Latest News

ଦିବ୍ୟ ପ୍ରେରଣାର ଭବ୍ୟ ମନ୍ଦିର

ରାଷ୍ଟ୍ରଦୀପ 15/01/2024ବିଚାର

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଓ ସେଠାରେ ରାମଲାଲାଙ୍କ ବିଗ୍ରହର ପ୍ରତିଷ୍ଠା ଦୀର୍ଘ ଦିନ ଧରି ଚାଲିଥିବା ମାନସ ମନ୍ଥନରୁ ଉତ୍ପନ୍ନ ଏକ ଅମୃତ କଳସ, ଯାହାକି ଭାରତବର୍ଷକୁ ନବସଞ୍ଜିବନୀ ପ୍ରଦାନ କରି ପୁନର୍ଜାଗ୍ରତ କରିଛି । ଅତୀତକୁ ସିଂହାବଲୋକନ କରିବା ତ, ଏହି ପ୍ରସଙ୍ଗରେ ଏକ-ରାଷ୍ଟ୍ର ଭାବରେ କ୍ରମାନ୍ୱୟରେ ଭାରତ ବିକାଶର ସୋପାନକୁ ଚଢି ଚାଲିଛି । ଏହି ବିକାଶ ହେଉଛି ନିୟତି ନିର୍ଦ୍ଧାରିତ ଏକ ଆଲୋକିତ ପର୍ବର ଆଗମନର ଶୁଭ ସଙ୍କେତ । ପ୍ରଭୁଙ୍କ ଆଗମନର ସମୟ ଯେତେ ଯେତେ ନିକଟତର ହୋଇଛି ଭାରତ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିବାରେ ସମର୍ଥ ହେଉଛି । ଏହା ଆମ ପାଇଁ ଗର୍ବର ବିଷୟ ଯେ, ସମସ୍ତଙ୍କ ସହଯୋଗ ଓ ସହଭାଗିତା ଫଳରେ ଶ୍ରୀରାମଙ୍କର ଦିବ୍ୟ ଆଦର୍ଶର ଏକ ଭବ୍ୟ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । 

ଯୁଗ ଯୁଗ ଧରି ମନ୍ଦିର ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହୋଇ ଦଣ୍ଡାୟମାନ ହୋଇ ଏକ ପ୍ରେରଣାର ସ୍ରୋତ ତଥା ଶକ୍ତିସ୍ଥଳ ଭାବରେ ଭାରତୀୟ ସମାଜକୁ ଜାଗ୍ରତ ଓ ସମୃଦ୍ଧ କରିଆସିଛି । ଏହା ବିଜ୍ଞାନ ସିଦ୍ଧ ଯେ ଉପଯୁକ୍ତ ବାସ୍ତୁଶାସ୍ତ୍ର ଆଧାରରେ ନିର୍ମିତ ହୋଇଥିବା ଯେକୌଣସି ସ୍ଥଳରୁ ଯେତେବେଳେ ନିରନ୍ତର ସକାରାତ୍ମକ ବିଚାରର ପ୍ରବାହ ହୋଇଥାଏ ଓ ମନ୍ତ୍ରର ଉଚ୍ଚାରଣ ହୋଇଥାଏ, ସେଠାକାର ଧ୍ୱନି ତରଙ୍ଗରେ ଅପର୍ଯ୍ୟାପ୍ତ ଶକ୍ତି ସଞ୍ଚାର ହୋଇଥାଏ । ଏଣୁ ଉକ୍ତ ସ୍ଥାନଟି ସ୍ୱତଃ ଏକ ଶକ୍ତିକେନ୍ଦ୍ରରେ ପରିଣତ ହୋଇ ଅସୀମ ଶକ୍ତି ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହୋଇଥାଏ । ଆମେ ଜାଣୁ, ଶକ୍ତିର କ୍ଷୟ ନାହିଁ କି ବିନାଶ ମଧ୍ୟ ନାହିଁ, ତାହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ । ଏଣୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତବର୍ଷ ଏବଂ ବିଶ୍ୱ ପାଇଁ ନିଶ୍ଚିତ ଭାବରେ ଶକ୍ତିର ଉତ୍ସ ସାବ୍ୟସ୍ଥ ହେବ । ଶ୍ରୀରାମଙ୍କୁ ଆମେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଆଖା ଦେଇଥାଉ । ଭଗବାନ ବିଷ୍ଣଙ୍କର ଗୋଟିଏ ଅବତାର ହୋଇଥିଲେ ମଧ୍ୟ ଶ୍ରୀରାମ ତାଙ୍କ ସମୟ କାଳ ମଧ୍ୟରେ ମାନବ ସମାଜ ପାଇଁ ଦେଇଛନ୍ତି ଏକ ଅମୂଲ୍ୟ ଦିଗ୍‌ଦର୍ଶନ । ଜଣେ ଆଦର୍ଶ ସନ୍ତାନ ଭାବରେ ପିତାମାତାଙ୍କ ପ୍ରତି ଅନାବିଳ ସ୍ନେହ ଓ ନିରଳସ ଭକ୍ତି ବର୍ତ୍ତମାନ ଯୁଗର ସନ୍ତାନ ସନ୍ତତିଙ୍କ ପାଇଁ ଅନୁକରଣୀୟ । ତାଙ୍କର ଅନନ୍ୟ ଗୁରୁଭକ୍ତି, ବନ୍ଧୁବତ୍ସଳ ସ୍ୱଭାବ, ଭ୍ରାତୃପ୍ରୀତି, ସତ୍ୟାନୁରାଗୀ ପ୍ରବୃତ୍ତି, ଦୃଢ଼ସଂକଳ୍ପ, କର୍ତ୍ତବ୍ୟପରାୟଣତା, ନମ୍ର ଓ ଶାନ୍ତ ଆଚରଣ ଓ ବୀରତ୍ୱ, ରାମାୟଣର ପ୍ରତି ଛନ୍ଦେ ଛନ୍ଦେ ଆମମାନଙ୍କୁ ପ୍ରେରଣା ଦେଇଆସିଛି । ପ୍ରଭୁଙ୍କର ନିଷାଦରାଜଙ୍କ ସହ ମିତ୍ର୍ରତା, ଶବରୀ ମାତାଙ୍କ ହାତରୁ ଅଇଁଠା ଫଳ ଭକ୍ଷଣ, ବାନର ଓ ବନବାସୀଙ୍କୁ ପ୍ରାଣଠାରୁ ଅଧିକ ପ୍ରେମ କରିବା ତତ୍କାଳୀନ ସମାଜରେ ପ୍ରତିଷ୍ଠିତ ସାମାଜିକ ସମରସତାର ଏକ ଜ୍ୱଳନ୍ତ ଉଦାହରଣ । ଗୋ

