Latest News

ଅଯୋଧ୍ୟା ଦର୍ଶନ

ବିପିନ ବିହାରୀ ରାଉତ 15/01/2024ସମ୍ପାଦକୀୟ

  ଆଜିକାଲି ଅଞ୍ଜନର ଦେଖାଦର୍ଶନ ନାଇଁ । କୁଆଡେ ଯାଉଚି କେଜାଣି? କଲେଜରୁ ଫେରିବାପରେ ଘରେ ପାଞ୍ଚମିନିଟ ରହୁନି । ବୋଉ ପଚାରିଲେ କିଛି କହୁନି କି ବଡ଼ ନାନୀ ପଚାରିଲେ ଜବାବ୍ ଦଉନି । ସହଜେ ବାପା ତ ଘରଠୁ ଢେର୍ ଦୂରରେ ରହୁଛନ୍ତି, ତାଙ୍କ ଚାକିରି ଜାଗାରେ । ସେଇଥିପାଇଁ ଅଞ୍ଜନକୁ ଗୋଟାଏ ସୁବିଧା ପଡ଼ିଛି ବାହାରେ ବୁଲିବାକୁ । ପ୍ରକୃତରେ ଘରବାଲା ଯାହାକୁ ବାହାର ବୁଲା କହୁଛନ୍ତି ଅଞ୍ଜନ ଭଳି ଯୁବକଙ୍କର ସେଇଟା ବଡକାମ । ଥରେ ସେ ଜେଜେବାପାଙ୍କୁ କହିଲା ଜାଣିଛ, ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେଉଛି । ସାରା ପୃଥିବୀରେ ଯେତେସବୁ ରାମମନ୍ଦିର ଅଛି, ଏଇଟା ସବୁଠୁ ବଡ଼ ଆଉ ସବୁଠୁ ସୁନ୍ଦର । ଏହା ଶୁଣି ଜେଜେ କହିଉଠିଲେ, ଅଯୋଧ୍ୟାରେ କ’ଣ ରାମମନ୍ଦିର ନଥିଲା ଯେ ଏବେ ମନ୍ଦିର ପ୍ରତିଷ୍ଠା ହେଉଛି ? ଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ଟି । ଏହା ଶୁଣି ଅଞ୍ଜନ କହିଲା, ତମେ ଜେଜେ କିଛି ଜାଣିନ । ଅଯୋଧ୍ୟା ରାମଙ୍କ ଜନ୍ମସ୍ଥାନ ଯେ ସେଠି ଆଜିଯାକେ ମନ୍ଦିର ନଥିଲା । ଯେଉଁ ମନ୍ଦିର ଥିଲା ପଠାଣ ଶାସନ ବେଳେ ସେମାନେ ଭାଙ୍ଗିଦେଇଥିଲେ । ଖାଲି ଭାଙ୍ଗିନଥିଲେ, ସେ ସ୍ଥାନରେ ମସଜିଦ ତିଆରି କରିଦେଇଥିଲେ । ନାତି ଟୋକାର କଥାକୁ ଜେଜୀମା ମନଦେଇ ଶୁଣୁ ଥିଲେ । ଆଶ୍ଚର୍ଯ୍ୟ ହେଲାଭଳି ଆଖି ବଡ଼ବଡ଼ କରି କହିଲେ, କ’ଣ ହେଲା ! ଅଯୋଧ୍ୟାରେ ରାମଙ୍କ ମନ୍ଦିର ନଥିଲା? ଯାହା ବି ଥିଲା ତାକୁ ପଠାଣ ମାନେ ଭାଙ୍ଗିଦେଇଥିଲେ? କ’ଣ କହୁଚୁ ତୁ ଅଞ୍ଜନ ? ଅଞ୍ଜନ କହିଲା ହଁ, ସେଇଥିପାଇଁ ପରା ଅଯୋଧ୍ୟାରେ ନୂଆ ରାମମନ୍ଦିର ତିଆରି ହେଉଛି । ତିଆରି ସାରିଲାଣି ଜାଣ, ଏବେ ଖାଲି ରାମ ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଏଇ ଜାନୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।

