମାନାସ୍ପଦ ସାମ୍ବିଧାନିକ ବ୍ୟକ୍ତିତ୍ୱ । ତାଙ୍କୁ ଉପହାସ କରିବା ଓ ଏହି ଲଜ୍ଜିତ ଘଟଣାର ଫଟୋ ଉଠାଇବା ଅନ୍ୟମାନେ ତାଳି ମାରି ତାକୁ ସମର୍ଥନ କରିବା, ଏସବୁର ଉଦ୍ଦେଶ୍ୟ କ’ଣ? ଜଣେ ସାଂସଦ ବିଚାର ବୁଦ୍ଧିସମ୍ପନ୍ନ ବିଜ୍ଞ ବ୍ୟକ୍ତି ହେବା ନିମନ୍ତେ ଆଜି ଦେଶ ଆଶା କରୁଛି । କିନ୍ତୁ ଉପରାଷ୍ଟ୍ରପତିଙ୍କୁ ଉପହାସ କରି ଆଜିର ସାଂସଦମାନେ ଜାଣିଶୁଣି ନିଜର ଓଜନ ହରାଇଛନ୍ତି । ସଂସଦ ଚାଲିବାକୁ ନଦେବା ନିଲମ୍ବନର କାରଣ । ସୁଧିଜନେ ଏହାର ସୁବିଚାର କରିବେ ।

Flip Book Link: https://demo.rastradeep.com/flip.aspx?fid=207

Related Post