Latest News

ଉତ୍ତରାୟଣ ମହାପର୍ବ

ରାଷ୍ଟ୍ରଦୀପ 08/01/2024ମୁଖ୍ୟ ପ୍ରସଙ୍ଗ

 ଚିତ୍ରଂ ଦେବାନାମୁଦଗଦନୀକଂ ଚକ୍ଷୁର୍ମିତ୍ରସ୍ୟ ବରୁଣସ୍ୟଗ୍ନେଃ

ଆପ୍ରା ଦ୍ୟାବାପୃଥିବୀ ଅନ୍ତରୀକ୍ଷଁ ସୂର୍ଯ୍ୟ ଆତ୍ମା ଜଗତସ୍ତସ୍ଥୁଷଶ୍ଚ ।”
ଜଗତର ଆତ୍ମା ହେଉଛନ୍ତି ସୂର୍ଯ୍ୟ । ଆତ୍ମାର ଚୈତନ୍ୟମୟ ପ୍ରକାଶ ଯେପରି ଶରୀରର ସମସ୍ତ ଅଙ୍ଗକୁ ଭିନ୍ନଭିନ୍ନ ଭାବରେ ସଂଜୀବିତ, ପ୍ରକାଶିତ ଏବଂ ପ୍ରେରିତ କରିଥାଏ, ସେହିପରି ସୂର୍ଯ୍ୟନାରାୟଣ ନିଜର ସହସ୍ର କିରଣ ଦ୍ୱାରା ସୃଷ୍ଟିର ପ୍ରବୃତି ଏବଂ ପ୍ରକୃତିକୁ ସାମଗ୍ରିକ ଭାବରେ ପ୍ରଭାବିତ, ପ୍ରକାଶିତ ଏବଂ ପ୍ରେରିତ କରିଥାନ୍ତି । ଅପରୂପ ପୃଥିବୀର ସଫଳ ରୂପକାର ହେଉଛନ୍ତି ସୂର୍ଯ୍ୟଦେବତା । କେତେବେଳେ ଧରିତ୍ରୀ ବକ୍ଷକୁ ଉତ୍ତାପିତ କରନ୍ତି ତ ପୁଣି କେତେବେଳେ ମେଦୁର ଅମ୍ବର ମଧ୍ୟରେ ଢ଼ାଳିଯାଆନ୍ତି ଅବାରିତ ଧାରା । ଧରିତ୍ରୀ ଶସ୍ୟଶ୍ୟାମଳା ହୁଏ । ଷଡ଼ଋତୁ ତାଙ୍କର ନିର୍ଦ୍ଦେଶରେ ସେବକ ପ୍ରାୟ ଖଟିଥାନ୍ତି । ରାଧାନାଥ ରାୟଙ୍କ ମତରେ-
ବର୍ଷ, ମାସ, ଦିନ ଲତାର ମୁହିଁ ଅଟେ ଅଧୀପ
ଖଟନ୍ତି ଋତୁଏ ସେବକ ପ୍ରାୟେ ମୋର ସମୀପ ।
ସୂର୍ଯ୍ୟ ସକଳ ଶକ୍ତିର ଆଧାର ଓ ଏକ ହେଲେ ମଧ୍ୟ ବାରମାସର ଗୁଣ ଭେଦରେ ସେ ବିଭିନ୍ନ ନାମ ଗ୍ରହଣ କରିଥାନ୍ତି ସେ ମାଘମାସରେ ଅରୁଣ, ଫାଲଗୁନରେ ସୂର୍ଯ୍ୟ, ଚୈତ୍ରରେ ବେଦାଙ୍ଗ, ବୈଶାଖରେ ଭାନୁ, ଜ୍ୟେଷ୍ଠରେ ରୁଦ୍ର, ଆଷାଢ଼ରେ ରବି, ଶ୍ରାବଣରେ ଗଭସ୍ତି, ଭାଦ୍ରପଦରେ ଯମ, ଆଶ୍ୱିନରେ ସୁବର୍ଣ୍ଣରେତା, କାର୍ତ୍ତିକରେ ଦିବାକର, ମାର୍ଗଶିରରେ ମିତ୍ର, ପୌଷରେ ବିଷ୍ଣୁ ବା ପୁରୁଷୋତ୍ତମ ନାମରେ ନାମିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।
“ଅରୁଣୋ ମାଘେ ମାସେ ଚ ସୂର୍ଯ୍ୟୋବୈ ଫାଲଗୁନେ ତଥା
ଚୈତ୍ର ମାସେ ତୁ ବେଦାଙ୍ଗଃ ଭାନୁ ବୈଶାଖେ ଏବ ଚ
