Latest News

ମାଳଦ୍ୱୀପ ପ୍ରସଙ୍ଗ : ଲେଫ୍ଟ ଲିବରାଲ, କଂଗ୍ରେସ ଓ ଚୀନର ଆଭିମୁଖ୍ୟରେ ସମାନତା

ଡ. ସମନ୍ୱୟ ନନ୍ଦ 22/01/2024ମୁଖ୍ୟ ପ୍ରସଙ୍ଗ

ଯେତେବେଳେ ଭାରତୀୟ ମାନେ ଭାରତର ସ୍ୱାର୍ଥ ପାଇଁ ଭାରତ ବିରୋଧୀ ଶକ୍ତିମାନଙ୍କ ବିରୋଧରେ ଏକଜୁଟ ହୋଇ ବିରୋଧ କରିବେ ଓ ସେତିକିବେଳେ ଦେଶରେ ଥିବା ଲେଫ୍ଟ ଲିବରାଲ ଗୋଷ୍ଠୀ ଓ ତାଙ୍କର ଇକୋ ସିଷ୍ଟମ ଚୁପ ହୋଇ ବସି ରହିବ ଓ ଭାରତ ବିରୋଧରେ ପଦଟିଏ କହିବ ନାହିଁ, ଏପରି କ’ଣ ହୋଇପାରିବ ? ଏପରି ଆଦୌ ହୋଇପାରିବ ନାହିଁ । ଏବେ ଚାଲିଥିବା ମାଳଦ୍ୱୀପ ପ୍ରସଙ୍ଗରେ ଏହାକୁ ପୁଣି ଥରେ ସତ୍ୟ ବୋଲି ପ୍ରମାଣିତ କରି ଦେଇଛନ୍ତି ଏହି ଲେଫ୍ଟ ଲିବରାଲ ଗୋଷ୍ଠୀର ଲୋକେ । ମାଳଦ୍ୱୀପ ପ୍ରସଙ୍ଗକୁ ନେଇ କେବଳ ଲେଫ୍ଟ ଲିବରାଲ ଗୋଷ୍ଠୀ ପୁଣି ଥରେ ଭାରତ ବିରୋଧରେ ସକ୍ରିୟ ହୋଇ ସାରିଛନ୍ତି । 

ମାଳଦ୍ୱୀପର ଏହି ନେତାମାନଙ୍କର ଏଭଳି ମନ୍ତବ୍ୟ ପରେ ଭାରତୀୟଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଲା ଓ କିଛି ସମୟ ମଧ୍ୟରେ ବୟକଟ ମାଳଦ୍ୱୀପ ଅଭିଯାନ ମଧ୍ୟ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା । ତେବେ ଚିରାଚରିତ ଭାବେ ଏହି ପ୍ରସଙ୍ଗରେ ଲେଫ୍ଟ ଲିବରାଲ ଗ୍ୟାଙ୍ଗ ଭାରତ ବିରୋଧରେ ବାହାରିଥିଲା । ଏହି ଗ୍ୟାଙ୍ଗର ସଦସ୍ୟମାନେ ସୋସିଆଲ ମିଡ଼ିଆରେ କହିବା ଆରମ୍ଭ କରି ଦେଇଥିଲେ ଯେ ଭାରତ ନିକଟରେ ପର୍ଯ୍ୟଟନର ଭିତ୍ତିଭୂମି ନାହିଁ, ମାଳଦ୍ୱୀପ ଭାରତ ଠାରୁ ଖୁବ୍ ଆଗରେ । ବର୍ତ୍ତମାନ ଉଦାହରଣ ସ୍ୱରୂପ ଜଣେ ଲେଫ୍ଟ ଲିବରାଲ ସଦସ୍ୟ ସାଗରିକା ଘୋଷ ଏହି ପ୍ରସଙ୍ଗରେ ଯାହା ଲେଖିଛନ୍ତି ତାହା ଉପରେ ଦୃଷ୍ଟି ପକାଇବା । ସେ ଲେଖିଥିଲେ- “ରିଏଲିଟି ଚେକ : ମାଳଦ୍ୱୀପ ନିକଟରେ ୧୭୦ ବିଶ୍ୱ ସ୍ତରୀୟ ରିସୋର୍ଟ ଓ ୯ ଶହ ଗେଷ୍ଟହାଉସ ରହିଛି, ପ୍ରତ୍ୟେକ ଦ୍ୱୀପରେ ଗୋଟିଏ ରିସୋର୍ଟ । ହେଲେ ଲାକ୍ଷାଦ୍ୱୀପରେ ଖିୁବ କମ୍ ସଂଖ୍ୟାରେ, ଫାଇଭ ଷ୍ଟାର ଶ୍ରେଣୀର ଆଦୌ ନାହିଁ । ଲାକ୍ଷାଦ୍ୱୀପ ଗତଥର ସେତେବେଳେ ଶିରୋନାମାରେ ଥିଲା ଯେତେବେଳେ ଉପରାଜ୍ୟପାଳ ବିଫ୍ ବ୍ୟାନ କରିବାକୁ ସୁପାରିସ କରିଥିଲେ । ପର୍ଯ୍ୟଟନ ଗୁଣବତ୍ତାପୂର୍ଣ୍ଣ ଭିତ୍ତିଭୂମି ଖୋଲା ଓ ସମାବେଶୀ ସଂସ୍କୃତି ଆବଶ୍ୟକ କରେ । ମାଳଦ୍ୱୀପକୁ ବୟକଟ କରିବା କଥା କହିବା ପୂର୍ବରୁ ଆସନ୍ତୁ ଭାରତର ରିଏଲିଟି ଚେକ୍ କରିବା ।”