ଟିଏ ପାଶ୍ୱର୍ରେ ନିଜର ବିନମ୍ରତା ପାଇଁ ପ୍ରଶଂସିତ ହେଉଥିବା ବେଳେ ଅନ୍ୟ ପାଶ୍ୱର୍ରେ ଋଷି-ମୁନିଙ୍କ ଯଜ୍ଞରକ୍ଷା ନିମିତ୍ତ ଅରଣ୍ୟକୁ ରାକ୍ଷସମୁକ୍ତ କରିବା ଥିଲା ତାଙ୍କ ବ୍ୟକ୍ତିତ୍ୱର ପରିଚୟ । ଈଶ୍ୱରଙ୍କ ଅବତାର ହୋଇ ପ୍ରଭୁ ସକଳ ସ୍ୱର୍ଗୀୟ ସୁଖ ସ୍ୱାଚ୍ଛନ୍ଦକୁ ଏଡ଼ାଇ ବରି ନେଇଥିଲେ ସାଧନାର କଣ୍ଟକିତ ପଥ । ମାତା ଅହଲ୍ୟାଙ୍କୁ ଶାପମୁକ୍ତ କରିବା ପ୍ରସଙ୍ଗ ହେଉ ଅଥବା ପତ୍ନୀ ସୀତାଙ୍କୁ ରାବଣଠାରୁ ଉଦ୍ଧାର କରିବା କାର୍ଯ୍ୟ ହେଉ ବା କୁମନ୍ତ୍ରଣାଦାତ୍ରୀ ମନ୍ଥରାଙ୍କୁ ମାତା ସମ୍ବୋଧନ କରି କୋଳଇ ନେବା ଏବଂ କୈକେୟୀଙ୍କ ବନବାସ ଇଚ୍ଛାକୁ ଜଗତ କଲ୍ୟାଣର ମାର୍ଗ କହି ସେ ନାରୀ ଜାତିକୁ ଦେଇଛନ୍ତି ଯଥେଷ୍ଟ ସମ୍ମାନ । 