 ଅଞ୍ଜନର କଥାଶୁଣି ମା କହିଲେ, ସେ କଥା ଠିକ୍ ଯେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେଉଛି । ଏଥିପାଇଁ ତୁ କାହିଁକି ବାହାରେ ବୁଲୁଛୁ, ଘରେ ଘଣ୍ଟାଏ ବି ରହୁନୁ ? ଅଞ୍ଜନ କହିଲା ତମେସବୁ ଏ ଘରଭିତରେ ପଶି ରହି କିଛି ଜାଣୁନ । ଅଯୋଧ୍ୟାରୁ ଅକ୍ଷତ ପ୍ରସାଦ ଭର୍ତ୍ତି କଳସ ସବୁ ଆସିଛି । ସେଇ ପ୍ରସାଦ କାଗଜ ପୁଡିଆରେ ପଶି ଘରେ ଘରେ ବଣ୍ଟା ହେବ ଏବଂ ସମସ୍ତଙ୍କୁ ଅଯୋଧ୍ୟା ଯିବାପାଇଁ ନିମନ୍ତ୍ରଣ କରା ହେବ । ଅଞ୍ଜନର କଥାକୁ ବଡ଼ ଆଗ୍ରହର ସହ ଶୁଣୁ ଥିଲେ ଜେଜେ । ସେଠୁ କହି ଉଠିଲେ, ସମସ୍ତେ ତାହେଲେ ଜାନୁଆରୀ ୨୨ ରେ ଅଯୋଧ୍ୟା ଯିବେ? ଆମ ରଥଯାତ୍ରା ଭଳି ଖୁବ୍ ଗହଳି ହବ ତାହେଲେ । ଏହା ଶୁଣି ଅଞ୍ଜନ କହିଲା, ଏବେ ନିମନ୍ତ୍ରଣ ଦିଆହେଉଚି ଯେ, ହେଲେ ସମସ୍ତେ ଜାନୁଆରୀ ୨୨ ରେ ଅଯୋଧ୍ୟା ଯିବେନି । ପରବର୍ତ୍ତୀ ସମୟରେ ଯିବେ ।
 ଜାନୁଆରୀ ୨୨ ରେ କେବଳ ବଡ଼ବଡ଼ ସାଧୁସନ୍ଥ, ଅଯୋଧ୍ୟା କରସେବାରେ ସହୀଦ ହୋଇଥିବା ଲୋକଙ୍କ ପରିବାର ସଦସ୍ୟ ଏବଂ କିଛି ବିଶିଷ୍ଟ ଲୋକ ଯିବେ । ଆଉ ଯୋଉମାନେ ଯିବେ ତାଙ୍କର ଆଗୁଆ ଟିକେଟ ଓ ସେଠି ରହିବା ବ୍ୟବସ୍ଥା ହୋଇସାରିଲାଣି । ଅନ୍ୟସବୁ ଲୋକ ବ୍ୟାଚ ବାଇ ବ୍ୟାଚ୍ ପରେ ଯିବେ । ଆମ ଓଡ଼ିଶା ପାଇଁ ଫେବୃଆରୀ ଏଗାରକୁ ଦିନ ସ୍ଥିର ହେଇଚି । ଶୁଣାଯାଉଚି ଟ୍ରେନ ପୁରୀରୁ ବାହାରିବ, ସିଧା ଅଯୋଧ୍ୟା ପହଞ୍ଚିବ । ଅଯୋଧ୍ୟା ତ ପୂରା ଚାକାଚକ୍ ହେଇଗଲାଣି । ରାସ୍ତାଘାଟ ସବୁ ସଜା ହେଇ ଗଲାଣି । ରାମଙ୍କୁ ସ୍ୱାଗତ କରାଯିବ ଟି ! ଏହା କହି ଅଞ୍ଜନ ତା ବୋଉ, ଜେଜେ ବାପା ଓ ଜେଜେ ମାଆକୁ ପାଖକୁ ଡାକି ତା ମୋବାଇଲ୍ ଖୋଲି ସବୁ ଦେଖେଇ ଦେଲା ଏବେ ଅଯୋଧ୍ୟା କେମିତି ଦିଶୁଛି । ପୁଣି କହିଲା, ରାମ ମନ୍ଦିର କାମ ପୂରା ସରିନି, ଜୋର୍ ସୋର୍ ରେ ଚାଲିଛି । ମନ୍ଦିର ସୁନ୍ଦର, ସୁଦୃଢ ଓ ଦୀର୍ଘକାଳ ସ୍ଥାୟୀ ହେବ । ତିନି ମହଲା ବିଶିଷ୍ଟ ହେବ । ଯାହା ଖବର ଆସୁଛ, ତଳ ମହଲା କାମ ସଂପୂର୍ଣ୍ଣ ହୋଇଛି । ଦ୍ୱିତୀୟ ମହଲା କାମ ଅଶୀ ଭାଗ ସରିଛି, ବାକି କାମ ଜାନୁଆରୀ ବାଇଶି ସୁଦ୍ଧା ସରିଯିବ । ତିନି ଜଣ ଯାକ

