Latest News

ଗୁଡି ପର୍ବ ଓ ମକର ସଂକ୍ରାନ୍ତି

ପ୍ରେମାନନ୍ଦ ପାଣିଗ୍ରାହୀ 08/01/2024ମୁଖ୍ୟ ପ୍ରସଙ୍ଗ

 ଗୁଡ଼ି; ଭାରତୀୟ ସଂସ୍କୃତି ଓ ପରମ୍ପରାର ଅଂଶବିଶେଷ । ସୂର୍ଯ୍ୟ ଉତ୍ତରାୟଣ ହେଲେ ଦକ୍ଷିଣା ପବନ ବହେ ଆଉ ପିଲାଙ୍କଠାରୁ ବୟସ୍କ ଲୋକମାନେ ଗୁଡ଼ି ଉଡାର ଆନନ୍ଦ ଉଠାଇବା ପାଇଁ ସଜବାଜ ହୁଅନ୍ତି । ନିଜେ ପ୍ରସ୍ତୁତ କରି ବା ବଜାରରୁ ରଙ୍ଗବେରଙ୍ଗର ଗୁଡ଼ି କିଣି ଆଣି ନୀଳ ଆକାଶକୁ ଢାଙ୍କି ପକାଇଥାନ୍ତି । ଦଶ ଟଙ୍କାରୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଗୁଡି ବଜାରରେ ମିଳେ । ଅଲଗା ଅଲଗା ଆକୃତି, ଆକାର ଓ ରଙ୍ଗର ଗୁଡ଼ି ମୁକ୍ତ ଆକାଶରେ ପକ୍ଷୀ ଉଡ଼ିବା ପରି ପ୍ରତୀୟମାନ ହୁଅନ୍ତି । ଗୁଡ଼ି ବିଜୟର ସୂଚକ । ଗୁଡ଼ି ଜୀବନ ଦର୍ଶନର ଏକ ମାଧ୍ୟମ । ଦାର୍ଶନିକମାନେ ଗୁଡି ଠାରୁ ଜୀବନ ଦର୍ଶନର ତତ୍ତ୍ୱକୁ ଖୋଜି ପାଇଛନ୍ତି । ଗୁଡି ଉଡାଳି ଗୁଡି ସାହାଯ୍ୟରେ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ସୁଖ, ସମୃଦ୍ଧି ଓ ବିଶ୍ୱାସର ପ୍ରତୀକ ଗୁଡ଼ିର ଜନ୍ମ ଚୀନ ଦେଶରୁ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଚୀନର ଦାର୍ଶନିକ ମୋହହି ପ୍ରଥମେ ଗୁଡିି ପ୍ରସ୍ତୁତ କରିଥିଲେ । ବାଉଁଶପାତ ଉପରେ ରେଶମ କପଡ଼ାର ଆବରଣ ଦେଇ ସେ ନିର୍ମାଣ କରିଥିଲେ ଗୁଡ଼ି । ବାୟୁ ଚାପ, ଉଚ୍ଚତା ମାପ, ସତର୍କ ସୂଚନା, ସୈନ୍ୟବାହିନୀକୁ ସଙ୍କେତ ଆଦି କାର୍ଯ୍ୟରେ ଗୁଡ଼ିକୁ ଚୀନବାସୀ ବ୍ୟବହାର କରୁଥିଲେ । ତେବେ ଚୀନକୁ କିନ ରାଜବଂଶ ଶାସନ କରିବା ସମୟରେ ଗୁଡି ଉଡୁଥିବା ବେଳେ ଯଦି ସୂତା ଛିଣ୍ଡିଯାଏ, ତେବେ ଏହାକୁ ଅଶୁଭର ସୂଚକ ବୋଲି ମନେ କରାଯାଉଥିଲା । ପବନରେ ହଲି ହଲି ଏହି ଗୁଡି ଯେତେବେଳେ ତଳେ ପଡୁଥିଲା ଏହାକୁ କେହି ବି ଉଠାଉନଥିଲେ । ଏହି ଛିଣ୍ଡା ଗୁଡ଼ି ସହ ଉଡ଼ାଳିର ଦୁର୍ଭାଗ୍ୟ ଜଡ଼ିତ ଥିବାର ବିଶ୍ୱାସ କରୁଥିଲେ ଚୀନବାସୀ । ଉଡ଼ାଜାହାଜର ଉଦ୍ଭାବନ ପୂର୍ବରୁ ସାମରିକ କାର୍ଯ୍ୟରେ ଗୁଡିକୁ ବ୍ୟବହାର କରାଯାଉଥିଲା । ଐତିହାସିକଙ୍କ ମତରେ ଚୀନର ଜଣେ ସେନାପତି ହାନ୍‌ସିଜ କାଗଜକୁ ଚାରିକୋଣିଆ କରି କାଟି ଏହାକୁ ପବନରେ ଉଡ଼ାଇ ନିଜ ସୈନିକଙ୍କୁ ବାର୍ତ୍ତା ପଠାଉଥିଲେ । ୧୭୫୨ ମସିହାରେ ବେଞ୍ଜାମିନ ଫ୍ରାଙ୍କଲିନ ବିଜୁଳି ଓ ବିଦ୍ୟୁତ ଶକ୍ତି ମଧ୍ୟରେ କିଛି ଫରକ ନାହିଁ ବୋଲି ପ୍ରମାଣିତ କରିବା ପାଇଁ ପ୍ରବଳ ଝଡବତାସ ସମୟରେ ଗୋଟିଏ ସିଲ୍କ ଗୁଡି ଆକାଶରେ ଉଡାଇଥିଲେ । ଭାରତକୁ ଗୁଡି ପ୍ରାୟ ହଜାରେ ବର୍ଷ ତଳୁ ଆସିଥିଲା । ଚୀନର ବୌଦ୍ଧ ତୀର୍ଥ ଯାତ୍ରୀମାନେ ଭାରତକୁ ଆଣିଥିଲେ ବୋଲି କେତେକ ମତ ଦେଉଥିବା ବେଳେ ଚୀନ ପରିବ୍ରାଜକ ହୁଏନସାଂ ଓ ଫାୟିୟାନ ଏହାକୁ ଆଣିଥିଲେ ବୋଲି ଐତିହାସିକମାନେ ମତ ଦିଅନ୍ତି  । ମୋଗଲ ବାଦସାହ ଓ ରାଜକୁମାରମାନେ ଗୁଡ଼ି ଉଡ଼ାଇବାରେ ଖୁବ୍ ରୁଚି ରଖୁଥିଲେ । ମୋଗଲ ଶାସନ ପରେ ଲକ୍ଷ୍ନୌ, ରାମପୁର, ହାଇଦ୍ରାବାଦ ଆଦି ସହରର ନବାବମାନେ ଗୁଡ଼ିକୁ ପ୍ରଜାମାନଙ୍କ ଅଭାବ ଦୂର କରିବାର ମାଧ୍ୟମ ଭାବରେ ପରିଣତ କରିଥିଲେ । ସେଠାକାର ରଜାମାନେ ନିଜ ଗୁଡ଼ିରେ ସୁନା ମୋହର ବାନ୍ଧି ଉଡ଼ାନ୍ତି ଏବଂ ଶେଷରେ ସୂତାକୁ ଛିଣ୍ଡାଇ ଦିଅନ୍ତି । ସେମାନଙ୍କର ଉଦ୍ଦେଶ୍ୟ ଥାଏ ଯେଉଁ ଗାଁରେ ଗୁଡ଼ି ପଡ଼ିବ ସେହି ଗାଁର ଲୋକମାନେ ସୁନା ମୋହର ପାଇ ନିଜ ଅଭାବକୁ ଦୂର କରିବେ । ଜାମ୍ମୁର ମହାରାଜାମାନେ ନିଜର ଗୁଡ଼ିଉଡା ସଉକ ମେଣ୍ଟାଇବା ପାଇଁ ଦରବାରରେ ଗୁଡ଼ି ଉଡ଼ାଳି ନିଯୁକ୍ତ କରିଥିଲେ । ଧୀରେଧୀରେ ଦିଲ୍ଲୀରୁ ସାରା ଭାରତରେ ଗୁଡ଼ି ତା’ର ଜୟଯାତ୍ରା ଆରମ୍ଭ କରିଛି । ମକର ସଂକ୍ରାନ୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଗୁଡ଼ିଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ୧୮୮୯ ମସିହା ଠାରୁ ଗୁଜୁରାଟରେ ଗୁଡ଼ିଉଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲେ ମଧ୍ୟ ୨୦୧୨ ମସିହା ଠାରୁ ଆନ୍ତର୍ଜାତିକ ଗୁଡ଼ିଉଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି । ସବୁଠାରୁ ବଡ ଗୁଡ଼ି ଉତ୍ସବ ଇଣ୍ଡୋନ

