Latest News

ରାମମୟ ଭାରତ

ଗୌରୀ ପ୍ରସାଦ ରଥ 15/01/2024ବିଚାର

୧୯୬୦ ମସିହାରେ ଦିଲ୍ଲୀର ଏକ ସେମିନାରରେ ବ୍ରିଟିଶ ଇତିହାସକାର ଟୟନବୀ କହିଥିଲେ- “୧୮୧୭ରେ ଋଷିଆ ‘ବାରସା’କୁ ଜିତିଗଲା ପରେ ସେଠାକାର ଏକ ପ୍ରମୁଖ ଚର୍ଚ୍ଚକୁ ଧ୍ୱଂସ କରି ସେହି ସ୍ଥାନରେ ଏକ ଅର୍ଥଡକ୍ସ ଚର୍ଚ୍ଚ ତିଆରି କରିଦେଇଥିଲା । କିନ୍ତୁ ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧରେ ଋଷିଆ ହାରିଯିବା ଏବଂ ପୋଲାଣ୍ଡ ସ୍ୱାଧୀନତା ପାଇବା ପରେ ପୋଲାଣ୍ଡବାସୀ ସେହି ଅର୍ଥଡକ୍ସ ଚର୍ଚ୍ଚକୁ ଧ୍ୱଂସ କରି ସେହି ସ୍ଥାନରେ ପୁଣି ଏକ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚ ନିର୍ମାଣ କରିଦେଲେ । ସେମାନେ ନିଜ ରାଷ୍ଟ୍ରର ସ୍ୱାଭିମାନ ରକ୍ଷା କରିବା ପାଇଁ ଏଭଳି କଲେ ।” ଟୟନବୀ କହିଲେ ଭାରତୀୟ ନେତୃତ୍ୱର (ସ୍ୱାଧୀନତା ପରବର୍ତ୍ତୀ) ଏଭଳି ଭାବନା ନଥିଲା । ଭାରତର ଲୋକମାନେ ବାରସାର ଲୋକମାନଙ୍କ ଭଳି ନୁହଁନ୍ତି, ଏଠାକାର ଲୋକ ଅଧିକ ଉଦାର, ତେଣୁ ସବୁକିଛି ସହିଯାଉଛନ୍ତି ।

ଟୟନବୀଙ୍କର ଏହି ଉକ୍ତିର କିଛିଟା ସତ୍ୟତା ରହିଛି । କିନ୍ତୁ ସ୍ୱାଧୀନୋତ୍ତର ଇତିହାସକୁ ଏ ଦୃଷ୍ଟିରୁ ଦେଖିଲେ ଭାରତର ନେତା ଏବଂ ଜନତା ଉଭୟେ ନିଜର କଳଙ୍କର ଚିହ୍ନକୁ ସମାପ୍ତ କରିବା ପାଇଁ ତତ୍ପର ରହିଥିଲେ । ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶରେ ଥିବା ଇଂରେଜମାନଙ୍କର ବିଜୟ ଚିହ୍ନକୁ ସମାପ୍ତ କରାଗଲା ଏବଂ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୱରେ ବିଦେଶୀ ଆକ୍ରମଣକାରୀମାନଙ୍କର କଳଙ୍କର ଚିହ୍ନ ‘ସୋମନାଥ’ ମନ୍ଦିରର ଉଦ୍ଧାର କରାଗଲା । ନୂତନ ବିଶାଳ ସୋମନାଥ ମନ୍ଦିର ସେହି ସ୍ଥାନରେ ନିର୍ମିତ ହେଲା । ମାତ୍ର ଏ ଦେଶର ଦୁର୍ଭାଗ୍ୟ ପଟେଲଙ୍କର ୧୫ ଡିସେମ୍ବର ୧୯୫୦ରେ ଅକାଳ ବିୟୋଗ ହେଲା; ଯାହା ଫଳରେ ସେହି ଧାରା ଆଗକୁ ଚାଲିପାରିଲା ନାହିଁ । ଏ ତ ଥିଲା ନେତାଙ୍କର କଥା, ଏ ଦେଶର ଜନତା ମଧ୍ୟ କମ୍ ନଥିଲେ ଆକ୍ରମଣକାରୀମାନଙ୍କ ଦ୍ୱାରା ଧ୍ୱଂସ କରାଯାଇ ଶ୍ରୀରାମ ଜନ୍ମଭୂମିରେ ତଥାକଥିତ ବାବରୀ ମସଜିଦ ଥିଲା ଆଉ ଏକ ଗୋଲାମିର ଚିହ୍ନ । ଯଦିଓ ଏ ଦେଶର ଜନତା ତାକୁ ଧ୍ୱଂସ କରି ତା’ ସ୍ଥାନରେ ସେତେବେଳେ ମନ୍ଦିର ନିର୍ମାଣ କରିପାରି ନଥିଲେ, କିନ୍ତୁ ତାହାକୁ ଶ୍ରୀରାମଙ୍କ ଅଧିକାରକୁ ନେଇ ଆସିଥିଲେ ।
୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୧୯୪୯ ଡିସେମ୍ବର ମାସ ୨୨-୨୩ ତାରିଖ ମଧ୍ୟରାତ୍ରରେ ହଠାତ୍ ରାମଲାଲା ପ୍ରକଟ ହେଲେ, ତାଙ୍କ ନିଜ ଜନ୍ମଭୂମି ମନ୍ଦିରରେ ହଜାର ହଜାର ଲୋକ ରୁଣ୍ଡ ହୋଇଗଲେ, ଘଣ୍ଟ ଘଣ୍ଟା ବାଜିଉଠିଲା । ଆରତିର ଅଗ୍ନିଶିଖା ଆଲୋକିତ କରିଦେଲା ତଥାକଥିତ ବାବରୀ ମସଜିଦର ଗର୍ଭଗୃହକୁ । ଆଉ ସେହି ଦିନଠାରୁ ରାମଲାଲା ସେଠାରେ ବିରାଜମାନ କଲେ । ନିତ୍ୟ-ନିୟମିତ ପୂଜାର୍ଚ୍ଚନା ଚାଲିଲା, ତାହା ପୁଣି ସରକାରୀ ନିର୍ଦ୍ଦେଶରେ । ଯଦିଓ ଭାରତର ତତ୍କାଳୀନ ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସେହି ସ୍ଥାନରୁ ରାମଲାଲାଙ୍କୁ ଅପସାରିତ କରିବାର ଅପଚେଷ୍ଟା କରିଥିଲେ । ତାହା କିନ୍ତୁ ହାର ମାନିଯାଇଥିଲା ସୁଦୃଢ଼ ଲୋକଜାଗରଣ ସମ୍ମୁଖରେ ।
ଏ ଜାତିର ପ୍ରାଣର ସ୍ପନ୍ଦନ, ଏ ସଂସ୍କୃତିର ମୂର୍ତ୍ତିମାନ ବିଗ୍ରହ, ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପୁରୁଷତ୍ୱର ମହତ୍ତ୍ୱ ବହନ କରୁଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର ଏହି ଅଯୋଧ୍ୟାସ୍ଥିତ ଜନ୍ମସ୍ଥାନରେ ସୁପୁତ୍ର କୁଶଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏବଂ ସମ୍ରାଟ ବିକ୍ରମାଦିତଙ୍କ ଦ୍ୱାରା ପୁନଃ ନିର୍ମାଣ ହୋଇଥିବା ଜନ୍ମଭୂମି ମନ୍ଦିରକୁ ଆକ୍ରମଣକାରୀ ବାବରର ସେନାପତି ମୀରବାକି ଖାଁ ୧୫୨୮ରେ ଭାଙ୍ଗି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା । ରାମଭକ୍ତ ହିନ୍ଦୁ ସମାଜ କିନ୍ତୁ ଥର ଥର କରି ୭୬ଥର ସଂଘର୍ଷ କରି ମନ୍ଦିରକୁ ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟା କରି ଆସିଥିଲା । କେତେ ସାଧୁସନ୍ଥ, ରାଜା ମହାରାଜା, ବୀରାଙ୍ଗନା, ବୀରା ରାମଣୀ ତଥା ସାଧାରଣ ରାମଭକ୍ତମାନେ ନିଜର ଜୀବନ ଉତ୍ସର୍ଗ କରିଦେଇଛନ୍ତି ସେମାନଙ୍କର କଳନା କରିହେବ ନାହିଁ । ଶିଖମାନେ ମଧ୍ୟ ଏଥିରୁ ବାଦ୍‌ଯାଇ ନାହାନ୍ତି । ବାରମ୍ବାର ହିନ୍ଦୁମାନେ ଅଧିକାର କରନ୍ତି ପୁଣି ହରାଇ ବସନ୍ତି । ଇଂରେଜ ସମୟରେ ମଧ୍ୟ ଅମୀର ଅଲ୍ଲୀ ଏବଂ ମହନ୍ତ ରାଜଶରଣ ଦାସ ହିନ୍ଦୁମାନଙ୍କୁ ମନ୍ଦିର ଦେବାର ଶେଷ ଚେଷ୍ଟା କରିଥିଲେ । କିନ୍ତୁ ଚାଲାକ ଇଂରେଜମାନେ ସେ ଦୁଇ ଜଣଙ୍କୁ ଫାଶୀ ଦେଇଦେଲେ । ମନ୍ଦିରକୁ ପାଇବା ପାଇଁ ଫୈଜାବାଦ କୋର୍ଟରେ ମଧ୍ୟ ଇଂରେଜ ସମୟରେ ମକଦ୍ଦମା ଦାୟର କରାଗଲା । କିନ୍ତୁ ଫଳ କିଛି ହେଲାନାହିଁ । ୧୯୪୯ରେ ଶ୍ରୀରାମ ଲାଲା ସେଠାରେ ପ୍ରକଟ ହେଲେ । ବାହାରେ ତାଲା ପଡ଼ୁଥିଲେ ମଧ୍ୟ ଭିତରେ ପୂଜାର୍ଚ୍ଚନା ଯଥାରୀତି ଚାଲୁଥିଲା ।
୧୯୮୩ରେ ଆରମ୍ଭ ହେଲା ରାମଜନ୍ମଭୂମିକୁ ମୁକ୍ତ କରିବା ପାଇଁ ଯୋଜନା । ଦୀର୍ଘ ୩୫ ବର୍ଷ ଧରି ଚାଲିଲା ବିଶ୍ୱର ସବୁଠାରୁ ଦୀର୍ଘ ସାଂସ୍କୃତିକ ଆନ୍ଦୋଳନ । ୧୯୮୯ ମସିହାରେ ସଂଘର ପୂଜନୀୟ ସରସଂଘଚାଳକ ଶ୍ରୀ ବାଳାସାହେବ ଦେଓରସ କହିଥିଲେ ଯେ, ‘ନିରନ୍ତର କାର୍ଯ୍ୟ କରିଚାଲ ୨୦-୩୦ ବର୍ଷ ସମୟ ଲାଗିବ । ସେହି ଅନୁସାରେ ଆନ୍ଦୋଳନ ଚାଲିଲା । ଦୁଇଥର କାରସେବା ହେଲା । କେତେ ନିରପରାଧ ରାମଭକ୍ତ ଆତ୍ମବଳି ଦେଲେ । ଶେଷରେ ୬ ଡିସେମ୍ବର ୧୯୯୨ରେ ତଥାକଥିତ ବାବରୀ ଢ଼ାଞ୍ଚା ଧରାଶାୟୀ ହେଲା । ୫୦୦ ବର୍ଷର କଳଙ୍କ ଧୋଇ ହୋଇଗଲା । ଆନ୍ଦୋଳନ ମଧ୍ୟରେ କଥାବାର୍ତ୍ତା କରି ଆପୋଷ ସମାଧାନର ଚେଷ୍ଟା ମଧ୍ୟ ହେଲା, କିନ୍ତୁ ତାହା ସଫଳ ହେଲାନାହିଁ । ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ମୋଦୀଜୀଙ୍କ ପର୍ଯ୍ୟନ୍ତ କେତେ ସରକାରର ଉତ୍ଥାନ ପତନ ହେଲା । ୧୨ ଡିସେମ୍ବର ୨୦୦୬ ପରେ ୪ଟି ରାଜ୍ୟର ନିର୍ବାଚିତ ସରକାର ମଧ୍ୟ ଏହି ଯଜ୍ଞକୁଣ୍ଡରେ ବଳି ପଡ଼ିଗଲେ ।
ମାମଲା ନ୍ୟାୟାଳୟକୁ ଆସିଲା । ପ୍ରୟାଗରାଜ ଉଚ୍ଚନ୍ୟାୟାଳୟ ସେହି ଜମିକୁ ମୁସଲମାନ ପକ୍ଷ, ନିର୍ମୋହୀ ଆଖଡ଼ା ଏବଂ ରାମଙ୍କ ପକ୍ଷ ତିନି ଭାଗରେ ବାଣ୍ଟି ଦେବା ପାଇଁ ରାୟ ଦେଲେ । ମୋକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟକୁ ଗଲା । ୫ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତିକ୍ରମେ ସମ୍ପୂର୍ଣ୍ଣ ଭୂମି ରାମଜନ୍ମଭୂମି ଦେବା ସଙ୍ଗେ ସଙ୍ଗେ ଏକ ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ କରିବା ପାଇଁ ଆଦେଶ ଦେଲେ । ତଦନୁସାରେ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କଲେ । ତାହାରି ତତ୍ତ୍ୱାବଧାନରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ସମଗ୍ର ସମାଜର ଧୈର୍ଯ୍ୟର ପରିସମାପ୍ତି ଘଟାଇ ୨୦୨୦ ଅଗଷ୍ଟ ୫ ତାରିଖ ଦିନ ଏହି ଅଭିଜିତ ମୁହୂର୍ତ୍ତରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ, ସଂଘର ସରସଂଘଚାଳକ ଶ୍ରୀ ମୋହନଜୀ ଭାଗବତ, ମହନ୍ତ ନୃତ୍ୟଗୋପାଳ ଦାସ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ । ଏବେ ପୁଣି ସେହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଛି ।