ଜ୍ୟେଷ୍ଠମାସେ ଭବେତ ରୁଦ୍ର ଆଷାଢ଼େ ତପତେ ରବିଃ
ଗଭସ୍ତିଃ ଶ୍ରାବଣେ ମାସେ ଯମ ଭଦ୍ରପଦେ ତଥା
ଈଶେ ସୁବର୍ଣ୍ଣ ରେତାଶ୍ଚ କାର୍ତ୍ତିକେ ଚ ଦିବାକରଃ
ମାର୍ଗଶିର୍ଷେ ତଥା ମିତ୍ରଃ ପୌଷେ ବିଷ୍ଣୁ ସନାତନଃ
ପୌଷେ ଚ ପୁରୁଷୋତ୍ତମଃ ।
ସୂର୍ଯ୍ୟଙ୍କର ବାର ରାଶିରେ ପ୍ରବେଶ କାରଣରୁ ବାରଟି ସଂକ୍ରାନ୍ତି ହୋଇଥାଏ । ପ୍ରତ୍ୟେକ ସଂକ୍ରାନ୍ତି ପବିତ୍ର ହେଲେ ହେଁ ଶାସ୍ତ୍ରକାରମାନେ ଦୁଇଟି ସଂକ୍ରାନ୍ତି ‘କର୍କଟ ଓ ମକର’ କୁ ସୂର୍ଯ୍ୟଙ୍କ ଅୟନ ସଂକ୍ରାନ୍ତି ଦୃଷ୍ଟିରୁ ବିଶେଷ ପବିତ୍ର ବୋଲି ବର୍ଣ୍ଣନା କରିଛନ୍ତି । ସୂର୍ଯ୍ୟଙ୍କର ଏହି ଉତ୍ତର ଦକ୍ଷିଣ ଯାତ୍ରା ମୁଖ୍ୟତଃ ପୃଥିବୀରେ ଗ୍ରୀଷ୍ମ, ବର୍ଷା ଓ ଶୀତର କାରଣ ହୋଇଥାଏ । ମକର ରାଶିରେ ସୂର୍ଯ୍ୟଙ୍କର ପ୍ରବେଶକାଳଠାରୁ ସୌରମାସ ‘ମକର’ ମାସ ଓ ଚନ୍ଦ୍ର ମଘା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ବିଶିଷ୍ଟ ମାଘମାସ ଆରମ୍ଭ ହୁଏ । ମାଘ ମାସର ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି ବା ଉତ୍ତରାୟଣ କୁହାଯାଇଥାଏ । ସାରା ଭାରତରେ ଏହା ଏକ ସୁପ୍ରତିଷ୍ଠିତ ଜାତୀୟ ପର୍ବ । ଉତ୍ତର ଦିଗ ଦେବତାମାନଙ୍କର ଅଧିଷ୍ଠାନ ହୋଇଥିବା କାରଣରୁ ଏହି ସମୟ ଅତ୍ୟନ୍ତ ଶୁଭଙ୍କର ଓ ମଙ୍ଗଳପ୍ରଦ ହୋଇଥାଏ । ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ସମୟରେ ତାଙ୍କର ଇଚ୍ଛା ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣକୁ ଅପେକ୍ଷା କରିଥିଲେ ଏବଂ ଏହି ମକର ସଂକ୍ରାନ୍ତି ଦିନ ଦେହ ତ୍ୟାଗ କରିଥିଲେ । ସଂକ୍ରାନ୍ତି ମାତ୍ରେ ହିଁ ଏକ ପୁଣ୍ୟ ଦିବସ ଏଣୁ ଭାରତୀୟମାନେ କେଉଁ ଆବହମାନ କାଳରୁ ସଂକ୍ରାନ୍ତିରେ ହବନ, ଦାନଧର୍ମ ପୁଣ୍ୟକାର୍ଯ୍ୟ କରିବା ନଦୀରେ ସ୍ନାନ କରିବା ସଙ୍ଗେ ସଙ୍ଗେ ନୂତନ ଖାଦ

