Latest News

ମୟୂରଭଞ୍ଜର ମକର ସଂକ୍ରାନ୍ତି

ପତିତପାବନ ଗିରି 08/01/2024ମୁଖ୍ୟ ପ୍ରସଙ୍ଗ

 ମକର ସଂକ୍ରାନ୍ତି ଦିନଠାରୁ ମାଘ ମାସ ଆରମ୍ଭ ହୁଏ । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହା ପ୍ରତିବର୍ଷ ଜାନୁୟାରୀ ୧୪ ତାରିଖରେ ପଡ଼େ । ଏହି ଦିନଟିକୁ ମୟୂରଭଞ୍ଜବାସୀ ମକର ପର୍ବ ରୂପେ ପାଳନ କରନ୍ତି । ପୃଥିବୀର ମକର ସଂକ୍ରାନ୍ତି ଉପରେ ସୂର୍ଯ୍ୟଙ୍କର  ଅବସ୍ଥାନ ହେତୁ ଉତ୍ତର ଗୋଲାର୍ଦ୍ଧରେ ଧୀରେ ଧୀରେ ଦିନବଡ଼ ହୁଏ ଓ ରାତି ସାନ ହୁଏ । ମକର ପର୍ବ ଏକ କୃଷି ଭିତ୍ତିକ ପର୍ବ । ଏହି ସମୟରେ ଖରିଫ ଫସଲରୁ ଶସ୍ୟ ଅମଳ ସରିଥାଏ । ଗୋଟିଏ ପର୍ଯାୟର ଚାଷକାମ ସରିବା ପରେ କର୍ମକ୍ଳାନ୍ତ ଜୀବନରେ ମଣିଷ ଟିକିଏ ଆନନ୍ଦ ଉତ୍ସାହ ପାଇବା ପାଇଁ ଅଣ୍ଟା ଭିଡେ । ବାଉଁଣ୍ଡି, ମକର- ସଂକ୍ରାନ୍ତି, ମକର ବାସି- ଏମିତି ତିନିଦିନ ଧରି ଏଠାରେ ମକର ପର୍ବ ପାଳିତ ହୁଏ । ବାଉଁଣ୍ଡିର ସପ୍ତାହେ ପୂର୍ବରୁ ଠାକୁରଘର, ରୋଷେଇ ଘର, ଭଣ୍ଡାର ଘର, ଗାଈଗୁହାଳ, କୁକୁଡ଼ା ଘର, ଢ଼ିଙ୍କିଶାଳର କାନ୍ଥକୁ ବିଭିନ୍ନ ରଙ୍ଗର ମାଟିରେ ରଙ୍ଗ ଦିଆଯାଏ । କେତେକ କ୍ଷେତ୍ରରେ ଚୂନ ଏବଂ ଅନ୍ୟରଙ୍ଗ ମିଶାହୁଏ । କାନ୍ଥରେ ସୁନ୍ଦର ସୁନ୍ଦର ଝୋଟି ଫୁଲ, ପ୍ରଜାପତି, ପଶୁପକ୍ଷୀ, ଗଛଲତା, ନଦୀ ଝରଣା, ଚନ୍ଦ୍ର ସୂର୍ଯ୍ୟ, ମେଘ ଆଦିର ଚିତ୍ର ଆଙ୍କି ବାସଗୃହଗୁଡ଼ିକୁ ସୁନ୍ଦର ଏବଂ ଆକର୍ଷଣୀୟ କରାଯାଏ । ଘରର ମୁଖ୍ୟ ଦ୍ୱାର ଅଧିକ ସୌନ୍ଦର୍ଯ୍ୟମୟ ହୁଏ । ବାଉଁଣ୍ଡି ଦିନ ବାଉଁଣ୍ଡି ହାଟ ହୁଏ । ମିଠା ଓ ପିଠା ତିଆରି ପାଇଁ ଚାଉଳ, ନଡ଼ିଆ, ରାଶି, ଗୁଡ଼, ଘିଅ, ମସଲା, ଫଳ, ପନିପରିବା, ମାଛମାଂସ, କିଣା ହୁଏ । ଘରର ସମସ୍ତଙ୍କ ପାଇଁ ନୂଆ ପୋଷାକ, ଶାଢ଼ି, ଲୁଗାପଟା,  ଚପଲ, ଅଳତା, ସିନ୍ଦୂର, ଟିକିଲି, ପାଉଡ଼ର ତଥା ପୂଜା ପାଇଁ ଧୂପ, ଦୀପ, ସିନ୍ଦୂର, କର୍ପୂର ଏବଂ ହାଣ୍ଡି ମାଠିଆ, ଝାଡୁ, ବିଛଣା ଆଦି ମଧ୍ୟ କିଣା ହୁଏ । ଏଥିପାଇଁ ୧୫ ଦିନ ପୂର୍ବରୁ ହାଟ ବଜାର ଭିଡ଼ ରହେ । ଦୂର ଦେଶରେ  ରହୁଥିବା ଆତ୍ମୀୟ ସ୍ୱଜନ, ଜ୍ଞାତିକୁଟମ୍ବ ଘରକୁ ଫେରୁଥିବାରୁ ବସ, ରେଳଗାଡ଼ି, ବିମାନବନ୍ଦର ସବୁଠି ଅହେତୁକ ଭିଡ଼ ଲାଗି ରହେ । ଏହି ପର୍ବରେ ସାମାଜିକ ସମ୍ପର୍କ ଦୃଢ଼ିଭୂତ ହୁଏ । ଜୀବନରୁ ଦୁଃଖ ଓ ଅନୁଶୋଚନା ଦୂର ହୁଏ । 

ବାଉଁଣ୍ଡି ଅର୍ଥ ପର୍ବର ବିଧିକୁ ଅନୁସରଣ କରିବା । ଏହି ଦିନ ଘର ଦ୍ୱାର ଗୋବରରେ ଲିପା ପୋଛା ହୁଏ, ଘରର ଗୃହପାଳିତ ପଶୁ ଗାଈ, ବଳଦ, ମେଣ୍ଢା, ମଇଁଷି, ଘୁଷୁରୀମାନଙ୍କୁ ଗାଧୋଇ ଦିଆଯାଏ । ଆମ ସଂସ୍କୃତି ଅନୁସାରେ ସେମାନେ ମଧ୍ୟ ପର୍ବପର୍ବାଣିରେ ସାମିଲ ହୁଅନ୍ତି । ଝିଅ ବୋହୂମାନେ ଘରେ ବ୍ୟବହୃତ ଖଟ, ପିଢ଼ା, ଡ଼ାଲା, କୁଲା, ପନିକି, ହାଣ୍ଡିମାଠିଆ, ବାସନକୁଶନ, ଲୁଗାପଟା, ବିଛଣା, ଡବା ଡବି ଆଦି ସଫା କରି ସଜେଇ ରଖନ୍ତି । ଜଙ୍ଗଲରୁ କାଠି ପତ୍ର ଆସେ । ଚାଉଳରୁ ଚୂନା କୁଟା ହୁଏ । ବାଉଁଣ୍ଡି ପାଇଁ ସ୍ୱତନ୍ତ୍ର ଆରିସା, କାକରା ପିଠା ହୁଏ । କେଉଁଠି କେଉଁଠି କାଗଜର ତ୍ରିଭୁଜାକୃତି ପତାକା ଲାଗେ । ମସଲା, ଜିରା, ଅଦା, ହଳଦୀ, ଲଙ୍କା ଆଦିକୁ ପ୍ରସ୍ତୁତ ରଖାଯାଏ । ଧନୀ ଗରିବ ସମସ୍ତେ ଏକମନ, ଏକପ୍ରାଣ ହୋଇ ପର୍ବପ୍ରସ୍ତୁତିରେ ବ୍ୟସ୍ତ ରୁହନ୍ତି । ମକର ସଂକ୍ରାନ୍ତି ଦିନ ଭୋର ସକାଳୁ ନଦୀ, ନାଳ, ଝରଣା, ପୋଖରୀ ଆଦି ଜଳାଶୟରେ ମକର ବୁଡ ଦିଆଯାଏ । ସ୍ନାନ ପରେ ସୂର୍ଯ୍ୟଦେବତାଙ୍କୁ ତିଳ, ଅରୁଆ ଚାଉଳ, ଗୁଡ଼, ରାଶି, କ୍ଷୀର, ମହୁ, ନଡ଼ିଆ ଆଦି ଅର୍ପଣ କରାଯାଏ । ପିତୃପୁରୁଷଙ୍କୁ ମଧ୍ୟ ତିଳ, ହଳଦୀ, ଘିଅ, ତେଲ, କାଠି ଅର୍ପଣ କରାଯାଏ । ଇଷ୍ଟ ଦେବତା ବା ଇଷ୍ଟ ଦେବୀଙ୍କ ଉଦ୍ଦେଶ୍ୟରେ ଫୁଲ, ଫଳ, କୁକୁଡା ଭୋଗ ଦିଆଯାଏ । ମକର ବୁଡ଼ ପରେ ମନ୍ଦିରରେ ଦିଅଁ ଦର୍ଶନ ପାଇଁ ଭିଡ଼ ହୁଏ । 
