Latest News

ଅମୃତର ଅନ୍ୟନାମ ଦୁବ

ଡାକ୍ତର ଦିବ୍ୟଜ୍ୟୋତି ମହାରଣା 22/01/2024ଦ୍ରବ୍ୟଗୁଣ

ସ୍ରଷ୍ଟା ତାଙ୍କ ସୃଷ୍ଟିରେ ଅନେକ ଛୋଟବଡ଼ ଉଦ୍ଭିଦ ଜନ୍ମ ଦେଇଛନ୍ତି । ଉଦ୍ଭିଦ ହିଁ ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଏକ ଛୋଟ ଦୁବଘାସକୁ ସମଗ୍ର ଭାରତରେ ସମସ୍ତେ ଜାଣନ୍ତି । ଏହି ଛୋଟ ଘାସଟି ଯେ ଆମର ଅନେକ ଉପକାର କରି ବିଭିନ୍ନ ରୋଗଦାଉରୁ ରକ୍ଷାକରିପାରେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । 

ଦୁବର ଗୁଣ ଲଘୁ, ରସରେ କଷାୟ ଓ ମଧୁର, ବିପାକ ମଧ୍ୟ ମଧୁର ଏବଂ ଶୀତବୀର୍ଯ୍ୟଯୁକ୍ତ । ଏହା କଫ ପିତ୍ତ ଶାମକ ସ୍ତମ୍ଭକ- ବ୍ରଣ ରୋପଣ ଦାହ ପ୍ରଶମକ ଓ ବର୍ଣ୍ଣ୍ୟ ଅଟେ । 
ଦୁବର ଉପକାରିତା- ଦୁବରସ ଦିନକୁ ଦୁଇଥର ସେବନ କଲେ ରକ୍ତପିତ୍ତ ରୋଗ ଉପଶମ ହୋଇଥାଏ । ନାକରୁ ରକ୍ତ ପଡ଼ିଲେ ଦୁବଘାସର ରସ ନସ୍ୟ ନେଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ । ଏହାର ପ୍ରଲେପ କପାଳରେ ଦେଲେ ରୋଗୀ ଯନ୍ତ୍ରଣା ମୁକ୍ତହୁଏ ।
ରକ୍ତ ଆମାଶୟ ରୋଗରେ ଦୁବର କ୍ୱାଥ ବ୍ୟବହାର କଲେ ଭଲ ଫଳ ମିଳିଥାଏ । ଯେ କୌଣସି କଟା ଘା’ରେ ଦୁବକୁ ଛେଚି ଲଗାଇଲେ ରକ୍ତ ବନ୍ଦ ହୋଇଥାଏ । କାଛୁ କୁଣ୍ଢିଆ ଚର୍ମ ରୋଗରେ ସମପରିମାଣରେ ଦୁବ ଓ ଲିମ୍ବପତ୍ର ବା ଦୁର୍ବା ହଳଦୀକୁ ବାଟି ଏକମାସ ଲଗାଇଲେ ଉକ୍ତ ରୋଗ ଭଲ ହୋଇଥାଏ । ରକ୍ତାର୍ଶ ରୋଗରେ ରକ୍

ପଡ଼ିବା ସମୟରେ ଦୁବରସ ଅଧତୋଳା ସମପରିମାଣରେ କ୍ଷୀର ସେବନ କଲେ ରକ୍ତ ପଡ଼ିବା ବନ୍ଦ ହେବା ସହିତ ରୋଗୀ ଯନ୍ତ୍ରଣାରୁ ମୁକ୍ତି ପାଇଥାଏ । ଅରୁଆ ଚାଉଳ ଓ ଦୁବ ଘାସକୁ ବାଟି ପିଠା ତିଆରି କରି ରୋଗୀକୁ ଖାଇବାକୁ ଦେଲେ ଅନିୟମିତ ହୋଇଥିବା ରଜସ୍ରାବ ନିୟମିତ ହୁଏ । ମୁହଁ ଘା’ ଏହାର କ୍ୱାଥ କୁଳିକଲେ ୧-୪ ଦିନରେ ମୁଖ ଗହ୍ୱରର କ୍ଷତ ଆରୋଗ୍ୟ ହୋଇଥାଏ । ଦୁବକୁ ବାଟି ମହୁ ଓ ଚିନି ସହ ସେବନ କଲେ ମୂତ୍ରରୋଧଜନିତ ଯନ୍ତ୍ରଣାରୁ ଉପଶମ ମିଳେ । ଦୁବ ଘାସକୁ ଶୁଖାଇ ଗୁଣ୍ଡକରି ସେଥିରେ ସମପରିମାଣ ଲେମ୍ବୁରସ ମିଶାଇ ପ୍ରତ୍ୟହ ଦୁଇଥର ମାଲିସ କଲେ ଛଉ ରୋଗରୁ ମୁକ୍ତି ମିଳେ । 

ଶ୍ୱେତପ୍ରଦର ରୋଗରେ ଦୁବ ରସ ଓ ମହୁ ଆବଶ୍ୟକୀୟ ମାତ୍ରାନୁସାରେ ସେବନ କଲେ ଭଲ ଫଳ ମିଳିଥାଏ ।
ଭାରତର ପ୍ରତ୍ୟେକ ହିନ୍ଦୁ ଘରେ ଦୁବ ଭଲଭାବେ ପରିଚିତ । ପ୍ରତ୍ୟେକ ପୂଜାରେ ଦୁବ ଆବଶ୍ୟକ ପଡ଼ିଥାଏ । ଚନ୍ଦନ ଘୋରା ପାଣି ଦୁବ ସାହାଯ୍ୟରେ ମୁଣ୍ଡରେ ଲଗାଇଲେ ମୁଣ୍ଡ ଥଣ୍ଡା ହେବା ସହିତ ମନରେ ସାତ୍ତ୍ୱିକଭାବ ସୃଷ୍ଟି ହୋଇଥାଏ । ସେହିପରି ଆଶୀର୍ବାଦ ପାଇଁ ଦୁର୍ବାକ୍ଷତ ପ୍ରଥମେ ଖୋଜାପଡ଼େ । ତେଣୁ ଏହି ବହୁ ଉପକାର ଛୋଟ ଉଦ୍ଭିଦଟିକୁ ଆମେ କାର୍ଯ୍ୟରେ ଲଗାଇବା ଉଚିତ ।

Flip Book Link: https://demo.rastradeep.com/flip.aspx?fid=210

Related Post