୍ୟ ପ୍ରସ୍ତୁତି ମାଧ୍ୟମରେ ସ୍ୱାସ୍ଥ୍ୟ ରକ୍ଷାର ଧାରା ଅବ୍ୟାହତ ରଖିଥାନ୍ତି । ବିଶେଷତଃ ଭାରତ ଏକ କୃଷି ତଥା କୃଷକପ୍ରଧାନ ଦେଶ ହୋଇଥିବା କାରଣରୁ ଏହି ପର୍ବର ମହାତ୍ମ୍ୟ ପ୍ରତ୍ୟେକ ଭାରତୀୟ ଉପଲବ୍ଧି କରନ୍ତି । ଉତ୍ତର ଓଡ଼ିଶାରେ ଏହି ପର୍ବ ଏକ ଆନନ୍ଦ ମୁଖର ପର୍ବ ନୂତନ ବସ୍ତ୍ର ପରିଧାନ ସହିତ ନୃତ୍ୟ, ଗୀତ ପିଠାପଣା ସହିତ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥାଏ । ମାଘମାସର ଏହି ସଂକ୍ରାନ୍ତି ଉତ୍ତରାୟଣ ସଂକ୍ରାନ୍ତି ନାମରେ ପରିଚିତ । ସକଳ ଶକ୍ତିର ଆଧାର ସୂର୍ଯ୍ୟ ଏହି ଦିନଠାରୁ ତାଙ୍କର ଉତ୍ତରାୟଣ ଯାତ୍ରା ଆରମ୍ଭ କରିଥାନ୍ତି । ଦିନ ବଡ଼ ହୁଏ ଏବଂ ରାତ୍ରି କ୍ଷୀଣତର ହୁଏ । ଅନ୍ଧକାରରୁ ପ୍ରକାଶ ଅଭିମୁଖେ ସୃଷ୍ଟି ଗତିଶୀଳ ହୁଏ । ସୂର୍ଯ୍ୟଙ୍କର କିରଣ ପ୍ରଖର ହୁଏ । ସୂର୍ଯ୍ୟଦେବଙ୍କର କିରଣର କିଛି ଅଂଶ ପ୍ରାପ୍ତ ହେବା ପାଇଁ ଆମର ଋଷି ମୁନିମାନେ ପ୍ରାର୍ଥନା କରିଥାନ୍ତି ।

“ ଅସତୋ ମା ସଦ୍‍ଗମୟ 
ତମସୋ ମା ଜ୍ୟୋତିର୍ଗମୟ ।
 ମୃତ୍ୟୋର୍ମା ଅମୃତମ୍‍ ଗମୟ ।”
ଅର୍ଥାତ୍‍ ଅସତ୍ୟରୁ ସତ୍ୟ ଅନ୍ଧକାରରୁ ଆଲୋକ ଦିଗରେ ଆମର ଯାତ୍ରା ହେଉ । ମୃତ୍ୟୁରୁ ଅମରତ୍ୱ ଆମକୁ ପ୍ରାପ୍ତ ହେଉ । ସୂର୍ଯ୍ୟଦେବତାଙ୍କୁ ମକର ଚାଉଳ ଓ ତିଳୁଅ ଖଜା ଭୋଗ ହୁଏ । ତେଣୁ ଏହାକୁ ତିଳୁ ସଂକ୍ରାନ୍ତି ମଧ୍ୟ କୁହାଯାଏ । ମକର ଚାଉଳ ଚର୍ବଣ ଓ ବଣ୍ଟନର ବହୁଳତା ଦେଖାଯାଏ ଏହା ହିଁ ଏହି ପର୍ବର ଉଲ୍ଲେଖନୀୟ ବୈଶିଷ୍ଟ । ନୂଆ ଅରୁଆ ଚାଉଳ ସହ ନୂଆଗୁଡ଼, ଦୁଧ, ଦହି, କ୍ଷୀର, ଛେନା, ଆଖୁରସ, ନଡ଼ିଆ, ରାଶି, ଅଦା ଆଦି ମିଶ୍ରିତ ହୋଇ ଏକ ସୁସ୍ୱାଦୁ ମକରଚାଉଳ ପ୍ରସ୍ତୁତ ହୁଏ ଯାହା ଅତ୍ୟନ୍ତ ସ୍ୱାସ୍ଥ୍ୟ ବର୍ଦ୍ଧକ । ପ୍ରଥମେ ଏହାକୁ ସୂର୍ଯ୍ୟଦେବକୁ ସମର୍ପଣ ପରେ ସେବନ କରାଯାଏ । ମକର ଚାଉଳ ଆଦାନ ପ୍ରଦାନ ମାଧ୍ୟମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂତନ ବନ୍ଧୁତା ସ୍ଥାପନ କରିବା ବା ‘ମକର’ ବସିବା, ଏହା ଏକ ସୁସ୍ଥ ସୁଦୀର୍ଘ ପରମ୍ପରା ରୂପେ ବହୁ ପ୍ରଚୀନ କାଳରୁ ଚଳି ଆସିଛି । କ୍ଷୀର ଦହି ଛେନା, ଗୁଡ଼ ଯେପରି ନିଜର ଅସ୍ତିତ୍ୱକୁ ଭୁଲି ଯାଇ ଏକାକାର ହୋଇ ଯାଆନ୍ତି ଏକ ନୂତନ ସୁସ୍ୱାଦୁ ଖାଦ୍ୟ ହୋଥାନ୍ତି । ନଦୀମାନେ ଯେପରି ନିଜକୁ ଭୁଲି ଯାଇ ସାଗରରେ ମିଶି ବିରାଟତାକୁ ଗ୍ରହଣ କରିଥାନ୍ତି । 
“ଅଛନ୍ତି ଯେତେ ନଦନଦୀ 
ସମସ୍ତେ ମିଳନ୍ତି ଜଳଧି
ଆପଣା ଗୁଣ ପାସୋରନ୍ତି 
ଲବଣ ଗୁଣକୁ ଭଜନ୍ତି ।”
ଆମେମାନେ ମଧ୍ୟ ନିଜର ଉଚ୍ଚନୀଚ ଓ ସଂକୀର୍ଣ୍ଣ ଭେଦଭାବକୁ ଭୁଲି ବିରାଟତାକୁ ଆପଣାଇବାର ରାସ୍ତାକୁ ସ୍ୱୀକାର କରିବା ଆବଶ୍ୟକ । ସଂକ୍ରମଣ ସଂକ୍ରାନ୍ତି ଅର୍ଥାତ୍‍ ପରିବର୍ତ୍ତନ । ମାନବ ଏବଂ ମାନବଜୀବନ ସୃଷ୍ଟିର ଏକ ଅଂଶ । ସୃଷ୍ଟିରେ ଘଟୁଥିବା ପରିବର୍ତ୍ତନ ଏବଂ ମାନବ ଜୀବନରେ ହେଉଥିବା ପରିବର୍ତ୍ତନ ସହିତ ପ୍ରତ୍ୟେକ୍ଷ ସମ୍ଭନ୍ଧ ରହିଛି । ଆମର ପୂର୍ବପୁରୁଷମାନେ ଜୀବନର ସଂକଳ୍ପନାକୁ ସୃଷ୍ଟିର ବିଜ୍ଞାନ ସହିତ ଯୋଡ଼ିଛନ୍ତି । ଭଗବାନ ସୂର୍ଯ୍ୟ ସମସ୍ତଙ୍କର ପୋଷଣ କରିଥାନ୍ତି । ଅଗ୍ନି ଏବଂ ବିଦ୍ୟୁତ ଆମ ନିକଟରେ ସୂର୍ଯ୍ୟଙ୍କ ଦୁଇଟି ରୂପ ଅଟନ୍ତି । ତେଣୁ ଏହି ପରିବର୍ତ୍ତନର ପୁଣ୍ୟ କାଳରେ ଆମେ ଆମର ବ୍ୟକ୍ତି ଜୀବନର ସମସ୍ତ କଳୁଷକାଳିମାକୁ ପରିତ୍ୟାଗ କରି ଉଦାତ୍ତ ସଂସ୍କାରକୁ ସ୍ୱୀକାର କରିବା ଏବଂ ସମାଜରେ ଆସୁଥିବା ସମସ୍ତ ଆହ୍ୱାନକୁ ସାମନା କରି ସମାଜକୁ ବିକାଶ ପଥରେ ନେବା ପାଇଁ ସଂକଳ୍ପ କରିବା ।

Flip Book Link: https://demo.rastradeep.com/flip.aspx?fid=208

Related Post