ସରକାର ଟ୍ରଷ୍ଟ ଗଠନ କରି ମାତ୍ର ଗୋଟିଏ ଟଙ୍କା ଦେଇ ଟ୍ରଷ୍ଟକୁ ରାମ ମନ୍ଦିର ସମ୍ବନ୍ଧୀୟ ସମସ୍ତ ଜମିଜମା ହସ୍ତାନ୍ତର କରିଦେଇଥିଲେ । ମନ୍ଦିର ନିର୍ମାଣ କରିବା ପାଇଁ ପରବର୍ତ୍ତୀ ସମୟରେ ଅନେକ ବଡ଼ ବଡ଼ ଉଦ୍ୟୋଗପତି ମଧ୍ୟ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ମନ୍ଦିର ଯେଉଁଭଳି ଭାବରେ ସମଗ୍ର ସମାଜ ଆନ୍ଦୋଳନ କରି ଆତ୍ମବଳି ପ୍ରଦାନ କରିଛି । ସେହିଭଳି ‘ରାମ ମନ୍ଦିର’ର ନିର୍ମାଣ ମଧ୍ୟ ସମଗ୍ର ସମାଜ ତଥା ରାମଭକ୍ତମାନଙ୍କ ଅର୍ଥରେ ହିଁ ନିର୍ମାଣ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ନିର୍ଣ୍ଣୟ ନିଆଯାଇଥିଲା । ଏଥିପାଇଁ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ କରାଯାଇଥିଲା । ଏଥିରେ ୧୬ କୋଟି ପରିବାରର ୬୫ କୋଟି ରାମଭକ୍ତ ମନ୍ଦିର ନିର୍ମାଣ ପାଇଁ ଅର୍ଥରାଶି ପ୍ରଦାନ କରିଅଛନ୍ତି । ଦୀନଦରିଦ୍ର ଭିକ୍ଷୁକଠାରୁ ଆରମ୍ଭକରି ରାଜା, ବଡ଼ ବଡ଼ ଉଦ୍ୟୋଗପତି ପର୍ଯ୍ୟନ୍ତ ବନବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସହରବାସୀ ପର୍ଯ୍ୟନ୍ତ ଏପରିକି ମୁସଲମାନ, ଖ୍ରୀଷ୍ଟିଆନମାନେ ମଧ୍ୟ ଏହି ରାଷ୍ଟ୍ରମନ୍ଦିର ନିର୍ମାଣ ପାଇଁ ଆଗେଇଆସି ଅର୍ଥ ଦାନ କରିଅଛନ୍ତି । ଏବେ ପର୍ଯ୍ୟନ୍ତ ମଧ୍ୟ ଦେଶବିଦେଶରୁ ଭକ୍ତମାନେ ଅର୍ଥ ପଠାଉଅଛନ୍ତି ।
ବାସ୍ତୁକାର
ଗୁଜୁରାଟର ଅହମଦାବାଦ ନିବାସୀ ସୋମପୁରା ପରିବାର ହେଉଛି ଶ୍ରୀରାମ ଜନ୍ମଭୂମି ମନ୍ଦିରର ବାସ୍ତୁକାର । ଏହି ପରିବାରର ୧୫ ପିଢ଼ି ଧରି ମନ୍ଦିରମାନଙ୍କର ବାସ୍ତୁ (ଡିଜାଇନ) ତିଆରି କରିଆସୁଛନ୍ତି । ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ପ୍ରମୁଖ ମନ୍ଦିରର ଏମାନେ ବାସ୍ତୁକାର ଅଟନ୍ତି । ୧୯୮୮ ମସିହାରେ ପ୍ରଥମେ ଶ୍ରୀରାମ ମନ୍ଦିରର ପ୍ରାରୂପ ନିର୍ମାଣ କରିଥିଲେ ସୋମପୁରା ପରିବାର; ଯାହାକି ଶିଳାପୂଜନ ସମୟରେ ସମଗ୍ର ଦେଶରେ ବିତରଣ କରାଯାଇଥିଲା । କିନ୍ତୁ ୨୦୨୦ରେ ଶିଳାନ୍ୟାସ ପରେ ଏଥିରେ କିଛି ପରିବର୍ତ୍ତନ କରାଯାଇଅଛି । ଶ୍ରୀ ଚନ୍ଦ୍ରକାନ୍ତ ସୋମପୁରା ଏବଂ ତାଙ୍କର ଦୁଇଜଣ ସୁପୁତ୍ର ନିଖିଳ ସେମପୁରା ଏବଂ ଆଶୀଷ ସୋମପୁରା ଏହି ମନ୍ଦିରର (ଡିଜାଇନ) ବାସ୍ତୁ ପ୍ରସ୍ତୁତ କରିଅଛନ୍ତି । ଆଶୀଷ ସୋମପୁରାଙ୍କ ଅନୁସାରେ ସାଧାରଣ ମନ୍ଦିର ପ୍ରାୟ ୨୦୦-୫୦୦ ବର୍ଷ କାଳାବଧି ପର୍ଯ୍ୟନ୍ତ ରଖି ନିର୍ମାଣ କରାଯାଇଥାଏ । କିନ୍ତୁ ଏହି ମନ୍ଦିର ଏଭଳି ଭାବରେ ନିର୍ମାଣ କରାଯାଉଛି; ଯାହାକି ଆଗାମୀ ୨.୫୦୦ ବର୍ଷ ପର୍ଯ୍ୟନ୍ତ ମନ୍ଦିରର କିଛି କ୍ଷତି ହେବ ନାହିଁ । ଏହି ବିଶାଳ ମନ୍ଦିର ପୃଥିବୀର ତୃତୀୟ ବୃହତମ ଭାବରେ ଦଣ୍ଡାୟମାନ ହେବ ।
ମନ୍ଦିର ନିର୍ମାଣ
ତୀର୍ଥକ୍ଷେତ୍ର ନ୍ୟାସର ସମ୍ପାଦକ ଶ୍ରୀ ଚମ୍ପତରାୟ କହନ୍ତି- ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ମାଟି ପରୀକ୍ଷାରୁ ଜଣାଗଲା ଯେ, ସେହି ସ୍ଥାନରେ ମନ୍ଦିରର ଭଗ୍ନାବଶେଷ ଏବଂ ବାଲି ରହିଅଛି । ସେହି କାରଣରୁ ବିଶାଳ ମନ୍ଦିର ନିର୍ମାଣ ସେହି ଭୂମି ଉପରେ କରିବା ସମ୍ଭବ ନୁହେଁ । ତେଣୁ ମନ୍ଦିରର ଗର୍ଭଗୃହ ତଳେ ୧୪ ମିଟର ଏବଂ ଅନ୍ୟ ସ୍ଥାନମାନଙ୍କରେ ୧୨ମିଟର ତଳେ କୃତ୍ରିମ ଶିଳା (ଚଟାଣ) ତିଆରି କରାଯାଇଛି । ସେଥିପାଇଁ କମ୍ ସିମେଣ୍ଟ, କମ୍ ପାଣି ଦେଇ କଂକ୍ରିଟ କରାଯାଇଅଛି । ପରସ୍ତ ପରସ୍ତ କରି ସେଠାରେ ପ୍ରାୟ ୧୧ ହଜାର ଘଟମିଟରର ଚଟାଣ ତିଆରି କରାଯାଇଛି; ଯାହାକି ମନ୍ଦିର ତଳେ ରହିଯିବ । ମନ୍ଦିର ତଳେ ଦୃଢ଼ କଠିନ ମାଟି ନଥିôବାରୁ ଏହା କରିବା ଆବଶ୍ୟକ ହୋଇଯାଇଥିଲା ।
ସେ କହନ୍ତି ଯେ ସମଗ୍ର ଭାରତବର୍ଷ ରାମମନ୍ଦିର ନିର୍ମାଣ କାର୍ଯ୍ୟ କରୁଅଛି । ରାଜସ୍ଥାନର ଭରତପୁରର ବଂଶୀ ପାହାଡ଼ପୁରରୁ ଗୋଲାପୀ ରଙ୍ଗର ବାଲିଆ ପଥର ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଛି । ପ୍ରାୟ ୬,୦୦୦ ଘନଫୁଟ ପଥର ଏହି କାର୍ଯ୍ୟରେ ଲାଗିବ । ଏଥିସହିତ ମହାରାଷ୍ଟ୍ରରୁ ଶାଗୁଆନ କାଠ କବାଟ ଝରକା ତିଆରି କରାଯିବା ପାଇଁ ଆସିଛି; ୧୦୦ ବର୍ଷ ପର୍ଯ୍ୟନ୍ତ ଘର କିଛି କ୍ଷତି ହେବ ନାହିଁ । କାଠର କୋଟିକାମ କନ୍ୟାକୁମାରୀ କରୁଛି । ଦୁଆର ହାଇଦ୍ରାବାଦ କରୁଛି । ଗ୍ରାନାଇଟ ତେଲେଙ୍ଗାନା, କର୍ଣ୍ଣାଟକରୁ ଆସୁଛି । ମନ୍ଦିରରେ ମୂର୍ତ୍ତି ନିର୍ମାଣର କାର୍ଯ୍ୟ ଓଡ଼ିଶା କରୁଛି । ଏହିଭଳି