Latest News

ଭାରତୀୟ ସମାଜ ଓ ସାମାଜିକ ସମରସତା

ଅକ୍ଷୟ ପ୍ରସାଦ ବିଶ୍ୱାଳ 08/01/2024ମୁଖ୍ୟ ପ୍ରସଙ୍ଗ

 ସାମାଜିକ ସମରସତା କହିଲେ ସାଧାରଣ ଲୋକେ ଟିକେ ଦ୍ୱନ୍ଦ୍ୱରେ ପଡନ୍ତି, ଏହାର ଅର୍ଥ କ’ଣ କିଛି ବୁଝିପାରନ୍ତି ନାହିଁ । ଏ କଥାଟିକୁ ଏକ ଛୋଟ ଉଦାହରଣ ସାହାଯ୍ୟରେ ଆମେ ଅତି ସହଜରେ ବୁଝିପାରିବା । ଚିନି, ଲୁଣ, ଲେମ୍ବୁ ଓ ପାଣିକୁ ନେଇ ଗୋଟିଏ ଗ୍ଲାସରେ ଗୋଳେଇ ଦେଲେ ସର୍ବତ ପ୍ରସ୍ତୁତ ହୋଇଯାଏ । ଉପରକୁ ଖାଲି ପାଣି ଦେଖାଯାଉଥିଲେ ମଧ୍ୟ ଏହାକୁ ପିଇଲେ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗେ । ଏହି ସର୍ବତର ପ୍ରେତ୍ୟେକ ବୁନ୍ଦାର ସ୍ୱାଦ ସମାନ ଲାଗେ । ଏହି ସମାଜର ପ୍ରତ୍ୟେକ ବର୍ଗ ହେଉଛନ୍ତି ଚିନି, ଲୁଣ, ଲେମ୍ବୁ ଓ ପାଣି ସଦୃଶ । ସର୍ବତ ହେଉଛି ସମରସ ଓ ଗ୍ଳାସ ହେଉଛି ଏହି ସମାଜ ଅର୍ଥାତ ଆମ ସମାଜରେ ବାସ କରୁଥିବା ପ୍ରତ୍ୟେକ ବର୍ଗର ଲୋକମାନେ ପରସ୍ପର ଏପରି ମିଳିମିଶି ରହିବେ ଯେ ଯେପରି ସେମାନଙ୍କ ଭିତରେ ଥିବା ଭିନ୍ନତା ଜଣାଯିବନି ଓ ସମସ୍ତଙ୍କର ସହଯୋଗରେ ସମାଜରେ ଏକ ସୁଖକର ପରିବେଶ ଅନୁଭୂତ ହେଉଥିବ । ସମରସତା କଥା ସେତେବେଳେ ଉଠେ ଯେତେବେଳେ ଜାତି, ଧର୍ମ, ବର୍ଣ୍ଣ, ମତ, ପନ୍ଥ ଓ ସଂପ୍ରଦାୟ ଆଦିକୁ ନେଇ ସମାଜରେ ବିଦ୍ୱେଷ ଓ ଘୃଣାଭାବ ସୃଷ୍ଟି କରାଯାଏ । ଜାତି ଧର୍ମ ଓ ବର୍ଣ୍ଣ ମଧ୍ୟରେ ଆମର ସ୍ପଷ୍ଟତା ନଥିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ । ତେଣୁ ଏ ବିଷୟରେ ଆମ ସମାଜର ପ୍ରତ୍ୟେକ ବର୍ଣ୍ଣ, ଜାତିର ଲୋକମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ଅଛି । 

