Latest News

ମାଳଦ୍ୱୀପର ପଟପରିବର୍ତ୍ତନ

ସୌମେନ୍ଦ୍ର ଜେନା 22/01/2024ମୁଖ୍ୟ ପ୍ରସଙ୍ଗ

 ଭାରତ ମହାସାଗର ଅନ୍ତର୍ଗତ ଛୋଟ ଦେଶ ମାଳଦ୍ୱୀପକୁ କେନ୍ଦ୍ରକରି ଏବେ ସବୁ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲାକ୍ଷାଦ୍ୱୀପକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନୀଳ ଜଳରାଶି ସମୁଦ୍ର ତଳ ଜଳଜୀବନ ସମ୍ପର୍କରେ ନିଜର ଭିଡିଓ ଏବଂ ଫଟୋ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକରି ଏହି କ୍ଷୁଦ୍ର କେନ୍ଦ୍ରଶାସିତ ଦ୍ୱୀପପୁଞ୍ଜକୁ ଅଧିକ ସଂଖ୍ୟାରେ ପରିଦର୍ଶନ ପାଇଁ ଆସିବାକୁ ଆହ୍ୱାନ ଦେବା ପରେ ପରେ ସୋଶିଆଲ ମିଡ଼ିଆରେ ଜନସାଧାରଣଙ୍କ ଆଲୋଚନା ବଢିଥିଲା । ଲୋକମାନେ ଅଳ୍ପ ଖର୍ଚ୍ଚରେ ଏହି ଦ୍ୱୀପକୁ ଯିବାଲାଗି ଆଗ୍ରହ ପ୍ରକାଶ କରି ସେମାନଙ୍କ ମତ ଲେଖିବାପରେ ମିିଡିଆରେ ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପର ଆଲୋଚନା ବଢିଥିଲା । ଏପରିକି ଭାରତର ପ୍ରାୟ ଛୋଟବଡ ସବୁ ଗଣମାଧ୍ୟମରେ ଏହାକୁ କେନ୍ଦ୍ରକରି ସପକ୍ଷ-ବିପକ୍ଷର ତର୍କ ଆରମ୍ଭ ହୋଇଗଲା । ଏହି ଆଲୋଚନାରେ ମାଳଦ୍ୱୀପର ନେତା ଏବଂ ମନ୍ତ୍ରୀଗଣ ମଧ୍ୟ ସାମିଲ ହୋଇଗଲେ । ଯେଉଁ ନେତାମାନେ ମାଳଦ୍ୱୀପରୁ ଭାରତକୁ ତଡ଼ିବାକୁ ଦୀର୍ଘଦିନ ହେବ ‘ଇଣ୍ଡିଆ ଆଉଟ’ ସ୍ଲୋଗାନ ଦେଉଥିଲେ ସେମାନଙ୍କ ପାଇଁ ଏହା ଯେମିତି କପାଳକୁ ଶିକା ଛିଣ୍ଡିବା ପରି ମନେହେଲା । ଏହି ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ସେମାନେ ଭାରତର ପ୍ରଧାନମନ୍ତ୍ରୀ, ଭାରତର ପରିବେଶ ଏବଂ ଭାରତୀୟମାନଙ୍କୁ ଗାଳି ଦେବାରେ ଲାଗିପଡ଼ିଲେ । ମାଳଦ୍ୱୀପର ଶାସନରେ ଥିବା ସରକାରଙ୍କ ଯୁବ ସଶକ୍ତୀକରଣ ଉପମନ୍ତ୍ରୀ ମରିୟମ ସିଉନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଜୋକର’ ଏବଂ ‘ଇସ୍ରାଏଲର ସଖୀ କଣ୍ଢେଇ’ କହି ନିଜର ଆକାଉଣ୍ଟରେ ସମାଲୋଚନା କଲେ । ମାଳଦ୍ୱୀପର ଅନ୍ୟ ଜଣେ ସାଂସଦ ଜାହିଦ ରମିଜ୍ ପ୍ରକାଶ କରି କହିଲେ, “ଏହି ଉଦ୍ୟମ ବହୁତ ଭଲ । ଅଥଚ ଆମ ସହ ପ୍ରତିଯୋଗିତା କରିବା ବିଫଳତା ମାତ୍ର । ଆମେ ଯେଉଁ ସେବା ପ୍ରଦାନ କରୁଛୁ, ସେମିତି ସେବା ସେମାନେ ଦେବେ କିପରି? ସେମାନେ ଏତେ ସ୍ୱଚ୍ଛ ହେବେ କିପରି? ସେମାନଙ୍କ କୋଠରୀର ସ୍ଥାୟୀ ଦୁର୍ଗନ୍ଧ ସେମାନଙ୍କ ପତନର କାରଣ ହେବ ।” 

୪ ଜାନୁଆରୀ ୨୦୨୪ଦିନ ମୋଦୀ ଲାକ୍ଷାଦ୍ୱୀପର ବିକାଶମୁଖୀ ଯୋଜନାର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କେରଳ, ତାମିଲନାଡୁ ପରେ ଦକ୍ଷିଣ ଭାରତର ଲାକ୍ଷାଦ୍ୱୀପରେ ମୋଦୀଙ୍କ ଗସ୍ତ ରହିଥିଲା । କୋଚି-ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ କେବୁଲ ସଂଯୋଗୀକରଣ, କାଡାମାତ୍‌ଠାରେ ସମୁଦ୍ରଜଳରୁ ପାନୀୟ ଜଳ ପ୍ରସ୍ତୁତି ପାଇଁ କାରଖାନା, ପାନୀୟ ଜଳଯୋଗାଣ ପ୍ରକଳ୍ପ, ସୌରଶକ୍ତି ପ୍ରକଳ୍ପ, କାଭାରାତିଠାରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିଅନର ୮୦ସଦସ୍ୟ ରହିବା ପାଇଁ ନବନିର୍ମିତ ଗୃହର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା । ଏହାଛଡ଼ା କାଲପେନିଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ବ୍ୟତିରେକେ ଦ୍ୱୀପ ସମୂହ ମିନିକୟ, ଅଗାଟ୍ଟି, ଅନ୍ଦ୍ରୋଥ, ଚେଟଲାଟ୍‌, କାଡାମାତରେ ନୂତନ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା ଏହାଛଡ଼ା କିଶାନ କ୍ରେଡିଟ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଲାପ୍‌ଟପ୍‌, ସାଇକେଲ ଆଦି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତାନ୍ତରଣ କରିଥିଲେ । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲ, ସାଂସଦ ମହମ୍ମଦ ଫୈଜଲ ଆଦି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପ ପାଇଁ ପ୍ରାୟ ୧୧୫୬କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଲାକ୍ଷାଦ୍ୱୀପର ଲୋକେ ଏବେ ୧.୭ ଜିବିପିଏସ୍ ସ୍ଥାନରେ ୨୦୦ ଜିବିପିଏସ୍‌ର ଇଣ୍ଟରନେଟ ସୁବିଧା ପାଇବେ; ଯାହାଫଳରେ ଲାକ୍ଷାଦ୍ୱୀପରେ ଇଣ୍ଟରନେଟ ସେବା, ଡିଜିଟାଲ ବ୍ୟାଙ୍କ ସେବା, ଟେଲିମେଡିସିନ ସୁବିଧା ମିଳିବ । କାଡାମାତଠାରେ ନବନିର୍ମିତ ପାନୀୟଜଳ ପ୍ରସ୍ତୁତି କାରଖାନା ଦୈନିକ ପ୍ରାୟ ୧.୫ଲକ୍ଷ ଲିଟର ପାନୀୟଜଳ ସାମୁଦ୍ରିକ ଲୁଣିଆଜଳକୁ ପରିଷ୍କାର କରି ପ୍ରସ୍ତୁତ କରିବ । ଅଗାଟ୍ଟି ଏବଂ ମିନିକୟ ଦ୍ୱୀପର ସବୁଘରକୁ ଟ୍ୟାପ୍‌ପାଣି ଯୋଗାଣ ଏବେ ସମ୍ଭବ ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆଦୌ ଆକସ୍ମିକ ନୁହେଁ । କାଶ୍ମୀରର କୈରୋନ ଘାଟୀଠାରୁ ମଣିପୁର ଓ ଅରୁଣାଚଳର ସୀମାନ୍ତ କଚ୍ଛଠାରୁ ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପଯାଏଁ ସବୁସ୍ଥାନରେ ଲୋକେ ଯେମିତି ବାକି ଭାରତବାସୀଙ୍କ ପରି ଦୈନନ୍ଦିନ ଜୀବନର ସୁବିଧା ଲାଭ କରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିକାଶର ମାର୍ଗ ପ୍ରଶସ୍ତ କରିବାରେ ଲାଗିଛନ୍ତି । ନିଜର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ପ୍ରଫୁଲ୍ଲ ପଟେଲଙ୍କୁ ସେ ଲାକ୍ଷାଦ୍ୱୀପର ସାମଗ୍ରିକ ବିକାଶର ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କେବଳ ଫଟୋ ହିଁ ଯେ ମାଳଦ୍ୱୀପରେ ଗାତ୍ରଦାହ ସୃଷ୍ଟି କରିଛି ତା’ ନୁହେଁ, ଅପରପକ୍ଷେ ଲାକ୍ଷାଦ୍ୱୀପ ପାଇଁ ଭଲ ସମୟ ଆଣିଛି । ମାଳଦ୍ୱୀପର ମନ୍ତ୍ରୀମାନଙ୍କ ଭାରତ-ବିରୋଧୀ ମନ୍ତବ୍ୟ ପରେ ଲାକ୍ଷାଦ୍ୱୀପକୁ ଯିବାପାଇଁ ଲୋକେ ଧାଡି ଲଗାଇଛନ୍ତି । ଅପରପକ୍ଷେ ଗୁଗୁଲରେ ଲାକ୍ଷାଦ୍ୱୀପ ସର୍ଚ୍ଚ ୩୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଭାରତରୁ ମାଳଦ୍ୱୀପକୁ ବିମାନଭଡ଼ା ୨୦ହଜାରରୁ ୧୨ହଜାରକୁ ଖସିଆସିଛି । ଏପରିକି ୧୭ ଜାନୁଆରୀ ଦିନର ନୂଆଦିଲ୍ଲୀରୁ ମାଲେ ବିମାନଭଡ଼ା ୮୨୧୫ ଟଙ୍କା ଏବଂ ଚେନ୍ନାଇରୁ ମାଲେ ବିମାନଭଡ଼ା ୮୨୪୫ ଟଙ୍କାଙ୍କୁ ଖସିଛି । ଲାକ୍ଷାଦ୍ୱୀପକୁ ବିମାନସେବା ଯୋଗାଉଥିବା ଏକମାତ୍ର ସଂସ୍ଥା ଆଲିଆନ ଏୟାର ଭୀଡକୁ ହ୍ରାସ କରିବାକୁ ଆଉ ଏକ ବିମାନ ସପ୍ତାହକୁ ଦୁଇଥର କୋଚି-ଅଗାଟ୍ଟି ମଧ୍ୟରେ ଚଳାଚଳ କରିବା ପାଇଁ ସ୍ଥିର କରିଛି । ପୂର୍ବରୁ ଏହି ଆକାଶ ମାର୍ଗରେ ଗୋଟିଏ ବିମାନ (୭୦ ଆସନ ବିଶିଷ୍ଟ) ଚଳାଚଳ କରୁଥିଲାବେଳେ ଏବେ ପ୍ରତି ରବିବାର ଏବଂ ବୁଧବାର ଦିନ ଅନ୍ୟ ଏକ ବିମାନ ଚଳାଚଳ କରିବାକୁ ଘୋଷଣା କରିଛି । ଏଥିପାଇଁ ମାର୍ଚ୍ଚମାସ ପର୍ଯ୍ୟନ୍ତ ବିମାନର ସମସ୍ତ ଟିକେଟ ବୁକିଂ ସରିିଛି । ପ୍ରତିଦିନ ଅନେକ ପର୍ଯ୍ୟଟକ ଟିକେଟ ବୁକିଂ ପାଇଁ ଚାହୁଁଥିବାବେଳେ ବିମାନ ଟିକେଟ ମିଳୁନାହିଁ । ଲାକ୍ଷାଦ୍ୱୀପକୁ ଯିବାଲାଗି ଯାତ୍ରୀଙ୍କ ଆଗ୍ରହ ଦେଖି ଦେଶର ଅନ୍ୟତମ ବିମାନ ସଂସ୍ଥା ସ୍ପାଇସ ଜେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜୟ ସିଂହ ଲାକ୍ଷାଦ୍ୱୀପ ପାଇଁ ନିଜର ବିମାନସେବା ଆରମ୍ଭ କରିବା ଲାଗି ଘୋଷଣା କରିଛନ୍ତି । ଏହାସହ ମାଳଦ୍ୱୀପ ପାଇଁ ପର୍ଯ୍ୟଟକଙ୍କ ବ୍ୟବସ୍ଥା ଦେଖୁଥିବା ସଂସ୍ଥା ‘ମେକ୍ ମାଇ ଟ୍ରିପ୍‌’ଏବେ ‘ବିଚେସ୍ ଅଫ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି । ସେହିପରି ଇସ୍ରାଏଲ ସରକାର ଜଳପରିଷ୍କରଣ ପ୍ରକଳ୍ପ ଆରମ୍ଭ କରିଥିବା ବିଷୟ ନୂଆଦିଲ୍ଲୀସ୍ଥିତ ଦୂତାବାସ ପକ୍ଷରୁ ଘୋଷଣା କରାଯାଇଛି । ମାଳଦ୍ୱୀପର ମନ୍ତ୍ରୀ ମାଲସା ସରିଫ୍‌, ମରିୟମ ସିଉନା ଏବଂ ଅବଦୁଲ୍ଲା ମହଜୁମ ମାଜିଦଙ୍କ ଅରୁଚିକର ମନ୍ତବ୍ୟ ପରେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିବା ବିଷୟ ମାଳଦ୍ୱୀପ ସରକାର ପ୍ରକାଶ କରିଛନ୍ତି । ୮ ଜାନୁଆରୀ ୨୦୨୪ ଦିନ ନୂଆଦିଲ୍ଲୀସ୍ଥିତ ମାଳଦ୍ୱୀପର ହାଇକମିଶନର ଇବ୍ରାହିମ ସାହିବଙ୍କୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇ ଭାରତର ଅସନ୍ତୋଷ ବିଷୟରେ ଜଣାଇ ଦିଆଯାଇଥିଲା । ସେହିପରି ଭାରତର ଲୋକେ ସେମାନଙ୍କ ବ୍ୟକ୍ତିଗତ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରଚଣ୍ଡ ବିରୋଧ କରିବା ପରେ ସିନେତାରକା ଅକ୍ଷୟ କୁମାର, ସଲମାନ ଖାଁ, ଜନ୍ ଆବ୍ରାହମ୍‌, ଶ୍ରଦ୍ଧା କପୂର, କଙ୍ଗନା ରାନାୱତ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । କ୍ରିକେଟ ତାରକା ସଚିନ ତେନ୍ଦୁଲକର, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଲୋକଙ୍କ ସହ ଅସନ୍ତୋଷ ବ୍ୟକ୍ତ କରିବା ପରେ ଭାରତୀୟ ଲୋକେ ୮ହଜାର ହୋଟେଲ ରୁମ୍ ଏବଂ ୨୫୦୦ ବିମାନ ଟିକେଟ ବୁକିଂ ରଦ୍ଦ କରିଥିଲେ । ସେହିପରି ମାଳଦ୍ୱୀପ ସ୍ଥିତ ଭାରତୀୟ ହାଇକମିଶନର ମୁନୁ ମହାୱାର ମାଲେର ବୈଦେଶିକ ବିଭାଗରେ କଠିନ ଭାଷାର ପ୍ରତିବାଦପତ୍ର ପ୍ରଦାନ କରିଥିଲେ । ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିବ ବର୍ତ୍ତମାନର ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନିନ୍ଦା କରିଥିଲେ । ମୁଇଜ୍ଜୁ ୭ ଜାନୁଆରୀ ଦିନ ବେଜିଂ ଯାତ୍ରା କରିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମାଳଦ୍ୱୀପର ବିଦେଶ ମନ୍ତ୍ରୀ ମୂସା ଜମିର ମନ୍ତ୍ରିମଣ୍ଡଳର ତିନି ସଦସ୍ୟଙ୍କ ବିରୋଧରେ ବହିଷ୍କାର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ । ମାଳଦ୍ୱୀପର ରାଜନେତାଙ୍କ ମନ୍ତବ୍ୟ ସରକାରଙ୍କ ମନ୍ତବ୍ୟ ନୁହେଁ ବୋଲି କହିଥିଲେ ।
ମାଳଦ୍ୱୀପ ଭାରତ ବିରୋଧୀ ହେବା ବିଷୟ ଆକସ୍ମିକ ନୁହେଁ ବରଂ ଚୀନର ପ୍ରରୋଚନା ଯୋଗୁଁ ହୋଇଛି । ଦକ୍ଷିଣ ଏସିଆ ରାଷ୍ଟ୍ର ଗୋଷ୍ଠୀ ‘ସାର୍କ’ର ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କୁ ଭାରତ ବିରୋଧୀ କରିବା ଲକ୍ଷ୍ୟରେ ଚୀନ ସରକାର ରାଜନୀତିକ, ଆର୍ôଥକ ସହଯୋଗ ଦେଇ ଆସୁଛନ୍ତି । ଭାରତରେ କମ୍ୟୁନିଷ୍ଟ, କଂଗ୍ରେସ ଦଳ, ‘ଦି ହିନ୍ଦୁ’ ଖବରକାଗଜ ଯେପରି ଚୀନର ଆର୍ôଥକ ସହାୟତା ପାଇବା ତାଲିକାରେ ରହିଆସିଛନ୍ତି ଠିକ୍ ସେମିତି ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ, ବଙ୍ଗଳାଦେଶ ଏବଂ ଭୁଟାନରେ ଚୀନ ସରକାର ରାଜନେତାଙ୍କୁ ପ୍ରଭାବିତ କରିଆସିଛନ୍ତି । ନିକଟରେ ବଙ୍ଗଳାଦେଶର ପାକ୍‌-ଚୀନ ସମର୍ଥକ ଦଳ ବିଏନ୍‌ପି ଭାରତକୁ ବିରୋଧ କରିବାକୁ ଯାଇ ନିର୍ବାଚନରେ ଅଂଶଗ୍ରହଣ କଲାନାହିଁ ବରଂ ଭାରତ ବିରୋଧୀ ପ୍ରଚାର ଚଳାଇ ଢେର ଜଳାପୋଡ଼ା କରାଇଲା । ଅତୀତରେ ନେପାଳର ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି କେଉଁ କେଉଁ ସ୍ତରକୁ ଯାଇ ଚୀନା ପ୍ରେମ ଦେଖାଇ ଆସିଛନ୍ତି ସେସବୁ କାହାକୁ ଅଜଣା ନୁହେଁ । ଭୂଟାନ ସହ ଚୀନର ଆଦୌ କୂଟନୀତିକ ସମ୍ପର୍କ ନଥିବା ସ୍ଥଳେ ନିକଟରେ ଭୂଟାନର ପ୍ରତିନିଧିମଣ୍ଡଳୀ ବେଜିଂ ଗସ୍ତରେ ଯାଇ ଚୀନ କର୍ତ୍ତୃପକ୍ଷଙ୍କ ସହ ସୀମା ଆଲୋଚନା କରିଥିଲେ ମଧ୍ୟ ଭାରତକୁ ସୂଚନା ପ୍ରଦାନ କରିନଥିଲେ । ଅଥଚ ଆଜିଯାଏ ଭାରତ ପ୍ରତିବର୍ଷ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ହଜାର ହଜାର କୋଟିର ସହାୟତା ଭୂଟାନକୁ ଦେଇଆସିଛି । ଚୀନ ଭାରତର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଭାରତ ବିରୋଧୀ କରି ଛିଡ଼ା କରିବାଲାଗି ନିରନ୍ତର ପ୍ରୟାସ ଚଳାଇଆସିଛି ।
ଏପ୍ରିଲ ୨୦୨୨ରେ ମାଳଦ୍ୱୀପର ବିରୋଧୀ ଦଳ ନେତା ଏବଂ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଅବଦୁଲ ଗୟୁମଙ୍କ ମାଲେସ୍ଥିତ ବାସଭବନ କାନ୍ଥରେ ବିଶାଳକାୟ ବ୍ୟାନର ‘ଇଣ୍ଡିଆ ଆଉଟ’ ସ୍ଥାନ ପାଇଥିଲା । ତା’ର କିଛିମାସ ପରେ ବିଶ୍ୱ ଯୋଗ ଦିବସର କାର୍ଯ୍ୟକ୍ରମ ମାଲେଠାରେ ଅନୁଷ୍ଠିତ ହେବା ସମୟରେ ଗୟୁମଙ୍କ ଦଳର ଲୋକେ କାର୍ଯ୍ୟକ୍ରମ ସ୍ଥଳୀରେ ପ୍ରବେଶ କରି ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲେ । ସେହି କାର୍ଯ୍ୟକ୍ରମ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ସେ ସମୟରେ ବର୍ତ୍ତମାନର ରାଷ୍ଟ୍ରପତି ବିରୋଧୀ ଦଳର ସଦସ୍ୟ ଏବଂ ମାଲେ ସହରର ମେୟର ରହିଥିଲେ । ସେହି ଆକ୍ରମଣ ତାଙ୍କର ଅଜାଣତରେ ଆଦୌ ହୋଇ ନଥିଲା ବରଂ ସେହି ଘଟଣା ପଛରେ ତାଙ୍କର ସହଯୋଗ ରହିଥିଲା । ୨୦୨୩ରେ ମୁଇଜ୍ଜୁ ରାଷ୍ଟ୍ରପତି ନିର୍ବାଚନ ଲଢିଲାବେଳେ ‘ଇଣ୍ଡିଆ ଆଉଟ’ ପ୍ରଚାରକୁ ଜୋରଦାର କରିଥିଲେ । ଦୀର୍ଘବର୍ଷ ଧରି ମାଳଦ୍ୱୀପର ସୁରକ୍ଷା ଦାୟିତ୍ୱରେ ଥିବା ଭାରତର ସାମରିକ ଅଧିକାରୀଙ୍କୁ ମାଳଦ୍ୱୀପର ଅଖଣ୍ଡତା ପାଇଁ ବିପଦ ବୋଲି କହିଥିଲେ । ନିର୍ବାଚନରେ ବିଜୟୀ ହେଲେ ଭାରତୀୟ ଅଧିକାରୀଙ୍କୁ ମାଳଦ୍ୱୀପରୁ ନିକାଲି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ; ଏପରିକି ଡିସେମ୍ବର ୨୦୨୩ରେ ସାମୁଦ୍ରିକ ଅନୁସନ୍ଧାନ ପାଇଁ ଭାରତକୁ ଯେଉଁ ଅନୁମତି ଦେବାକଥା ତାହା ନକରି ଚୀନ ଅନ୍ୱେଷଣକାରୀ ଜାହାଜକୁ ଅନୁସନ୍ଧାନ ଲାଗି ଅନୁମତି ଦେଲେ । ଏଥିରୁ ଭାରତ ମହାସାଗରରେ ଚୀନ ନିଜର ପ୍ରଭୁତ୍ୱ ବିସ୍ତାର ପାଇଁ ପ୍ରୟାସ କରିବା ସହ ସମ୍ପ୍ରତି ମୁଇଜ୍ଜୁଙ୍କ ଗସ୍ତକାଳରେ ମାଳଦ୍ୱୀପକୁ ସମସ୍ତ ପ୍ରକାର ସୁରକ୍ଷା ଦେବା ପ୍ରସଙ୍ଗରେ ଘୋଷଣା କରିଛି । ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ଚୀନ ଗସ୍ତକାଳରେ ଅଧିକରୁ ଅଧିକ ଚୀନା ପର୍ଯ୍ୟଟକଙ୍କୁ ମାଳଦ୍ୱୀପ ପଠାଇବା ଲାଗି ସେଠାକାର ସରକାରଙ୍କୁ ଅନୁରୋଧ କରିଛନ୍ତି । କାରଣ ଭାରତର ଟିକେଟ୍ ବୁକିଂ ସଂସ୍ଥା ଇଜି ମାଇଁ ଟ୍ରିପ୍ ମାଳଦ୍ୱୀପକୁ ସମସ୍ତ ବିମାନଯାତ୍ରା ବୁକିଂ ବନ୍ଦ ରଖିବା ପରେ ମାଲଦ୍ୱୀପ ଆସୋସିଏସନ୍ ଅଫ୍ ଟୁର୍ ଏଣ୍ଡ ଟ୍ରାଭେଲ ଅପରେଟର୍ସ (ମାଟାଟୋ) ଚିନ୍ତାରେ ପଡ଼ିଯାଇଛି । କାରଣ ଗତବର୍ଷ ମାଳଦ୍ୱୀପକୁ ସର୍ବାଧିକ ପର୍ଯ୍ୟଟକ ଭାରତରୁ ଯାଇଥିଲେ । ଭାରତୀୟ ସିନେ ଟେକ୍‌ନିଆସନ ସଂଘ ମଧ୍ୟ ମାଳଦ୍ୱୀପରେ ସିନେମା ସୁଟିଂକୁ ବନ୍ଦ କରିବା ଲାଗି କହିଛି । ଦେଖିବାକୁ ଗଲେ ୫୨୦୦୦୦ ଜନସଂଖ୍ୟା ବିଶିଷ୍ଟ ମାଳଦ୍ୱୀପର ୪୪୦୦୦ ଲୋକ ପର୍ଯ୍ୟଟନ ଶିଳ୍ପରେ ନିଯୁକ୍ତି ପାଇଛନ୍ତି । ମାଳଦ୍ୱୀପର ଦୁଇ ତୃତୀୟାଂଶ ଜିଡ଼ିପି ପର୍ଯ୍ୟଟନରୁ ହିଁ ଆସିଥାଏ । ଭାରତର ଲୋକେ ମାଳଦ୍ୱୀପକୁ ଯିବା ବନ୍ଦ କଲେ ବାର୍ଷିକ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟଟକ ହ୍ରାସ ପାଇବା ନିଶ୍ଚିତ । ଏହି ପରିସ୍ଥିତିରେ ମାଳଦ୍ୱୀପର ଲୋକେ ଅଧିକ କ୍ଷତିଗ୍ରସ୍ତ ହେବେ । ମାଳଦ୍ୱୀପର ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କ ସେବା, ସୁରକ୍ଷା, ନିର୍ମାଣ ଆଦି କ୍