ଭାବରେ ସାରା ଭାରତ ରାମମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛି । ମନ୍ଦିର ସରଯୂ ନଦୀ କୂଳରେ ଅବସ୍ଥିତ ହୋଇଥିବାରୁ ଭବିଷ୍ୟତରେ ବନ୍ୟା ଇତ୍ୟାଦି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, ତେଣୁ ରିଟେନିଂ ୱାଲର ବ୍ୟବସ୍ଥା ମଧ୍ୟ କରାଯାଉଛି । ଉତ୍ତର ଭାରତ ତଥା ପୂର୍ବ ଭାରତର ମନ୍ଦିର ଭଳି ନାଗର ଶୈଳୀରେ ଏହି ମନ୍ଦିର ନିର୍ମାଣ ହେଉଥିଲେ ମଧ୍ୟ ଦ୍ରାବିଡ଼ଶୈଳୀର ପରକୋଟା ରଖାଯାଇଅଛି । ମନ୍ଦିରର ଲମ୍ବ ୩୬୦ ଫୁଟ, ଚଉଡ଼ା ୨୩୫ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିବ, ମନ୍ଦିର ତିନିମହଲା ବିଶିଷ୍ଟ ହେବ । ଏଥିରେ ୫ଟି ଗମ୍ବୁଜ, ଗୋଟିଏ ଟାୱାର ରହିବ । ପଞ୍ଚାୟତ ପୂଜା ଭଳି ମନ୍ଦିରର ଚାରି କୋଣରେ କ୍ରମଶଃ ଶିବ, ସୂର୍ଯ୍ୟ, ଦେବୀ ଭଗବତୀ ଏବଂ ଗଣେଶଙ୍କର ମନ୍ଦିର ତଥା ଗୋଟିଏ ହନୁମାନ ମନ୍ଦିରର ନିର୍ମାଣ କରାଯିବ । ମନ୍ଦିର ପରିସରରେ ପ୍ରାର୍ଥନା କକ୍ଷ, ରାମକଥା କୁଞ୍ଜ, ବୈଦିକ ପାଠଶାଳା, ସନ୍ଥ ନିବାସ, ଯାତ୍ରୀ ନିବାସ, ସଂଗ୍ରହାଳୟ, କାଫଟେରିଆ ଆଦି ରଖାଯାଉଅଛି । ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଜନ ସୁବିଧା କେନ୍ଦ୍ରମାନ ମଧ୍ୟ କରାଯିବାର ଯୋଜନା ରହିଛି ।
ମୁଖ୍ୟ ମନ୍ଦିର ୨.୭ ଏକର ପରିମିତ ଭୂମିରେ ନିର୍ମାଣ ହେବାକୁ ଥିବାବେଳେ ପୂର୍ଣ୍ଣ ପରିସର ୭୦ ଏକର ରହିଛି । ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାକୁ ୧୦୮ ଏକର କରାଯିବା ପାଇଁ ପ୍ରୟାସ ଜାରୀ ରହିଛି । ସେଥିପାଇଁ ମନ୍ଦିର ନିକଟସ୍ଥ ଜାଗାମାନଙ୍କୁ କ୍ରୟ କରାଯାଇ ମନ୍ଦିର ପରିସରର ଅଭିବୃଦ୍ଧି କରାଯାଉଅଛି । ଏହି ପରିସର ମଧ୍ୟରେ ମହର୍ଷି ବାଲ୍ମୀକି, ଗୁରୁ ବଶିଷ୍ଠ, ମୁନି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ ଗୁହକ, ମାତା ଶବରୀ ଏବଂ ଦେବୀ ଅହଲ୍ୟା ତଥା ପକ୍ଷୀରାଜ ଜଟାୟୁ ଆଦିଙ୍କର ମନ୍ଦିର ନିର୍ମାଣ କରାଯିବାର ଯୋଜନା ରହିଛି ।
ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି ପ୍ରଖ୍ୟାତ ନିର୍ମାଣ କମ୍ପାନୀ ଲାର୍ସନ ଏଣ୍ଡ ଟବ୍ରୋ (ଖଌଞ), ତାହା ତାଙ୍କର ନିଃଶୁଳ୍କ ସେବା । ଟାଟା କମ୍ପାନୀର ଇଞ୍ଜିନିୟରମାନେ ମଧ୍ୟ ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଜଣେ ଅଭିଯନ୍ତ୍ରୀଙ୍କର କହିବା ଅନୁସାରେ ମନ୍ଦିର ଏଭଳି ଭାବରେ ନିର୍ମାଣ ହେଉଛି, ଯେପରି ଗର୍ଭଗୃହରେ ବିରାଜମାନ କରୁଥିବା ଶ୍ରୀରାମ ଲାଲାଙ୍କ ବିଗ୍ରହରେ ପ୍ରତିଦିନ ୧୨ଟା ସମୟରେ ସୂର୍ଯ୍ୟ କିରଣର ଟିକା ଦେଖାଯିବ । ଅର୍ଥାତ୍ ଋତୁ ଏବଂ ମାସ ଅନୁସାରେ ସୂର୍ଯ୍ୟଙ୍କର ଗତିପଥର ପରିବର୍ତ୍ତନ ହେଉଥିଲେ ମଧ୍ୟ ଗଣନା କରାଯାଇ ଯେପରି ସୂର୍ଯ୍ୟକିରଣ ପଡ଼ିପାରିବ ସେହିଭଳି ଭାବରେ ବ୍ୟବସ୍ଥା କରାଯାଇଅଛି ।
ସମଗ୍ର ଦେଶରେ ଉତ୍ସାହ ଉଦ୍ଦୀପନା
ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସମୟ ଯେତିକି ଯେତିକି ନିକଟତର ହୋଇ ଆସୁଛି; ସମଗ୍ର ଦେଶରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ସର୍ବତ୍ର ରାମମୟ ବାତାବରଣ । ସମସ୍ତେ ନିଜ ନିଜ ଭାବନା ଅନୁସାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ କିଛି ନା କିଛି ସେବା ଦେବା ପାଇଁ ବ୍ୟାକୁଳ ।
ଅଯୋଧ୍ୟାର ନିକଟବର୍ତ୍ତୀ ପ୍ରାୟ ୧୫୦ଟି ଗ୍ରାମର ଜନସମାଜ ଅତୀତରେ ଶ୍ରୀରାମ ଜନ୍ମଭୂମିକୁ ମୁକ୍ତ କରିବା ପାଇଁ ବାରମ୍ବାର ଚେଷ୍ଟା କରିଆସିଥିଲେ ଏବଂ ଏତେ ଚେଷ୍ଟା ପରେ ମଧ୍ୟ ରାମଜନ୍ମଭୂମିକୁ ମୁକ୍ତ କରି ନପାରିବା କାରଣରୁ