ସମାଜରେ ବସବାସ କରୁଥିବା ସମସ୍ତ ଜାତି ବା ବର୍ଣ୍ଣର ଲୋକମାନେ ଯେ ଏ ସମାଜର ଅବିଚ୍ଛେଦ୍ୟ ଅଙ୍ଗ, ସର୍ବପ୍ରଥମେ ଏ କଥାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ । ଆମ ଶରୀରରେ ଯେ କୌଣସି ଅଙ୍ଗରେ ସମସ୍ୟା ହେଲେ ଯେପରି ସମସ୍ତ ଶରୀରକୁ ପୀଡା ଅନୁଭୂତ ହୁଏ ଓ ଅନ୍ୟ ଅଙ୍ଗମାନେ ମଧ୍ୟ ସେହି ପୀଡିତ ଅଙ୍ଗଟିକୁ ଯଥାସାଧ୍ୟ ସାହାଯ୍ୟ ଓ ସମବେଦନା ଜଣାଇଥାନ୍ତି । ଯେମିତି ପାଦ ଝୁଣ୍ଟି ପଡିଲେ ପାଟିରୁ ସ୍ୱତ ଓଃ.. ବାହାରି ଆସେ ଓ ହାତ ସଙ୍ଗେ ସଙ୍ଗେ ପାଦର ସେବାରେ ଲାଗିଯାଏ, ଆଖି ମଧ୍ୟ ସମବେଦନା ଜଣାଇ ଲୁହ ଝରାଏ; ଠିକ ସେହିପରି ସମାଜରେ ଯେକୌଣସି ଜାତି ବା ବର୍ଣ୍ଣ ପ୍ରତି ବିପଦ ପଡିଲେ ଅନ୍ୟ ବର୍ଣ୍ଣର ଲୋକମାନେ ଉକ୍ତ ବର୍ଣ୍ଣକୁ ସାହାଯ୍ୟ ଓ ସହାନୁଭୂତି ଜଣାଇବା ଉଚିତ, ଫଳରେ ସମାଜର ସାମଗ୍ରିକ ଉନ୍ନତି ହୋଇପାରିବ, ନଚେତ ସମାଜରେ ତାରତମ୍ୟତା ବୃଦ୍ଧି ପାଇବ । ଏହି ତାରତମ୍ୟତା ଭବିଷ୍ୟତରେ ଘୃଣା ବିଦ୍ୱେଷ ଓ ହିଂସା ପାଇଁ ଦାୟୀ ହୋଇଥାଏ । ଏଥିପ୍ରତି ସମସ୍ତେ ସତର୍କ ରହିବାର ଆବଶ୍ୟକତା ଅଛି । ଶରୀର ରୂପୀ ଏ ସମାଜ ସେତେବେଳେ ସୁସ୍ଥ ହେବ ଯେତେବେଳେ ଏହାର ପ୍ରତ୍ୟେକ ବର୍ଣ୍ଣର ଲୋକମାନେ ସୁଖ ସ୍ୱାଚ୍ଛନ୍ଦରେ ରହିବେ ନଚେତ ଏ ସମାଜ ପଙ୍ଗୁ ହୋଇଯିବ ।  ଏହି ବର୍ଣ୍ଣ ବ୍ୟବସ୍ଥାକୁ ବୁଝିବାକୁ ହେଲେ ଏହାର ମୂଳକୁ ଯିବାକୁ ହେବ । ସମାଜକୁ ସୁସଂହତ କରି ଗଢିବାକୁ ଯୋଗ୍ୟତା ଓ ଦକ୍ଷତା ଆଧାରରେ ବୃତ୍ତିମାନ ବଣ୍ଟାଯାଇଥିଲା । ଯେଉଁମାନେ ବିଦ୍ୟାଦାନ, ପୂଜା, ଯଜ୍ଞ ଆଦି କାର୍ଯ୍ୟ କଲେ ସେମାନଙ୍କୁ ବ୍ରାହ୍ମଣ, ଯେଉଁମାନେ ରାଜ୍ୟ ଶାସନ, ପ୍ରଜା ସୁରକ୍ଷା କାର୍ଯ୍ୟ କଲେ ସେମାନଙ୍କୁ କ୍ଷତ୍ରିୟ, ଯେଉଁମାନେ କୃଷି, ଗୋପାଳନ ଓ ବାଣିଜ୍ୟ ଆଦି କାର୍ଯ୍ୟ କଲେ ସେମାନଙ୍କୁ ବୈଶ୍ୟ ଓ ଯେଉଁମାନେ ଅନ୍ୟାନ୍ୟ ସେବା କାର୍ଯ୍ୟ କଲେ ସେମାନଙ୍କୁ ଶୂଦ୍ର କୁହାଗଲା । ଏସବୁ ବିଭାଗୀକରଣ କେବଳ ଯୋଗ୍ୟତା ଓ ଦକ୍ଷତା ଆଧାରରେ ହୋଇଥିଲା, କାଳକ୍ରମେ ଏହା କୌଳିକ ବୃତ୍ତି