ସିଆରେ ଅନୁଷ୍ଠିତ ହୁଏ । ପ୍ରାୟ ଶହେ ମିଟର ଲାଞ୍ଜ ବିଶିଷ୍ଟ ଗୁଡ଼ି ଏଠାରେ ଦେଖିବାକୁ ମିଳେ । ବଲିଉଡ, ଓଲିଉଡ ତଥା ଅନ୍ୟ ଭାଷାର ଚଳଚ୍ଚିତ୍ରର କାହାଣୀ ତଥା ଗୀତରେ ଗୁଡ଼ି ପ୍ରମୁଖ ଭୂମିକା ଗ୍ରହଣ କରିଛି ।               

ଗୁଡ଼ି କେବଳ ସାମୟିକ ଆନନ୍ଦ ନୁହେଁ, ଏହା ସର୍ବ ଧର୍ମ ସମନ୍ୱୟର ପ୍ରତୀକ । ପବନ ବା ବାୟୁର ଏକ ସ୍ୱତନ୍ତ୍ର ଉତ୍ସବ ଭାବରେ ଡିସେମ୍ବରରୁ ଜାନୁଆରୀ ମାସରେ ସାରା ଦେଶରେ ଗୁଡ଼ି ଉଡ଼ାଯାଏ । ଆମ ସଂସ୍କୃତି ଓ ପରମ୍ପରା ସହିତ ଗୁଡି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶୀତ ଆସିଲେ ଗୁଡ଼ି ଉଡ଼ାଇବାକୁ ଇଚ୍ଛା ହୁଏ । ବିଭିନ୍ନ କିସମର  ଗୁଡି ଉଡ଼ାଇବାର ମଜା ନିଆରା । କିଏ ନେତାଙ୍କ ପ୍ରତିଛବିର ଗୁଡ଼ି ତ କିଏ ଉଡ଼ାଜାହାଜ, କେହି ବହୁ ଲାଞ୍ଜ ବିଶିଷ୍ଟ ଗୁଡ଼ି ଆକାଶରେ ଉଡ଼ାଇଥାନ୍ତି । ଅନ୍ୟର ଗୁଡ଼ିକୁ କାଟି ଦେଇ ମଜା ନେବାର ଖୁସି, ମକର ସଂକ୍ରାନ୍ତିର ପରିବେଶକୁ ବେଶ୍ ସରଗରମ କରିଥାଏ । ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବା ପଛରେ କୌଣସି ଧାର୍ମିକ କାରଣ ନାହିଁ । କିନ୍ତୁ ଏହାର ମନୋବୈଜ୍ଞାନିକ କାରଣ ରହିଛି । ପୌଷ ମାସରେ ଅଧିକ ଶୀତଳତା ଯୋଗୁଁ ଆମ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏହି ଦିନରେ ତ୍ୱଚା ମଧ୍ୟ ଶୁଷ୍କ ହୋଇଯାଏ । ସୂର୍ଯ୍ୟ ଉତ୍ତରାୟଣ ହେଲେ ତାଙ୍କ କିରଣ ଆମ ଶରୀର ପାଇଁ ଔଷଧ ପରି କାମ ଦିଏ । ସୂର୍ଯ୍ୟଙ୍କର ସିଧା କିରଣ ଗୁଡ଼ି ଉଡ଼ାଇବା ସମୟରେ ଆମ ପୂରା ଶରୀର ଉପରେ ପଡେ । ଏହାଦ୍ୱାରା ଶୀତରୁ ସୃଷ୍ଟି ହେଉଥିବା ଅନେକ ରୋଗ ମନକୁ ମନ ଭଲ ହୋଇଥାଏ । ଓଡ଼ିଶାରେ ଏହି ଗୁଡ଼ି ଉଡ଼ାଇବାର କୌଶଳ ଓ ପରମ୍ପରା ଟିକେ ଭିନ୍ନ । ବିଶେଷତଃ କଟକରେ ଗୁଡ଼ିଉଡା ପରମ୍ପରା ନିଆରା । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ କଟକ ସହରର ଆକାଶ ବି ଗୁଡ଼ିମୟ ହୋଇ ପଡ଼ିଥାଏ । କିଏ କାହାର ଚଳଚ୍ଚିତ୍ରରେ ଓଡିଆ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଉଡ଼ି.. ଉଡ଼ି.. ଉଡ଼ି.. ଯାଆରେ .. ଉଡ଼ି.. ଏମୋର.. ଗୁଡ଼ି.. ଗୀତଟି ଗୁଡ଼ିକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଗୀତ ଗୁଡ଼ି ଉଡ଼ାଇବାର ସଉକକୁ ଆହୁରି ତାଜା କରିଦେଇଛି । ରାଜ୍ୟର ଅନ୍ୟ ସ୍ଥାନ ଅପେକ୍ଷା କଟକରେ ଗୁଡିଉଡା ପରମ୍ପରା  ବହୁ ପ୍ରାଚୀନ । ମକରର କିଛିଦିନ ପୂର୍ବରୁ କଟକିଆଙ୍କ ମନରେ ଗୁଡ଼ି ଉଡ଼ାଇବା ପାଇଁ ଉତ୍ସାହ ଆରମ୍ଭ ହୋଇଯାଏ । ରାଜରାଜୁଡା ସମୟରୁ ଏହା ଚାଲି ଆସିଛି । କଟକରର ଗଡ଼ଗଡ଼ିଆ ଘାଟ, ମହାନଦୀ ପଠା, ଧବଳେଶ୍ୱରରେ ମାଞ୍ଜା ସୂତା ତିଆରି ସାଙ୍ଗକୁ ନଟେଇ ଓ ଗୁଡିର ଯୋଗାଡ ଚାଲେ । ଗୁଡି ପାଇଁ ଖୁବ୍ ପତଳା ଜରି କିମ୍ବା କାଗଜ ବ୍ୟବହାର କରାଯାଏ । ଗୁଡ଼ିର ଓଜନ ଅତି ବେଶୀରେ ୫୦ରୁ ୧୦୦ ଗ୍ରାମ ହେଲେ ଏହା ଅଧିକ ଉଡ଼ିଥାଏ । ନିର୍ମାଣ ଶୈଳୀ ଉପରେ ଗୁଡିର ଶକ୍ତି ନିହିତ ହୋଇଥାଏ । ଗୁଡିକୁ ଉଡାଇବା ପାଇଁ ସୂତା ଦରକାର ହୁଏ ଯାହାକୁ ମାଞ୍ଜା ସୂତା କୁହାଯାଏ । କେତେକ ବ୍ୟକ୍ତି  ଅନ୍ୟ ଗୁଡିକୁ କାଟିବା ପାଇଁ ସାଧାରଣ ସୂତା ବଦଳରେ ପ୍ଲାଷ୍ଟିକ ସୂତା ଓ କାଚଗୁଣ୍ଡ ବୋଳା ସୂତା ବ୍ୟବହାର କରୁଥିବାରୁ ଏହା ମଣିଷ ଓ ପଶୁପକ୍ଷୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ୨୦୧୬ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଞ୍ଜା ସୂତାର ବ୍ୟବହାର ଉପରେ କଟକଣା ଜାରି ହୋଇଥିଲା । କିନ୍ତୁ ଏହି ନିୟମକୁ ଅବମାନନା କରିବାରୁ ଦୁର୍ଘଟଣା ଘଟୁଛି । ଛାତ ବା ରାସ୍ତା ଉପରେ ଗୁଡ଼ି ନଉଡ଼ାଇ ଖେଳ ପଡିଆ, ନଦୀପଠା କିମ୍ବା ଫାଙ୍କା ସ୍ଥାନରେ  କଟନ ସୂତା ବ୍ୟବହାର କରି ଗୁଡ଼ିଉଡ଼ା ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଆଜିର ସଂକଳ୍ପ ହେଉ  ।
 

Flip Book Link: https://demo.rastradeep.com/flip.aspx?fid=208

Related Post