Latest News

ପ୍ରାଣପ୍ରତିଷ୍ଠା ଉତ୍ସବରେ ବିବ୍ରତ ବିରୋଧୀ

ମାତୃଦତ୍ତ ମହାନ୍ତି 15/01/2024ମୁଖ୍ୟ ପ୍ରସଙ୍ଗ

 ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରସ୍ତୁତ । ଆସନ୍ତା ଜାନୁଆରି ୨୨ ତାରିଖରେ ମନ୍ଦିର ପ୍ରତିଷ୍ଠା ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ କରାଯାଇଛି । ଭଗବାନ ରାମଙ୍କ ଗୃହ ପ୍ରବେଶ ବା ସ୍ୱଗୃହ ପ୍ରତ୍ୟାବର୍ତ୍ତନକୁ ଭାରତ କାହିଁକି ସାରା ବିଶ୍ୱର ରାମଭକ୍ତମାନେ ଏକ ଉତ୍ସବ ଭାବେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହି ଉତ୍ସବ ରାଜନୈତିକ ଘଟଣାରେ ପରିଣତ ହୋଇଛି । ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏବେ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ । କୋଟି କୋଟି ସାଧାରଣ ଦେଶବାସୀଙ୍କୁ ଅକ୍ଷତ ଦିଆଯାଇ ନିମନ୍ତ୍ରଣ କରାଯାଉଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ପହଞ୍ଚୁଛି ନିମନ୍ତ୍ରଣପତ୍ର । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ନିମନ୍ତ୍ରଣପତ୍ର ପ୍ରତ୍ୟାଖ୍ୟାନ କରୁଥିବା ବେଳେ ଆଉ କେହି କେହି ନିମନ୍ତ୍ରଣ ପାଇବା ସତ୍ତ୍ୱେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ଗଣମାଧ୍ୟମରେ ଖୋଲାଖୋଲି କହି ସାରିଲେଣି । ତେବେ ରାମମନ୍ଦିର ନିର୍ମାଣ ପରେ ହିନ୍ଦୁ ଜାଗରଣ ଏବଂ ଏକତ୍ରିକରଣ କଂଗ୍ରେସ ନେତାମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କଂଗ୍ରେସ ନେତା ଶ୍ୟାମ ପିଟ୍ରୋଡା ରାମମନ୍ଦିର ନିର୍ମାଣରେ ଚିନ୍ତା ପ୍ରକାଟ କରିଛନ୍ତି । ରାମଙ୍କ ମନ୍ଦିର ଦେଶକୁ ବିପଥଗାମୀ କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଜେପିର କାର୍ଯ୍ୟକ୍ରମ ବୋଲି କହିବା ସହିତ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ୍ ନେତା ଦିଗ୍‌ବିଜୟ ସିଂହଙ୍କ ମତରେ ଭଗବାନ ରାମ ବି ଚାହୁଁନଥିବେ ତାଙ୍କ ମନ୍ଦିର କୌଣସି ବିବାଦୀୟ ସ୍ଥାନରେ ହେଉ ବୋଲି । ଯାହା ହେଉ ଦିଗ୍‌ବିଜୟ ସିଂହ ଏହା କହି ନାହାନ୍ତି ଯେ, ରାମ ଚାହୁଁଥିଲେ ଏଠାରେ ବାବ୍ରି ବସଜିଦ୍ ନିର୍ମାଣ ହେଉ ବୋଲି । ସେ ଆହୁରି ମଧ୍ୟ କହିଛନ୍ତି- “ଶ୍ରୀରାମ ମୋ ହୃଦୟରେ, ଏଣୁ ମୁଁ ମନ୍ଦିର ଯିବାର ଆବଶ୍ୟକତା ନାହିଁ ।” କଂଗ୍ରେସ ନେତା ମଣିଶଙ୍କର ଆୟାର ସବୁ ସୀମା ଟପିଯାଇ ରାମଙ୍କ ଜନ୍ମ ବଖରାକୁ ନେଇ ପ୍ରଶ୍ନ ଉଠାଇଥିଲେ । ରାଜା ଦଶରଥଙ୍କ ଉଆସରେ ୧୦ ହଜାର ବଖରା ଥିଲା । ରାମ କେଉଁ ବଖରାରେ ଜନ୍ମ ହୋଇଥିଲେ ବୋଲି ମଣିଶଙ୍କର ପ୍ରଶ୍ନ କରିଥିଲେ । କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ.ଅଞ୍ଜନେୟ ଭଗବାନ ରାମଙ୍କୁ ବିଜେପିର ରାମ ବୋଲି କହିଛନ୍ତି । ତାଙ୍କ ଦୃଷ୍ଟିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ସ୍ୱୟଂ ଭଗବାନ ରାମ । ତେଣୁ ସେ ଅଯୋଧ୍ୟା ଯାଇ ରାମ ଦର୍ଶନ କରିବାର କ’ଣ ଆବଶ୍ୟକତା ରହିଛି? କଂଗ୍ରେସ ସମେତ ଏହାର ସହଯୋଗୀ ଦଳର ନେତା ବି ରାମଙ୍କୁ ସମାଲୋଚନା କରିବାରେ ପଛରେ ନାହାନ୍ତି । 

