Latest News

ସନାତନର ଶଙ୍ଖନାଦ

ଚିତ୍ତରଞ୍ଜନ ମହାପାତ୍ର 11/12/2023ବିଚାର

 ଆମେରିକାର ବିଖ୍ୟାତ କବି, ସାହିତ୍ୟିକ ଅଲିଭର ୱେଣ୍ଡଲ ହୋମସ୍ ‘ଆଂଟଲାଣ୍ଟିକ୍ ମନ୍ଥଲି’ ନାମକ ଏକ ସମ୍ବାଦପତ୍ରରେ  ଲେଖାଟିଏ ପ୍ରକାଶ କରିଥିଲେ । ହୋମସ୍ ସାହେବ ଲେଖିଥିଲେ, ‘ଋଷରେ ହୁକୁମନାମାକୁ ଯେପରି ଆଜ୍ଞା ପତ୍ରିକା ବୋଲି ସ୍ୱୀକାର କରାଯାଏ, ସେହିପରି ଆମେରିକାର ଖବରକାଗଜ ମଧ୍ୟ ଆଜ୍ଞା ପତ୍ରିକା ସଙ୍ଗେ ସମାନ । ଖବରକାଗଜ ପାଇବାକୁ ହେବ, ପଢ଼ିବାକୁ ହେବ, ଆଉସବୁ କଥା ପଛକୁ ଛାଡ଼ିଦିଆଯିବ । ଜନସାଧାରଣଙ୍କ ଖାଦ୍ୟ ବିନା ଯେପରି ଜୀବନ ଧାରଣ ଅସମ୍ଭବ ସେହିପରି ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଖବର କାଗଜ ବିନା ଦେଶ ଓ ସମାଜର ସ୍ଥିତି ମଧ୍ୟ ଅସମ୍ଭବ ।’ ଏ କଥା ବିଚାର କଲେ ଯଣାପଡ଼େ; ଆଜି ଏତେ ମାତ୍ରାରେ ଗଣମାଧ୍ୟମ ଆତ୍ମପ୍ରକାଶ କରିଛି ଏବଂ ଏମାନେ ନିଜ ନିଜର ଦୃଷ୍ଟିକୋଣ ଅନୁସାରେ ସମାଜକୁ ପରିଚାଳିତ କରିବାକୁ ପ୍ରୟାସ କରୁଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି । 

ଚଳିତ ପାଞ୍ଚଟି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ସମସ୍ତ ପତ୍ରକାର ବନ୍ଧୁ, ଏକଜିଟପୋଲ, ରାଜନୈତିକ ପଣ୍ଡିତ ତଥା ବିଶେଷଜ୍ଞଙ୍କ ଆକଳନ ନକାରାତ୍ମକ ସାବ୍ୟସ୍ତ ହୋଇଛି । ଜନମାନସର ହୃଦୟ ସ୍ପନ୍ଦନକୁ ମାପିବାରେ ଏମାନେ ସର୍ବାଦୌ ଅସଫଳ ସାବ୍ୟସ୍ତ ହେଲେ ।  ଏଠାରେ ଗଣତନ୍ତ୍ରର ବିଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକଦା ଆମ ସାମାଜିକ ବିଷମତାକୁ ଲକ୍ଷ୍ୟ କରି ବ୍ରିଟିସ ପ୍ରଧାନମନ୍ତ୍ରୀ କହିଥିଲେ, ଭବିଷ୍ୟତରେ ଭାରତରେ ଗଣତନ୍ତ୍ର ବିଫଳ ହେବ । କିଛିବର୍ଷ ଭିତରେ ଏଠାରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ।’ କିନ୍ତୁ ଆଜି ବାରମ୍ବାର ଅନୁଷ୍ଠିତ ହେଉଥିବା ନିର୍ବାଚନ ମାଧ୍ୟମରେ ସେମାନଙ୍କର ଆଶଙ୍କା ଦୃଢ଼ୀଭୂତ ହେଉଛି ଯେ, ବିଶ୍ୱର ଅନ୍ୟ ଗଣତନ୍ତ୍ର ଠାରୁ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ କୌଣସି ଗୁଣରେ କମ୍ ନୁହେଁ । 
ଉକ୍ତ ତିନିଟି ରାଜ୍ୟର ବିଜୟ ଯାତ୍ରାକୁ ଲକ୍ଷ୍ୟକଲେ ଜଣାପଡ଼ିବ ଯେ, ଏହା ହେଉଛି ସିଧାସଳଖ ସନାତନର ଶଙ୍ଖନାଦ । କଂଗ୍ରେସର ବରିଷ୍ଠ ନେତା ସ୍ୱୟଂ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ତାଙ୍କ ମନ୍ତବ୍ୟରେ କହିଛନ୍ତି ସନାତନକୁ ଗାଳି ଦେବାର ଏହା ହେଉଛି ଅଭିଶାପ । ଅତୀତରେ ଯେଉଁ କଂଗ୍ରେସ ରାମସେତୁକୁ କାଳ୍ପନିକ କହି ଜଘନ୍ୟ ଅପରାଧ କରିଥିଲା ସେହି କଂଗ୍ରେସ ଏବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚାଲିଥିବା

ଅଭିଯାନକୁ ଭାଜପାର ନିର୍ବାଚନୀ ପ୍ରଚାର ବୋଲି  ଅଭିଯୋଗ କରୁଛି ।  ନିକଟରେ ଆତଙ୍କବାଦୀ ସଂଗଠନ ହାମାସକୁ କଂଗ୍ରେସ ସମର୍ଥନ କରିବା କଥା ଜନତା ଜନାର୍ଦ୍ଦନ ଦେଖିଛନ୍ତି । ଜି୨୦ ଶିଖର ବୈଠରେ ଭାରତର ସଫଳତା ଓ ବୈଶ୍ୱିକ ନେତୃତ୍ୱକୁ କଂଗ୍ରେସ ଘୃଣା କରିବା ମଧ୍ୟ ଜନତା ଦେଖିଛନ୍ତି । ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲ୍‌ର ହତ୍ୟାକୁ କିଭଳି ସନାତନ ବିରୋଧୀ ରୂପ ଦିଆଗଲା; ଏସବୁ ମତଦାତାମାନେ ହୃଦୟଙ୍ଗମ କରିଛନ୍ତି । ନିର୍ବାଚନ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଥିଲା । କଂଗ୍ରେସର ମିଥ୍ୟା ଓ ମନଲୋଭା ପ୍ରତିଶ୍ରୁତିକୁ ଏବେ ଲୋକମାନେ ବୁଝିପାରିଲେଣି । ଜାତି ଧର୍ମ ପ୍ରତି ରହିଥିବା ଦୁର୍ବଳତାକୁ ନିଜ ସପକ୍ଷରେ ନେଇ କଂଗ୍ରେସ ଜାତିଗତ ଜନଗଣନା କରିବାର ପ୍ରତିଶ୍ରୁତି ଦେଇଥିଲା । ସଂଖ୍ୟାଲଘୁ ତୁଷ୍ଟୀକରଣକୁ ନେଇ ଅନେକ ବିଷୟ ଘୋଷଣା କରିଥିଲା । ନିଜ ସରକାରୀ କଳର ଅପବ୍ୟବହାର କରି ଭୋଟ ସଂଗ୍ରହ ପାଇଁ ନାନା ପ୍ରକାର ଉଦ୍ୟମ କରିଥିଲା । ଭ୍ରଷ୍ଟାଚାରୀମାନଙ୍କ ଉପରେ ଇଡ଼ିର ସମନକୁ ରାଜନୈତିକ ରୂପ ଦେଉଥିଲା । ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ଭ୍ରଷ୍ଟାଚାର ନଥାଇ ତାଙ୍କୁ ବଦନାମ କରିବାରେ ସବୁ ପ୍ରକାର କଳକୌଶଳ ପ୍ରୟୋଗ କରିବା ପରେ କଂଗ୍ରେସ ଉପରେ ସାଧାରଣ ଜନତାଙ୍କର ସନ୍ଦେହ ବଢ଼ି ଚାଲିଲା । ସର୍ବୋପରି କଂଗ୍ରେସର ମହାଦେବ ଆପ୍ ନାମରେ ସଟ୍ଟାବଜାରକୁ ପ୍ରୋତ୍ସାହନ ଦେବା, ଅବକାରୀ ଘୋଟାଲା ପରି ବଡ଼ ବଡ଼ ଘୋଟାଲାମାନ ଚଳିତ ନିର୍ବାଚନରେ ଭୋଟରମାନଙ୍କ ପରିପକ୍ୱତାକୁ ପ୍ରମାଣିତ କରିଛି । ଆଗାମୀ ଦିନରେ ଭାରତୀୟ ମତଦାତାମାନେ ଆଉ ମିଥ୍ୟା ପ୍ରତିଶ୍ରୁତିରେ ପ୍ରଭାବିତ ହେବେ ନାହିଁ । ଜାତିଆଣ ମନୋଭାବ ଦ୍ୱାରା ମଧ୍ୟ ପ୍ରଭାବିତ ହେବେ ନାହିଁ । ପରିବାରବାଦ, ଭ୍ରଷ୍ଟାଚାର ତଥା ଲୋକଙ୍କ ଭିତରେ ବିଭାଜନ ସୃଷ୍ଟିକାରୀ ପ୍ରକ୍ରିୟାକୁ ଆଦୌ ବରଦାସ୍ତ କରିବେ ନାହିଁ । ଏପରି ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନିର୍ଣ୍ଣୟ ନେବାର ଦକ୍ଷତା କ୍ରମଶଃ ଭାରତୀୟଙ୍କ ମଧ୍ୟରେ ଦୃଢୀଭୂତ ହେଉଛି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦେଖି ଆଜି ସମଗ୍ର ବିଶ୍ୱ ଚକିତ ।  ସନାତନର ଲହର ଏକ ଅଣ୍ଡର କରେଣ୍ଟ ପରି କେବଳ ଭାରତ ନୁହେଁ ବୈଶ୍ୱିକ ବ୍ୟବସ୍ଥା ନିମନ୍ତେ ଗ୍ରହଣୀୟ ହେବାକୁ ଯାଉଛି । ଅବଶ୍ୟ ଏହାକୁ ଅଣ୍ଡର କରେଣ୍ଟ ନ କହି ସନାତନ ଚେତନା କହିବା ଅଧିକ ପ୍ରାସଙ୍ଗିକ ହେବ । 

Flip Book Link: https://demo.rastradeep.com/flip.aspx?fid=205

Related Post