ଡ଼ ଉତ୍ସାହରେ ଅଞ୍ଜନ କଥା ଶୁଣୁ ଥିଲେ । ଜେଜୀମା କହି ଉଠିଲେ, ମନ୍ଦିରରେ ରାମ ଲକ୍ଷ୍ମଣ ସୀତା ଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବେ ନା ! କେଡେ ସୁନ୍ଦର ନ ଦିଶିବେ ! ରାମ ଲକ୍ଷ୍ମଣ ହାତରେ ଧନୁଶର ଧରିଥିବେ, ପାଖରେ ସୀତା ଠାକୁରାଣୀ ବିରାଜୁଥିବେ, ପାଦତଳେ ହନୁମାନ । 

 ଏତିକିରେ ଅଞ୍ଜନ ଜେଜୀମା କୁ ଅଟକେଇ ଦେଇ କହିଲା, ମନ୍ଦିରର ଗମ୍ଭୀରା ଭିତରେ କେବଳ ରାମ ଲାଲା, ମାନେ ବାଳକ ରାମ ବିରାଜିବେ ଯାହାଙ୍କ ବୟସ ମାତ୍ର ପାଞ୍ଚ ବର୍ଷ । ତେଣୁ ସେଠି ସୀତା କୋଉଠୁ ଆସିବେ? ହଁ, ଅଲଗା ସ୍ଥାନରେ ସେମାନେ ସ୍ଥାନ ପାଇବେ । ଏହା ଛଡା ବଶିଷ୍ଠ, ବିଶ୍ୱାମିତ୍ର, ବାଲ୍ମୀକି ଆଦି ଋଷିିଗଣ ଏବଂ ରାମାୟଣର ସମ୍ପୂର୍ଣ୍ଣ ଚିତ୍ର ମନ୍ଦିର ଦେହରେ ଦେଖିବାକୁ ମିଳିବ ।
 ଏତିକି କହିଦେଇ ଅଞ୍ଜନ ତରତରରେ ଘରୁ ବାହାରି ଯାଉଥିଲା, ମା ଆକଟ କଲା ଭଳି ପଚାରିଲେ, ହଠାତ୍ କୁଆଡେ ଚାଲିଲୁ ? ଖିଆପିଆ କରିନୁ ଘରୁ ବାହାରକୁ ପାଦ ବଢାଉ ବଢ଼ାଉ ଅଞ୍ଜନ କହି ଉଠିଲା - ସିଆଡେ ମୋର ବହୁତ କାମ । ସମସ୍ତେ ମିଶି ଅଯୋଧ୍ୟାରୁ ଆସିଥିବା ଅକ୍ଷତ ପ୍ରସାଦକୁ ଛୋଟ ଛୋଟ କାଗଜ ଖାମରେ ପରାଇ ପ୍ୟାକିଙ୍ଗ କରୁଛନ୍ତି । ମୁଁ ଗଲେ ସେ କାମରେ ଯୋଗ ଦେବି । ଜାନୁଆରୀ ପହିଲାରୁ ସେ ପ୍ରସାଦ ଘର ଘର ବଣ୍ଟା ହେବ । ସମସ୍ତଙ୍କୁ କୁହାଯିବ ରାମ ମନ୍ଦିର ପ୍ରତିଷ୍ଠା ଦିନ ନିଜ ଘରେ ଦୀପ ଜାଳିବେ, ରାମ ନାମ ଜପ କରିବେ, ଦିନ ବାରଟା ବେଳେ ଲାଇଫ ଟେଲି କାଷ୍ଟ୍ ଦେଖିବେ । ସବୁ ଶୁଣି ସାରି ପାକୁଆ ପାଟିରେ ଜେଜୀମା କହିଲା, ମୋ ଜୀବଦଶାରେ କ’ଣ ରାମ ମନ୍ଦିର ଦର୍ଶନ କରିପାରିବି ? ଅଞ୍ଜନ କହିଲା, ଜୀବ ଦଶାରେ କ’ଣ, ସପ୍ତାହକ ଭିତରେ ତତେ ରାମ ମନ୍ଦିର ଦର୍ଶନ କରାଉଚି । ଅଞ୍ଜନର କଥା ବୁଝିବାକୁ ସେମାନେ ଚେଷ୍ଟା କରୁକରୁ ସେ ଜାଗା ଛାଡି ଚମ୍ପଟ ।