ଗ୍ଳାନିର ସହିତ ପଗଡି ପିନ୍ଧିବା କିମ୍ବା ଚମଡ଼ା ଯୋତା ପିନ୍ଧିବା ଛାଡ଼ି ଦେଇଥିଲେ । ପୁରୁଷାନୁକ୍ରମେ ଏବେ ପର୍ଯ୍ୟନ୍ତ ମଧ୍ୟ ସେମାନେ ଏହାକୁ ପାଳନ କରି ଆସୁଥିଲେ; କିନ୍ତୁ ବର୍ତ୍ତମାନ ଯେତେବେଳେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି; ସେମାନେ ବେଶ୍ ଉତ୍ସାହିତ ଦେଖାଯାଉଛନ୍ତି । ପୂର୍ବପୁରୁଷମାନଙ୍କ ପ୍ରତିଜ୍ଞା ଆଜି ପୂର୍ଣ୍ଣ ହେବା ପାଇଁ ଯାଉଛି । ସେଥିପାଇଁ ସେମାନେ ସେଦିନ ପଗଡ଼ି ପିନ୍ଧି ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଆସିବାକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି ।

ରାଜସ୍ଥାନର ଯୋଧପୁରରୁ ଜଣେ ମହାତ୍ମା ନିଜ ଗୋଶାଳାର ଦେଶୀ ଗାଈମାନଙ୍କ ଠାରୁ ସଂଗୃହୀତ ୬୦୦ କି.ଗ୍ରା ଶୁଦ୍ଧ ଦେଶୀ ଘିଅ ଅଯୋଧ୍ୟା ପଠାଇଛନ୍ତି । ଗତ ୯ ବର୍ଷ ଧରି ସେ ଏହି ଘିଅ ସଂଗ୍ରହ କରି ଚାଲିଥିଲେ, ଯେତେବେଳେ ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ହେବା କଥା ଶୁଣା ନଥିଲା, କିମ୍ବା କେହି କଳ୍ପନା କରିନଥିଲେ । ରାମଜନ୍ମଭୂମି ମନ୍ଦିରରେ ଏହି ଘୃତରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ ହେବ ଏବଂ ମହାଯଜ୍ଞରେ ବ୍ୟବହୃତ ହେବ । ୧୦୮ଟି କଳଶରେ ୫ଟି ବଳଦ ଗାଡିର ରଥରେ ଯୋଧପୁରଠାରୁ ଅଯୋଧ୍ୟା ୧୧ ଦିନ ପର୍ଯ୍ୟନ୍ତ ପଦଯାତ୍ରା କରି ଏହାକୁ ସମର୍ପଣ କରିଛନ୍ତି ।
ତାମିଲନାଡୁରୁ ଜଣେ ମାତାଜୀ ‘ରିଗଲ ରାଇଟ କାଉନସିଲ’ ପକ୍ଷରୁ ଏକ ୬୧୩ କି.ଗ୍ରା ଓଜନର ଘଣ୍ଟା ଅଯୋଧ୍ୟା ପଠାଇଛନ୍ତି । ଏହି ଘଣ୍ଟା ବାଜିଲେ ସେଥିରୁ ‘ଓଁ’ ଧ୍ୱନି ବାହାରିବ ଏବଂ ଏହାର ଶବ୍ଦ ପ୍ରାୟ ୮ କି.ମି ପର୍ଯ୍ୟନ୍ତ ଶୁଣାଯିବ ।
ଭଗବାନ ଶ୍ରୀରାମଙ୍କ ମାମୁ ଘର କୁହାଯାଉଥିବା ଛତିଶଗଡ଼ରୁ ୩୦୦୦ କୁଇଣ୍ଟାଲ ଚାଉଳ ଅଯୋଧ୍ୟାରେ ଆସି ପହଞ୍ଚିଯାଇଛି । ଏହି ଚାଉଳରେ ଲାଲା ରାମଙ୍କର ପ୍ରସାଦ ତିଆରି କରାଯିବ ଏବଂ ସନ୍ଥସେବାରେ ଲାଗିବ । ଛତିଶଗଡ଼ ପ୍ରଦେଶ ସମସ୍ତ ଜିଲ୍ଲାମାନଙ୍କରୁ ଏହି ଚାଉଳ ସଂଗ୍ରହ କରାଯାଇ ପଠାଯାଇଅଛି ।
ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଜଳେସର ଠାରୁ ଆସିଛି ଏକ ବିଶାଳକାୟ ଘଣ୍ଟା, ଯାହାର ଓଜନ ୨୧୦୦ କିଲୋଗ୍ରାମ । ଏହି ବିଶାଳକାୟ ଘଣ୍ଟାର ଉଚ୍ଚତା ୬ଫୁଟ ଏବଂ ଚଉଡ଼ା ୫ଫୁଟ । ଏହା ସହିତ ଆହୁରି ବିଭିନ୍ନ ଆକାରର ୧୦ଟି ଘଣ୍ଟା, ମଧ୍ୟ ବିଭିନ୍ନ ମନ୍ଦିର ପାଇଁ ଆସୁଅଛି । ଏହି ଘଣ୍ଟାଗୁଡ଼ିକ ୫୦୦ କି.ଗ୍ରା ୨୫୦ କି.ଗ୍ରା ତଥା ୧୦୦ କି.ଗ୍ରା ଓଜନର ପିତ୍ତଳ ଏବଂ ଅନ୍ୟ ଧାତୁରେ ନିର୍ମିତ । ଜଳେସରଠାରେ ପୁରୁଷ ପୁରୁଷ ଧରି ଏହି ଘଣ୍ଟା ଇତ୍ୟାଦି ପିତଳ କାମ ହୋଇ ଆସୁଛି । ଘଣ୍ଟା ଏବଂ ଘୁଙ୍ଗୁର ଆଦି ପାଇଁ ଏହା ପ୍ରସିଦ୍ଧ ଅଟେ ।
ଗୁଜୁରାଟର ଅହମଦାବାଦର ଅଖିଳ ଭାରତୀୟ ଡଗବାର ସମାଜ ପକ୍ଷରୁ ଏକ ବିଶାଳ ନାଗରା ଅଯୋଧ୍ୟା ପଠାଯାଇଅଛି । ଏହି ନାଗରାର ଓଜନ ୪୫୦ କି.ଗ୍ରା ଏହା ଏଭଳି ଭାବରେ ତିଆରି କରାଯାଇଛି ଯେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଏହା ଖରାପ ହେବାର ସମ୍ଭାବନା ନାହିଁ ।
ଗୁଜୁରାତଟ ବଡ଼ୋଦରା ନିବାସୀ ଜଣେ ଗୋପାଳକ ଶ୍ରୀ ବିହା ଭରୱାଡ଼ ଏକ ଧୂପକାଠି ଅଯୋଧ୍ୟା ପଠାଇଛନ୍ତି, ଯାହା ୧୦୮ଫୁଟ ଉଚ୍ଚ । ୧୪୭୫ କି.ଗ୍ରା ଗୋବର, ୧୯୧ କି.ଗ୍ରା ଶୁଦ୍ଧ ଗବ୍ୟ ଘୃତ, ୩୭୬ କି.ଗ୍ରା ଗୁଡ଼, ୨୮୦ କି.ଗ୍ରା ଯବ ତଥା ଅନ୍ୟାନ୍ୟ ହବନ ସାମଗ୍ରୀ, ପଞ୍ଚଗବ୍ୟ ସବୁ ମିଶି ଏହାର ଓଜନ ୩୪୦୦ କି.ଗ୍ରା ଅଟେ । ଶ୍ରୀ ଭରୱାଡ଼ଙ୍କ କହିବା ଅନୁସାରେ ଏହା ଥରେ ଜଳିଲେ ଦେଢ଼ମାସ ପର୍ଯ୍ୟନ୍ତ ସୁଗନ୍ଧ ବିତରଣ କରି ଜଳିପାରିବ । ଏହାର ନିର୍ମାଣରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ୧୧୦ ଫୁଟ ଲମ୍ବର ଏକ ରଥ ସାହାଯ୍ୟରେ ଅଯୋଧ୍ୟା ପଠାଯାଇଛି । ସେହିଭଳି ଭାବରେ ୧୦୨ ଫୁଟର ଏକ ବିଶାଳ ମହମବତୀ ମଧ୍ୟ ଅଯୋଧ୍ୟାକୁ ପଠାଯାଇଅଛି ।