ଭାବରେ ଗଡି ଚାଲି ଜାତିରେ ପରିଣତ ହୋଇଗଲା ଓ ସମାଜରେ ମୂଳତଃ ଚାରୋଟି ବର୍ଣ୍ଣ ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ସୃଷ୍ଟି ହେଲା । ଅନ୍ୟ ଏକ ଅବଧାରଣା ଅନୁସାରେ ଭଗବାନଙ୍କ ମସ୍ତକରୁ ବ୍ରାହ୍ମଣ, ହାତରୁ କ୍ଷତ୍ରିୟ, ଜଙ୍ଘରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଜାତିର ସୃଷ୍ଟି ହୋଇଛି । ଯଦି ତାହାକୁ ମାନିନିଆଯାଏ ତ ସବୁ ବର୍ଣ୍ଣର ଲୋକେ ଭଗବାନଙ୍କ ଅଂଶ । ଆଉ ଏକ ବିଶେଷତା ମଧ୍ୟ ଲକ୍ଷ୍ୟ କରିବା କଥା ଯେ ଆମେ ଯେତେବେଳେ କାହାକୁ ସମ୍ମାନ ଜଣାଉ ତା’ର ପାଦକୁ ହାତରେ ସ୍ପର୍ଶ କରୁ ବା ତା’ର ଚରଣରେ ମୁଣ୍ଡିଆ ମାରିଥାଉ । ଅନ୍ୟ ଭାବରେ ଦେଖିଲେ ଯେଉଁ ଅଙ୍ଗରୁ (ପାଦ) ଶୂଦ୍ରର ସୃଷ୍ଟି ତାକୁ ଛୁଇଁବାକୁ କ୍ଷତ୍ରିୟ (ହାତ) ଓ ବ୍ରାହ୍ମଣ (ମସ୍ତକ) ମଧ୍ୟ ବ୍ୟଗ୍ର ହୋଇ ଉଠନ୍ତି, ତେବେ ଏଠି ଛୋଟ  କିଏ ବଡ କିଏ ବିଚାର କରନ୍ତୁ ! ଏଣୁ ବର୍ଣ୍ଣ ବୈଷମ୍ୟତା କୋଉଠି ରହିଲା ତ ଭାବନ୍ତୁ ଦେଖି । କିଏ ଉଚ୍ଚ, କିଏ ନୀଚ୍ଚ ? ଏ କଥାକୁ ଭଲ ଭାବରେ ବୁଝିବାକୁ ହେବ ।  ଅନ୍ୟ ଏକ ଦୃଷ୍ଟିକୋଣରୁ ବିଚାର କଲେ ଦେଖାଯାଏ, ଆମେ ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତି ମଧ୍ୟ ଭିନ୍ନ ଭିନ୍ନ ବ୍ୟବହାର କରିଥାଉ, ଯେପରି କାହା ଦେହରେ ଗୋଡ ବାଜିଗଲେ ବିଷ୍ଣୁ ହେଉ କିନ୍ତୁ ହାତ ବାଜିଗଲେ କ’ଣ ବିଷ୍ଣୁ ହେଉ କି ? କେହି ପ୍ରସାଦ ଦେଲେ ଆମେ ଡାହାଣ ହାତ ବଢାଇ ଦେଉ, ବାମ ହାତ ନୁହେଁ । ଏପରିକି ବୁଢା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଓ କାଣି ଆଙ୍ଗୁଠି ଦେଖାଇବାରେ ମଧ୍ୟ ଭିନ୍ନ ଭିନ୍ନ ସନ୍ଦେଶ ଯାଏ । ଏହା ହେଉଛି ବ୍ୟାବହାରିକ ଭିନ୍ନତା, ଯାହା ଆମ ଶରୀରର ଅଙ୍ଗମାନଙ୍କ ମଧ୍ୟରେ ଦେଖାଯାଏ, ଏପରି ଭିନ୍ନତାରେ କୌଣସି ଅଙ୍ଗ ଦୁଃଖୀ ହୁଏନି କି କୌଣସି ଅଙ୍ଗ ଖୁସି ହୁଏନି ଓ ସେମାନଙ୍କ ମଧ୍ୟରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଅତୁଟ ରହିଥାଏ । ସେହିପରି ସମାଜର ବିଭିନ୍ନ ବର୍ଗର ଲୋକମାଙ୍କ ପ୍ରତି ବ୍ୟବହାରିକ ଭିନ୍ନତାକୁ ମଧ୍ୟ ସମାନ ରୂପରେ ଦେଖାଯିବା ଉଚିତ । ଅର୍ଥାତ ବୟସ, ବୃତ୍ତି, ଯୋଗ୍ୟତା ମଧ୍ୟରେ ସମାନତା ଥିବା ଦୁଇ ପୁରୁଷ ଓ ମହିଳା ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାରେ କ୍ଷତି ନାହିଁ, ହେଲେ କୌଣସି ପ୍ରକାର ସାମଞ୍ଜସ୍ୟତା ନଥାଇ ବିବାହ କରାଗଲେ ସେହି ବିବାହ ସଫଳ ହୁଏନି । ସେହିପରି ମିଳାମିଶା ଓ ଏକାଠି ଭୋଜନ ଆଦି କଲାବେଳେ ସୂଚୀତା ପ୍ରତି ଧ୍ୟାନ ଦେବା ବିଧେୟ ନଚେତ ଏହାର କୁପରିଣାମ ପଡିଥାଏ । ବ୍ୟବହାରରେ ପବିତ୍ରତା ଥିଲେ ମନରେ ମଧ୍ୟ ପବିତ୍ରତା ଆସେ; କିନ୍ତୁ ବ୍ୟବହାରରେ ଅପବିତ୍ରତା ରହିଲେ ମନରେ ଅଶାନ୍ତି ଆସେ ଓ ଏହାର ପ୍ରଭାବ ଶରୀରରେ ପଡିଥାଏ । ତେଣୁ ଆମେ ଶୁଦ୍ଧ ପବିତ୍ର ନହୋଇ ଏକାଠି ଖିଆପିଆ କଲେ ତା’ର କୁପରିଣାମ ଆମକୁ ଭୋଗିବାକୁ ହୋଇଥାଏ । ତେଣୁ ବ୍ୟବହାରିକ ଭିନ୍ନତାକୁ ସମସ୍ତେ ଗ୍ରହଣ କରିବା ଉଚିତ । ମନ୍ଦିର ଯାଇ ଦିଅଁ ଦର୍ଶନ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ମନ୍ତ୍ର ଦ୍ୱାରା ପୂଜା ବିଧି ଜାଣିଥିବା ବ୍ୟକ୍ତି କେବଳ ଭଗବାନଙ୍କୁ ପୂଜା ଅର୍ପଣ କରିପାରିବେ । ପ୍ରବଚନ ଶୁଣିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ବ୍ୟାସ ପୀଠରେ ବସିବାର ଅଧିକାରୀ ସେ ହୋଇଥାନ୍ତି ଯାହାଙ୍କର ପ୍ରବଚନ ଦେବାର ଯୋଗ୍ୟତା ଥାଏ । ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ, ସହାକାରୀ ଶିକ୍ଷକ ଓ ଚପରାସୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ଆସନ ଥାଏ, କେହି କାହାରି ଆସନରେ ବସନ୍ତି ନାହିଁ । ଚପରାସୀକୁ ଶିକ୍ଷକ ଆସନରେ ବସାଇଲେ ମଧ୍ୟ ସେ ସେ