ମକର ବୁଡ଼ ସମୟରେ ପାହାନ୍ତିର ଅଧିକ ଶୀତ ପଡ଼ିଥାଏ । ଶୀତରୁ ରକ୍ଷା ପାଇବା ପାଇଁ ପ୍ରାୟ ସବୁ ଗାଁର ଜଳାଶୟ ନିକଟରେ ମକର କୁଡିଆ ବା ଅଗିରାମଞ୍ଚ ତିଆରି ହୋଇଥାଏ । ଜଙ୍ଗଲରୁ ବିଭିନ୍ନ ଡାଳପତ୍ର, ନଡା, ଘାସ, କୁଟକାଟି ଶୁଖାଇ ନିଆଁ ଜାଲିବା ପାଇଁ ଏହାକୁ ବ୍ୟବହାର କରାଯାଏ । ସ୍ନାନ ପରେ ସମସ୍ତେ ଏହି ଅଗିରା ନିଆଁରେ ସେକି ହୁଅନ୍ତି । ମକର ବୁଡ଼ ପରେ ଶୀତ ସରି ସରି ଆସେ । ଏହା ଅଗିରା ନିଆଁର ପ୍ରତୀକ । ସତ୍ୟର ପ୍ରତୀକ ମଧ୍ୟ । ମକର ବୁଡ ସାରି ଘରକୁ ଫେରିଲା ବେଳକୁ ଘରେ ପିଠାପଣା ଗଢ଼ା ସରିଥାଏ । ଏହି ଦିନ ଆରିସା, କାକରା, ମଣ୍ଡା, ପିଠା ତିଆରି ହୁଏ । ସମସ୍ତେ ନୂଆପୋଷାକ ପିନ୍ଧି ବଡ଼ମାନଙ୍କୁ ନମସ୍କାର କରନ୍ତି । ସାନ ପିଲାମାନଙ୍କୁ ସମସ୍ତେ ଆଶୀର୍ବାଦ ଦିଅନ୍ତି । ଠାକୁର ଘରେ, ହାଣ୍ଡିଶାଳରେ ପିତୃପୁରୁଷ, ଇଷ୍ଟଦେବ ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ । ଏହାକୁ ଏକ ସ୍ୱତନ୍ତ୍ର ନୂଆବର୍ଷ ବୋଲି ଧରାଯାଏ । ମାଛମାଂସ, ପିଠାପଣାରେ ହସଖୁସି ଲାଗିରହେ । ବନ୍ଧୁବର୍ଗ ଓ ପଡୋଶୀମାନଙ୍କୁ ପିଠାପଣା ଆଦି ଦିଆଯାଏ । ନିଜ ନିଜ ଭିତରେ ଥିବା ମାନଅଭିମାନ, ରାଗରୁଷା ଭୁଲି ସମସ୍ତେ ବର୍ଷସାରା ଏକାଠି ମିଳିମିଶି ଚଳିବାରେ ସଂକଳ୍ପ ନିଅନ୍ତି । ଏହାପରେ ବିଭିନ୍ନ ଖେଳ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ହୁଏ । ଗାଁର ସମସ୍ତେ ଏଠି ଅଂଶ ଗ୍ରହଣ କରନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ମାଘ, ଫଗୁଣ ଦୁଇ ମାସ ଧରି ସବୁ ଗାଁରେ ଅନୁଷ୍ଠିତ ହୁଏ । ଉତ୍ତମ ଶିକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ ସମ୍ପଦ ଦ୍ୱାରା ହିଁ ଜଗତବାସୀ ଈଶ୍ୱରଙ୍କ ମଙ୍ଗଳମୟ ସୃଷ୍ଟିକୁ ବୁଝି ପାରିବେ ବୋଲି ବିଶ୍ୱାସ କରାଯାଏ । ଆଦିବାସୀ ପୁର ପଲ୍ଲୀରେ କୋହ୍ଲ, ସନ୍ତାଳ, ମୁଣ୍ଡା, ହୋ, ବାଥୁଡି ଖଣ୍ଡ, ଧରୁଆ ଆଦି