ଶ୍ରୀରାମଙ୍କ ଚରିତ୍ରର ବିଶେଷତ୍ୱ ଏହି ଯେ ସେ ମହାପରାକ୍ରମୀ ବାନର ରାଜା ବାଳୀକୁ ବଧ କରିବା ପରେ ତା’ର ରାଜ୍ୟକୁ ନିଜେ ଅଧିକାର ନକରି ସେଠାରେ ସୁଗ୍ରୀବଙ୍କୁ ରାଜା କରାଇଥିଲେ । ରାବଣ ବଧ ପରେ ସ୍ୱର୍ଣ୍ଣମୟୀ ଲଙ୍କାକୁ ବିଭୀଷଣ ହାତରେ ସମର୍ପି ଦେଇଥିଲେ । ଏପରିକି ବନଗମନ ସମୟରେ ଯେଉଁ ଅଞ୍ଚଳରୁୁ ରାକ୍ଷାସଙ୍କୁ ନିପାତ କରିଥିଲେ ତାହାକୁୁ ସେଠାକାର ଲୋକଙ୍କ ହାତରେ ଅର୍ପଣ କରି ଆଗକୁ ବଢ଼ିଥିଲେ । ବାସ୍ତବରେ ଏହା ହିଁ ଭାରତୀୟ ସଂସ୍କୃତିର ବୈଶିଷ୍ଟ । ଭାରତ ଯେଉଁଠାକୁ ଯାଇଛି ଆଧିପତ୍ୟ ବିସ୍ତାର ପାଇଁ ନୁହେଁ ବରଂ ତା’ର ଜ୍ଞାନ ଗାରିମାର ସୁଗନ୍ଧରେ ଉକ୍ତ ଅଞ୍ଚଳକୁ ସୁଗନ୍ଧିତ କରି ଆସିଛି । ଜଣେ ନୀତନିିଷ୍ଠ ରାଜା ଭାବରେ ତାଙ୍କ ପ୍ରତିଷ୍ଠିତ ରାମରାଜ୍ୟ ଆଜି ମଧ୍ୟ ଶାସକମାନଙ୍କ ପାଇଁ ଅନୁକରଣୀୟ । ଶ୍ରୀରାମଙ୍କୁ ଆମେ ଆଦର୍ଶ ମନେକରୁ କାରଣ ତାଙ୍କ ଜୀବନରେ ଚମତ୍କାରିତା ନଥିଲା, ଥିଲା ବାସ୍ତବ ଜୀବନ ଜୀଇଁବାର ସଂକଳ୍ପନା । ଅଧର୍ମ ଉପପରେ ଧର୍ମର ଜୟ ହେବାର ଦୃଢ଼ ପ୍ରତିଜ୍ଞା । ପ୍ରତିଟି ସମ୍ପର୍କରେ ସେ ଉପଯୁକ୍ତ ବିବେକ ଓ ବୁଦ୍ଧିରେ ଯେଉଁ କାର୍ଯ୍ୟମାନ କରିଛନ୍ତି ସେସବୁ ହିଁ ତାଙ୍କୁ ସ୍ୱତଃ ଆଦର୍ଶ କରି ଗଢ଼ିତୋଳିଛି । ତାଙ୍କର ଜନ୍ମଭୂମି ପ୍ରତି ଅପ୍ରତିମ ମୋହ ହିଁ ଆଜି ଅଗଣିତ ନରନାରୀଙ୍କୁ ରାଷ୍ଟ୍ରପ୍ରେମରେ ଉଦ୍‌ବୁଦ୍ଧ କରୁଛି ।
ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶ ବିଭୋର ଓ ଉତ୍ସାହିତ । ପ୍ରଭୁଙ୍କ ଆଗମନ ମାଧ୍ୟମରେ ଭାରତ ଆଜି ତା’ର ସ୍ୱର୍ଣ୍ଣିମ ଅତୀତକୁ ଫେରିଯିବା ଭଳି ମନେହୁଏ । ଅତୀତରୁ ଏଯାଏଁ ରାମମନ୍ଦିର ଆନ୍ଦୋଳନରେ ଆତ୍ମୋତ୍ସର୍ଗ କରିଥିବା ବୀରପୁତ୍ର, ସହଯୋଗର ହାତ ବଢ଼ାଇଥିବା ପ୍ରତିଟି ସତ୍ତା ଓ ସଦିଚ୍ଛା, ଶୁଭକାମନା ଅଜାଡ଼ି ଥିବା ପ୍ରତିଟି ଜନଗଣଙ୍କ ତ୍ୟାଗପୂତ ସଂଗ୍ରାମ ଓ ନିରବଚ୍ଛିନ୍ନ ସାଧନାର ସ୍ୱରୂପ ହେଉଛି ଆଜିର ଭବ୍ୟ ମନ୍ଦିର । ଏହି ଭବ୍ୟ ମନ୍ଦିର ଯୁଗ ଯୁଗ ପାଇଁ ଏକ ପ୍ରେରଣାର କେନ୍ଦ୍ର ହେଉ ଏହା ହିଁ ଆଜିର ରାମମୟ ବିଭୋର ମୁହୂର୍ତ୍ତର ମହାବାର୍ତ୍ତା ।
 

Flip Book Link: https://demo.rastradeep.com/flip.aspx?fid=209

Related Post