ଠାରେ ବାସିବାକୁ କୁଣ୍ଠିତ ହେବ କାରଣ ସେ ନିଜକୁ ଶିକ୍ଷାଦାନ କରିବା ପାଇଁ ଯୋଗ୍ୟ ମନେକରେ ନାହିଁ । ଏପରି ବ୍ୟବହାରିକ ଭିନ୍ନତା ସମାଜରେ ରହିବା ସ୍ୱାଭାବିକ, ଏଥିରେ କାହାର ଭାବନାକୁ ଆଘାତ ଦେବାର ଅଭିପ୍ରାୟ ନଥାଏ । ଜିନିଷପତ୍ର ପରିବହନ ପାଇଁ ଗଧ, ହାତୀ ଆଦିଙ୍କୁ ବ୍ୟବହାର କରାଯାଏ କିନ୍ତୁ ଛେଳିକୁ ନୁହେଁ, ସେହିପରି ଗାଈ କ୍ଷୀର ପିଆଯାଏ କିନ୍ତୁ କୁକୁର ଖିର ପିଆଯାଏ ନାହିଁ, ଏହା ମଧ୍ୟ ବ୍ୟବହାରିକ ଭିନ୍ନତାର ଉଦାହରଣ । ବ୍ୟବହାରିକ ଭିନ୍ନତା କେବଳ ମଣିଷଙ୍କ ପାଖରେ ଦେଖିବାକୁ ମିଳେ କିନ୍ତୁ ପଶୁଙ୍କ ପାଖରେ ନୁହେଁ, ଯେମିତିକି କୁକୁର ଚଣ୍ଡାଳ ଠାରୁ ଆରମ୍ଭ କରି ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ପଶିଯାଏ, ସେ କ’ଣ ବ୍ରାହ୍ମଣ ଘରେ ଗୋଡଧୋଇ ପଶେ କି ? ଏପରି ବ୍ୟବହାରିକ ଏକତା ପଶୁଙ୍କ ଠାରେ ଦେଖାଯାଏ । ବ୍ୟବହାରିକ ସମତା ପ୍ରଦର୍ଶନ ଯମ ସଦୃଶ, ଯମ ଯେପରି ସମସ୍ତଙ୍କୁ କାଳ ଫାଶରେ ବାନ୍ଧି ନିଅନ୍ତି, କାହାକୁ ଛାଡନ୍ତି ନାହିଁ । ଏଠାରେ ଗୋଟିଏ କଥା ଭୁଲିବା ଉଚିତ୍ ନୁହେଁ ଯେ ଏ ସଚରାଚର ଜଗତର ସମସ୍ତ ଜଡ ଓ ଚେତନ ବସ୍ତୁ କି ଜୀବ ହୁଅନ୍ତି ସମସ୍ତଙ୍କ ମଧ୍ୟରେ ପରମାତ୍ମା ବିଦ୍ୟମାନ ଥିବାରୁ ସମସ୍ତେ ସମାନ । 

ଏଠାରେ ମନେ ରଖିବା କଥା ଯେ ଆମ ମନରେ ବର୍ଣ୍ଣବୈଷମ୍ୟ ଭାବନା ଯେପରି ନ ଆସେ । ଶାସ୍ତ୍ରମାନେ ମଧ୍ୟ ବର୍ଣ୍ଣ ଆଧାରରେ ଉଚ୍ଚ ନୀଚ୍ଚକୁ ବିରୋଧ କରନ୍ତି । ସମତାର ଅର୍ଥ ସମସ୍ତଙ୍କର ଦୁଃଖ ଦୂର ହେଉ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁଖ ସୁବିଧା ମିଳୁ ଏପରି ଭାବନା ଆମର ଜାଗ୍ରତ ହେବା ଆବଶ୍ୟକ । ସମତା କୌଣସି ସାଧାରଣ କଥା ନୁହେଁ । ଯାହାଙ୍କ ବ୍ୟବହାରରେ ସମତା ଆସେ ସେ ତାଙ୍କର ଜୀବନ କାଳ ମଧ୍ୟରେ ସଂସାରର ମାୟା ମୋହରୁ ମୁକ୍ତି ପାଇ ପରମାତ୍ମାଙ୍କ ସ୍ୱରୂପକୁ ଅନୁଭବ କରିଥାନ୍ତି  (ଗୀତା ୫/୧୯) । ମଣିଷ ଯେତେବେଳେ ଅନ୍ୟର ସୁଖ ଦୁଃଖକୁ ନିଜର ସୁଖ ଦୁଃଖ ପରି ବିବେଚନା କରେ ସେତେବେଳେ ଅନ୍ୟର ସୁଖ, ସୁବିଧା, ମଙ୍ଗଳ କଥା ମନକୁ ଆସେ ଓ ବ୍ୟକ୍ତି ମଧ୍ୟରେ ସମତା ଆପେ ଆପେ ଆସିଯାଏ । ଅନ୍ୟର ସୁଖରେ ନିଜକୁ ଆନନ୍ଦ ଅନୁଭବ କରିବାରେ ପରମ ଶାନ୍ତି ମିଳେ, ସକଳ ଘଟରେ ଭଗବାନ ଥିବାର ଅନୁଭବ କରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ, ସେ ହେଉଛି ପରମ ଯୋଗୀ (ଗୀତା ୬/୩୨) । ପାରିବାରିକ ମମତା ବନ୍ଧନ ନଥାଇ ଯଦି ଆମେ ଅନ୍ୟକୁ ସୁଖ ପ୍ରଦାନ କରୁ ତ ଆମେ ମନରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁ । 
ବର୍ଣ୍ଣ ଧର୍ମ ଅନୁସାରେ ବ୍ରାହ୍ମଣମାନେ ଉପଦେଶ ଦ୍ୱାରା, କ୍ଷତ୍ରିୟ ସୁରକ୍ଷା ଦ୍ୱାରା, ବୈଶ୍ୟ ପଣ୍ୟ ବସ୍ତୁ ଦ୍ୱାରା ଓ ଶୂଦ୍ର ଶାରୀରିକ ପରିଶ୍ରମ ଦ୍ୱାରା ସମାଜର ଅନ୍ୟ ତିନି ବର୍ଗର ସେବା କରିଥାନ୍ତି, ତେଣୁ ପ୍ରତ୍ୟେକ ହେଉଛନ୍ତି ଜଣେ ଜଣେ ସେବକ । ଏଣୁ ପ୍ରତ୍ୟେକ ବର୍ଣ୍ଣ ଅନ୍ୟ ତିନି ବର୍ଣ୍ଣର ସେବା କରିବାରେ କାର୍ପଣ୍ୟ ରଖିବା ଅନୁଚିତ । ସମାଜରେ ଯେ କେବଳ ବର୍ଣ୍ଣଗତ ବୈଷମ୍ୟ କାରଣରୁ ଯେ ବିଭେଦ ସୃଷ୍ଟି ହେଉଛି ଏ କଥା ନୁହେଁ, କେବେ କେବେ ରାଜନୈତିକ ଦଳଗତ କାରଣରୁ, ମତ ପନ୍ଥ ବିଭେଦତାରୁ, ଆଶ୍ରମ-ସଂପ୍ରଦାୟ ବିଭେଦତା କାରଣରୁ ମଧ୍ୟ ବିବାଦର ସୂତ୍ରପାତ ହେଉଛି । ସୁସ୍ଥ ସମାଜ ଗଠନ ପାଇଁ ଏସବୁ ବୈଷମ୍ୟକୁ ମଧ୍ୟ ଦୂର କରିବାକୁ ପଡିବ । 