ଲେଫ୍ଟ-ଲିବରାଲ ଗୋଷ୍ଠୀର ସାଗରିକା ତାଙ୍କ ମନର କଷ୍ଟକୁ ଏହି ଟ୍ୱିଟ୍‌ରେ ବ୍ୟକ୍ତ କରିଛନ୍ତି । ସେ କହୁଛନ୍ତି ଯେ ଭାରତରେ କୌଣସି ପ୍ରକାର ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ନାହିଁ, ମାଳଦ୍ୱୀପରେ ସବୁ ରହିଛି । କେବଳ ସେତିକି ନୁହେଁ, ସେ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରସଙ୍ଗରେ ବିଫ ପ୍ରସଙ୍ଗକୁ ଯୋଡ଼ି ଓ ବିନା କୌଣସି କାରଣରେ ଏଭଳି ଶବ୍ଦର ଚୟନ କରି ଏହାକୁ ହିନ୍ଦୁ- ମୁସଲମାନ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି । ଲେଫ୍ଟ – ଲିବରାଲମାନଙ୍କ ପାଇଁ ଭାରତରେ କିଛି ଭଲ ନାହିଁ, ସବୁ ଖରାପ । ସେ ଏହାକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାଠଗଡ଼ାରେ ଠିଆ କରାଇଛନ୍ତି । ମାଳଦ୍ୱୀପକୁ କାହିଁକି ବୟକଟ କରିବାକୁ ଅଭିଯାନ ଆରମ୍ଭ କରାଯାଉଛି ଓ ତା’ର ସଫଳତାକୁ ଦେଖି ତାଙ୍କ ମନର କଷ୍ଟ ସ୍ପଷ୍ଟ ପରିଲକ୍ଷିତ ହେଉଛି । 
ସେହିପରି ଏହି ପ୍ରସଙ୍ଗ ଜୋର ଧରିବା ଓ ମାଳଦ୍ୱୀପକୁ ଯାଉଥିବା ପର୍ଯ୍ୟଟକମାନେ ସେମାନଙ୍କର ଟ୍ରିପକୁ ରଦ୍ଦ କରିବା ପରେ ଲେଫ୍ଟ ଲିବରାଲମାନେ ଆଉ ଏକ ପ୍ରକାରର ନ୍ୟାରେଟିଭ ତିଆରି କରିବାକୁ ଚେଷ୍ଟା କରିଥିଲେ ଓ ତାହା ହେଲା, ‘ଗୋଟେ ଛୋଟ ଦେଶକୁ ଭାରତ ଡରାଇ ହଇରାଣ କରୁଛି, ଯାହା ଠିକ ନୁହେଁ ’ । ‘ଏକ ଛୋଟ ସାର୍ବଭୌମ ଦେଶ ପ୍ରତି ଏଭଳି ବ୍ୟବହାର କାହିଁକି କରାଯାଉଛି’ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କାହିଁକି କରୁଛନ୍ତି?’ ‘ସୋସିଆଲ ମିଡ଼ିଆରେ ମାଳଦ୍ୱୀପ ବିରୋଧରେ ବାତାବରଣ ତିଆରି କରିବାକୁ କାହିଁକି ଦିଆଯାଉଛି ? ଏହା ଉପରେ ରୋକ ଲାଗିବା ଆବଶ୍ୟକ ।’ ମୋଟ ଉପରେ ଏହି ମାମଲାରେ ଲେଫ୍ଟ ଲିବରାଲ ଗୋଷ୍ଠୀର ପ୍ରତିକ୍ରିୟା ଉପର ଲିଖିତ ନ୍ୟାରେଟିଭକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ରହିଥିଲା ।
ଏବେ ଦେଖିବା କଂଗ୍ରେସ ଦଳର ଏହି ପ୍

ସଙ୍ଗରେ ପ୍ରତିକ୍ରିୟା କ’ଣ ରହିଥିଲା ? ମାଳଦ୍ୱୀପ ବିବାଦକୁ ନେଇ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ କହିଥିଲେ ଯେ ‘ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ କଥାକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି । ପଡ଼ୋଶୀ ଦେଶମାନଙ୍କ ସହ ଆମର ଭଲ ସମ୍ପର୍କ ରହିବା ଉଚିତ ।’ ଏହା କହି ଖଡ଼୍‌ଗେ ପଡ଼ୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଖଡ଼୍‌ଗେ ଯେଉଁ କଥା ଉଠାଇଛନ୍ତି ତାହା କ’ଣ ସତ୍ୟ? ମୋଦୀ କ’ଣ ପ୍ରତ୍ୟେକ କଥାକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି । ପ୍ରଧାନମନ୍ତ୍ରୀ ତ ଲାକ୍ଷାଦ୍ୱୀପର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିବା ବେଳେ ମାଳଦ୍ୱୀପର ନାମ ମଧ୍ୟ ନେଇ ନାହାନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ସଭାପତି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ? ଏଠାରେ ଉଲ୍ଲେଖ କରାଯିବା ଆବଶ୍ୟକ ଯେ ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ମୋଇଜୁ ନିର୍ବାଚନ ପୂର୍ବରୁ ହିଁ ତାଙ୍କର ଚୀନ ପ୍ରେମ ଓ ଭାରତ ବିରୋଧକୁ ସ୍ପଷ୍ଟ କରି ଦେଇଥିଲେ । ସେ ନିର୍ବାଚନ ପୂର୍ବରୁ ହିଁ ରାଜଧାନୀ ମାଲେର ରାଜରାସ୍ତାରେ ଇଣ୍ଡିଆ ଆଉଟର ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା । ମାତ୍ର ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ମାଳଦ୍ୱୀପର ସେ ନିର୍ବାଚନରେ ତାଙ୍କ ଦଳ ପାଖାପାଖି ୨୦ ହଜାର ଭୋଟରେ ବିଜୟୀ ହୋଇଥିଲା । ଏହାପରେ ସେ ତାଙ୍କର ସେହି ଭାରତ ବିରୋଧୀ ଆଭିମୁଖ୍ୟକୁ ଦୋହରାଇଥିଲେ । ସେ ଏହି ଅଞ୍ଚଳରେ ଚୀନର ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛନ୍ତି । ଭାରତର ସ୍ୱାର୍ଥ ବିରୋଧରେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି କାର୍ଯ୍ୟ କରିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପର ନାମ ମଧ୍ୟ ନେଇନଥିଲେ । ତେବେ ଖଡ଼୍‌ଗେ କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ?
ତେବେ ଭାରତର ଜନସାଧାରଣଙ୍କ ଦ୍ୱାରା ସୋସିଆଲ ମିଡ଼ିଆରେ ଯେଭଳି ଅଭିଯାନ ଚଳାଗଲା ତାହା ଦ୍ୱାରା ମାଳଦ୍ୱୀପ ଉପରେ ଚାପ ବଢିଥିଲା ଓ ଶେଷରେ ତାଙ୍କର କିଛି ମନ୍ତ୍ରୀଙ୍କୁ ନିଲମ୍ବିତ କରିବାକୁ ପଡ଼ିଲା । ମାଳଦ୍ୱୀପର ଅନ୍ୟ ନେତାମାନେ ଏହା ବିରୋଧରେ ବକ୍ତବ୍ୟ ଦେବା ଆରମ୍ଭ କଲେ । ଭାରତର ପ୍ରଭାବ କେତେ ତାହା ସ୍ପଷ୍ଟ ହେଲା । ହେଲେ ଏହାଦ୍ୱାରା ଏହି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର ପାଇଁ ଚେଷ୍ଟା କରୁଥିବା ଚୀନ ପାଇଁ ମଧ୍ୟ ଭଲ ସଂକେତ ନ ଥିଲା । 
ତେଣୁ ଚୀନ ମଧ୍ୟ ଭାରତ ଓ ଭାରତ ସରକାର ବିରୋଧୀ ବକ୍ତବ୍ୟ ଜାରି କଲା । ଚୀନର ସରକାରୀ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ରେ ଏହି ପ୍ରସଙ୍ଗରେ ଏକ ଲେଖା ପ୍ରକାଶିତ ହେଲା, ଯେଉଁଥିରେ କୁହାଗଲା, “ଭାରତ ଭଳି ଦେଶ ମାଳଦ୍ୱୀପ ଭଳି ବିଶେଷ ପ୍ରକୃତି ବିଶିଷ୍ଟ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଏକ ସ୍ୱାଧୀନ, ସାର୍ବଭୌମ ଦେଶ ସହିତ ପୂର୍ଣ୍ଣ ସମ୍ମାନର ସହ ବ୍ୟବହାର କରିବା ଉଚିତ । ଭାରତୀୟ ଉପମହାଦେଶକୁ ନିୟନ୍ତ୍ରଣ କରିବାର ସ୍ୱପ୍ନକୁ ଭାରତକୁ ତ୍ୟାଗ କରିବା ଉଚିତ ।” 
ଚୀନର କଷ୍ଟ ଏହି ବକ୍ତବ୍ୟରୁ ସ୍ପଷ୍ଟ ଝଲକୁଛି । ଚୀନ ଭାରତ ସରକାରଙ୍କୁ ଟାର୍ଗେଟ କରିଛି । ଲେଫ୍ଟ -ଲିବେରାଲମାନଙ୍କ ମୁହଁରେ ମଧ୍ୟ ସେହି ସମାନ ଭାଷା, ସେହି ସମାନ ଶବ୍ଦ । କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗରେ ଭାରତର ଜନସାଧାରଣଙ୍କ ପରି ଭାରତର ସ୍ୱାର୍ଥରେ ବାହାରି ପାରିଥାନ୍ତେ । ମାତ୍ର ସେ ତାହା କଲେ ନାହିଁ । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧା ସିଧା ଟାର୍ଗେଟ କଲେ । ଏହି ପ୍ରସଙ୍ଗରେ ଲେଫ୍ଟ- ଲିବରାଲ, ଚୀନ ଓ କଂଗ୍ରେସର ଆଭିମୁଖ୍ୟ ପ୍ରାୟ ସମାନ ରହିଛି । ଚୀନର ଆଭିମୁଖ୍ୟ ତ ବୁଝାପଡ଼ୁଛି । କାରଣ ଚୀନ ଭାରତର ଶତ୍ରୁ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଏହି ପ୍ରସଙ୍ଗରେ ଲେଫ୍ଟ- ଲିବରାଲ ଓ କଂଗ୍ରେସର ଆଭିମୁଖ୍ୟ ସମାନ ଓ ଭାରତର ସ୍ୱାର୍ଥ ବିରୋଧୀ କାହିଁକି ? 
 

Flip Book Link: https://demo.rastradeep.com/flip.aspx?fid=210

Related Post