ସମ୍ପ୍ରଦାୟରେ ମକର ବୁଡ ପରେ ନୂଆ ଲୁଗାପିନ୍ଧି ପିତୃପୁରୁଷ ତଥା ଘରର ଇଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ଛେଳି, କୁକୁଡ଼ା  ଓ ମଦହାଣ୍ଡିଆ ଭୋଗ ଅର୍ପଣ କରାଯାଏ । ସବୁ ଘରେ ପିଠାପଣା ହୁଏ । ଏମାନେ ମହୁଲ ଓ ଚାଉଳରୁ ସ୍ୱତନ୍ତ୍ର ମଦ ପ୍ରସ୍ତୁତ କରିଥାନ୍ତି । ଏହାପରେ ନାଚଗୀତ ହୁଏ । ଗୋଟିଏ ଗାଁର ଲୋକ ଆଉ ଏକ ଗାଁକୁ ଯାଇ ନାଚନ୍ତି ।  

ମୟୂରଭଞ୍ଜ କେନ୍ଦୁଝର ଜିଲ୍ଲାର କୁଡୁମୀ, ମହାନ୍ତ, କୁମ୍ଭାର ଆଦି ସମ୍ପ୍ରଦାୟର ଲୋକମାନେ ମକର ପର୍ବରେ ଟୁସୁ ମୂର୍ତ୍ତିକୁ ପୂଜା କରନ୍ତି । ଏମାନେ ପୁରୁଲିଆ, ଛୋଟ ନାଗପୁର ଅଞ୍ଚଳର ମୂଳ ଅଧିବାସୀ ବୋଲି ବିଶ୍ୱାସ କରନ୍ତି । ଟୁସୁ ମୂର୍ତ୍ତିକୁ ମାଟି ମାଆ ଧରିତ୍ରୀର ପ୍ରତୀକ ରୂପେ ଗ୍ରହଣ କରାଯାଏ । ଚୁଡା, କ୍ଷୀର, ଧୂପ, ଦୀପ, ନୂଆ ଲୁଗା ଦିଆଯାଏ । ମକର ସଂକ୍ରାନ୍ତି ପରଦିନ ତାକୁ ଜଳାଶୟରେ ବିସର୍ଜନ କରାଯାଏ । ଆଜିକାଲି ବିଭିନ୍ନ ସ୍ଥାନରେ ଟୁସୁ ପ୍ରତିଯୋଗିତା  ହେଉଛି । ବଡ ବଡ ମୂର୍ତ୍ତିମାନଙ୍କୁ ଏକାଠି କରି ଝୁମର ନାଚ ଅନୁଷ୍ଠିତ ହେଉଛି । ବିଜୟୀଦଳକୁ ଲକ୍ଷାଧିକ ଟଙ୍କା ପୁରସ୍କାର ଦିଆଯାଇଛି । ଟୁସୁମୂର୍ତ୍ତିକୁ ପୂଜା କଲାପରେ ବିସର୍ଜନ ପୂର୍ବରୁ ବିଭିନ୍ନ ଗାଁକୁ ଭ୍ରମଣରେ ନିଆଯାଏ । କୁହାଯାଏ ପ୍ରାଚୀନ ଯୁଗରେ ଟୁସୁମିନୀ ନାମକ କୌଣସି ନିରୀହ କନ୍ୟାକୁ ଜଣେ ଲମ୍ପଟ ଅତ୍ୟାଚାର କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ନିଜର ସତୀତ୍ୱ ରକ୍ଷା ପାଇଁ ସେ ଜଳାଶୟକୁ ଡେଇଁ ପଡି ଆତ୍ମବିସର୍ଜନ କରିଥିଲା । ଏହି ଅପ୍ରାପ୍ତ ବୟସ୍କା ବାଳିକା ପ୍ରତି ଘଟିଥିବା ଅନ୍ୟାୟକୁ ବିରୋଧ କରି ଜନସଚେତନତା ସୃଷ୍ଟି ଓ ପ୍ରତିବାଦର ସ୍ୱର ଉତ୍ତୋଳନ ପାଇଁ ଏମିତି ପରମ୍ପରା ଅନୁଷ୍ଠିତ ହୋଇଆସୁଛି ବୋଲି କେହି କେହି ଗବେଷକ କହନ୍ତି । ସମୟକ୍ରମେ ଟୁସୁପର୍ବ ରୂପେ ଏହା ପାଳିତ ହୋଇ ଆସୁଛି ବୋଲି ବିଶ୍ୱାସ କରାଯାଏ । ଦୁର୍ଗର୍ା-ମହିଷାସୁର ଆଖ୍ୟାନ ସହିତ ଏମିତି ଦାସାଇଁ ନାଚ ପରମ୍ପରାର ବିଶ୍ୱାସ ଅଛି । ଚନ୍ଦ୍ରଭାଗାରେ ସୂର୍ଯ୍ୟଦେବତା ଛାୟାନାମ୍ନି ବାଳିକା ସହିତ ଏମିତି ଲୁଚକାଳି ଖେଳିଥିବା କଥା କବିବର ରାଧାନାଥ ତାଙ୍କ ଚନ୍ଦ୍ରଭାଗା କାବ୍ୟରେ ବର୍ଣ୍ଣନା କରିଛନ୍ତି । ପିତୃପୁରୁଷଙ୍କ ଉଦ୍ଧାର ନିମନ୍ତେ ତଥା ଜଗତବାସୀଙ୍କ ମଙ୍ଗଳ ନିମନ୍ତେ ଭଗିରଥି ଏହି ଦିନ ମର୍ତ୍ତ୍ୟକୁ ଗଙ୍ଗା ଅବତୋରଣ ପାଇଁ ସଂକଳ୍ପ କରିଥିଲେ, ପୁରାଣରେ ବର୍ଣ୍ଣିତ ଅଛି । 
ଟୁସୁପର୍ବରେ ଆଦିବାସୀମାନେ ଦୁଇ ଦଳରେ ବିଭକ୍ତ ହୋଇ ଗୀତ ଗାଆନ୍ତି ଓ ନାଚିଥାନ୍ତି । ଏହି ଗୋଷ୍ଠୀ ନୃତ୍ୟକୁ ସନ୍ତାଳୀ ଭାଷାରେ ‘ଏନେଜ’ କୁହାଯାଏ । ଟୁସୁ ପର୍ବରେ ପୁଅମାନେ ଗୋଟିଏ ଦଳ ଏବଂ ଝିଅମାନେ ଗୋଟିଏ ଦଳ ହୋଇ ପ୍ରତିଯୋଗିତା ମୂଳକ ଗୀତ ଗାଇଥାନ୍ତି । ଏହି ଗୀତରେ ଭାବର ଆଦାନ ପ୍ରଦାନ ହୁଏ । ଏକ ଗୀତ ଅଛି- ‘ଆଇଲ ମକର କରିଲ ହରବର/ ତା’ଦେର ବରାତ ମୁନେ ହଇଲ ଜୋର’ ଅର୍ଥାତ ମକର ପର୍ବ ଆସିବାରୁ ଘରର ସ୍ତ୍ରୀ, ପିଲାଛୁଆ, ବୃଦ୍ଧପିତାମାତା ବିଭିନ୍ନ ଜିନିଷ କିଣିବାକୁ ବରାଦି କରିଛନ୍ତି । ଏହା କିଣିବାକୁ ପଇସା ଅଣ୍ଟୁ ନାହିଁ । ଏଣୁ ଚିନ୍ତାରେ ଜ୍ୱର ଆସିଯାଉଛି । ଅନ୍ୟ ଏକ ଗୀତ ଅଛି- ‘ଚିଙ୍ଗିଳିମାଛେର ହଲେଇଲ ଦାଢ଼ୀ/ତୋତେ କେ ଦିଲଲୋ ଲାଲ ଶାଢ଼ି?’ ଅର୍ଥାତ ତୋର ଗୁଇ ଦେଖି ପାଣିର ଚିଙ୍ଗୁଡିମାଛ ନିଜ ଦାଢ଼ୀରେ ହାତ ଦେଇ ହସୁଛି । ହେ ସୁନ୍ଦରୀ ନାରୀ ତୋତେ କିଏ ନାଲି ଶାଢ଼ି ପିନ୍ଧିବାକୁ ଦେଇଛି? କୁଡୁମୀ ଭାଷା ହିନ୍ଦୀ-ଓଡ଼ିଆ-ବଙ୍ଗାଳି ମିଶ୍ରିତା ଅନ୍ୟ ଏକ ଗୀତ ଅଛି -