ବର୍ଣ୍ଣ ବ୍ୟବସ୍ଥା କେବଳ ଯୋଗ୍ୟତା ଓ ଦକ୍ଷତା ଆଧାରରେ ହୋଇଥିଲା, ଜାତି ଆଧାରରେ ନୁହେଁ । ନିଜର ଯୋଗ୍ୟତା ଆଧାରରେ ଯେପରି ମଣିଷ ସମ୍ମାନିତ ହୋଇଥାନ୍ତି ସେହି ଆଧାରରେ ବର୍ଣ୍ଣର ସୃଷ୍ଟି । ପୁତ୍ର ନାତି ପୁତୁରା ଭାବରେ କୃଷ୍ଣ ଭଗବାନ ପିତା ବସୁଦେବ, ଅଜା ଉଗ୍ରସେନ ଓ ପିଉସୀ କୁନ୍ତୀଙ୍କୁ ନମସ୍କାର ହେଉଥିଲେ ମଧ୍ୟ ଯେତେବେଳେ ସେମାନେ କୃଷ୍ଣଙ୍କୁ ଭଗବାନ ମନେକଲେ ସେତେବେଳେ ସେମାନେ କୃଷ୍ଣଙ୍କୁ ନମସ୍କାର କରିଥିବାର ଆମ ପୁରାଣ (ଯାହାକୁ ଆମେ ଇତିହାସ କହିପାରିବା) ରେ ଉଲ୍ଲେଖ ଅଛି । ରାବଣ ବ୍ରାହ୍ମଣ ହୋଇ ମଧ୍ୟ ରାକ୍ଷସ ଥିଲେ, ବୃତ୍ର ବ୍ରାହ୍ମଣ ହୋଇ ମଧ୍ୟ ଅସୁର ଭାବରେ ଜଣା ଥିଲେ । ବାଲ୍ମୀକି ଶୂଦ୍ର ହୋଇ ମଧ୍ୟ ଜଣେ ସନ୍ୟାସୀ ହୋଇ ରାମାୟଣ ପରି ଗ୍ରନ୍ଥ ରଚନା କରିଥିଲେ । ଶ୍ରୀମଦ୍ଭାଗବତର ଏକାଦଶ ସ୍କନ୍ଧର ଅଷ୍ଟାଦଶ ଅଧ୍ୟାୟରେ ଚାରି ବର୍ଣ୍ଣମାନଙ୍କର ଗୁଣ ଓ ଲକ୍ଷଣମାନ ବର୍ଣ୍ଣନା କରାଯାଇଛି । ସେହିସବୁ ଗୁଣ ଓ ଲକ୍ଷଣ ଯେଉଁମାନଙ୍କ ଠାରେ ଦେଖାଯିବ ସେମାନଙ୍କୁ ସେହି ବର୍ଣ୍ଣର ବୋଲି ଗ୍ରହଣ କରାଯାଏ । ସପ୍ତମ ସ୍କନ୍ଧର ଏକାଦଶ ଅଧ୍ୟାୟର ପଇଁତିରିଶତମ ପଦରେ କୁହାଯାଇଛି ଯେ ଜାତିରେ ବ୍ରାହ୍ମଣ ହୋଇ ଯଦି ଗୁଣ ଓ ସ୍ୱଭାବ ଅନ୍ୟ ବର୍ଣ୍ଣର ହୋଇଥିବ ତେବେ ତାଙ୍କୁ ବ୍ରାହ୍ମଣ ଭାବରେ ଗ୍ରହଣ ନକରି ଗୁଣ ଅନୁସାରେ ତାଙ୍କର ବର୍ଣ୍ଣ ନିର୍ଦ୍ଧାରିତ ହେବ । ସେହିପରି ଅନ୍ୟ ଜାତିଗତ ବର୍ଣ୍ଣ ଦୃଷ୍ଟିରୁ ଯାହାଙ୍କ ପାଖରେ ଅନ୍ୟ ବର୍ଣ୍ଣର ଲକ୍ଷଣ ଓ ଗୁଣ ଅଧିକ ଥିବ ସେମାନଙ୍କୁ ମଧ୍ୟ ଉକ୍ତ ବର୍ଣ୍ଣର ବୋଲି ଗ୍ରହଣ କରାଯିବ । ଏଥିରୁ ସ୍ପଷ୍ଟ ଯେ ବର୍ଣ୍ଣ ଜନ୍ମଗତ ନୁହେଁ, ଏହା କର୍ମଗତ (ଗୁଣ ଓ ଲକ୍ଷଣ ଯୁକ୍ତ) । ଭାଗବତର ନବମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ଅଛି ଯେ ବୈବସ୍ୱତ ମନୁଙ୍କର ଦଶଜଣ ପୁତ୍ରଙ୍କ ମଧ୍ୟରୁ ଜଣେ ପୁତ୍ର ଧୃଷ୍ଟଙ୍କ ପୁତ୍ର ଧାର୍ଷ୍ଟ କ୍ଷେତ୍ରୀୟ ଥିଲେ । ଅନ୍ୟ ଜଣେ ପୁତ୍ର ନାରିଷ୍ୟନ୍ତଙ୍କ ବଂଶରେ ଅଗ୍ନିବେଶ୍ୟାୟନ ବ୍ରାହ୍ମଣ ବଂଶର ସୃଷ୍ଟି । ଆଉ ଜଣେ ପୁତ୍ର ଦିଷ୍ଟଙ୍କ ପୁତ୍ର ନାଭାଗ କର୍ମରେ ବୈଶ୍ୟ ଥିଲେ । ତାଙ୍କର ଅନ୍ୟ ଜଣେ ପୁତ୍ର ପୃଷଧ୍ର ଗୁରୁ ବଶିଷ୍ଠଙ୍କ ଠାରୁ ଶୂଦ୍ର ହେବାର ଅଭିଶାପ ପାଇଥିଲେ । ଏଥିରୁ ଏ କଥା ସ୍ପଷ୍ଟ ଯେ ଜାତି ବା ବର୍ଣ୍ଣ ଜନ୍ମଗତ ନୁହେଁ ଏହା କର୍ମଗତ । 
ଏ ସବୁକୁ ବିଚାରକୁ ନେଇ ଜନ୍ମଗତ ଦୃଷ୍ଟିରୁ ଜାତିକୁ ଗ୍ରହଣ ନକରି ବରଂ ନିଜର ଆଚରଣରେ ଶୁଦ୍ଧତା ଓ ପବିତ୍ରତା ରହିବା ପ୍ରତି ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ମନେହୁଏ । ଉଚ୍ଚ ବର୍ଣ୍ଣରେ ଜନ୍ମ ହୋଇ ନିଜକୁ ଉନ୍ନତ ମନେନକରି ବରଂ ନିଜର ବ୍ୟବହାରକୁ ମାର୍ଜିତ କର୍ମକୁ ବର୍ଣ୍ଣର ଲକ୍ଷଣ ଅନୁସାରେ କରିବାକୁ ପ୍ରାଧାନ୍ୟ ଦେବା ଉଚିତ । ନିଜର ଜନ୍ମଜାତ ବର୍ଣ୍ଣ ପାଇଁ କେହି ଅହଙ୍କାର କି ନ୍ୟୂନ ଭାବ ପୋଷଣ କରିବା ଅନୁଚିତ । ବରଂ ସବୁ ବର୍ଣ୍ଣ ମଧ୍ୟରେ ପାରସ୍ପରିକ ସ୍ନେହ ସୌହାର୍ଦ୍ଦ୍ୟ ରହିପାରିଲେ ସମାଜ ସମୃଦ୍ଧ ହେବା ସହ ସମସ୍ତଙ୍କର ଉନ୍ନତି ହୋଇପାରିବ । କୌଣସି ବର୍ଗ ନିଜର ନ୍ୟାୟୋଚିତ ଅଧିକାରରୁ ବଞ୍ଚିତ ନହୁଅନ୍ତୁ ଏ କଥା ଅନ୍ୟ ବର୍ଗର ଲୋକେ ଦେଖିବା ଆବଶ୍ୟକ । ସମସ୍ତେ ଆନନ୍ଦରେ ରୁହନ୍ତୁ ସମସ୍ତଙ୍କୁ ସମାନ ସୁବିଧା ମିଳୁ ଏହା ସୁନିଶ୍ଚିତ କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ । ଏହି ଦିଗରେ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ଫଳରେ ଏକ ସୁସ୍ଥ ସମାଜ ଗଠିତ ହୋଇପାରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବର୍ଗର ଲୋକେ ଆନନ୍ଦ ଅନୁଭବ କରିପାରିବେ । ସମାଜରେ ଘୃଣା ବିଦ୍ୱେଷ ଦୂର ହୋଇ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ । 
 

Flip Book Link: https://demo.rastradeep.com/flip.aspx?fid=208

Related Post