 ଠିକ୍ ସପ୍ତାହେ ପରର କଥା । ଦିନ ଦ୍ୱିପ୍ରହର ସମୟ, କିଏ ଖାଇ ସାରିଲାଣି, କିଏ ଖାଇ ବସିଚି, ଏତିକି ବେଳେ ଦାଣ୍ଡ ଦୁଆରେ ଆସି କୋରିଅର ବାଲା ଡାକିଲା । ଆପଣଙ୍କର କୋରିୟର ଆସିଛି ନିଅନ୍ତୁ । ଜେଜେ ପଚାରିଲେ, ଆରେ କିଏ କ’ଣ ଆଣିଛି? ଜେଜୀମା ବି ସେଇ କଥା ପଚାରିଲା । ବୋଉ କିଛି କହିବା ପୂର୍ବରୁ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଦାଣ୍ଡକୁ ଚାଲିଗଲା ଅଞ୍ଜନ ଏବଂ ଗୋଟାଏ କାଗଜ ପ୍ୟାକେଟ ଧରି ଘର ଭିତରକୁ ଚାଲି ଆସିଲା । କହିଲା, ସମସ୍ତେ ଜଲଦି ଜଲଦି ଖାଇଦିଅ, ଏ ପ୍ୟାକେଟ ଖୋଲା ହେବ । କେହି କିଛି ବୁଝି ପାରୁନଥାନ୍ତି । ଖାଇବା ସାଙ୍ଗେ ଏ ପ୍ୟାକେଟର କି ସମ୍ପର୍କ ଅଛି । ଖିଆ ପିଆ ପର୍ବ ସରିଲା । ଅଞ୍ଜନ ପ୍ୟାକେଟ ଟି ନେଇ ସିଧା ଜେଜୀମା’ଙ୍କ ହାତକୁ ବଢେଇ ଦେଲା । କହିଲା, ତମେ ଖୋଲ । ଜେଜେମା କହିଲେ, ଆରେ ମୁଁ ବୁଢୀ ଲୋକଟା କ’ଣ ଖୋଲିବି, ତୁ ଟୋକାଟା ଥାଉଥାଉ ? ଅଞ୍ଜନ କହିଲା, ତୁ ଆଗ ଖୋଲ, ଦେଖେ ୟା ଭିତରେ କ’ଣ ଅଛି । ନାତି କଥା ଶୁଣି ଜେଜୀମା ତାର ଥରିଲା ଥରିଲା ହାତରେ ବହୁ କଷ୍ଟରେ ପରସ୍ତ ପରସ୍ତ କରି ସେ ପ୍ୟାକେଟକୁ ଖୋଲିଲେ । ତା ଭିତରୁ ଯାହା ବାହାରିଲା ଖାଲି ଜେଜୀମା ନୁହେଁ, ସେଠି ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାଠରେ ଗଢା ଗୋଟିଏ ଛୋଟ ମନ୍ଦିରର ଆକୃତି ! 
 ଅଞ୍ଜନ ସମସ୍ତଙ୍କ ଆଡକୁ ଥରେ ଆଖି ବୁଲେଇ ନେଇ କହିଲା , ଏଇ ହେଲା ପ୍ରଭୁ ଶ୍ରୀରାମ ଲାଲାଙ୍କ ମନ୍ଦିର ! ଅଯୋଧ୍ୟାରୁ ଆସିଛି । ନିଅ, ସମସ୍ତେ ଦର୍ଶନ କର । ମୁଣ୍ଡରେ ଛୁଆଁଇ ଠାକୁର ଘରେ ରଖ । ଏହା ଦେଖି ମା କହିଲେ, ଏ ରାମ ମନ୍ଦିରର ଟିକି ମଡେଲ ତୁ କୋଉଠୁ ପାଇଲୁ ? ଅଞ୍ଜନ ଗଡ ଜିତିଲା ଭଳି ଛାତି କୁଣ୍ଢେ ମୋଟ କରି କହିଲା, ଏହାକୁ ମୁଁ ଅନ୍ ଲାଇନ୍‌ରେ ମଗେଇଛି । ସବୁ ଏଇ ଫୋନ୍‌ର କମାଲ୍ । ଶେଷରେ ଜେଜେ ବାପା ଉଠିଆସି ଆଞ୍ଜନକୁ କୁଣ୍ଢେଇ ପକେଇଲେ । କହିଲେ, ତୋ ନାଁ ମୁଁ ଆଜିଠାରୁ ଆଞ୍ଜନେୟ ଦେଲି, ମାନେ ହନୁମାନ !

Flip Book Link: https://demo.rastradeep.com/flip.aspx?fid=209

Related Post