େତ୍ର ଅଧିକ ପ୍ରଭାବିତ ହେବ । କାରଣ ୧୯୬୬ରେ ବ୍ରିଟିଶ ହାତରୁ ମୁକୁଳିବା ପରେ ମାଲଦ୍ୱୀପକୁ ରାଷ୍ଟ୍ରର ମାନ୍ୟତା ଦେବା କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ଥିଲା । ୧୯୭୬ରେ ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସୀମା କ୍ଷେତ୍ର ସଂକ୍ରାନ୍ତରେ ସନ୍ଧି ହୋଇଥିଲା । ୧୯୮୧ରେ ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା ହୋଇଥିଲା । ୧୯୮୮ରେ ଶ୍ରୀଲଙ୍କାର ସନ୍ତ୍ରାସବାଦୀ ସଂଗଠନ ପ୍ଲଟର ୮୦ ଜଣ ସଶସ୍ତ୍ର ବିଦ୍ରୋହୀ ମାଳଦ୍ୱୀପରେ ପ୍ରବେଶ କରି ସରକାରକୁ କ୍ଷମତାଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଅବଦୁଲ ଗୟୁମ ପ୍ରଥମେ ପାକିସ୍ଥାନ, ସିଙ୍ଗାପୁର, ଆମେରିକା ଆଦି ରାଷ୍ଟ୍ରକୁ ସହାୟତା ମାଗିଥିଲାବେଳେ ସମସ୍ତେ ହାତ ଟେକିଦେଇ ଥିଲେ । ୩ ନଭେମ୍ବର ୧୯୮୮ରେ ମାଳଦ୍ୱୀପର ରାଷ୍ଟ୍ରପତି ଗୟୁମ ଭାରତଯାତ୍ରା କରିବାକୁ ଥିଲାବେଳେ ମାଳଦ୍ୱୀପ ଡେସ୍କର ଅଧିକାରୀ କୁଲଦୀପ ସହଦେବଙ୍କୁ ଖବର ମିିଳିଥିଲା ଯେ ସହରରେ ଗୁଳିଗୋଳା ଜାରି ରହିଛି । ଅଧଘଣ୍ଟା ପରେ ମାଳଦ୍ୱୀପର ବିଦେଶ ସଚିବ ଇବ୍ରାହିମ ହୁସେନ୍ ଜକି ସହାୟତା ପାଇଁ ଭାରତକୁ ଅନୁରୋଧ କଲେ । ଗୟୁମଙ୍କ ବିରୋଧରେ ଶ୍ରୀଲଙ୍କାର ପିପୁଲସ ଲିବରେସନ୍ ଅର୍ଗାନାଇଜେସନ୍ ଅଫ୍ ତାମିଲ ଇଲମ୍‌ର ନେତା ମାହେଶ୍ୱରନ ଏବଂ ମାଳଦ୍ୱୀପର ସରକାର ବିରୋଧୀ ବ୍ୟବସାୟୀ ଅବଦୁଲ୍ଲା ଲଥୁଫିଙ୍କ ନେତୃତ୍ୱରେ ବିଦ୍ରୋହ ହୋଇଥିଲା । ଭାରତୀୟ ସେନା ଅଧରାତିରେ ‘ଅପରେସନ କାକ୍‌ଟସ୍‌’ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଭବନକୁ ଘେରି ସୁରକ୍ଷିତ ରଖିବା ସହ ବିଦ୍ରୋହକୁ ଦମନ କରିଥିଲେ । ଅବଦୁଲ୍ଲା ଲୁଥୁଫି ବିପଦର ଆଶଙ୍କା କରି ନିଜ ଲୋକଙ୍କ ସହ ଦେଶଛାଡି ଚାଲିଗଲେ । ଏହି ଅପରେସନ୍‌ରେ ୧୬୦୦ ପାରାଟ୍ରୁପର୍ସ ଭାରତୀୟ ସେନା ପକ୍ଷରୁ ସାମିଲ ହୋଇଥିଲେ ।

୧୯୭୪ରୁ ଭାରତର ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଜିଯାଏଁ ଋଣ ପ୍ରଦାନ କରିଆସିଛି । ୨୦୧୪ରେ ମାଳଦ୍ୱୀପରେ ପାନୀୟ ଜଳର ସଙ୍କଟ ଦେଖାଦେଇଥିଲା ବେଳେ ୪ ଡିସେମ୍ବର ୨୦୧୪ରେ ସେଠାକାର ସରକାର ଭାରତକୁ ସହାୟତା ମାଗିଥିଲେ । ସି -୧୭ ଗ୍ଲୋବ ମାଷ୍ଟର ଏବଂ ଅନ୍ୟ ପରିବହନ ବିମାନ ଯୋଗେ ଭାରତରୁ ପାଣି ବୋତଲ ପଠାଯାଇଥିଲା । ନୌସେନା ପକ୍ଷରୁ ଆଇଏନ୍‌ଏସ୍ ସୁକନ୍ୟା ଏବଂ ଆଇଏନ୍‌ଏମ୍ ଦୀପକକୁ ପାନୀୟ ଜଳ ପ୍ରସ୍ତୁତି ପାଇଁ ପଠାଯାଇଥିଲା । ସେହି ଯୁଦ୍ଧପୋତରେ ଜଳ ପରିଷ୍କରଣ ମେସିନ ଲାଗିଥିଲା । ଏପ୍ରିଲ ୨୦୨୦ରେ କରୋନା ସମୟରେ ୧୫୦ ମିଲିଅନ ଡଲାର ଭାରତ ସରକାର ପରିସ୍ଥିତି ନିୟନ୍ତ୍ରଣ ପାଇଁ ମାଳଦ୍ୱୀପକୁ ଦେଇଥିଲେ । ଭାରତୀୟ ବାୟୁସେନା ଦ୍ୱାରା ୬.୨ ଟନ୍ ଓଜନର ଔଷଧ, ଡାକ୍ତରୀ ଉପକରଣ ଆଦି ‘ଅପରେସନ ସଞ୍ଜିବନୀ’ ଅଧୀନରେ ମାଳଦ୍ୱୀପକୁ ପ୍ରଦାନ କରାଯାଇଥିଲା ।