ଆଲିଗଡ଼ ସମଗ୍ର ବିଶ୍ୱରେ ତାଲା ପାଇଁ ପ୍ରସିଦ୍ଧ । ସେଠାକାର ଶ୍ରୀ ସତ୍ୟପ୍ରକାଶ ଶର୍ମା ପୁରୁଷାନୁକ୍ରମିକ ଭାବରେ ଜଣେ ତାଲା ନିର୍ମାଣକାରୀ । ଅଯୋଧ୍ୟାର ଶ୍ରୀରାମଲାଲାଙ୍କ ମନ୍ଦିର ନିମନ୍ତେ ସେ ଏକ ତାଲା ପ୍ରସ୍ତୁତ କରିଛନ୍ତି; ଯାହାର ଓଜନ ୪୦୦ କି.ଗ୍ରା, ମୋଟେଇ ୬ଇଞ୍ଚ, ଉଚ୍ଚତା ୧୦ ଫୁଟ, ଚଉଡ଼ା ୬ଫୁଟ, ସାଢ଼େ ଚାରିଫୁଟ ଲମ୍ବା ଏହାକୁ ଖୋଲିବା ପାଇଁ ଯେଉଁ ଚାବି ବ୍ୟବହାର କରାଯିବ ତାହାର ଓଜନ ମଧ୍ୟ ୩୦ କି.ଗ୍ରା ।
ଲକ୍ଷ୍ନୌର ଜଣେ ପରିବା ବିକ୍ରେତା ଅନୀଲ କୁମାର ଶାହା ଏକ ଅଭିନବ ଘଡ଼ି ରାମମନ୍ଦିର ପାଇଁ ପଠାଇଛନ୍ତି, ଯେଉଁଥିରେ କେବଳ ଗୋଟିଏ ଘଣ୍ଟା କଣ୍ଟା ଅଛି । ମିନିଟ କଣ୍ଟା ନାହିଁ । ଏହି ଘଣ୍ଟାରେ ଏକାଥରେ ବିଶ୍ୱର ୯ଟି ଟାଇମ୍ ଯୋନର ସମୟ ଦେଖିହେବ । ବିଭିନ୍ନ ଦେଶର ସମୟ ଏକ ସଙ୍ଗେ ଏହି ଘଣ୍ଟାରୁ ଜଣାପଡ଼ିବ ।
ହାଇଦ୍ରାବାଦର ଜଣେ ରାମଭକ୍ତ ଶ୍ରୀଚଲା ଶ୍ରୀନିବାସ ଶାସ୍ତ୍ରୀ । ସେ ରାମଲାଲାଙ୍କ ପାଇଁ ଏକ ଯୋଡ଼ା ଚରଣ ପାଦୁକା (କଠଉ) ନିର୍ମାଣ କରିଛନ୍ତି । ଏହି ଚରଣ ପାଦୁକାକୁ ସେ ରାମେଶ୍ୱରମ୍ ଠାରୁ ବଦ୍ରିନାଥ ପର୍ଯ୍ୟନ୍ତ ସମସ୍ତ ତୀର୍ଥକ୍ଷେତ୍ରମାନଙ୍କରେ ତଥା ବିଭିନ୍ନ ପ୍ରମୁଖ ସାଧୁସନ୍ଥମାନଙ୍କ ଦ୍ୱାରା ପୂଜନ ଅର୍ଚ୍ଚନ କରାଇ ଚାଲିଛନ୍ତି । ସେହି ଚରଣ ପାଦୁକାକୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ଅଯୋଧ୍ୟାରେ ସମର୍ପଣ କରିବେ । ଏହି କଠଉ ଏକ କିଲୋ ସୁନା ଏବଂ ୭ କିଲୋ ରୁପାରେ ତିଆରି ହୋଇଛି । ଶ୍ରୀ ଶାସ୍ତ୍ରୀ କହନ୍ତି ଏତଦ୍ ବ୍ୟତୀତ ଅଯୋଧ୍ୟାକୁ ହାଇଦ୍ରାବାଦ ବାଟ ଦେଇ ଆସୁଥିବା ସମସ୍ତ ରାମଭକ୍ତମାନଙ୍କ ପାଇଁ ସେ ଭୋଜନ ବ୍ୟବସ୍ଥା ମଧ୍ୟ କରୁଅଛନ୍ତି ।
ଶ୍ରୀରାମ ଲାଲାଙ୍କ ପାଇଁ ସବୁଠାରୁ ଦାମୀ ଉପହାର ଆସୁଛି ଗୁଜୁରାତର ସୁରତରୁ । ସୁରତର ଜଣେ ହୀରା ବ୍ୟବସାୟୀ ଶ୍ରୀ କୌଶିକ କାକଡିଆ ୫ଲକ୍ଷ ଆମେରିକାନ୍ ହୀରାରେ ତଥା ଦୁଇ କିଲୋଗ୍ରାମ ସୁନାରେ ନିର୍ମିତ ଶ୍ରୀରାମ ମନ୍ଦିରର ପ୍ରତିକୃତି ବିଶିଷ୍ଟ ଏକ ହାର ଏବଂ ଶ୍ରୀରାମ ଦରବାର ରାମଲାଲାଙ୍କୁ ଉପହାର ଦେଇଛନ୍ତି । ୪୦ଜଣ କାରିଗର ୩୦ ଦିନ ପରିଶ୍ରମ କରି ଏହି ହୀରାର ସାମଗ୍ରୀ ପ୍ରସ୍ତୁତ କରିଅଛନ୍ତି ।
ମା’ ଜାନକୀଙ୍କର ବାପଘର, ଶ୍ରୀରାମଙ୍କ ଶ୍ୱଶୁରାଳୟ ନେପାଳର ଜନକପୁରର ସୀତାରାମ ମନ୍ଦିର ଓ ନେପାଳବାସୀଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ଭାର ଆସୁଛି । ୧୧୦୦ ଡାଲାରେ ଶୁଖିଲା ଫଳ (ମେବା) ୧୦୦ ଡାଲା ଫଳ, ଚାନ୍ଦିର ବାସନକୁସନ, ଆଭୂଷଣ, ୫୧ ପ୍ରକାରର ମିଠାଇ, ଦହି, ଲହୁଣୀ ଆଦି ତଥା ବସ୍ତ୍ର ଲାଲଚୁନରୀ ଇତ୍ୟାଦି ସହିତ ନେପାଳର ପ୍ରମୁଖ ଧାର୍ମିକ ମାନ୍ୟତା ପ୍ରାପ୍ତ ୩୦ଟି ନଦୀର ପବିତ୍ର ଜଳ ଏକ ତମ୍ବା କଳସରେ ରାମଲାଲାଙ୍କ ଅଭିଷେକ ପାଇଁ ଅଯୋଧ୍ୟା ଆସୁଛି । ସୀତା ବିବାହ ପରେ ଯେଉଁ ବାଟ ଦେଇ ରାମ-ଜାନକୀ ଅଯୋଧ୍ୟା ଆଗମନ କରିଥିଲେ ସେହି ବାଟରେ ମିଥିଳା ଦେଇ ଅଯୋଧ୍ୟାରେ ୫ ଜାନୁଆରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା । ଏହି ରଥାଯାତ୍ରା ସମୟରେ ନେପାଳରୁ ୫୦୦ ରାମଭକ୍ତ ଯାତ୍ରା ସହିତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ୨୨ ଜାନୁଆରୀରେ ସମ୍ପୂର୍ଣ୍ଣ ନେପାଳରେ ଭବ୍ୟ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ ମଧ୍ୟ ଚାଲୁରହିଛି । ମିଥିଳାକୁ ମଧ୍ୟ ସୀତାଙ୍କର ପିତ୍ରାଳୟ ବୋଲି କୁହାଯାଇଥାଏ । ତେଣୁ ମିଥିଳାବାସୀ ମଧ୍ୟ ଏହି ଅବସ୍ଥାରେ ବସ୍ତ୍ର ଅଳଙ୍କାର ତଥା ଅନ୍ୟାନ୍ୟ ଉପହାର ପଠାଉଅଛନ୍ତି ।
ମହାରାଷ୍ଟ୍ରର ପୁନାରେ ସ୍ୱର୍ଣ୍ଣ ତାରରେ ସୁନ୍ଦର ବସ୍ତ୍ର ନିର୍ମାଣ ଚାଲିଛି । ପାକିସ୍ତାନର ସିନ୍ଧୁ ପ୍ରଦେଶରୁ ମଧ୍ୟ ବସ୍ତ୍ର ଅଯୋଧ୍ୟା ପଠାଯାଇଅଛି । ନେପାଳ ସହିତ ବାଂଲାଦେଶ ଶ୍ରୀଲଙ୍କା ପ୍ରଭୃତି ଦେଶମାନଙ୍କରୁ ମଧ୍ୟ ଉପହାରମାନ ଆସୁଅଛି । ଆମେରିକାରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠାକୁ ପାଳନ କରିବା ପାଇଁ ଉତ୍ସବର ଆୟୋଜନ ଚାଲିଛି । ମୁମ୍ବଇଠାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତିକୃତିର ଏକ ରଥ ନିର୍ମାଣ କରାଯାଇ ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ମଧ୍ୟରେ ଯାତ୍ରା କରାଯାଉଛି । ମୁମ୍ବଇରୁ ଶବନମ ନାମକ ଜନୈକା ମୁସଲମାନ ତରୁଣୀ ଗୈରିକ ରଙ୍ଗର ଧ୍ୱଜା ଧରି ମୁମ୍ବଇ ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଚାଲି ଚାଲି ଆସିବାର ସଂକଳ୍ପ କରି ଯାତ୍ରା ଆରମ୍ଭ କରିଦେଇଛନ୍ତି । ବନାରସରେ ଫୁଲର ନିର୍ମିତ ରଥରେ ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇ ପରିକ୍ରମା କରାଯାଉଅଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବ୍ୟବହାର ହେବାକୁ ଥିବା ସମସ୍ତ ଯଜ୍ଞ ଉପକରଣ ବନାରସରୁ ଆସୁଛି । ପଣ୍ଡିତ ଶ୍ରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏବଂ ତାଙ୍କ ସୁପୁତ୍ର ସୁନୀଲ ଦୀକ୍ଷିତଙ୍କ ନେତୃତ୍ୱରେ ବେଦଜ୍ଞ ବିଦ୍ୱାନ ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟ ସମ୍ପାଦନ ପାଇଁ ଅଯୋଧ୍ୟା ଆସୁଅଛନ୍ତି । ରାମଜନ୍ମଭୂମି ମନ୍ଦିରର ଛୋଟ କାଠରେ ତିଆରି ପ୍ରତିକୃତି ବର୍ତ୍ତମାନ ବହୁଳ ମାତ୍ରାରେ ବିକ୍ରି ଚାଲିଛି ।
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହିତ ଅଯୋଧ୍ୟା ନିବାସ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଅଯୋଧ୍ୟା ରେଳବାଇ ଷ୍ଟେସନକୁ ରାମମନ୍ଦିର ଅନୁରୂପ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯାଇଛି । ନୂତନ ଭାବରେ ନିର୍ମାଣ ହୋଇଥିବା ମହର୍ଷି ବାଲ୍ମୀକୀ ବିମାନଘାଟି ଇତିମଧ୍ୟରେ କାର୍ଯ୍ୟକାରୀ ହୋଇ ସାରିଛି । ଅଯୋଧ୍ୟା ନଗରୀ ତଥା ସରଯୂ ନଦୀର ଘାଟ ସବୁ ମଧ୍ୟ ସୁନ୍ଦର ଭାବରେ ନିର୍ମାଣ ହୋଇଛି ଏବଂ ସାଜସଜ୍ଜା କରାଯାଉଛି । ପ୍ରାଣ ପ୍ରତିଷ୍ଠାର ସମୟ ଯେତିକି ଯେତିକି ନିକଟତର ହେଉଛି; ସମଗ୍ର ଦେଶରେ ଉତ୍ସାହ ଉଦ୍ଦୀପନାର ସହିତ ଅନେକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ଯୋଜନା ଚାଲିଛି । ସୁଦୀର୍ଘ ୫୦୦ ବର୍ଷ ପରେ ଭଗବାନ ରାମଙ୍କର ଅଯୋଧ୍ୟା ପୁନରାଗମନ ପାଇଁ ସାରା ଦେଶରେ ସମସ୍ତେ ଦୀପ ମାଳିକା ମାଧ୍ୟମରେ ଦୀପାବଳୀ ପାଳନ କରି ଭଗବାନ ଶ୍ରୀରାମଙ୍କର ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିଶ୍ଚିତ ଭାବରେ ଆମ ଦେଶ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦମୟ ତଥା ଗୁରୁତ୍ୱପୂର୍ଣ୍ଣ ଦିବସ ଭାବରେ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇ ରହିବ । ୧୯୪୭ ମସିହା ୧୫ ଅଗଷ୍ଟରେ ଦେଶ ରାଜନୈତିକ ଭାବରେ ସ୍ୱାଧୀନତା ପାଇଥିଲା । ତାହା ଯେମିତି ଅମରାକ୍ଷରରେ ଲେଖାଯାଇଛି; ଠିକ୍ ସେହିଭଳି ଆମ ରାଷ୍ଟ୍ରର ସାଂସ୍କୃତିକ ସ୍ୱାଧୀନତା ପାଇଥିବାର ଦିନ ଭାବରେ ଜାନୁଆରୀ ୨୨-୨୦୨୪ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ମନ୍ଦିରର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କର ବାଳକ ରୂପର ଶ୍ରୀବିଗ୍ରହ ବିରାଜମାନ କରିବେ । ଅତି ଛୋଟ ନୁହେଁ କିମ୍ବା ବିଶାଳ ମୂର୍ତ୍ତି ନୁହେଁ । ତଥାପି ପାଞ୍ଚବର୍ଷ ବୟସ୍କ ବାଳକର ସୁନ୍ଦର ବାଳ ସ୍ୱରୂପର ବିଗ୍ରହ, ଯେଉଁଥିରେ କି ଈଶ୍ୱରୀୟଭାବ ଏବଂ ରାଜକୁମାରର ଜ୍ୟୋତି ପ୍ରସ୍ଫୁଟିତ ହେଉଥିବ; ସେହିଭଳି ସୁନ୍ଦର ନୀଳ ପଥରର ବିଗ୍ରହ ବିରାଜମାନ କରିବେ । ଏଥିପାଇଁ ତିନିଜଣ ଶିଳ୍ପୀଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ହୋଇଛି; ସେମାନଙ୍କ ମଧ୍ୟରୁ ସୁନ୍ଦର ବିବେଚିତ ହୋଇ ବିଗ୍ରହ ଗର୍ଭଗୃହରେ ପୂଜିତ ହେବେ । ୧୯୪୯ ଡିସେମ୍ବର ୨୨-୨୩ ରାତ୍ରିରେ ବାବରୀ ଢ଼ାଞ୍ଚା ମଧ୍ୟରେ ପ୍ରକଟ ହୋଇଥିବା ୬ ଡିସେମ୍ବର ୯୨ ପରଠାରୁ ତମ୍ବୁରେ ବିରାଜମାନ କରିଥିବା ରାମଲାଲା ଏବଂ ଲକ୍ଷ୍ମଣ ଲାଲ, ଭରତଲାଲ, ଶତ୍ରୁଘ୍ନ ଲାଲଙ୍କର ମୂର୍ତ୍ତି ମୁଖ୍ୟମନ୍ଦିରରେ ବିରାଜମାନ କରିବେ । ମନ୍ଦିରର ଦ୍ୱିତୀୟ ମହଲାରେ ରାମ ଦରମାରଙ୍କର ମୂର୍ତ୍ତି ରହିବେ । ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଯଥାଯୋଗ୍ୟ ଦେବଦେବୀ ମାନଙ୍କର ବିଗ୍ରହ ବିରାଜମାନ କରିବେ । ମନ୍ଦିରର ପ୍ରଥମ ତାଲାରେ ଥିବା ୧୬୬ଟି ସ୍ତମ୍ଭମାନଙ୍କରେ ବିଭିନ୍ନ ଦେବଦେବୀ, ଦେବକନ୍ୟା, ନାଗକନ୍ୟା, ନୃତ୍ୟାଙ୍ଗନା ଆଦିଙ୍କର ମୂର୍ତ୍ତି ଖୋଦେଇ କରାଯାଉଅଛି ।