‘ଜାଡା ଗାଛେ ଝାଡ଼ା ଲଗାବ/ତୋ ଦେର ମଦଖିଆ ଛଡାବା’ ଅର୍ଥାତ ସ୍ତ୍ରୀଟିଏ କହୁଛି ମୁଁ ଦୁର୍ବଳ ଅମୃତଭଣ୍ଡା ଗଛ ନୁହେଁ । ମୁଁ ଦୃଢ଼ ଭାବରେ ଛିଡ଼ା ହୋଇ ତୋର ମଦଖିଆ ଅଭ୍ୟାସ ଛଡାଇ ଦେବି । ମକର ପର୍ବରେ ରାମତୀର୍ଥ, ସୀତାବିଞ୍ôଚ, ବାଙ୍ଗିରିପୋଷି ଘାଟି, ଖିଚିଂ ମନ୍ଦିର, ଭୀମକୁଣ୍ଡ, ଗୋ-ନାସିକା ସବୁଠି ମେଳା ହୁଏ । ମକର ପର୍ବ ପରସ୍ପର ଭିତରେ ଏକତା, ଶକ୍ତି ଓ ଭାତୃଭାବ ସୃଷ୍ଟିକରେ । ପୃଥିବୀର ସବୁଲୋକ ମିଳିମିଶି ଚଳନ୍ତୁ । ମେଘ ଠିକ ସମୟରେ ବର୍ଷା ହେଉ । ପୃଥିବୀ ଅଧିକ ଶସ୍ୟଶ୍ୟାମଳା ହେଉ । ଶସ୍ୟ ସମ୍ପଦରେ ଘରଦ୍ୱାର ଭର୍ତ୍ତି ହେଉ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପଦର ଅଧିକାରୀ ହୁଅନ୍ତୁ । କେହି କାହାରି ଶତ୍ରୁ ହୁଅନ୍ତୁ ନାହିଁ । ଜୀବନ କ୍ଷଣସ୍ଥାୟୀ, ଶତ ହସ୍ତରେ ଅର୍ଜନ କରି ସହସ୍ର  ହସ୍ତରେ କୀଟ, ପତଙ୍ଗ, ତରୁ, ତୃଣ, ଜୀବଜନ୍ତୁ ସମସ୍ତଙ୍କୁ ଆମେ ଦାନ କରିବା ଉଚିତ ବୋଲି ଏହି ପର୍ବ ଦାବି କରେ । 
ଏକସାନ୍ତାଳୀ ଗୀତ ଅଛି-
‘ବାଦାମ ଗାଡ଼ି ସେନଆ ଝାଝା/ଜୁଗୁରି ଜାଗିରି ଏବାବା ଝାକା’ ଅର୍ଥାତ ବାଦାମପାହାଡ଼ରୁ ଝାଝା ନଗରକୁ ରେଳଗାଡ଼ି ଚାଲିଲାଣି । ଖଣିଖାଦକ, ବିଲବାଡ଼ି କଳକାରଖାନାରେ ଆମେ ପରିଶ୍ରମ କରି ଅଧିକ ଟଙ୍କା ରୋଜଗାର କରିବା ଆଉ ଖୁସିରେ ରହିବା ।  ଆମ ମାଟି ମନସ୍କତା, ଜାତୀୟପ୍ରୀତି, ଐତିହ୍ୟବୋଧ, ଜୀବନବୋଧ ଓ ଜୀବନ ଦୃଷ୍ଟିକୁ ଆଉ ଶ୍ରୀଜଗନ୍ନାଥ ପ୍ରୀତି ଆମ ଲୋକଗୀତ, ଲୋକ ସଂସ୍କୃତିରେ ଅଛି । ସବୁଠି ମଣିଷର ଜୀବନବାର୍ତ୍ତା ଓ ତା ମାଟିର କାହାଣୀ କହିବା ହିଁ ପର୍ବପର୍ବାଣିର ମୂଳ ଲକ୍ଷ୍ୟ । ଯୁଗଯୁଗ ଧରି ଏହି ପର୍ବ ସେହି ନିରୁତା ମାଟି ଓ ମଣିଷକୁ ହିଁ ଖୋଜି ଚାଲିଛି ଯେମିତି ।

Flip Book Link: https://demo.rastradeep.com/flip.aspx?fid=208

Related Post