ମାଳଦ୍ୱୀପର ରାଜଧାନୀ ମାଲେସ୍ଥିତ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ଭାରତ ପକ୍ଷରୁ ସ୍ଥାପନା କରାଯାଇଛି । ମୋଦୀ ସରକାର ଶାସନକୁ ଆସିବା ପରଠାରୁ ଦ୍ୱିପାକ୍ଷିକ ବାଣିଜ୍ୟ ଢେର ବୃଦ୍ଧିପାଇଛି । ୨୦୨୨ରେ ଭାରତ ମାଳଦ୍ୱୀପର ଦ୍ୱିତୀୟ ବୃହତ ବାଣିଜ୍ୟିକ ସହଯୋଗୀ ରହିଥିଲା । ମାଳଦ୍ୱୀପର ପର୍ଯ୍ୟଟନରେ ଭାରତୀୟଙ୍କ ଅଂଶ ପ୍ରତିଶତ ହିସାବରେ ୨୦୧୮ରେ ୬.୧୦, ୨୦୧୯ରେ ୯.୭୫, ୨୦୨୦ରେ ୧୧.୩୩, ୨୦୨୧ରେ ୨୨.୦୭, ୨୦୨୨ରେ ୧୪.୪୧, ୨୦୨୩ରେ ୧୧.୧୮ ରହିଛି । ଗତବର୍ଷ କେବଳ ଭାରତୀୟ ପର୍ଯ୍ୟଟକଙ୍କଠାରୁ ମାଳଦ୍ୱୀପ ୩୧୫୨ କୋଟି ଟଙ୍କା ପାଇଥିଲା । ମାଳଦ୍ୱୀପର ପର୍ଯ୍ୟଟନ ବିଭାଗର ହିସାବ ଅନୁଯାୟୀ ଦ୍ୱୀପଦେଶରେ ୧୭୬ଟି ରିସର୍ଟରେ ୪୩୨୭୯ ଶଯ୍ୟା, ୧୪ଟି ହୋଟେଲରେ ୧୯୪୦ଶଯ୍ୟା, ୮୦୯ଟି ଗେଷ୍ଟ ହାଉସ୍‌ରେ ୧୩୬୫୭ ଶଯ୍ୟା, ୧୪୬ଟି ଭାସମାନ ଜାହାଜରେ ୨୭୭୪ଟି ଶଯ୍ୟା ଏମିତି ପର୍ଯ୍ୟଟକଙ୍କ ପାଇଁ ମୋଟ ୬୧୬୫୦ ଶଯ୍ୟା ରହିଛି । ଭେଲନା ବିମାନ ବନ୍ଦରକୁ ୪୩ ବିମାନ କମ୍ପାନୀର ବିମାନ ଚଳାଚଳ କରୁଛି ।
୧୯୯୬ ମାଳଦ୍ୱୀପରେ ଭାରତ ପକ୍ଷରୁ ବୈଷୟିକ ଶିକ୍ଷା ପାଇଁ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ ସଂସ୍ଥା ସ୍ଥାପନ କରାଯାଇଥିଲା । ୫.୩ ମିଲିଅନ ଡଲାର ଖର୍ଚ୍ଚରେ ମାଳଦ୍ୱୀପର ଶିକ୍ଷକ ଏବଂ ଯୁବକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟ ଭାରତ ପକ୍ଷରୁ ଜାରି ରହିଛି । ମାଳଦ୍ୱୀପର ନେସନାଲ ଡିଫେନ୍ସ ଫୋର୍ସ ପାଇଁ ୭୦ପ୍ରତିଶତ ପ୍ରଶିକ୍ଷଣ ଭାରତ ହିଁ ଦେଇଥାଏ । ମାଳଦ୍ୱୀପରେ ପ୍ରାୟ ୧୮୦୦୦ ଭାରତୀୟ ଲୋକେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ପରିବହନ ଆଦି କ୍ଷେତ୍ରରେ ରହିଛନ୍ତି । 
୨୦୧୭ରେ ଚୀନ ସହ ମୁକ୍ତ ବାଣିଜ୍ୟ ବୁଝାମଣା କରି ବେଲ୍‌ଟ ଏଣ୍ଡ୍ ରୋଡ ଇନିସିଏଟିଭ୍‌ରେ ଯୋଗଦେବା ପରେ ଚୀନର ସକ୍ରିୟତା ମାଳଦ୍ୱୀପରେ ଅଧିକ ବୃଦ୍ଧିପାଇଛି । ଚୀନ ଏବଂ ପାକ୍ ସରକାରଙ୍କର ଇସଲାମିକ ମୌଳବାଦୀ ଗୋଷ୍ଠୀ ସହ ସମ୍ପର୍କ ଦୃଷ୍ଟିରୁ ମାଲେରେ ଅଧିକ ଇସଲାମିକ ଉଗ୍ର ବିଚାର ବୃଦ୍ଧି ପାଇବାକୁ ଲାଗିଛି । ପୂର୍ବରୁ ଶ୍ରୀଲଙ୍କା ଏବଂ ନେପାଳରେ ଏହି ଦୁଇଦେଶ ଯେଉଁ ଖେଳ ଆରମ୍ଭ କରିଥିଲେ ଏବଂ ମାଳଦ୍ୱୀପରେ ସମାନ ଢଙ୍ଗରେ ଆରମ୍ଭ କରିଛନ୍ତି । ଅବଦୁଲ୍ଲା ୟାମିନଙ୍କ ଶାସନ କାଳରେ (୨୦୧୩-୧୮) ଯାହା ଆରମ୍ଭ ହୋଇଥିଲା ଏବେ ତାହା ଅଧିକ ଗତିଶୀଳ ହେବାକୁ ଲାଗିଛି । ଭାରତ ମହାସାଗର ମଧ୍ୟରେ ଭାରତର ୮୦ ପ୍ରତିଶତ ତୈଳ ପରିବହନ ହେଉଛି । ମାଳଦ୍ୱୀପରେ ଚୀନର ସକ୍ରିୟତା ଭାରତର ବାଣିଜ୍ୟ ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ମାଳଦ୍ୱୀପ ଖାଦ୍ୟସାମଗ୍ରୀ, ଔଷଧଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ ଥିବାରୁ ଆଗାମୀ ଦିନରେ ସଙ୍କଟର ସମ୍ମୁଖୀନ ହୋଇପାରେ । ମାଳଦ୍ୱୀପର ପର୍ଯ୍ୟଟନରେ ଅନେକ ଭାରତୀୟ ରହିଥିବା ହେତୁ ଆଗାମୀ ଦିନରେ ସେମାନଙ୍କର ବ୍ୟବସାୟ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି । ମାଳଦ୍ୱୀପର ଚୀନ୍‌କୁ ସହଯୋଗ ଆଗାମୀ ଦିନରେ ଭାରତ ମହାସାଗରରେ ଅଧିକ ଉତ୍ତେଜନା ବୃଦ୍ଧିର କାରଣ ହୋଇପାରେ । ରାଷ୍ଟ୍ରପତି ହେବା ପରେ ମୁଇଜ୍ଜୁ ପ୍ରଥମେ ତୁର୍କୀ ଏବଂ ଏବେ ଚୀନ୍‌କୁ ଗସ୍ତ କରିଛନ୍ତି । କଲମ୍ବୋଠାରେ ଅନୁଷ୍ଠିତ ସୁରକ୍ଷା ଅଧିକାରୀଙ୍କ ବୈଠକରେ ଭାରତ, ଶ୍ରୀଲଙ୍କା, ମରିସସ୍ ଯୋଗ ଦେଇଥିଲେ ହେଁ ମାଳଦୀପ ସଦସ୍ୟ ଥାଇ ମଧ୍ୟ ଅଂଶଗ୍ରହଣ କରିନଥିଲା । ଚୀନ୍‌ର ଅନ୍ୱେଷଣକାରୀ ସି-ୟାନ ଶ୍ରେଣୀର ପୋତ ଏବଂ ସାମୁଦ୍ରିକ ସର୍ବେକ୍ଷଣକାରୀ ୟୁଆନ୍ ୱାଙ୍ଗ୍ ଶ୍ରେଣୀର ପୋତ ବାରମ୍ବାର ଭାରତ ମହାସାଗରରେ କେବେ ଶ୍ରୀଲଙ୍କା, କେବେ ମାଳଦ୍ୱୀପର ସହଯୋଗରେ ପ୍ରବେଶ କରୁଛି । ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପରୁ ମାତ୍ର ୭୦ ନଟିକାଲ ମାଇଲ ଦୂରରେ ମାଳଦ୍ୱୀପ ଥିବା ହେତୁ ଆଗାମୀ ଦିନରେ ସୁରକ୍ଷା ବୃଦ୍ଧି ଲାଗି ଭାରତ ସରକାର ମିନିକୟ ଦ୍ୱୀପରେ ଯୁଦ୍ଧବିମାନ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିଆସିଥିବା ସାମରିକ ଅଭ୍ୟାସ ‘ଏକୁଭେରିନ’ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହୋଇପାରେ । ମାଳଦ୍ୱୀପ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେଶନ, ଭାରତ-ମାଳଦ୍ୱୀପ ଫାକଲ୍ଟି ଅଫ୍ ହସ୍ପିଟାଲିଟି ଏଣ୍ଡ୍ ଟୁରିଜିମ୍ ଷ୍ଟଡିଜ୍‌, ଟେକ୍ନୋଲୋଜି ଆଡପ୍‌ସନ୍ ପ୍ରୋଗ୍ରାମ ଇନ୍ ଏଜୁକେଶନ ସେକ୍ଟର, ଗୁଲ ହିଫାଲହୁର ବନ୍ଦର, ହାନିମାଧୁର ବିମାନ ବନ୍ଦରର ବିକାଶ, ହୁଲ୍‌ହୁମାଲେର ଡାକ୍ତରଖାନା ଏବଂ କ୍ରିକେଟ ଷ୍ଟାଡିୟମ୍ ନିର୍ମାଣ କ୍ଷେତ୍ରରେ ଭାରତର ସହଯୋଗ କମ୍ ହୋଇପାରେ କିମ୍ବା ବନ୍ଦ ମଧ୍ୟ ହୋଇପାରେ । 
ମାଳଦ୍ୱୀପର ରାଜନେତାମାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ପରେ ଭାରତୀୟ ଲୋକେ ସୋସିଆଲ ମିଡିଆରେ ‘ବୟକଟ ମାଳଦ୍ୱୀପ’ ଆହ୍ୱାନ ଦେଲେ ଯାହା ଖୁବ୍ ଭାଇରାଲ ହେଲା । ଲାକ୍ଷାଦ୍ୱୀପ ସମ୍ପର୍କରେ ଏତେ ସଂଖ୍ୟକ ଲୋକେ ଗୁଗୁଲରେ ଖୋଜିଲେ ଯେ ଯାହା ୨୦ବର୍ଷର ଗୁଗଲ ସର୍ଚ୍ଚ ରେକର୍ଡ ଭାଙ୍ଗିଲା । ମାଳଦ୍ୱୀପର ଦୈନକ ୮.୬୪ କୋଟି ଟଙ୍କା କ୍ଷତି ହେଲା । ଏବେ ଏଜେଣ୍ଟମାନେ ମାଳଦ୍ୱୀପ ଭ୍ରମଣ ଖର୍ଚ୍ଚ ୪୦ ପ୍ରତିଶତ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଆମେ ବୈଶ୍ୱିକ ରାଜନୀତି ଦୃଷ୍ଟିରୁ ଏହାକୁ ଠିକ୍ ବୋଲି କହିବା ନାହିଁ କିମ୍ବା ଆକସ୍ମିକ ରାଷ୍ଟ୍ରବାଦୀ ବୋଲି ନିଜକୁ ପ୍ରଦର୍ଶିତ କରାଇବା ନାହିଁ । ତା’ର କାରଣ ହେଲା ଏତେସବୁ ଟ୍ରେଣ୍ଡ ପରେ ମଧ୍ୟ ୧୪୦୦ରୁ ଅଧିକ ଭାରତୀୟ ପର୍ଯ୍ୟଟକ ଭିନ୍ନ ଭିନ୍ନ ମାର୍ଗରେ ଚଳିତ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ (୨୦୨୪) ମାଳଦ୍ୱୀପରେ ପହଞ୍ôଚଛନ୍ତି । ଅଭିନେତ୍ରୀ ବିପାଶା ବସୁ ନିଜ ପରିବାରର ଫଟୋ ମାଳଦ୍ୱୀପ ସମୁଦ୍ରରେ ଉଠାଇ ଛାଡିଛନ୍ତି । କେତେକ ବ୍ୟକ୍ତି ବିପାଶାଙ୍କ କାର୍ଯ୍ୟକୁ ମଧ୍ୟ ନିନ୍ଦା କରିିଛନ୍ତି । କିନ୍ତୁ ନେପାଳରେ ଭାରତକୁ ଯେମିତି ଚୀନ ହରଡ଼ଘଣାରେ ପକାଇ ନେପାଳ ବିରୋଧୀ ଭାବେ ଛିଡ଼ା କରିଥିଲା ଏବେ ଠିକ୍ ସେମିତି ମୁଇଜ୍ଜୁଙ୍କୁ ‘ଦ୍ୱିତୀୟ ଓଲି’ କରି ଛିଡ଼ା କରିଛି । ମାଳଦ୍ୱୀପର ବିରୋଧୀ ଦଳ ଏବେ ମଧ୍ୟ ଭାରତ ସପକ୍ଷରେ ରହିଛି । ମାଳଦ୍ୱୀପର ଭାରତ ସମର୍ଥକ ଦଳ ଏମ୍‌.ଡି.ପି ୧୩ ଜାନୁଆରୀ ୨୦୨୪ ଦିନ ଘୋଷିତ ରାଜଧାନୀ ମାଲେର ମେୟର ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି । ମୁଇଜ୍ଜୁ ୨୦୨୨ ପର୍ଯ୍ୟନ୍ତ ମାଲେର ମେୟର ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ଲାଗି ସେ ପଦ ଛାଡ଼ିଥିଲେ । ଏମ୍‌ଡ଼ିପି ପ୍ରାର୍ଥୀ ଆଦାମ ଅଜିମ୍ ମାଲେର ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏବଂ ମୁଇଜ୍ଜୁଙ୍କ ଦଳ ପିପୁଲ୍ସ ନେସନାଲ କଂଗ୍ରେସର ପ୍ରାର୍ଥୀ ଐଶଥ୍ ଅଜିମା ଶକୁରଙ୍କୁ ପରାସ୍ତ କରିଛନ୍ତି । ଅଜିମଙ୍କୁ ୫୩୦୩ ଭୋଟ ମିଳିଥିଲା ବେଳେ ଅଜିମା ଶକୁରଙ୍କୁ ୩୩୦୧ ଭୋଟ ମିଳିଥିଲା । ନିର୍ବାଚନରେ ମତଦାନ କମ୍ ହୋଇଥିଲା । ଚୀନରେ ପାଞ୍ଚଦିନର ଗସ୍ତ ପରେ ୧୩ ଜାନୁଆରୀରେ ମୁଇଜ୍ଜୁ ନିଜ ଦେଶକୁ ଫେରିବା ପରେ କହିଥିଲେ ଯେ ତାଙ୍କ ଦେଶ ଛୋଟ ହେଲେ ମଧ୍ୟ ତାଙ୍କୁ କେହି ଧମକାଇ ପାରିବେ ନାହିଁ । କିନ୍ତୁ ମାଳଦ୍ୱୀପର ଜନସାଧାରଣ ମୁଇଜ୍ଜୁଙ୍କ ନୀତିକୁ ଯେ ବିରୋଧ କରୁଛନ୍ତି ତାହା ମାଲେର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି । ମୁଇଜ୍ଜୁ ପୁଣି କହିଛନ୍ତି ଯେ ମାର୍ଚ୍ଚ ମାସ ୧୫ ତାରିଖ ପୂର୍ବରୁ ମାଳଦ୍ୱୀପରେ ମୁତୟନ ଥିବା ଭାରତର ସୈନ୍ୟମାନଙ୍କୁ ଭାରତ ଫେରାଇ ନେଉ । କିନ୍ତୁ ୫୨୦୦୦୦ ଜନସଂଖ୍ୟା ବିଶିଷ୍ଟ ମାଳଦ୍ୱୀପର ରାଜଧାନୀ ମାଲେଠାରେ ୨୫୨୭୬୮ ଜଣ ବାସ କରୁଥିବା ବେଳେ ଦେଶର ସଂଖ୍ୟାଧିକ ଜନତା ଉକ୍ତ ନିଷ୍ପତ୍ତି ବିରୋଧ କରୁଛନ୍ତି । ଏଥିରୁ ଜନସାଧାରଣ ମୁଇଜ୍ଜୁଙ୍କୁ ଯେ ବିରୋଧ କରୁଛନ୍ତି ତାହା ଜଣାପଡ଼ିବ । ଲୋକେ ମଧ୍ୟ ଭାରତ ସପକ୍ଷରେ ଅଛନ୍ତି । କିଛି ହାତଗଣା ରାଜନେତାଙ୍କ ପାଇଁ ବହୁ ବର୍ଷର ନିବେଶ ଖରାପ ନହେଉ, ସମ୍ପର୍କ ଖରାପ ନ ହେଉ, ଭାରତୀୟଙ୍କ ଚାକିରି ଓ ବ୍ୟବସାୟ ହାତରୁ ନଯାଉ, ଏହା ଆମେ ଚାହିଁବା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତି, ବୈଶ୍ୱିକ ରାଜନୀତି, ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଅର୍ଥନୀତିରେ ନୀତି-ଅନୀତି ମଧ୍ୟରେ ଦୂରତା କମି କମି ଯାଉଛି, ଯାହା ସମସ୍ତଙ୍କ ପାଇଁ କଷ୍ଟଦାୟକ । ଯେଉଁଥିପାଇଁ ଏତେସବୁ ପରେ ମଧ୍ୟ ମୋଦୀ ନିଜେ କିଛି ମନ୍ତବ୍ୟ ନଦେଇ ଚୁପ୍ ରହିଛନ୍ତି । ତା’ର କାରଣ ହେଲା ମାଳଦ୍ୱୀପ ଏବେ ନୂଆ ସରକାରଙ୍କ ନୀତିରେ ‘ଭାରତ ପ୍ରଥମ’ ବ୍ୟବସ୍ଥାକୁ ବଦଳାଇବାକୁ ଚାହୁଁଛି । ଗୋଟିଏ ପଟେ ଚୀନ, ପାକିସ୍ତାନ ଓ ତୁର୍କୀର ସମର୍ଥନ ଏବଂ ଅନ୍ୟପଟେ ଇସଲାମିକ ରାଷ୍ଟ୍ରସମୂହର ନୀରବ ସମର୍ଥନରେ ମାଳଦ୍ୱୀପ ଭାରତକୁ ଭାରତ ମହାସାଗର ମଧ୍ୟରେ ଘେରିବାକୁ ସୁଯୋଗ ସୃଷ୍ଟି କରୁଛି । 
ଇସଲାମିକ ମୌଳବାଦ ଏବଂ ରାଜନୀତିକ ସୁବିଧାବାଦ ବର୍ତ୍ତମାନର ମୁଇଜ୍ଜୁ ସରକାରଙ୍କ ପାଇଁ ଦୁଇଟି ଅଘୋଷିତ ନୀତି ଭାବେ କାର୍ଯ୍ୟକରୁଛି । ଆଗାମୀ ଦିନରେ ବିଶ୍ୱମଞ୍ଚରେ ଏହିସବୁ ରାଷ୍ଟ୍ରଙ୍କ ସହାୟତାରେ କାଶ୍ମୀର, ଇସଲାମକୁ ବିରୋଧ ପରି ବିଷୟ ଉଠାଇ ଭାରତକୁ ଘେରାଯିବା କିଛି ବଡ଼କଥା ନୁହେଁ । କାରଣ ଆମେରିକା- ବ୍ରିଟେନ ସହ ଗଣତାନ୍ତ୍ରିକ ଏବଂ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଥିବା ସତ୍ତ୍ୱେ ଏହି ଦୁଇ ରାଷ୍ଟ୍ରର ରାଜଦୂତ, ସାଂସଦ ଏବଂ ଅଧିକାରୀମାନେ ଭିନ୍ନ ଭିନ୍ନ ସମୟରେ ପାକ୍‌-ଅଧିକୃତ କାଶ୍ମୀରକୁ ଯାଇ ଫଟୋ ଉଠାଇବା ସହ ନିଜ ଦେଶରେ କେତେ ସଂଖ୍ୟକ କାଶ୍ମୀରୀ ରହିଛନ୍ତି ତାହା ବଖାଣିବାରେ ବ୍ୟସ୍ତ । ଏହା ଭାରତକୁ ନିୟନ୍ତ୍ରଣ କରିବା ପାଇଁ ହିଁ ଉଦ୍ଦିଷ୍ଟ, ଯାହା ସହଜରେ ବୁଝାଯାଇପାରେ । ସମ୍ପ୍ରତି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ, ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର, ସବୁଠୁ ଅଧିକ ଗତିଶୀଳ ଅର୍ଥନୀତି ଏବଂ ସଶକ୍ତ ବିଦେଶନୀତିକୁ ନେଇ ଯେପରି ଭାରତ ଆଗକୁ ବଢୁଛି ସେଥିରେ ପୁରୁଣା ଏବଂ ଶକ୍ତିଶାଳୀ ରାଷ୍ଟ୍ରମାନେ ଚିନ୍ତିତ । ମାଳଦ୍ୱୀପ ପରି ଆହ୍ୱାନ ଅନ୍ୟ ପଡ଼ୋଶୀ ରାଷ୍ଟ୍ର କିମ୍ବା ବନ୍ଧୁରାଷ୍ଟ୍ରରୁ ଯେ ଆଗାମୀ ଦିନରେ ଆସିବ ନାହିଁ ତାହା ନୁହେଁ । ଭାରତ ସବୁପ୍ରକାର ପରିସ୍ଥିିତିର ସମ୍ମୁଖୀନ ହେବା ପାଇଁ ଏବେ ପ୍ରସ୍ତୁତ ରହିବା ଆବଶ୍ୟକ ଏବଂ ନାଗରିକମାନେ ମଧ୍ୟ ନିଜକୁ ସେଭଳି ସଶକ୍ତକରି ଗଢିତୋଳିବା ଆବଶ୍ୟକ, କାରଣ ଏହି ଶତାବ୍ଦୀ ହେବ ଭାରତବାସୀଙ୍କର ।
ଭାରତୀୟ ସମ୍ବାଦ ସେବା (ଭାସ୍‌)

Flip Book Link: https://demo.rastradeep.com/flip.aspx?fid=210

Related Post