ରାମ ମନ୍ଦିର ନିର୍ମାଣ ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ୍ । ସ୍ୱାଧୀନତାର ୭୫ ବର୍ଷ ଭିତରେ ଗାନ୍ଧୀ-ନେହେରୁ ପରିବାରର କୌଣସି ବ୍ୟକ୍ତି ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରି ନାହାନ୍ତି । ଜବାହର ଲାଲ, ଇନ୍ଦିରା, ରାଜୀବ, ସୋନିଆ, ରାହୁଲ କେବେ ଅଯୋଧ୍ୟା ଯାଇ ନାହାନ୍ତି । ଏବେ ମନ୍ଦିର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇବା ପରେ ଗାନ୍ଧୀ ପରିବାର ଅଡୁଆରେ ପଡିଯାଇଛି । ଯଦି ଗାନ୍ଧୀ ପରିବାରର କେହି ନିମନ୍ତ୍ରଣ ରକ୍ଷା କରି ଅଯୋଧ୍ୟା ଯାଉଛନ୍ତି, ତେବେ କଂଗ୍ରେସ ଦଳର ଧର୍ମନିରେପେକ୍ଷ ଛବି ମଳିନ ପଡିଯି

ବାର ସମ୍ଭାବନା ରହିଛି । ବର୍ଷ ବର୍ଷ ଧରି ଦେଶର ସଂଖ୍ୟାଲଘୁମାନଙ୍କ ଭୋଟକୁ ପୁଞ୍ଜି କରି ନିର୍ବାଚନ ଜିତି ଆସିଥିବା କଂଗ୍ରେସ ଏବେ ଧର୍ମ ସଙ୍କଟରେ ପଡିଯାଇଛି । ଗାନ୍ଧୀ ପରିବାରର କେହି ରାମ ମନ୍ଦିର ଗଲେ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ବିଗିଡି ଯିବାର ଅଶାଙ୍କା କରୁଛି ଦଳ । ଅନ୍ୟ ପକ୍ଷରେ ଯଦି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରୁଛି ତେବେ ବିଜେପି ଏହାକୁ ଏକ ବଡ ରାଜନୈତକି ପ୍ରସଙ୍ଗ କରିବାର ମଧ୍ୟ ଅନୁମାନ କରୁଛି କଂଗ୍ରେସ । ଏହାଦ୍ୱାରା କଂଗ୍ରେସର ହିନ୍ଦୁ ବିରୋଧୀ ଛବି ଜଳଜଳ ହୋଇ ଦିଶିବ; ଯାହାକୁ ନେଇ ବିଜେପି ଖୁବ୍ ପ୍ରଚାର କରିବ । କଂଗ୍ରେସର ସହଯୋଗୀ ଦଳମାନଙ୍କ ମଧ୍ୟରୁ କିଛି ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୋଲାଖୋଲି ପ୍ରତିକୂଳ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଏମିତିରେ ଯଦି କଂଗ୍ରେସର ମୁଖିଆ ରାମମନ୍ଦିର ଯାଆନ୍ତି ତେବେ ମେଣ୍ଟ ସମ୍ପର୍କ ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି । ଏସବୁ ବିଚାର କରି କଂଗ୍ରେସ ଏବେ ଦୋଛକିରେ । କିନ୍ତୁ ଯାହା ଲାଗୁଛି କଂଗ୍ରେସ୍ ବରଂ ବିଜେପିର ଟାର୍ଗେଟକୁ ସହ୍ୟ କରିଯିବ କିନ୍ତୁ ସଂଖ୍ୟାଲଘୁ ସମୁଦାୟଙ୍କୁ ଅସନ୍ତୁଷ୍ଟ କରିବ ନାହିଁ । ତେବେ କଂଗ୍ରେସର ଏହି ପରମ୍ପରା ଆଜିର ନୁହଁ । ଦେଶ ସ୍ୱାଧୀନତା ପୂର୍ବରୁ ଭାରତରେ ତୁଷ୍ଟିକରରଣ ରାଜନୀତିର ମୂଳଦୁଆ ପଡିଥଲା । କଂଗ୍ରେସର ଏହି ମାନସିକତା ଭାରତକୁ ବିଭାଜନ କରି ସ୍ୱତନ୍ତ୍ର ପାକିସ୍ତାନ ଗଠନ କରିବାରେ ସହାୟକ ହେଲା । ଭାରତ ସ୍ୱାଧୀନ ହେଲା, କିନ୍ତୁ କଂଗ୍ରେସର ସଂଖ୍ୟାଲଘୁ ତୁଷ୍ଟୀକରଣ ନୀତିରେ କୌଣସି ପରିବର୍ତ୍ତନ ହେଲା ନାହିଁ । ଫଳରେ ମୋଗଲଙ୍କ ଦ୍ୱାରା ଧ୍ୱଂସପ୍ରାପ୍ତ ରାମମନ୍ଦିର ସମେତ ଅନ୍ୟ ହିନ୍ଦୁ ଦେବାଳୟର ନିର୍ମାଣ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଏବେ ଯେତେବେଳେ କୌଣସି ସରକାର ଭାରତ ଭୂମିରେ ସନାତନ ସଂସ୍କୃତିର ପୁନଃସ୍ଥାପନ ପାଇଁ କାର୍ଯ୍ୟ କରୁଛି ସେତେବେଳେ କଂଗ୍ରେସ ସମେତ ତା’ର ସହଯୋଗୀ ଦଳମାନେ ‘ବୟକଟ ରାଜନୀତି’ ଆରମ୍ଭ କରିଛନ୍ତି । ମନ୍ଦିର ଜାଗାରେ ହସ୍ପିଟାଲ କାହିଁକି ପ୍ରତିଷ୍ଠା ହେଲା ନାହିଁ ବୋଲି ଯୁକ୍ତି କରୁଛନ୍ତି । ଦେଶର ବିକାଶ ପାଇଁ କାମ ନକରି ବିଜେପି ବୁଲିବୁଲି ମନ୍ଦିର ପ୍ରତିଷ୍ଠା କରୁଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ତେବେ ସେମାନେ ଜାଣି ରଖିବା ଉଚିତ, ଭାରତରେ ୫ଶହ କିଲୋମିଟର ମେଟ୍ରୋ ନିର୍ମାଣ, ୫୧ କୋଟି ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା, ୪ କୋଟି ମାଗଣା ଘର ନିର୍ମାଣ କରିବା, ୩୧୫ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ୪୫ କୋଟି ମୁଦ୍ରା ଋଣ ଯୋଗାଇ ଦେବା, ୨୨୦ କୋଟି ମାଗଣା ଟୀକା ଦେବା, ୧୧ କୋଟି ପରିବାରକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବା, ୧୦ ହଜାର ଜନଔଷଧୀ କେନ୍ଦ୍ର ଖୋଲିବା, ୧୦ କୋଟି ପରିବାରକୁ ଏଲପିଜି ସଂଯୋଗ ଦେବା, ୭୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିବା ପରେ ବିଜେପି ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନର୍ମାଣ କରୁଛି । ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଭଗବାନ ରାମଚନ୍ଦ୍ରଙ୍କୁ ବୟକଟ କରିବା ଅର୍ଥ ନିଜ ଭାଗ୍ୟକୁ ବୟକଟ କରିବା । ଦୀର୍ଘ ୫ ଶହ ବର୍ଷର ସଂଘର୍ଷ ପରେ ବି ରଘୁନନ୍ଦନ ନିଜ ଜନ୍ମଭୂମିକୁ ଫେରିଛନ୍ତି । ତାଙ୍କୁ କ’ଣ କେହି ବୟକଟ କରିପାରେ । ସନାତନର ଏହି ପବିତ୍ର ଭୂମିରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଅମର୍ଯ୍ୟାଦାକୁ ଭାରତର ସନାତନୀମାନେ ଆଉ ସହ୍ୟ କରିବାର ମାନସିକତାରେ ନାହାନ୍ତି । ସାବଧାନ ହୋଇ ଯାଆନ୍ତୁ ନହେଲେ ସଫା ହୋଇଯିବେ ।

Flip Book Link: https://demo.rastradeep.com/flip.aspx?fid=209

Related Post