Latest News

ପ୍ରଶ୍ନଘେରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଚିତ୍ତରଞ୍ଜନ ମହାପାତ୍ର 08/01/2024ବିଚାର

ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର । ଭାରତର ଚାରିଧାମ ମଧ୍ୟରୁ ଅନ୍ୟତମ । ଏହା ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର ଆଦି ନାମରେ ପରିଚିତ । ଏହାର ମାଟି, ପାଣି, ପବନ ସବୁଠି ଭରି ରହିଛି ପବିତ୍ରତା ଓ ଆତ୍ମିୟତାର ସୁଗନ୍ଧ । ଏହାର ପବିତ୍ର ଭୂମିର ଗୌରମୟ ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ସାରା ବିଶ୍ୱରୁ କେବଳ ପର୍ଯ୍ୟଟନ ସ୍ଥଳ ପାଇଁ ନୁହେଁ, ଅଧିକନ୍ତୁ ଉପାସନା ପାଇଁ ମଧ୍ୟ ଭକ୍ତମାନେ ଏହି ସ୍ଥାନକୁ ଆସିଥାନ୍ତି । ସବୁ ମତ, ପନ୍ଥ, ସମ୍ପ୍ରଦାୟକୁ ଏ ମାଟି ଅତୀତରେ ଆପଣାଇଥିଲା  ଆଜି ବି ଆପଣାଇଛି । ସବୁ ମତ, ପନ୍ଥ, ବିଶ୍ୱାସ ଏଇଠି ଠୁଳ ହୋଇଛି । ଏ ମାଟିକୁ ପୁଣ୍ୟ ବୃନ୍ଦାବନ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ହେଉ, କି ବିଭିନ୍ନ ପର୍ବପର୍ବାଣି ହେଉ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗି ରହିଥାଏ ଏହି ପୁଣ୍ୟ ଧାମରେ । ଶ୍ରୀଜୀଉମାନଙ୍କୁ ଟିକିଏ ଦର୍ଶନ କଲେ ଭକ୍ତ ମନରେ ଯେଉଁ ଅପାର ଆନନ୍ଦ ଓ ଶାନ୍ତି ଅନୁଭବ ହୁଏ ଭକ୍ତ ଭୁଲିଯାଏ ଜୀବନର ସବୁ ଅବସୋସ ଓ ଅବସାଦ । କୌଣସି ବି ଅପରିଚିତ ବ୍ୟକ୍ତି ଅନ୍ୟ ଜଣଙ୍କ ପାଟିରେ ମହାପ୍ରସାଦ ଟିକିଏ ଦେଇଥିଲେ ସେ ପାଲଟିଯାଏ ତା’ର ଆତ୍ମୀୟ, ଭାଇବନ୍ଧୁ  ଅବା ସହୋଦର, ମନରୁ କଳୁଷ କାଳିମାର ଭାବ ହଟିଯାଏ; ଯାହାକୁ  ଚଳନ୍ତି ପରମ୍ପରାରେ କୁହାଯାଏ ମହାପ୍ରସାଦ ଦିଆ ବନ୍ଧୁ ବା ମାହାର୍ଦ୍ଦିଆ  ବନ୍ଧୁ । ଜଗନ୍ନାଥ, ଗୃହର ଇଷ୍ଟଦେବ ଓ ମଉଳା ନିମନ୍ତ୍ରଣ ଦେଇସାରିବା ପରେ ପ୍ରତି ଶୁଭ କାର୍ଯ୍ୟରେ ଏହି ମହାପ୍ରସାଦଦିଆ ବନ୍ଧୁଙ୍କ ନିମନ୍ତ୍ରଣ ପାଳି ପଡ଼େ ।  ପୁରୀ ଧାମ ହେଉଛି ମୁକ୍ତିଧାମ । ସେଠି ସ୍ୱର୍ଗ ଦ୍ୱାର ଅଛି, ଜଗା ଓଡ଼ିଶାର ନରନାରୀଙ୍କ ନାଡ଼ିର ସ୍ପନ୍ଦନ ଓ ମମତାର ବନ୍ଧନ । ଜଗନ୍ନାଥଙ୍କ ପ୍ରତି ରହିଥିବା ଆସକ୍ତି ଅନୁରକ୍ତିର ସୁଯୋଗ ନେଇ ଓଡ଼ିଶାର ତଥା ଓଡ଼ିଶା ବାହାରର ଅନେକ ଲେଖକ, କଳାକାର, କବି ସେମାନଙ୍କର ଲେଖନୀକୁ ରୁଦ୍ଧିମନ୍ତ କରିଛନ୍ତି । ଜଗନ୍ନାଥ ମନ୍ଦିରରେ ହିନ୍ଦୁ ମାତ୍ରକେ ସମସ୍ତଙ୍କର ସାମୂହିକ ପ୍ରବେଶ ଅଧିକାର ସାଙ୍ଗକୁ ଏକତ୍ର ମହାପ୍ରସାଦ ସେବନର ଗରିମାମୟ ପରମ୍ପରା  ମନ୍ଦିର ନିର୍ମାଣ ହେବାଠାରୁ  ଆଜି ପର୍ଯ୍ୟନ୍ତ ରହିଆସିଛି । ଏହା ସାମାଜିକ ସମରସତାର ଏକ କାଳଜୟୀ ଆଲେଖ୍ୟ କହିଲେ ଅତୁକ୍ତି ହେବନାହିଁ । 
ପୁରୀକୁ ଏବେ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିବା ପାଇଁ ରାଜ୍ୟ ସରକାର ବଡ଼ ବଡ଼ ପ୍ରକଳ୍ପ ହାତକୁ ନେଇଛନ୍ତି । ଆହୁରି ଅନେକ କାର୍ଯ୍ୟ କରିବାକୁ କହୁଛନ୍ତି । ତେବେ ସବୁଠୁ ଆଲୋଚନାର ବିଷୟବସ୍ତୁ ହେଉଛି- ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମ

ପ୍ରକଳ୍ପ । ସମ୍ପ୍ରତି ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ତାରିଖ ଜାନୁଆରୀ ୧୭କୁ ଧାର୍ଯ୍ୟ କରିଛନ୍ତି । ଏହି ଅବସରରେ ସାରା ରାଜ୍ୟର ପୁରପଲ୍ଲୀରେ ଜଗନ୍ନାଥଙ୍କ ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାନୁଆରୀ ୧୨ ତାରିଖରୁ ଶ୍ରୀମନ୍ଦିରର ଐଶାନ୍ୟ କୋଣର ହୋମ, ଯଜ୍ଞ କର୍ମ ଆଦି ଅନୁଷ୍ଠିତ ହେବ । ସେହିଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗୁଆ ବରଣ, ସନ୍ଧ୍ୟା ୬.୩୦ରୁ ରାତି ୮ଟା ମଧ୍ୟରେ ଅଙ୍କୁରାରୋପଣ ସମ୍ପନ୍ନ ହେବ । ପରଦିନ ସକାଳ ୭ଟାରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ମଣ୍ଡଳପୂଜନ, ବ୍ରାହ୍ମଣବରଣ, ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ, ବାୟୁ ଶୋଧନ, ଅଧିବାସ, ଫଳକ ଲୋକାର୍ପଣ, ଆରତି, ପୁଷ୍ପାଞ୍ଜଳି ଆଦି ନିର୍ଦ୍ଦିଷ୍ଠ ସମୟରେ ୧୭ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଅବସରରେ ଶ୍ରୀମନ୍ଦିରର ଚାରି ଦ୍ୱାରରେ ବେଦପାଠ କରାଯିବ । ସିଂହ ଦ୍ୱାରରେ ଋକ୍‌ବେଦ, ପଶ୍ଚିମ ତଥା ବାଘ  ଦ୍ୱାରରେ ସାମବେଦ, ଦକ୍ଷିଣ ତଥା ଘୋଡ଼ା ଦ୍ୱାରରେ ଯଜୁର୍ବେଦ, ଉତ୍ତର ତଥା ହାତୀ ଦ୍ୱାରରେ ଅଥର୍ବ ବେଦ ପାଠ କରାଯିବ । ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରୁ ସଂକୀର୍ତ୍ତନ ମଣ୍ଡଳୀ ଆସି ଏହି କାର୍ଯ୍ୟକ୍ରମରେ ଭାଗନେବେ । ଉତ୍କଳର କଳା, ସଂସ୍କୃତି ତଥା ମହାପ୍ରଭୁଙ୍କର  ସମ୍ପର୍କରେ ଜାଣିବା ନିମନ୍ତେ ଓଡ଼ିଶା ବାହାରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ ।  ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଯେଉଁଭଳି କରାଯାଇଥିଲା, ପ୍ରତିଷ୍ଠା ଉତ୍ସବ ଆହୁରି ଆକର୍ଷଣୀୟ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ପ୍ରତିଷ୍ଠା ଉତ୍ସବକୁ ଶୃଙ୍ଖଳିତ, ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । 

ସମ୍ପ୍ରତି ଜାନୁଆରୀ ୨୨ ତାରିଖ, ପୌଷମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ, ସୋମବାର ଦିନ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଠାରେ ପ୍ରଭୁ ରାମଲାଲାଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ନେଇ ସମଗ୍ର ଦେଶର ହିନ୍ଦୁ ସମାଜ ଚଳଚଞ୍ଚଳ । ଏହି ମହାସ୍ରୋତରେ ସାମିଲ ନହୋଇ  ଅନୁରୂପ ଭାବେ ଓଡ଼ିଶା ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତାରିଖ ଘୋଷଣା କରି  ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଏହି ପ୍ରକଳ୍ପ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜ୍ୟ ସରକାର ନିରୁତ୍ତର ଥିବାବେଳେ ତରବରିଆ ଭାବେ ପ୍ରକଳ୍ପଟିର ଉଦ୍‌ଘାଟନ ଓଡ଼ିଶାର ଜଗନ୍ନାଥପ୍ରେମୀମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି  ।
 

Flip Book Link: https://demo.rastradeep.com/flip.aspx?fid=208

Related Post