ପ୍ରାଣପ୍ରତିଷ୍ଠା
ମନ୍ଦିରମାନଙ୍କର ଯେଉଁସବୁ ବିଗ୍ରହମାନେ ପୂଜିତ ହୁଅନ୍ତି ସେ ସମସ୍ତ ବିଗ୍ରହ ପାଷାଣ ନିର୍ମିତ ହେଲେ ମଧ୍ୟ ମନ୍ତ୍ର ଦ୍ୱାରା ସେହି ବିଗ୍ରହମାନଙ୍କରେ ଜୀବନ୍ୟାସ କରାଯାଇଥାଏ । ପ୍ରାଣ- ଅର୍ଥାତ୍ ଜୀବନ ପ୍ରଦାନ କରାଯାଇଥାଏ । ପ୍ରାଣପ୍ରତିଷ୍ଠା ପରେ ସାମାନ୍ୟ ବିଗ୍ରହ ପ୍ରାଣବନ୍ତ ହୋଇଉଠନ୍ତି ଏବଂ ସମସ୍ତେ ତାଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି । ସେହି ହିସାବରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହରେ କମଳ ପୁଷ୍ପ ଉପରେ ଦଣ୍ଡାୟମାନ ହୋଇଥିବା ରାମଲାଲାଙ୍କର ବାଳକ ଅବସ୍ଥାର ଶ୍ରୀ ବିଗ୍ରହ ବିରାଜମାନ କରିବେ । ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଏହି ବିଗ୍ରହଙ୍କର ଉଚ୍ଚତା ୫୧ ଇଞ୍ଚ ରହିବ । ପଦ୍ମଫୁଲ ଉପରେ ଲାବଣ୍ୟମୟୀ ଦଣ୍ଡାୟମାନ ଶ୍ରୀ ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ନିମନ୍ତେ ବିକ୍ରମ ସମ୍ବତ୍ ୨୦୮୦ ପୌଷ ଶୁକ୍ଳ ଦ୍ୱାଦଶୀ ତିଥି ସୋମବାର ତଦନୁସାରେ ୨୦୨୪ ଜାନୁଆରୀ ୨୨ ତାରିଖ ଦ୍ୱିପ୍ରହର ୧୨ଟା ୨୯ ମିନିଟ୍ ୮ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ହେବ । ଏହି ୮୪ ସେକେଣ୍ଡ ମଧ୍ୟରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ମୃଗଶିରା ନକ୍ଷତ୍ର ଅଭିଜିତ୍ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା କରଯିବ । ଜାନୁଆରୀ ୧୫ ତାରିଖ ଦିନ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନା କରାଯିବ । ସେହିଦିନ ମକର ସଂକ୍ରାନ୍ତି ଉତ୍ତରାୟଣ ଆରମ୍ଭ ହେବ । ୧୬ରେ ଅଧିବାସ ଏବଂ ୧୭ରେ ନଗର ଭ୍ରମଣ । ୧୮ ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ବିଧି ପ୍ରାରମ୍ଭ ହେବ । ୧୯ ତାରିଖ ଦିନ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନା, ୨୦ରେ ୮୧ କଳସ ସରଯୂ ଜଳରେ ଗର୍ଭଗୃହକୁ ଧୁଆଯିବା ପରେ ୨୧ ତାରିଖରେ ୧୨୫ କଳସ ତୀର୍ଥ ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବ ଏବଂ ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବ ।
୧୫୨୮ ଖ୍ରୀ. ବାବର ସମୟଠାରୁ ଆରମ୍ଭ କରି ଇଂରେଜ ସମୟ ପର୍ଯ୍ୟନ୍ତ ସଂଘର୍ଷର ଦୀର୍ଘ ୫୦୦ ବର୍ଷର ଆନ୍ଦୋଳନର ସୁଫଳ ଆଦି ମିଳିବାକୁ ଯାଉଛି । ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ କରକମଳରେ ପ୍ରାଣ ପ୍ରତିଷ୍ଠା ହେବାର ଶୁଭଘଡ଼ି ଆସିଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସରସଂଘଚାଳକ ମାନନୀୟ ମୋହନଜୀ ଭାଗବତ ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଉପସ୍ଥିତ ରହିବେ । ସାଂସ୍କୃତିକ ସ୍ୱତନ୍ତ୍ରତାର ଏହି ପାବନ ପର୍ବରେ ଦେଶର ପ୍ରାୟ ସମସ୍ତ ମତ ପନ୍ଥ ସମ୍ପ୍ରଦାୟର ଚାରି ହଜାର ସାଧୁସନ୍ଥ, କ୍ରୀଡ଼ା, କଳା, ସିନେମା, ସାମାଜିକ ଆଦି ବିଭିନ୍ନ କ୍ଷେତ୍ରର ଶୀର୍ଷ ସ୍ଥାନୀୟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖମାନଙ୍କୁ ମଧ୍ୟ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଦେଶ ତଥା ବିଦେଶରେ ଉତ୍ସାହ ଉଦ୍ଦୀପନା ପ୍ରତିଦିନ ନୂଆ ନୂଆ ରୂପରେ ଦେଖାଯାଉଛି ।
 

Flip Book Link: https://demo.rastradeep.com/flip.aspx?fid=209

Related Post